Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 12

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 12 ମଇ 2027

ବୁଧବାର · ପାସ୍କା କାଳର ସପ୍ତମ ସପ୍ତାହ

ପର୍ବ ଓ ସନ୍ଥ

ପାସ୍କା କାଳର ସପ୍ତମ ସପ୍ତାହର ବୁଧବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା

ସନ୍ଥ ପାନକ୍ରାସ୍, ଶହୀଦ · ଇଚ୍ଛାଧୀନ ସ୍ମୃତି ଦିବସ

ସନ୍ଥ ନେରେଅସ୍ ଓ ଆକିଲିଅସ୍, ଶହୀଦ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ପ୍ରେରି 20:28–38

28ତୁମ୍ଭେମାନେ ନିଜ ନିଜ ବିଷୟରେ, ଆଉ ଯେଉଁ ମଣ୍ଡଳୀକୁ ଈଶ୍ବର ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକୁ ପ୍ରତିପାଳନ କରିବା ନିମନ୍ତେ, ପବିତ୍ର ଆତ୍ମା ଯେ ତୁମ୍ଭମାନଙ୍କୁ ସମସ୍ତ ପଲ ମଧ୍ୟରେ ଅଧ୍ୟକ୍ଷ ସ୍ୱରୂପ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସାବଧାନ ହୋଇଥାଅ। 29ମୋହର ପ୍ରସ୍ଥାନ ପରେ ନିଷ୍ଠୁର ବାଘଗୁଡ଼ାକ ଯେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବେଶ କରି ପଲ ପ୍ରତି ଦୟାହୀନ ବ୍ୟବହାର କରିବେ, 30ପୁଣି, ଲୋକେ ତୁମ୍ଭମାନଙ୍କ ମଧ୍ୟରୁ ସୁଦ୍ଧା ଉଠି ଶିଷ୍ୟମାନଙ୍କୁ ଆପଣାମାନଙ୍କ ପଛରେ ଟାଣିନେବା ପାଇଁ ବିପରୀତ କଥାଗୁଡ଼ାକ କହିବେ, ଏହା ମୁଁ ଜାଣେ। 31ଅତଏବ ତୁମ୍ଭେମାନେ ଜାଗି ରୁହ, ଆଉ ମୁଁ ତିନି ବର୍ଷ ପର୍ଯ୍ୟନ୍ତ ଦିବାରାତ୍ର ଲୋତକ ସହିତ ପ୍ରତ୍ୟେକ ଜଣକୁ ଚେତନା ଦେବାକୁ ଯେ ବନ୍ଦ କରି ନ ଥିଲି, ଏହା ମନେ ପକାଅ। 32ମୁଁ ଏବେ ତୁମ୍ଭମାନଙ୍କୁ ଈଶ୍ବରଙ୍କଠାରେ ଓ ତାହାଙ୍କ ଅନୁଗ୍ରହର ବାକ୍ୟ ନିକଟରେ ସମର୍ପଣ କରୁଅଛି, ସେ ତୁମ୍ଭମାନଙ୍କୁ ନିଷ୍ଠାବାନ କରିବା ନିମନ୍ତେ ଓ ପବିତ୍ରୀକୃତ ସମସ୍ତଙ୍କ ମଧ୍ୟରେ ଅଧିକାର ଦେବା ନିମନ୍ତେ ସମର୍ଥ ଅଟନ୍ତି। 33ମୁଁ କାହାରି ରୂପା କି ସୁନା କି ବସ୍ତ୍ର ଲୋଭ କରି ନ ଥିଲି। 34ମୋହର ଏହି ହାତ ଦୁଇଟି ଯେ ମୋହର ଓ ମୋ ସଙ୍ଗୀମାନଙ୍କର ଅଭାବ ପୂରଣ ନିମନ୍ତେ ସେବା କରିଆସୁଅଛି, ନିଜେ ଏହା ତୁମ୍ଭେମାନେ ଜାଣ। 35ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ପୁଣି, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ,” ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି। 36ଏହିସବୁ କଥା କହିଲା ପରେ, ସେ ଆଣ୍ଠୁପାତି ସେ ସମସ୍ତଙ୍କ ସହିତ ପ୍ରାର୍ଥନା କଲେ। 37ଆଉ ସେମାନେ ଅତ୍ୟନ୍ତ ରୋଦନ କରି ପାଉଲଙ୍କ ଗଳା ଧରି ତାହାଙ୍କୁ ଚୁମ୍ବନ କରିବାକୁ ଲାଗିଲେ, 38ସେମାନେ ତାହାଙ୍କ ମୁଖ ପୁଣି, ଆଉ ଥରେ ଦେଖିବେ ନାହିଁ ବୋଲି ପାଉଲ ଯେ କଥା କହିଥିଲେ, ସେଥିପାଇଁ ବିଶେଷ ରୂପେ ଦୁଃଖ କଲେ। ପରେ ସେମାନେ ତାହାଙ୍କୁ ଜାହାଜ ପର୍ଯ୍ୟନ୍ତ ଘେନିଗଲେ।

ପ୍ରତିଉତ୍ତର ଗୀତ

ଗୀତ 68:28–29, 32–35

28ତୁମ୍ଭ ପରମେଶ୍ୱର ତୁମ୍ଭ ବଳର ଆଜ୍ଞା କରିଅଛନ୍ତି; ହେ ପରମେଶ୍ୱର, ତୁମ୍ଭ ପରାକ୍ରମ ଆମ୍ଭମାନଙ୍କୁ ପ୍ରକାଶ କର, ଯେପରି ତୁମ୍ଭେ ଅତୀତରେ ପ୍ରକାଶ କରିଅଛ। 29ଯିରୂଶାଲମସ୍ଥ ତୁମ୍ଭ ମନ୍ଦିର ସକାଶୁ ରାଜାଗଣ ତୁମ୍ଭ ନିକଟକୁ ଦର୍ଶନୀ ଆଣିବେ। 32ହେ ପୃଥିବୀସ୍ଥ ରାଜ୍ୟସମୂହ, ତୁମ୍ଭେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ କର; ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; [ସେଲା] 33ଯେ ଆଦିକାଳୀନ ଉଚ୍ଚତମ ସ୍ୱର୍ଗରେ ଆରୋହଣ କରନ୍ତି, ତାହାଙ୍କ ଉଦ୍ଦେଶ୍ୟରେ ଗାନ କର; ଦେଖ, ସେ ଆପଣା ରବ, ବିକ୍ରମପୂର୍ଣ୍ଣ ରବ ଉଚ୍ଚାରଣ କରନ୍ତି। 34ତୁମ୍ଭେମାନେ ପରମେଶ୍ୱରଙ୍କ ପରାକ୍ରମ କୀର୍ତ୍ତନ କର; ତାହାଙ୍କ ମହିମା ଇସ୍ରାଏଲ ଉପରେ ଓ ତାହାଙ୍କ ପରାକ୍ରମ ଆକାଶମଣ୍ଡଳରେ ରହିଅଛି। 35ହେ ପରମେଶ୍ୱର, ତୁମ୍ଭେ ଆପଣା ପବିତ୍ର ଧାମରେ ଭୟଙ୍କର ଅଟ; ଇସ୍ରାଏଲର ପରମେଶ୍ୱର ଆପଣା ଲୋକମାନଙ୍କୁ ବଳ ଓ ପରାକ୍ରମ ଦିଅନ୍ତି। ପରମେଶ୍ୱର ଧନ୍ୟ ହେଉନ୍ତୁ।

ସୁସମାଚାର

ଯୋହ 17:11–19

11ମୁଁ ଆଉ ଏ ଜଗତରେ ରହୁ ନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି; ପୁଣି, ମୁଁ ତୁମ୍ଭ ନିକଟକୁ ଯାଉଅଛି। ପବିତ୍ର ପିତଃ, ତୁମ୍ଭ ସେହି ନାମରେ ସେମାନଙ୍କୁ ରକ୍ଷା କର ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ, ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହୁଅନ୍ତି। 12ସେମାନଙ୍କ ସହିତ ରହୁଥିବା ସମୟରେ ମୁଁ ସେମାନଙ୍କୁ ତୁମ୍ଭ ସେହି ନାମରେ ରକ୍ଷା କରି ଅାସିଅଛି ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ, ଆଉ ମୁଁ ସେମାନଙ୍କୁ ସାବଧାନରେ ରକ୍ଷା କରିଅଛି ଓ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ଏଥିନିମନ୍ତେ ବିନାଶର ସନ୍ତାନ ବିନା ସେମାନଙ୍କ ମଧ୍ୟରୁ ଜଣେ କେହି ବିନଷ୍ଟ ହୋଇ ନାହିଁ।” 13“କିନ୍ତୁ ଏବେ ମୁଁ ତୁମ୍ଭ ନିକଟକୁ ଯାଉଅଛି, ଆଉ ସେମାନଙ୍କ ଅନ୍ତରେ ମୋହର ଆନନ୍ଦ ଯେପରି ସମ୍ପୂର୍ଣ୍ଣ ହୁଏ, ସେଥିନିମନ୍ତେ ଜଗତରେ ଥାଉ ଥାଉ ମୁଁ ଏହାସବୁ କହୁଅଛି। 14ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହଁନ୍ତି। 15ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଅ ବୋଲି ମୁଁ ପ୍ରାର୍ଥନା କରୁ ନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି। 16ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହଁନ୍ତି। 17ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ। 18ତୁମ୍ଭେ ମୋତେ ଯେପରି ଜଗତକୁ ପ୍ରେରଣ କରିଅଛ, ମୁଁ ମଧ୍ୟ ସେମାନଙ୍କୁ ସେପରି ଜଗତକୁ ପ୍ରେରଣ କରିଅଛି। 19ଆଉ, ସେମାନେ ସୁଦ୍ଧା ଯେପରି ସତ୍ୟ ଦ୍ୱାରା ପବିତ୍ରୀକୃତ ହୁଅନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ଆପଣାକୁ ପବିତ୍ର କରୁଅଛି।”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର