Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 11

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 11 ମଇ 2027

ମଙ୍ଗଳବାର · ପାସ୍କା କାଳର ସପ୍ତମ ସପ୍ତାହ

ପର୍ବ ଓ ସନ୍ଥ

ପାସ୍କା କାଳର ସପ୍ତମ ସପ୍ତାହର ମଙ୍ଗଳବାର

ସାଧାରଣ ଦିନ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ପ୍ରେରି 20:17–27

17ମୀଲୀତରୁ ସେ ଏଫିସ ସହରକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ। 18ସେମାନେ ତାହାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ସେମାନଙ୍କୁ କହିଲେ, ଏସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ ସମସ୍ତ ସମୟ ତୁମ୍ଭମାନଙ୍କ ମଧ୍ୟରେ କିପରି ଆଚରଣ କଲି, 19ଅଶ୍ରୁପାତ ସହିତ ସମ୍ପୂର୍ଣ୍ଣ ନମ୍ର ମନରେ ଯିହୁଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ, ମୋତେ ଯେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି, 20କିପରି କୌଣସି ହିତକର ବିଷୟ ତୁମ୍ଭମାନଙ୍କ ପାଖରେ ଜଣାଇବାକୁ ପୁଣି, ପ୍ରକାଶରେ ଓ ଘରେ ଘରେ ତୁମ୍ଭମାନଙ୍କୁ ଶିକ୍ଷା ଦେବାକୁ ସଙ୍କୁଚିତ ନ ହୋଇ, 21ଈଶ୍ବରଙ୍କ ପ୍ରତି ମନ-ପରିବର୍ତ୍ତନ ପୁଣି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ୱାସ ବିଷୟରେ ଯିହୁଦୀ ଓ ଗ୍ରୀକ୍‍ମାନଙ୍କ ପାଖରେ ସାକ୍ଷ୍ୟ ଦେଉଥିଲି, ତାହା ତୁମ୍ଭେମାନେ ଜାଣ। 22ଏବେ ଦେଖ, ମୁଁ ଆତ୍ମାରେ ପ୍ରେରଣା ପାଇ ଯିରୂଶାଲମ ସହରକୁ ଯାଉଅଛି, ସେ ସ୍ଥାନରେ ମୋ ପ୍ରତି କଅଣ ସବୁ ଘଟିବ, ତାହା ମୁଁ ଜାଣେ ନାହିଁ; 23ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, କେବଳ ଏତିକି ଜାଣେ, ଏହା ପବିତ୍ର ଆତ୍ମା ନଗରେ ନଗରେ ସାକ୍ଷ୍ୟ ଦେଉଅଛନ୍ତି। 24କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ବରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି। 25ପୁଣି, ଏବେ ଦେଖ, ଯେଉଁମାନଙ୍କ ମଧ୍ୟରେ ମୁଁ ଈଶ୍ବରଙ୍କ ରାଜ୍ୟ ଘୋଷଣା କରୁ କରୁ ଭ୍ରମଣ କଲି, ଏପରି ଯେ ତୁମ୍ଭେମାନେ ସମସ୍ତେ, ଆଉ ମୋହର ମୁଖ ଦେଖିବ ନାହିଁ ବୋଲି ମୁଁ ଜାଣେ। 26ଏହେତୁରୁ ମୁଁ ଯେ ପ୍ରତ୍ୟେକଙ୍କ ରକ୍ତର ଦାୟିତ୍ୱରୁ ନିର୍ଦ୍ଦୋଷ, ମୁଁ ଆଜି ଏହି ସାକ୍ଷ୍ୟ ତୁମ୍ଭମାନଙ୍କୁ ଦେଉଅଛି। 27ମୁଁ ଈଶ୍ବରଙ୍କ ସଙ୍କଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ସଙ୍କୁଚିତ ହୋଇ ନ ଥିଲି।

ପ୍ରତିଉତ୍ତର ଗୀତ

ଗୀତ 68:9–10, 19–20

9ହେ ପରମେଶ୍ୱର, ତୁମ୍ଭେ ପ୍ରଚୁର ବୃଷ୍ଟି ପଠାଇଲ, ତୁମ୍ଭ ଅଧିକାର କ୍ଳାନ୍ତ ଥିବା ସମୟରେ ତୁମ୍ଭେ ତାହା ସୁସ୍ଥିର କଲ। 10ତୁମ୍ଭ ସମାଜ ତହିଁ ମଧ୍ୟରେ ବାସ କଲେ; ହେ ପରମେଶ୍ୱର, ତୁମ୍ଭେ ଆପଣା ମଙ୍ଗଳ ଭାବରେ ଦୁଃଖୀମାନଙ୍କ ପାଇଁ ଆୟୋଜନ କଲ। 19ଯେଉଁ ପ୍ରଭୁ ଦିନକୁ ଦିନ ଆମ୍ଭମାନଙ୍କ ଭାର ବହନ୍ତି, ସେ ଧନ୍ୟ ହେଉନ୍ତୁ; ସେହି ପରମେଶ୍ୱର ଆମ୍ଭମାନଙ୍କର ପରିତ୍ରାଣ। [ସେଲା] 20ପରମେଶ୍ୱର ଆମ୍ଭମାନଙ୍କ ପକ୍ଷରେ ଉଦ୍ଧାରସାଧକ ପରମେଶ୍ୱର ଅଟନ୍ତି; ଓ ମୃତ୍ୟୁରୁ ରକ୍ଷା ଯିହୋବାଃ ପ୍ରଭୁଙ୍କର ଅଧୀନ।

ସୁସମାଚାର

ଯୋହ 17:1–11

1ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, “ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ୱିତ କରନ୍ତି, 2ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମନୁଷ୍ୟ ଉପରେ ଅଧିକାର ଦେଲ। 3ଆଉ, ଏକମାତ୍ର ସତ୍ୟ ଈଶ୍ବର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। 4ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି। 5ଆଉ ଏବେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ତଦ୍ୱାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର।” 6“ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ, ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି; ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି। 7ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହିସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି; 8କାରଣ ତୁମ୍ଭେ ମୋତେ ଯେ ସମସ୍ତ ବାକ୍ୟ ଦାନ କଲ, ମୁଁ ସେମାନଙ୍କୁ ସେହିସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି, ପୁଣି, ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି, ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ୱାସ କରିଅଛନ୍ତି। 9ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର; 10ଯାହା ଯାହା ମୋହର, ସେହିସବୁ ତୁମ୍ଭର, ପୁଣି, ଯାହା ଯାହା ତୁମ୍ଭର, ସେହିସବୁ ମୋହର; ଆଉ, ମୁଁ ସେମାନଙ୍କଠାରେ ମହିମାନ୍ୱିତ ହୋଇଅଛି। 11ମୁଁ ଆଉ ଏ ଜଗତରେ ରହୁ ନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି; ପୁଣି, ମୁଁ ତୁମ୍ଭ ନିକଟକୁ ଯାଉଅଛି। ପବିତ୍ର ପିତଃ, ତୁମ୍ଭ ସେହି ନାମରେ ସେମାନଙ୍କୁ ରକ୍ଷା କର ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ, ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହୁଅନ୍ତି।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର