ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 8
ଅର୍ଥୋଡକ୍ସ ପଞ୍ଜିକା · 25 ଅପ୍ରେଲ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 8 ମଇ 2027
ଶନିବାର · ଉଜ୍ଜ୍ୱଳ ସପ୍ତାହ · ସ୍ୱର 8
ପର୍ବ ଓ ସନ୍ଥ
ଉଜ୍ଜ୍ୱଳ ସପ୍ତାହର ଶନିବାର
ଉପବାସମୁକ୍ତ ସପ୍ତାହ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ (ସନ୍ଥ ମାର୍କଙ୍କ ପାଇଁ)
1ଈଶ୍ବରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର। 2ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, 3ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ। 4ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ। 5କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ବର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ। 6କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ। 7ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ; 8ସେ ତ ଦ୍ୱିମନା ଲୋକ, ଆପଣାର ସମସ୍ତ ଗତିରେ ଅସ୍ଥିର। 9ଦୀନ ଅବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ, 10ଧନୀ ଆପଣା ଦୀନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ପରି ସେ ଝଡ଼ିପଡ଼ିବ। 11ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ। 12ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ପ୍ରେମ କରୁଥିବା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ କରିବ।
ସନ୍ଧ୍ୟା ପ୍ରାର୍ଥନା: ପାଠ (ସନ୍ଥ ମାର୍କଙ୍କ ପାଇଁ)
13କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ବରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ବର ମନ୍ଦରେ ପରୀକ୍ଷିତ ହୋଇପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ। 14କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ; 15ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ। 16ହେ ମୋହର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ। 17ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ, ଅର୍ଥାତ୍, ଜ୍ୟୋତିଃର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ। 18ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ-ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥିନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ। 19ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ। ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେଉ, 20କାରଣ ମନୁଷ୍ୟର କ୍ରୋଧ ଈଶ୍ବରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ। 21ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର। 22କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ। 23କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ, 24ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ। 25କିନ୍ତୁ ଯେ ସିଦ୍ଧ, ଅର୍ଥାତ୍, ସ୍ୱାଧୀନତାର ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି, ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ। 26ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା। 27ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି, ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ।
ସନ୍ଧ୍ୟା ପ୍ରାର୍ଥନା: ପାଠ (ସନ୍ଥ ମାର୍କଙ୍କ ପାଇଁ)
1ହେ ମୋହର ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାରୁ ମନୁଷ୍ୟର ମୁଖାପେକ୍ଷା କର ନାହିଁ। 2କାରଣ ଯଦି ସୁବର୍ଣ୍ଣ ମୁଦ୍ରିକା ଓ ଚାକଚକ୍ୟ ବସ୍ତ୍ର ପରିଧାନ କରି କୌଣସି ଲୋକ ତୁମ୍ଭମାନଙ୍କ ସଭାକୁ ଆସେ, ପୁଣି, ଜଣେ ଦରିଦ୍ର ଲୋକ ମଳିନ ବସ୍ତ୍ର ପରିଧାନ କରି ଆସେ, 3ଆଉ, ତୁମ୍ଭେମାନେ ଚାକଚକ୍ୟ ବସ୍ତ୍ର ପରିଧାନ କରିଥିବା ଲୋକକୁ ମର୍ଯ୍ୟାଦା କରି କୁହ, ଏଠାରେ ଉତ୍ତମ ସ୍ଥାନରେ ବସନ୍ତୁ, ଆଉ ଦରିଦ୍ର ଲୋକକୁ କୁହ, ସେଠାରେ ଠିଆ ହୁଅ, 4କିମ୍ବା ମୋହର ଗୋଡ଼ ତଳେ ବସ, ତାହାହେଲେ ତୁମ୍ଭେମାନେ କଅଣ ଆପଣା ଆପଣା ମଧ୍ୟରେ ଭେଦାଭେଦ ରଖି ବିପରୀତ ବ୍ୟବହାର ଏବଂ ମନ୍ଦ ଭାବରେ ବିଚାର କରୁ ନାହଁ? 5ହେ ମୋହର ପ୍ରିୟ ଭାଇମାନେ, ଶୁଣ, ଈଶ୍ବର କଅଣ ଏହି ଜଗତର ଦୃଷ୍ଟିରେ ଦରିଦ୍ରମାନଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବା ପାଇଁ, ପୁଣି, ଆପଣା ପ୍ରେମକାରୀମାନଙ୍କୁ ଯେଉଁ ରାଜ୍ୟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ସେଥିର ଅଧିକାରୀ ହେବା ପାଇଁ ମନୋନୀତ କରି ନାହାନ୍ତି? 6କିନ୍ତୁ ତୁମ୍ଭେମାନେ ଦରିଦ୍ରକୁ ହତାଦର କରିଅଛ। ଧନୀମାନେ କଅଣ ତୁମ୍ଭମାନଙ୍କ ପ୍ରତି ଉପଦ୍ରବ କରନ୍ତି ନାହିଁ ଏବଂ ତୁମ୍ଭମାନଙ୍କୁ ବିଚାର-ସ୍ଥାନକୁ ଟାଣିନିଅନ୍ତି ନାହିଁ? 7ଯେଉଁ ମହତ ନାମରେ ତୁମ୍ଭେମାନେ ଖ୍ୟାତ ସେମାନେ କଅଣ ସେହି ନାମର ନିନ୍ଦା କରନ୍ତି ନାହିଁ? 8ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର, ଶାସ୍ତ୍ରର ଏହି ରାଜକୀୟ ବ୍ୟବସ୍ଥା ଯଦି ପ୍ରକୃତରେ ପାଳନ କର, 9ତାହାହେଲେ ଭଲ କରିଥାଅ; କିନ୍ତୁ ଯଦି ମନୁଷ୍ୟର ମୁଖାପେକ୍ଷା କର, ତାହାହେଲେ ପାପ କରୁଅଛ, ପୁଣି, ସେହି ବ୍ୟବସ୍ଥା ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୋଇଥାଅ। 10କାରଣ ଯେ କେହି ସମସ୍ତ ବ୍ୟବସ୍ଥା ପାଳନ କରି କେବଳ ଗୋଟିକ ବିଷୟରେ ଝୁଣ୍ଟିପଡ଼େ, ତେବେ ସେ ସମସ୍ତ ବ୍ୟବସ୍ଥା ଲଙ୍ଘନ ଦୋଷରେ ଦଣ୍ଡନୀୟ ହୁଏ। 11ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ନରହତ୍ୟା କର ନାହିଁ ବୋଲି ମଧ୍ୟ କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ। 12ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର। 13କାରଣ ଯେ ଦୟା କରେ ନାହିଁ, ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ, ଦୟା ବିଚାର ଉପରେ ଜୟଧ୍ୱନି କରେ।
ପ୍ରଭାତୀ ପ୍ରାର୍ଥନା: ସୁସମାଚାର (ସନ୍ଥ ମାର୍କଙ୍କ ପାଇଁ)
1ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ। 2ପୁଣି, ସେ ସେମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ; ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ନିକଟରେ ନିବେଦନ କର। 3ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି। 4ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ। 5ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ। 6ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ। 7ପୁଣି, ସେମାନଙ୍କ ପାଖରେ ଯାହା ଥାଏ, ତାହା ଭୋଜନପାନ କରି ସେହି ଗୃହରେ ରୁହ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ଘରକୁ ଘର ଯାଅ ନାହିଁ। 8ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର, 9ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ। 10କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ, 11ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ି ଦେଉଅଛୁ; ତଥାପି ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ। 12ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ସେହି ନଗରର ଦଣ୍ଡ ଅପେକ୍ଷା ସଦୋମର ଦଣ୍ଡକୁ ସହି ହେବ।” 13“ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ। 14ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ। 15ଆଉ, ରେ କଫର୍ନାହୂମ ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ।”
ପତ୍ର
11ସେ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ ଲୋକ ସମସ୍ତେ ଅତିଶୟ ବିସ୍ମୟାପନ୍ନ ହୋଇ ଶଲୋମନଙ୍କ ମଣ୍ଡପରେ ସେମାନଙ୍କ ନିକଟକୁ ଏକତ୍ର ଦୌଡ଼ିଆସିଲେ। 12ପିତର ତାହା ଦେଖି ଲୋକମାନଙ୍କୁ ଉତ୍ତର ଦେଲେ, ହେ ଇସ୍ରାଏଲୀୟ ଲୋକମାନେ, ଆପଣମାନେ କାହିଁକି ଏହି ଲୋକ ବିଷୟରେ ଚମତ୍କୃତ ହେଉଅଛନ୍ତି? କିମ୍ବା ଆମ୍ଭେମାନେ ଯେପରି ନିଜ ଶକ୍ତି ଅବା ଭକ୍ତି ବଳରେ ଏହାକୁ ଚାଲିବା ଶକ୍ତି ଦେଇଅଛୁ, ତାହା ଭାବି ଆମ୍ଭମାନଙ୍କ ପ୍ରତି କାହିଁକି ଏକଦୃଷ୍ଟିରେ ଚାହୁଁଅଛନ୍ତି? 13ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ଈଶ୍ବର, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ଈଶ୍ବର, ଆପଣା ଦାସ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି; ସେହି ଯୀଶୁଙ୍କୁ ଆପଣମାନେ ସମର୍ପଣ କଲେ, ପୁଣି, ଯେତେବେଳେ ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ମନସ୍ଥ କରିଥିଲେ, ସେତେବେଳେ ତାହାଙ୍କୁ ଆପଣମାନେ ତାହାଙ୍କ ସାକ୍ଷାତରେ ଅସ୍ୱୀକାର କଲେ। 14ଆପଣମାନେ ସେହି ପବିତ୍ର ଓ ଧାର୍ମିକ ବ୍ୟକ୍ତିଙ୍କୁ ଅସ୍ୱୀକାର କଲେ, ଆଉ ଜଣେ ନରଘାତକ ଯେପରି ଆପଣମାନଙ୍କ ନିମନ୍ତେ ମୁକ୍ତ କରାଯାଏ, ଏହା ଆପଣ ପୀଲାତଙ୍କ ନିକଟରେ ପ୍ରାର୍ଥନା କଲେ, 15କିନ୍ତୁ ଜୀବନର କର୍ତ୍ତାଙ୍କୁ ବଧ କଲେ; ତାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ଆମ୍ଭେମାନେ ସେଥିର ସାକ୍ଷୀ। 16ପୁଣି, ତାହାଙ୍କ ନାମରେ ବିଶ୍ୱାସ କରିବାରୁ ଏହି ଯେଉଁ ଲୋକକୁ ଆପଣମାନେ ଦେଖୁଅଛନ୍ତି ଓ ଜାଣିଅଛନ୍ତି, ଏହାକୁ ତାହାଙ୍କ ନାମ ବଳବାନ କରିଅଛି; ହଁ, ତାହାଙ୍କ ଦ୍ୱାରା ଦିଆଯାଇଥିବା ବିଶ୍ୱାସ ଆପଣ ସମସ୍ତଙ୍କ ସାକ୍ଷାତରେ ଏହାକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଦାନ କରିଅଛି।
ପତ୍ର (ସନ୍ଥ ମାର୍କଙ୍କ ପାଇଁ)
6ଅତଏବ, ଈଶ୍ବରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ; 7ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। 8ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜ୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି; 9ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି। 10ସମସ୍ତ ଅନୁଗ୍ରହର ଆକର ଯେଉଁ ଈଶ୍ବର ଆପଣା ଅନନ୍ତ ଗୌରବର ସହଭାଗୀ ହେବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି, ସେ ତୁମ୍ଭମାନଙ୍କ କ୍ଷଣିକ ଦୁଃଖଭୋଗ ଉତ୍ତାରେ ତୁମ୍ଭମାନଙ୍କୁ ସିଦ୍ଧ, ସୁସ୍ଥିର, ସବଳ ଓ ସଂସ୍ଥାପିତ କରିବେ। 11ପରାକ୍ରମ ଯୁଗେ ଯୁଗେ ତାହାଙ୍କର। ଆମେନ୍। 12ଈଶ୍ବରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏହି ବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋʼ ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ। 13ତୁମ୍ଭମାନଙ୍କ ସହିତ ମନୋନୀତ ବାବିଲସ୍ଥ ମଣ୍ଡଳୀ ଓ ମୋହର ପୁତ୍ର ମାର୍କ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। 14ପ୍ରେମ ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।
ସୁସମାଚାର
22ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯିହୂଦିୟା ପ୍ରଦେଶକୁ ଗଲେ, ଆଉ ସେ ସେହି ସ୍ଥାନରେ ସେମାନଙ୍କ ସହିତ ରହି ବାପ୍ତିସ୍ମ ଦେବାକୁ ଲାଗିଲେ। 23ଯୋହନ ମଧ୍ୟ ଶାଲମ ନିକଟସ୍ଥ ଏନୋନରେ ବାପ୍ତିସ୍ମ ଦେଉଥିଲେ, କାରଣ ସେ ସ୍ଥାନରେ ବହୁତ ଜଳ ଥିଲା, ଆଉ ଲୋକେ ଆସି ବାପ୍ତିସ୍ମ ଗ୍ରହଣ କରୁଥିଲେ। 24ଯେଣୁ ଯୋହନ ସେପର୍ଯ୍ୟନ୍ତ କାରାଗାରରେ ନିକ୍ଷିପ୍ତ ହୋଇ ନ ଥିଲେ। 25ସେଥିମଧ୍ୟରେ ଶୁଚିକ୍ରିୟା ସମ୍ବନ୍ଧରେ ଯୋହନଙ୍କ ଶିଷ୍ୟମାନଙ୍କ ପକ୍ଷରୁ ଜଣେ ଯିହୁଦୀ ସହିତ ବାଦାନୁବାଦ ଘଟିଲା। 26ଆଉ, ସେମାନେ ଯୋହନଙ୍କ ନିକଟକୁ ଯାଇ ତାହାଙ୍କୁ କହିଲେ, ହେ ଗୁରୁ, ଯେ ଯର୍ଦ୍ଦନ ନଦୀର ଅପର ପାରିରେ ଆପଣଙ୍କ ସହିତ ଥିଲେ, ଯାହାଙ୍କ ସମ୍ବନ୍ଧରେ ଆପଣ ସାକ୍ଷ୍ୟ ଦେଇଅଛନ୍ତି, ଦେଖନ୍ତୁ, ସେ ବାପ୍ତିସ୍ମ ଦେଉଅଛନ୍ତି ଓ ସମସ୍ତେ ତାହାଙ୍କ ନିକଟକୁ ଯାଉଅଛନ୍ତି। 27ଯୋହନ ଉତ୍ତର ଦେଲେ, ସ୍ୱର୍ଗରୁ ପ୍ରଦତ୍ତ ନ ହେଲେ ମନୁଷ୍ୟ କିଛି ପ୍ରାପ୍ତ ହୋଇପାରେ ନାହିଁ। 28ମୁଁ ଯେ ଖ୍ରୀଷ୍ଟ ନୁହେଁ, କିନ୍ତୁ ତାହାଙ୍କ ଆଗରେ ପ୍ରେରିତ ହୋଇଅଛି, ଏହା ମୁଁ କହିଥିଲି ବୋଲି ତୁମ୍ଭେମାନେ ନିଜେ ନିଜେ ମୋହର ସାକ୍ଷୀ। 29ଯେ କନ୍ୟା ଗ୍ରହଣ କରନ୍ତି, ସେ ବର, କିନ୍ତୁ ବରଙ୍କ ଯେଉଁ ବନ୍ଧୁ ଠିଆ ହୋଇ ତାହାଙ୍କ କଥା ଶୁଣେ, ସେ ବରଙ୍କ ସ୍ୱର ସକାଶେ ଅତ୍ୟନ୍ତ ଆନନ୍ଦିତ ହୁଏ। ଅତଏବ, ମୋହର ଏହି ଆନନ୍ଦ ପୂର୍ଣ୍ଣ ହୋଇଅଛି। 30ସେ ଅବଶ୍ୟ ବୃଦ୍ଧି ହେଉନ୍ତୁ, ପୁଣି ମୁଁ ହ୍ରାସ ହେବି। 31ଯେ ଊର୍ଦ୍ଧ୍ୱରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ; ଯେ ପୃଥିବୀରୁ ଉତ୍ପନ୍ନ, ସେ ପାର୍ଥିବ, ଆଉ ସେ ପାର୍ଥିବ କଥା କହେ; ଯେ ସ୍ୱର୍ଗରୁ ଆଗମନ କରନ୍ତି, ସେ ସମସ୍ତଙ୍କଠାରୁ ଶ୍ରେଷ୍ଠ। 32ସେ ଯାହା ଦେଖିଅଛନ୍ତି ଓ ଶୁଣିଅଛନ୍ତି, ତାହା ସମ୍ବନ୍ଧରେ ସେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ତାହାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ। 33ଯେ ତାହାଙ୍କର ସାକ୍ଷ୍ୟ ଗ୍ରହଣ କରିଅଛି, ଈଶ୍ବର ଯେ ସତ୍ୟ, ଏହା ସେ ମୁଦ୍ରାଙ୍କନ କରିଅଛି।
ସୁସମାଚାର (ସନ୍ଥ ମାର୍କଙ୍କ ପାଇଁ)
7ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ ବାର ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ, 8ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ; 9କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ। 10ପୁଣି, ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ। 11ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ।” 12ସେଥିରେ ସେମାନେ ପ୍ରସ୍ଥାନ କରି ମନ-ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ, 13ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 25 ନାଗରିକ ପଞ୍ଜିକାର ମଇ 8। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର