Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 12

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 12 ଅପ୍ରେଲ 2027

ସୋମବାର · ପାସ୍କା କାଳର ତୃତୀୟ ସପ୍ତାହ

ପର୍ବ ଓ ସନ୍ଥ

ପାସ୍କା କାଳର ତୃତୀୟ ସପ୍ତାହର ସୋମବାର

ସାଧାରଣ ଦିନ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ପ୍ରେରି 6:8–15

8ସ୍ତିଫାନ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ହୋଇ ଲୋକମାନଙ୍କ ମଧ୍ୟରେ ମହା ମହା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରିବାକୁ ଲାଗିଲେ। 9କିନ୍ତୁ ଲିବର୍ତ୍ତୀନ, କୂରୀଣୀୟ ଓ ଆଲେକଜାଣ୍ଡ୍ରୀୟ ସହରମାନଙ୍କରେ ନିବାସୀମାନଙ୍କ ନାମରେ ଖ୍ୟାତ ଯିହୁଦୀମାନଙ୍କ ସମାଜଗୃହର କେତେକ ଜଣ, ପୁଣି, କିଲିକିୟା ଓ ଏସିଆ ଅଞ୍ଚଳଗୁଡ଼ିକରେ ନିବାସୀ କେତେକ ଲୋକ ଉଠି ସ୍ତିଫାନଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, 10ମାତ୍ର ସେ ଯେଉଁ ଜ୍ଞାନ ଓ ଆତ୍ମାଙ୍କ ଶକ୍ତିରେ କଥା କହୁଥିଲେ, ସେମାନେ ତାହା ପ୍ରତିରୋଧ କରିବାକୁ ସମର୍ଥ ହେଲେ ନାହିଁ। 11ସେଥିରେ ସେମାନେ ଲୋକମାନଙ୍କୁ ମତାଇଲେ, ଆଉ ସେମାନେ କହିଲେ, ଆମ୍ଭେମାନେ ଏହାକୁ ମୋଶା ଓ ଈଶ୍ବରଙ୍କ ବିରୁଦ୍ଧରେ ନିନ୍ଦାକଥା କହିବା ଶୁଣିଅଛୁ। 12ଆଉ, ସେମାନେ ଜନସାଧାରଣଙ୍କୁ, ପୁଣି, ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କୁ ଉତ୍ତେଜିତ କରି ତାହାଙ୍କୁ ଆକ୍ରମଣ କଲେ ଓ ତାହାଙ୍କୁ ବଳରେ ଧରି ମହାସଭାକୁ ଆଣିଲେ, 13ଆଉ ମିଥ୍ୟାସାକ୍ଷୀମାନଙ୍କୁ ଠିଆ କରାଇଲେ; ସେମାନେ କହିଲେ, ଏ ଲୋକଟା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ଦତ୍ତ ନିୟମ ବିରୁଦ୍ଧରେ କଥା କହିବାକୁ ବନ୍ଦ କରୁ ନାହିଁ, 14କାରଣ ନାଜରିତୀୟ ସେହି ଯୀଶୁ ଏହି ସ୍ଥାନ ଧ୍ୱଂସ କରିବେ, ଆଉ ମୋଶା ଆମ୍ଭମାନଙ୍କୁ ଯେଉଁ ଯେଉଁ ରୀତିନୀତି ଦେଇଅଛନ୍ତି, ସେହିସବୁ ପରିବର୍ତ୍ତନ କରିବେ ବୋଲି ସେ କହୁଥିବା ଆମ୍ଭେମାନେ ଶୁଣିଅଛୁ। 15ସେତେବେଳେ ମହାସଭାରେ ବସିଥିବା ସମସ୍ତେ ତାହାଙ୍କ ପ୍ରତି ଏକଦୃଷ୍ଟିରେ ଚାହିଁ ତାହାଙ୍କ ମୁଖ ଦୂତଙ୍କ ମୁଖ ସଦୃଶ ଦେଖିଲେ।

ପ୍ରତିଉତ୍ତର ଗୀତ

ଗୀତ 119:23–24, 26–27, 29–30

23ଅଧିପତିମାନେ ମଧ୍ୟ ବସି ମୋʼ ବିରୁଦ୍ଧରେ କଥା କହିଲେ; ମାତ୍ର ତୁମ୍ଭର ଦାସ ତୁମ୍ଭ ବିଧିସକଳ ଧ୍ୟାନ କଲା। 24ତୁମ୍ଭର ସକଳ ପ୍ରମାଣ-ବାକ୍ୟ ମଧ୍ୟ ମୋହର ଆନନ୍ଦଜନକ ଓ ମନ୍ତ୍ରଣାଦାୟକ। 26ମୁଁ ଆପଣାର ସକଳ ଗତି ବର୍ଣ୍ଣନା କରନ୍ତେ, ତୁମ୍ଭେ ମୋତେ ଉତ୍ତର ଦେଲ; ତୁମ୍ଭର ବିଧିସବୁ ମୋତେ ଶିଖାଅ। 27ତୁମ୍ଭେ ଆପଣା ଆଜ୍ଞା-ପଥସବୁ ମୋତେ ବୁଝାଇ ଦିଅ; ତହିଁରେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟଶିକ୍ଷାସବୁ ଧ୍ୟାନ କରିବି। 29ମୋʼ ଠାରୁ ମିଥ୍ୟାମାର୍ଗ ଅନ୍ତର କର ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର। 30ମୁଁ ବିଶ୍ୱସ୍ତତାରୂପ ପଥ ମନୋନୀତ କରିଅଛି; ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନସବୁ ରଖିଅଛି।

ସୁସମାଚାର

ଯୋହ 6:22–29

22ସେ ସ୍ଥାନରେ ଗୋଟିଏ ସାନ ନୌକା ବ୍ୟତୀତ ଯେ ଅନ୍ୟ କୌଣସି ନୌକା ନ ଥିଲା, ଆଉ ସେଥିରେ ଯେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଯାଇ ନ ଥିଲେ, ମାତ୍ର କେବଳ ତାହାଙ୍କ ଶିଷ୍ୟମାନେ ଯାଇଥିଲେ, ଏହା ଯେଉଁ ଲୋକମାନେ ତହିଁ ଆରଦିନ ସମୁଦ୍ର ସେପାରିରେ ଠିଆ ହୋଇଥିଲେ, ସେମାନେ ଦେଖିଥିଲେ। 23ପ୍ରଭୁ ଧନ୍ୟବାଦ ଦେଲା ଉତ୍ତାରେ ସେମାନେ ଯେଉଁ ସ୍ଥାନରେ ରୁଟି ଭୋଜନ କରିଥିଲେ, ସେହି ସ୍ଥାନ ନିକଟକୁ ତିବିରୀୟାରୁ ଆଉ କେତେକ ନୌକା ଆସିଲା; 24ଅତଏବ, ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ ଯେ ସେଠାରେ ନାହାନ୍ତି, ଏହା ଯେତେବେଳେ ଲୋକସମୂହ ଦେଖିଲେ, ସେତେବେଳେ ସେମାନେ ସେହି ସମସ୍ତ ସାନ ନୌକାଗୁଡ଼ିକରେ ଚଢ଼ି ଯୀଶୁଙ୍କୁ ଖୋଜୁ ଖୋଜୁ କଫର୍ନାହୂମକୁ ଆସିଲେ। 25ଆଉ, ସେମାନେ ସମୁଦ୍ର ସେପାରିରେ ତାହାଙ୍କ ଦେଖା ପାଇ ତାହାଙ୍କୁ ପଚାରିଲେ, ହେ ଗୁରୁ, ଆପଣ କେତେବେଳେ ଏଠାକୁ ଆସିଲେ? 26ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଆଶ୍ଚର୍ଯ୍ୟକର୍ମ ଦେଖିବାରୁ ଯେ ତୁମ୍ଭେମାନେ ମୋହର ଅନ୍ୱେଷଣ କରୁଅଛ, ତାହା ନୁହେଁ, ମାତ୍ର ରୁଟି ଖାଇ ପରିତୃପ୍ତ ହେବାରୁ ମୋହର ଅନ୍ୱେଷଣ କରୁଅଛ। 27କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଂ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର; ସେହି ଭକ୍ଷ୍ୟ ମନୁଷ୍ୟପୁତ୍ର ତୁମ୍ଭମାନଙ୍କୁ ଦେବେ, କାରଣ ତାହାଙ୍କୁ ପିତା, ଅର୍ଥାତ୍‍, ଈଶ୍ବର ମୁଦ୍ରାଙ୍କିତ କଲେ।” 28ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ବରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କଅଣ କରିବାକୁ ହେବ? 29ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବର ଯାହାଙ୍କୁ ପ୍ରେରଣ କରିଅଛନ୍ତି, ତାହାଙ୍କଠାରେ ବିଶ୍ୱାସ କରିବା ହିଁ ଈଶ୍ବରଙ୍କ କାର୍ଯ୍ୟ ଅଟେ।”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର