ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 11
ଅର୍ଥୋଡକ୍ସ ପଞ୍ଜିକା · 29 ଜାନୁଆରୀ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 11 ଫେବୃଆରୀ 2027
ଗୁରୁବାର · ପେଣ୍ଟିକଷ୍ଟ ପରେ 37ତମ ସପ୍ତାହ · ସ୍ୱର 3
ପର୍ବ ଓ ସନ୍ଥ
Translation of the relics of the Hieromartyr Ignatius the God-bearer, Bishop of Antioch († 107)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
7ଅତଏବ, ତୁମ୍ଭେମାନେ ଈଶ୍ବରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ। 8ଈଶ୍ବରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର। 9ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ। 10ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ। 11ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ। 12ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର, ସେ ରକ୍ଷା ଓ ବିନାଶ କରିବାକୁ ସମର୍ଥ; କିନ୍ତୁ ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ? 13ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ; 14କିନ୍ତୁ କାଲି କଅଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭମାନଙ୍କର ଜୀବନ କଅଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ। 15ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା, ଏହିପରି କହିବା ତୁମ୍ଭମାନଙ୍କର ଉଚିତ। 16କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ। 17ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ। 5:1ଏବେ ଦେଖ, ହେ ଧନୀମାନେ, ତୁମ୍ଭମାନଙ୍କର ଆସନ୍ନ ଦୁର୍ଦ୍ଦଶା ନିମନ୍ତେ କ୍ରନ୍ଦନ ଓ ହାହାକାର କର। 2ତୁମ୍ଭମାନଙ୍କର ସମ୍ପତ୍ତି କ୍ଷୟ ପାଇଲାଣି, ତୁମ୍ଭମାନଙ୍କର ବସ୍ତ୍ର ପୋକ ଖାଇଲାଣି, 3ପୁଣି, ତୁମ୍ଭମାନଙ୍କର ସୁନା ଓ ରୂପାରେ କଳଙ୍କ ଲାଗିଲାଣି; ସେଥିରେ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ ଓ ଅଗ୍ନି ପରି ତୁମ୍ଭମାନଙ୍କ ମାଂସ ଗ୍ରାସ କରିବ। ଏହି ଶେଷକାଳରେ ତୁମ୍ଭେମାନେ ଧନ ସଞ୍ଚୟ କରିଅଛ! 4ଦେଖ, ତୁମ୍ଭମାନଙ୍କ କ୍ଷେତ୍ରର ଶସ୍ୟଛେଦନକାରୀମାନଙ୍କୁ ପ୍ରବଞ୍ଚନା କରି ତୁମ୍ଭେମାନେ ଯେଉଁ ମୂଲ ଦେଇ ନାହଁ, ତାହା ଚିତ୍କାର କରୁଅଛି, ପୁଣି, ଶସ୍ୟଛେଦନକାରୀମାନଙ୍କର ଆର୍ତ୍ତନାଦ ବାହିନୀମାନଙ୍କ ପ୍ରଭୁଙ୍କ କର୍ଣ୍ଣରେ ପ୍ରବେଶ କରିଅଛି। 5ତୁମ୍ଭେମାନେ ଜଗତରେ ସୁଖଭୋଗ ଓ ବିଳାସିତାରେ କାଳକ୍ଷେପଣ କରିଅଛ, ବଧ ଦିନରେ ଆପଣା ଆପଣା ହୃଦୟକୁ ତୃପ୍ତ କରିଅଛ। 6ତୁମ୍ଭେମାନେ ଧାର୍ମିକକୁ ଦୋଷୀ କରି ବଧ କରିଅଛ; ସେ ତୁମ୍ଭମାନଙ୍କର ପ୍ରତିରୋଧ କରେ ନାହିଁ। 7ଅତଏବ, ହେ ଭାଇମାନେ, ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। ଦେଖ, କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ ଧୈର୍ଯ୍ୟ ଧରି ଆଦ୍ୟ ଓ ଶେଷ ବୃଷ୍ଟି ନ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହେ। 8ତୁମ୍ଭେମାନେ ମଧ୍ୟ ଧୈର୍ଯ୍ୟ ଧରି ଆପଣା ଆପଣା ହୃଦୟକୁ ସୁସ୍ଥିର କର, କାରଣ ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ। 9ହେ ଭାଇମାନେ, ତୁମ୍ଭେମାନେ ଯେପରି ଦଣ୍ଡପ୍ରାପ୍ତ ନ ହୁଅ, ଏଥିନିମନ୍ତେ ପରସ୍ପର ବିରୁଦ୍ଧରେ ବଚସା ନ କର, ଦେଖ, ବିଚାରକର୍ତ୍ତା ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଅଛନ୍ତି।
ପତ୍ର (ଶୁକ୍ରବାର ପାଇଁ)
1ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ପନ୍ତ, ଗାଲାତୀୟ, କାପ୍ପାଦକିଆ, ଏସିଆ ଓ ବୀଥୂନିଆ ଅଞ୍ଚଳଗୁଡ଼ିକରେ ଛିନ୍ନଭିନ୍ନ ଯେଉଁ ପ୍ରବାସୀମାନେ, 2ପିତା ଈଶ୍ବରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ। 10ପୁଣି, ସେହି ପରିତ୍ରାଣ ସମ୍ବନ୍ଧରେ ଯତ୍ନ ସହକାରେ ଅନ୍ୱେଷଣ ଓ ଅନୁସନ୍ଧାନ କଲେ। 11ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ। 12ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହିସବୁ ବିଷୟ ଦୂତମାନେ ମଧ୍ୟ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି। 2:6କାରଣ ଶାସ୍ତ୍ରରେ ଲିଖିତ ଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ମନୋନୀତ, ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରିବ, ସେ ଲଜ୍ଜିତ ହେବ ନାହିଁ।” 7ଏଣୁ ତୁମ୍ଭେମାନେ ଯେ ବିଶ୍ୱାସ କରୁଅଛ, ସେହି ମହାମୂଲ୍ୟର ଅଂଶୀ ଅଟ, କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, “ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର,” 8ପୁଣି, “ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ୱରୂପ ହେଲା;” ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ। 9କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥିନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ପବିତ୍ର ଜାତି ପୁଣି, ଈଶ୍ବରଙ୍କ ନିଜସ୍ୱ ପ୍ରଜା ହୋଇଅଛ। 10ପୂର୍ବରେ ତୁମ୍ଭେମାନେ ପ୍ରଜା ବାଚ୍ୟ ନ ଥିଲ, କିନ୍ତୁ ଏବେ ଈଶ୍ବରଙ୍କ ପ୍ରଜା ହୋଇଅଛ, ପୂର୍ବରେ ତୁମ୍ଭେମାନେ ଦୟା ପାଇ ନ ଥିଲ, ମାତ୍ର ଏବେ ଦୟା ପ୍ରାପ୍ତ ହୋଇଅଛ।
ସୁସମାଚାର
27ପରେ ସେମାନେ ପୁନର୍ବାର ଯିରୂଶାଲମ ସହରକୁ ଆସିଲେ; ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, 28ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା? 29କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ, ତାହାହେଲେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି। 30ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା? ମୋତେ ଉତ୍ତର ଦିଅ।” 31ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ? 32ଅବା ମନୁଷ୍ୟଠାରୁ ବୋଲି କଅଣ କହିବା? ସେମାନେ ଲୋକସମୂହକୁ ଭୟ କରୁଥିଲେ; କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ। 33ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ। ଯୀଶୁ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
ସୁସମାଚାର (ଶୁକ୍ରବାର ପାଇଁ)
1ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ। 2ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ। 3କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇଦେଲେ। 4ପୁଣି, ସେହି ବ୍ୟକ୍ତି କୃଷକମାନଙ୍କ ନିକଟକୁ ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାର ମଧ୍ୟ ମୁଣ୍ଡ ଫଟାଇଦେଲେ ଓ ତାହାକୁ ଅପମାନ କଲେ। 5ସେ ଆଉ ଜଣକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେହି ବ୍ୟକ୍ତି ଆହୁରି ଅନେକଙ୍କୁ ପଠାଇଲେ; ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ। 6ତାହାଙ୍କ ନିକଟରେ ଆପଣା ପ୍ରିୟ ପୁତ୍ର ମାତ୍ର ରହିଥିଲେ। ମୋହର ପୁଅକୁ ସେମାନେ ମାନ୍ୟ କରିବେ, ଏହା ଭାବି ସେ ଅବଶେଷରେ ତାହାଙ୍କୁ କୃଷକମାନଙ୍କ ନିକଟକୁ ପଠାଇଲେ। 7ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ। 8ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ। 9ତେବେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କଅଣ କରିବେ? ସେ ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ। 10ତୁମ୍ଭେମାନେ କି ଧର୍ମଶାସ୍ତ୍ରର ଏହି ବାକ୍ୟ ମଧ୍ୟ ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; 11ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’” 12ଏଥିରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକସମୂହକୁ ଭୟ କଲେ; କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ, ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜାନୁଆରୀ 29 ନାଗରିକ ପଞ୍ଜିକାର ଫେବୃଆରୀ 11। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର