Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 27

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 27 ଜାନୁଆରୀ 2027

ବୁଧବାର · ସାଧାରଣ କାଳର ତୃତୀୟ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର ତୃତୀୟ ସପ୍ତାହର ବୁଧବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ସନ୍ଥ ଆଞ୍ଜେଲା ମେରିଚି, କୁମାରୀ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଏବ୍ରୀ 10:11–18

11ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରିପାରେ ନାହିଁ। 12ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ; 13ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନ ଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି। 14କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। 15ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି; 16“କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହିସବୁ ଲେଖିବା,” 17ଏହା କହିଲା ଉତ୍ତାରେ ସେ କହନ୍ତି, “ସେମାନଙ୍କ ପାପ ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।” 18ଏହି ସମସ୍ତ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ।

ପ୍ରତିଉତ୍ତର ଗୀତ

ଗୀତ 110:1–4

1ଦାଉଦଙ୍କର ଗୀତ। ସଦାପ୍ରଭୁ ମୋʼ ପ୍ରଭୁଙ୍କୁ କହନ୍ତି, “ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ।” 2ସଦାପ୍ରଭୁ ସିୟୋନଠାରୁ ତୁମ୍ଭ ପରାକ୍ରମ-ଦଣ୍ଡ ପ୍ରେରଣ କରିବେ; ତୁମ୍ଭେ ଆପଣା ଶତ୍ରୁଗଣ ମଧ୍ୟରେ କର୍ତ୍ତୃତ୍ୱ କର। 3ତୁମ୍ଭ ପରାକ୍ରମର ଦିନରେ ତୁମ୍ଭ ଲୋକମାନେ ସ୍ୱେଚ୍ଛାରେ ଆପଣାମାନଙ୍କୁ ଉତ୍ସର୍ଗ କରନ୍ତି; ପବିତ୍ରତାର ସୌନ୍ଦର୍ଯ୍ୟରେ ଅରୁଣର ଗର୍ଭରୁ ତୁମ୍ଭର ଯୁବକଗଣ ଶିଶିର ତୁଲ୍ୟ ଉତ୍ପନ୍ନ। 4ସଦାପ୍ରଭୁ ଶପଥ କରିଅଛନ୍ତି ଓ ଅନ୍ୟଥା କରିବେ ନାହିଁ, “ମଲ୍‍କୀଷେଦକଙ୍କ ରୀତି ଅନୁସାରେ ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।”

ସୁସମାଚାର

ମାର୍କ 4:1–20

1ଯୀଶୁ ସମୁଦ୍ରକୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ଆଉ ଏତେ ଅଧିକ ସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ ଯେ, ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ। 2ସେତେବେଳେ ସେ ଦୃଷ୍ଟାନ୍ତରେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ, ପୁଣି, ଆପଣା ଶିକ୍ଷା ମଧ୍ୟରେ ସେମାନଙ୍କୁ କହିଲେ, ଶୁଣ! 3“ଦେଖ, ଜଣେ ବୁଣାଳୀ ବୁଣିବାକୁ ବାହାରିଲା। 4ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା, ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ। 5ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶି ମାଟି ନ ଥିବାରୁ ଶୀଘ୍ର ଗଜା ହେଲା, 6କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା। 7ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା ଏବଂ କୌଣସି ଫଳ ଫଳିଲା ନାହିଁ। 8ପୁଣି, ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।” 9ପୁଣି, ସେ କହିଲେ, “ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।” 10ସେ ଏକାକୀ ଥିବା ସମୟରେ ତାହାଙ୍କ ସଙ୍ଗୀମାନେ ଦ୍ୱାଦଶଙ୍କ ସହିତ ତାହାଙ୍କୁ ସେହି ଦୃଷ୍ଟାନ୍ତଗୁଡ଼ିକ ବିଷୟରେ ପଚାରିବାକୁ ଲାଗିଲେ। 11ସେଥିରେ ସେ ସେମାନଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି, 12ଯେପରି ‘ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି, ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରିଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି।’” 13ଯୀଶୁ ପୁଣି, ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁ ନାହଁ? ତେବେ କିପରି ସମସ୍ତ ଦୃଷ୍ଟାନ୍ତ ବୁଝିବ? 14ବୁଣାଳୀ ବାକ୍ୟ ବୁଣେ। 15ଯେଉଁମାନେ ଶୁଣନ୍ତି, ପୁଣି, ଶୁଣିବାକ୍ଷଣି ଶୟତାନ ଆସି ସେମାନଙ୍କଠାରେ ବୁଣାଯାଇଥିବା ବାକ୍ୟ ହରଣ କରିନିଏ, ସେମାନେ ବାକ୍ୟ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ। 16ସେହିପରି ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି, 17କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ। 18ଆଉ ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି, ସାଂସାରିକ ଚିନ୍ତା, ଧନର ମାୟା ଏବଂ ଅନ୍ୟ ସମସ୍ତ ବିଷୟର ଲାଳସା ପ୍ରବେଶ କରି ବାକ୍ୟକୁ ଚାପିପକାଏ ଓ ତାହା ଫଳହୀନ ହୁଏ, 19ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ। 20ଆଉ ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ।”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର