ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 27
ଅର୍ଥୋଡକ୍ସ ପଞ୍ଜିକା · 14 ଜାନୁଆରୀ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 27 ଜାନୁଆରୀ 2027
ବୁଧବାର · ପେଣ୍ଟିକଷ୍ଟ ପରେ 35ତମ ସପ୍ତାହ · ସ୍ୱର 1
ପର୍ବ ଓ ସନ୍ଥ
Apodosis of the Theophany
ଉପବାସ ଦିନ
ମାଛ ଚଳିବ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
1ଅତଏବ, ମୋଶାଙ୍କ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟା ସ୍ୱରୂପ ହୋଇ ସେହିସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରିପାରେ ନାହିଁ। 2ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା ଯଦି ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ? 3କିନ୍ତୁ ସେହିସବୁ ବଳିରେ ବର୍ଷକୁ ବର୍ଷ ପାପ ସ୍ମରଣ କରାଯାଏ; 4କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ। 5ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, “ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ; 6ହୋମବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ।” 7ସେତେବେଳେ ମୁଁ କହିଲି, ଦେଖ, ଶାସ୍ତ୍ରରେ ମୋʼ ବିଷୟରେ ଲେଖାଅଛି, “ହେ ଈଶ୍ବର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।” 8ଏସବୁ ଊର୍ଦ୍ଧ୍ୱରେ ସେ କହନ୍ତି, ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା (ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ) 9ତତ୍ପରେ ସେ କହନ୍ତି, “ଦେଖ, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି।” ଦ୍ୱିତୀୟ ନିୟମକୁ ସ୍ଥାପନ କରିବା ନିମନ୍ତେ ସେ ପ୍ରଥମ ନିୟମକୁ ଲୋପ କରନ୍ତି। 10ଦ୍ବିତୀୟ ନିୟମରେ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ। 11ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ-ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହିସବୁ କେବେ ପାପ ହରଣ କରିପାରେ ନାହିଁ। 12ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ; 13ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନ ଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି। 14କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। 15ଆଉ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କୁ ସେ ବିଷୟରେ ସାକ୍ଷ୍ୟ ଦିଅନ୍ତି; 16“କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି, ସେମାନଙ୍କ ମନରେ ସେହିସବୁ ଲେଖିବା,” 17ଏହା କହିଲା ଉତ୍ତାରେ ସେ କହନ୍ତି, “ସେମାନଙ୍କ ପାପ ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ।” 18ଏହି ସମସ୍ତ କ୍ଷମା ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ।
ସୁସମାଚାର
30ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ। 31ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ ହେବାକୁ ହେବ। 32ଏହି କଥା ସେ ସ୍ପଷ୍ଟ ରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ। 33କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।” 34ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜାନୁଆରୀ 14 ନାଗରିକ ପଞ୍ଜିକାର ଜାନୁଆରୀ 27। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର