Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 24

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 24 ଜାନୁଆରୀ 2027

ରବିବାର · ସାଧାରଣ କାଳର ତୃତୀୟ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର ତୃତୀୟ ରବିବାର

ରବିବାର · ଉପାସନାର ରଙ୍ଗ: ସବୁଜ

ଦିନର ପାଠ

ପ୍ରଥମ ପାଠ

ଯୂନ 3:1–5, 10

1ଏଥିଉତ୍ତାରେ ଦ୍ୱିତୀୟ ଥର ସଦାପ୍ରଭୁଙ୍କର ଏହି ବାକ୍ୟ ଯୂନସଙ୍କ ନିକଟରେ ଉପସ୍ଥିତ ହେଲା; 2“ଉଠ, ନୀନିବୀ ମହାନଗରକୁ ଯାଅ, ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର।” 3ତହିଁରେ ଯୂନସ ଉଠି ସଦାପ୍ରଭୁଙ୍କ ବାକ୍ୟାନୁସାରେ ନୀନିବୀକୁ ଗଲେ। ନୀନିବୀ ତିନି ଦିନ ଯାତ୍ରାର ପଥ, ଅତି ବଡ଼ ନଗର ଥିଲା। 4ପୁଣି, ଯୂନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି, ଏକ ଦିନର ପଥ ଯାଇ ଉଚ୍ଚସ୍ୱରରେ ଘୋଷଣା କରି କହିଲେ, “ଯଥା, ଆଉ ଚାଳିଶ ଦିନ ଗତ ହେଲେ ନୀନିବୀ ବିନଷ୍ଟ ହେବ।” 5ତହିଁରେ ନୀନିବୀର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟବସ୍ତ୍ର ପିନ୍ଧିଲେ। 10ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ୱର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ସେହି ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ।

ପ୍ରତିଉତ୍ତର ଗୀତ

ଗୀତ 25:4–9

4ହେ ସଦାପ୍ରଭୋ, ତୁମ୍ଭର ପଥସବୁ ମୋତେ ଦେଖାଅ; ତୁମ୍ଭର ମାର୍ଗସବୁ ମୋତେ ଶିଖାଅ। 5ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋʼ ପରିତ୍ରାଣର ପରମେଶ୍ୱର ଅଟ; ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ। 6ହେ ସଦାପ୍ରଭୋ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର। କାରଣ ତାହା ଅନାଦିକାଳୀନ। 7ମୋʼ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; ହେ ସଦାପ୍ରଭୋ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର। 8ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ। 9ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ।

ଦ୍ୱିତୀୟ ପାଠ

ପ୍ର.କରି 7:29–31

29କିନ୍ତୁ ହେ ଭାଇମାନେ, ମୋʼ କଥାର ଭାବ ଏହି, ସମୟ ଅତି ଅଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ। 30ଆଉ, ଯେଉଁମାନେ ରୋଦନ କରନ୍ତି, ସେମାନେ ରୋଦନ ନ କରିବା ଲୋକ ପରି ହୁଅନ୍ତୁ; ପୁଣି, ଯେଉଁମାନେ ଆନନ୍ଦ କରନ୍ତି, ସେମାନେ ଆନନ୍ଦ ନ କରିବା ଲୋକ ପରି ହୁଅନ୍ତୁ; ଯେଉଁମାନେ କ୍ରୟ କରନ୍ତି, ସେମାନେ ଅନଧିକାରୀ ଲୋକ ପରି ହୁଅନ୍ତୁ; 31ଆଉ, ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି, ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ; କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି।

ସୁସମାଚାର

ମାର୍କ 1:14–20

14ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ବରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ, 15“କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ବରଙ୍କ ରାଜ୍ୟ ସନ୍ନିକଟ; ମନ-ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର।” 16ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ। 17ଯୀଶୁ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।” 18ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ। 19ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ନୌକାରେ ଜାଲ ସଜାଡ଼ୁଥିବା ଦେଖିଲେ। 20ସେହିକ୍ଷଣି ସେ ସେମାନଙ୍କୁ ଡାକିଲେ, ପୁଣି, ସେମାନେ ସେମାନଙ୍କର ପିତା ଜେବଦୀଙ୍କୁ ମୂଲିଆମାନଙ୍କ ସହିତ ନୌକାରେ ଛାଡ଼ି ତାହାଙ୍କର ଅନୁଗମନ କଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର