ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 25
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 25 ଜାନୁଆରୀ 2027
ସୋମବାର · ସାଧାରଣ କାଳର ତୃତୀୟ ସପ୍ତାହ
ପର୍ବ ଓ ସନ୍ଥ
ପ୍ରେରିତ ସନ୍ଥ ପାଉଲଙ୍କ ମନପରିବର୍ତ୍ତନ
ପର୍ବ · ଉପାସନାର ରଙ୍ଗ: ଧଳା
ଦିନର ପାଠ
ପ୍ରଥମ ପାଠ
କିମ୍ବା: ପ୍ରେରି 9:1–22
3ସେଥିରେ ସେ କହିଲେ, ମୁଁ ଜଣେ ଯିହୁଦୀ, କିଲିକିୟାର ତାର୍ଷରେ ମୋହର ଜନ୍ମ, କିନ୍ତୁ ଏହି ନଗରରେ ମୁଁ ଲାଳିତ ପାଳିତ ହୋଇଅଛି, ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି; ସମସ୍ତେ ଆଜି ଆପଣମାନେ ଯେପରି ଉଦ୍ଯୋଗୀ ଅଟନ୍ତି, ଈଶ୍ବରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍ଯୋଗୀ ଥିଲି; 4ମୁଁ ଏହି ମାର୍ଗର ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ ମୃତ୍ୟୁ ପର୍ଯ୍ୟନ୍ତ ତାଡ଼ନା କରୁଥିଲି। 5ଏହି ବିଷୟରେ ମହାଯାଜକ ଓ ପ୍ରାଚୀନବର୍ଗ ସମସ୍ତେ ମୋହର ସାକ୍ଷୀ; ମୁଁ ସେମାନଙ୍କଠାରୁ ଭାଇମାନଙ୍କ ନିକଟକୁ ପତ୍ର ଗ୍ରହଣ କରି, ଦମ୍ମେଶକରେ ଥିବା ଲୋକମାନେ ଯେପରି ଶାସ୍ତି ପାଆନ୍ତି, ଏଥିପାଇଁ ସେମାନଙ୍କୁ ସୁଦ୍ଧା ବାନ୍ଧି ଯିରୂଶାଲମ ସହରକୁ ଆଣିବା ନିମନ୍ତେ ସେ ସ୍ଥାନକୁ ଯାଉଥିଲି। 6କିନ୍ତୁ ମୁଁ ଯାଉ ଯାଉ ଦମ୍ମେଶକ ସହରର ନିକଟବର୍ତ୍ତୀ ହୁଅନ୍ତେ ହଠାତ୍ ପ୍ରାୟ ମଧ୍ୟାହ୍ନ ସମୟରେ ମୋହର ଚାରିଆଡ଼େ ଆକାଶରୁ ମହା ଆଲୋକ ଚମକି ଉଠିଲା। 7ମୁଁ ସେଥିରେ ଭୂମିରେ ପଡ଼ିଗଲି, ଆଉ ମୋ ପ୍ରତି ଉକ୍ତ ଏହି ବାଣୀ ଶୁଣିଲି, “ଶାଉଲ, ଶାଉଲ, ଆମ୍ଭମାନଙ୍କୁ କାହିଁକି ତାଡ଼ନା କରୁଅଛ?” 8ମୁଁ ଉତ୍ତର ଦେଲି, ପ୍ରଭୁ, ଆପଣ କିଏ? ସେଥିରେ ସେ ମୋତେ କହିଲେ, “ତୁମ୍ଭେ ଯେଉଁ ନାଜରିତୀୟ ଯୀଶୁଙ୍କୁ ତାଡ଼ନା କରୁଅଛ, ଆମ୍ଭେ ସେହି।” 9ଯେଉଁମାନେ ମୋ ସାଙ୍ଗରେ ଥିଲେ, ସେମାନେ ସେହି ଆଲୋକ ଦେଖିଲେ ସତ୍ୟ, କିନ୍ତୁ ଯେ ମୋତେ କଥା କହିଲେ, ସେମାନେ ତାହାଙ୍କ ସ୍ୱର ଶୁଣିଲେ ନାହିଁ। 10ସେଥିରେ ମୁଁ କହିଲି, ପ୍ରଭୁ ମୁଁ କଅଣ କରିବି? ପୁଣି, ପ୍ରଭୁ ମୋତେ କହିଲେ, “ଉଠ, ଦମ୍ମେଶକକୁ ଯାଅ, ଆଉ ଯେ ସମସ୍ତ କର୍ମ ସାଧନ କରିବା ନିମନ୍ତେ ତୁମ୍ଭ ପାଇଁ ନିରୂପିତ ଅଛି, ସେ ସବୁ ତୁମ୍ଭକୁ ସେଠାରେ କୁହାଯିବ।” 11ମୁଁ ସେହି ଆଲୋକର ତେଜ ହେତୁ ଦେଖି ନ ପାରିବାରୁ, ମୋ ସାଙ୍ଗରେ ଥିବା ଲୋକମାନଙ୍କ ଦ୍ୱାରା ଚାଳିତ ହୋଇ ଦମ୍ମେଶକକୁ ଆସିଲି। 12ସେହି ସ୍ଥାନରେ ଥିବା ସମସ୍ତ ଯିହୁଦୀଙ୍କ ନିକଟରେ ସୁଖ୍ୟାତିସମ୍ପନ୍ନ ହନନୀୟ ନାମକ ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ, 13ମୋʼ ନିକଟକୁ ଆସି ପାଖରେ ଠିଆ ହୋଇ ମୋତେ କହିଲେ, ଭାଇ ଶାଉଲ, ଦୃଷ୍ଟିପ୍ରାପ୍ତ ହୁଅ। ସେହି ମୁହୂର୍ତ୍ତରେ ମୁଁ ତାହାଙ୍କ ପ୍ରତି ଦୃଷ୍ଟିପାତ କଲି। 14ପୁଣି, ସେ କହିଲେ, ଆମ୍ଭମାନଙ୍କର ପିତୃ-ପୁରୁଷଙ୍କର ଈଶ୍ବର ତାହାଙ୍କ ଇଚ୍ଛା ଜାଣିବା ପାଇଁ ଓ ସେହି ଧାର୍ମିକ ବ୍ୟକ୍ତିଙ୍କୁ ଦେଖିବା ପାଇଁ ପୁଣି, ତାହାଙ୍କ ମୁଖରୁ ବାଣୀ ଶୁଣିବା ପାଇଁ ମନୋନୀତ କରିଅଛନ୍ତି, 15କାରଣ ତୁମ୍ଭେ ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ବିଷୟରେ ସମସ୍ତ ଲୋକଙ୍କ ସମ୍ମୁଖରେ ସାକ୍ଷୀ ହେବ। 16ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ? ଉଠ, ବାପ୍ତିଜିତ ହୁଅ, ପୁଣି, ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ।
ପ୍ରତିଉତ୍ତର ଗୀତ
1ହେ ସର୍ବଦେଶୀୟମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; ହେ ସମସ୍ତ ଲୋକ, ତାହାଙ୍କର ସ୍ତୁତି କର। 2କାରଣ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଦୟା ଅତିଶୟ ଓ ସଦାପ୍ରଭୁଙ୍କ ସତ୍ୟତା ଅନନ୍ତକାଳସ୍ଥାୟୀ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ସୁସମାଚାର
15ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର। 16ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ। 17ଆଉ ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, 18ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ।”
ଆଜିର ସନ୍ଥ
- ପ୍ରେରିତ ସନ୍ଥ ପାଉଲଙ୍କ ମନପରିବର୍ତ୍ତନ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର