Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 23

ଅର୍ଥୋଡକ୍ସ ପଞ୍ଜିକା · 10 ଜାନୁଆରୀ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 23 ଜାନୁଆରୀ 2027

ଶନିବାର · ପେଣ୍ଟିକଷ୍ଟ ପରେ 34ତମ ସପ୍ତାହ · ସ୍ୱର 8

ପର୍ବ ଓ ସନ୍ଥ

ଈଶ୍ବରପ୍ରକାଶ ପରର ଶନିବାର

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର (ଈଶ୍ବରପ୍ରକାଶ ପରର ଶନିବାର ପାଇଁ)

ଏଫି 6:10–17

10ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। 11ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର। 12କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ; 13ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର। 14ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଊରସ୍ତ୍ରାଣ ପରିଧାନ କର, 15ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇ ରହିଥାଅ; 16ଏବଂ ସେଥି ସଙ୍ଗେ ସଙ୍ଗେ, ଯଦ୍ବାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢ଼ାଲ ଧର। 17ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ଓ ଆତ୍ମାଙ୍କ ଖଡ୍ଗ, ଅର୍ଥାତ୍‍ ଈଶ୍ବରଙ୍କ ବାକ୍ୟ ଧାରଣ କର;

ପତ୍ର

ଏଫି 2:11–13

11ଅତଏବ ତୁମ୍ଭେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ଅଣଯିହୁଦୀ ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତ ଲୋକମାନଙ୍କ ଦ୍ୱାରା ଅସୁନ୍ନତ ବୋଲି ଖ୍ୟାତ ହେଉଥିଲ, 12ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ଇସ୍ରାଏଲର ପ୍ରଜାସତ୍ତ୍ବ ରହିତ, ପୁଣି ଜଗତରେ ଭରସାହୀନ ଓ ଈଶ୍ବରବିହୀନ ଥିଲ, ତାହା ସ୍ମରଣ କର। 13କିନ୍ତୁ ପୂର୍ବେ ତୁମ୍ଭେମାନେ ଦୂରରେ ଥିଲ ଯେ, ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ।

ସୁସମାଚାର (ଈଶ୍ବରପ୍ରକାଶ ପରର ଶନିବାର ପାଇଁ)

ମାଥି 4:1–11

1ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ, 2ପୁଣି, ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ। 3ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୁଟି ହେବା ପାଇଁ ଆଜ୍ଞା ଦିଅ।” 4କିନ୍ତୁ ଯୀଶୁ ଉତ୍ତର ଦେଲେ, “ଲେଖାଅଛି, ‘ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ବରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ।’” 5ତହିଁ ଉତ୍ତାରେ ଶୟତାନ ଯୀଶୁଙ୍କୁ ପବିତ୍ର ନଗରୀ ଯିରୂଶାଲମକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, 6“ତୁମ୍ଭେ ଯଦି ଈଶ୍ବରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖାଅଛି, ‘ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।’” 7ଯୀଶୁ ତାହାଙ୍କୁ କହିଲେ, “ଆହୁରି ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପରୀକ୍ଷା କରିବ ନାହିଁ।’” 8ପୁନଶ୍ଚ ଶୟତାନ ଯୀଶୁଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ନେଇଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ୱର୍ଯ୍ୟ ଦେଖାଇ କହିଲା, 9ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା। 10ତହିଁରେ ଯୀଶୁ ତାହାକୁ କହିଲେ, “ଦୂର ହ, ଶୟତାନ, କାରଣ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରଣାମ କରିବ, ପୁଣି, କେବଳ ତାହାଙ୍କର ଉପାସନା କରିବ।’” 11ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ।

ସୁସମାଚାର

ଲୂକ 13:18–29

18ସେଥିରେ ସେ କହିଲେ, “ଈଶ୍ବରଙ୍କ ରାଜ୍ୟ କାହା ପରି? ପୁଣି, କାହା ସହିତ ମୁଁ ତାହାର ତୁଳନା କରିବି? 19ତାହା ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା, ଆଉ ତାହା ବଢ଼ି ଗଛ ହେଲା, ପୁଣି, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କଲେ।” 20ସେ ଆହୁରି କହିଲେ, “ମୁଁ କାହା ସହିତ ଈଶ୍ବରଙ୍କ ରାଜ୍ୟର ତୁଳନା କରିବି? 21ତାହା ଖମୀର ପରି, ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା।” 22ଏହାପରେ ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରୁଥିଲେ। 23ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କଅଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ, 24“ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ। 25ଘରର ମୁଖ୍ୟ ଲୋକ ଉଠି ଦ୍ୱାର ବନ୍ଦ କଲା ପରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ‘ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ,’ ଏହା କହି ଦ୍ୱାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ‘ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ।’ 26ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ; 27ଆଉ, ସେ ତୁମ୍ଭମାନଙ୍କୁ କହିବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ; ହେ ଅଧର୍ମାଚାରୀ ସମସ୍ତେ ମୋʼ ପାଖରୁ ଦୂର ହୁଅ। 28ଯେତେବେଳେ ତୁମ୍ଭେମାନେ ଅବ୍ରହାମ, ଇସ୍‌ହାକ, ଯାକୁବ ପୁଣି, ସମସ୍ତ ଭାବବାଦୀଙ୍କୁ ଈଶ୍ବରଙ୍କ ରାଜ୍ୟରେ ଥିବା ଓ ଆପଣା ଆପଣାକୁ ବାହାରେ ପକାଉଥିବା ଦେଖିବ, ସେତେବେଳେ ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ। 29ପୁଣି, ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକେ ଆସି ଈଶ୍ବରଙ୍କ ରାଜ୍ୟରେ ଭୋଜନରେ ବସିବେ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜାନୁଆରୀ 10 ନାଗରିକ ପଞ୍ଜିକାର ଜାନୁଆରୀ 23। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର