Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 6

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 6 ଜାନୁଆରୀ 2027

ବୁଧବାର · ବଡ଼ଦିନ କାଳ

ପର୍ବ ଓ ସନ୍ଥ

ପ୍ରଭୁଙ୍କ ପ୍ରକାଶ ପର୍ବ

ମହାପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ଯିଶା 60:1–6

1ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି। 2କାରଣ, ଦେଖ, ଅନ୍ଧକାର ପୃଥିବୀକୁ ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ। 3ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜାଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ। 4ତୁମ୍ଭେ ଅନାଇ ଚତୁର୍ଦ୍ଦିଗ ଦେଖ, ସେମାନେ ସମସ୍ତେ ଏକତ୍ର ହେଉଅଛନ୍ତି, ସେମାନେ ତୁମ୍ଭ ନିକଟକୁ ଆସୁଅଛନ୍ତି; ତୁମ୍ଭର ପୁତ୍ରଗଣ ଦୂରରୁ ଆସିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ବାହୁରେ ଅଣାଯିବେ। 5ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଧୁକୁ ଧୁକୁ ହୋଇ ପ୍ରଫୁଲ୍ଲିତ ହେବ; କାରଣ ସମୁଦ୍ରର ଦ୍ରବ୍ୟରାଶି ତୁମ୍ଭଆଡ଼େ ଫେରାଯିବ, ଅନ୍ୟଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ। 6ଅପାର ଓଟ, ମିଦୀୟନ ଓ ଐଫାର ଦ୍ରୁତଗାମୀ-ଉଷ୍ଟ୍ର, ତୁମ୍ଭକୁ ଆବୃତ କରିବେ; ସେହି ସବୁ ଶିବା ଦେଶରୁ ଆସିବେ; ସେମାନେ ସୁବର୍ଣ୍ଣ, କୁନ୍ଦୁରୁ ଆଣିବେ ଓ ସଦାପ୍ରଭୁଙ୍କର ପ୍ରଶଂସା ପ୍ରଚାର କରିବେ।

ପ୍ରତିଉତ୍ତର ଗୀତ

ଗୀତ 72:1–2, 7–8, 10–13

1ଶଲୋମନଙ୍କର ଗୀତ। ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର ଶାସନ ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର। 2ସେ ଧର୍ମରେ ତୁମ୍ଭ ଲୋକମାନଙ୍କର ଓ ନ୍ୟାୟରେ ତୁମ୍ଭ ଦୁଃଖୀ ଲୋକଙ୍କର ବିଚାର କରିବେ। 7ତାହାଙ୍କ ସମୟରେ ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେବେ; ପୁଣି, ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ। 8ମଧ୍ୟ ସେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ। 10ତର୍ଶୀଶର ଓ ଦ୍ୱୀପସମୂହର ରାଜାଗଣ ଦର୍ଶନୀ ଆଣିବେ; ଶିବାର ଓ ସବାର ରାଜାଗଣ ଭେଟି ଦାନ କରିବେ। 11ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ; ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ। 12କାରଣ ସେ ଆର୍ତ୍ତନାଦକାରୀ ଦୀନହୀନକୁ ଓ ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ। 13ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ।

ଦ୍ୱିତୀୟ ପାଠ

ଏଫି 3:2–3, 5–6

2ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ଈଶ୍ବରଙ୍କ ଅନୁଗ୍ରହ ସମ୍ବନ୍ଧୀୟ ସେବକ କାର୍ଯ୍ୟ ବିଷୟରେ ତୁମ୍ଭେମାନେ ତ ଶୁଣିଥିବ, 3ଅର୍ଥାତ୍‍ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସଂକ୍ଷିପ୍ତ ଭାବରେ ଲେଖିଅଛି। 5ସେହି ନିଗୂଢ଼ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାବବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବ କାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା, 6ଅର୍ଥାତ୍‍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୁଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;

ସୁସମାଚାର

ମାଥି 2:1–12

1ହେରୋଦ ରାଜାଙ୍କ ସମୟରେ ଯିହୂଦିୟା ପ୍ରଦେଶର ବେଥଲିହିମରେ ଯୀଶୁଙ୍କ ଜନ୍ମ ହେବା ପରେ, ଦେଖ, ପୂର୍ବ ଦିଗରେ ଥିବା ଦେଶରୁ କେତେକ ପଣ୍ଡିତ ଯିରୂଶାଲମ ସହରକୁ ଆସି କହିଲେ, 2“ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି, ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦିଗରେ ତାହାଙ୍କ ତାରା ଦେଖି ତାହାଙ୍କୁ ଆରାଧନା କରିବାକୁ ଆସିଅଛୁ।” 3ଏହା ଶୁଣି ହେରୋଦ ରାଜା ଓ ତାହାଙ୍କ ସହିତ ସମସ୍ତ ଯିରୂଶାଲମ ନିବାସୀ ଉଦ୍‌ବିଗ୍ନ ହେଲେ; 4ପୁଣି, ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି, ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ, ତାହା ସେମାନଙ୍କଠାରୁ ବୁଝିବା ପାଇଁ ଚେଷ୍ଟା କଲେ। 5ସେମାନେ ତାହାଙ୍କୁ କହିଲେ, ଯିହୂଦିୟା ପ୍ରଦେଶର ବେଥଲିହିମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖାଅଛି, 6“ଆଉ ଗୋ ଯିହୂଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୂଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋʼଠାରୁ ଆସିବେ।” 7ତାହାପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି, ସେହି ତାରା କେଉଁ ସମୟରେ ଦେଖାଗଲା, ଏହା ସେମାନଙ୍କଠାରୁ ଠିକ୍ ଭାବରେ ବୁଝିନେଲେ। 8ପୁଣି, ସେ ସେମାନଙ୍କୁ ବେଥଲିହିମକୁ ପଠାଇ କହିଲେ, “ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ଠିକ୍ ଭାବରେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲାକ୍ଷଣି ଆମ୍ଭକୁ ସମ୍ବାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା।” 9ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ରହିଗଲା। 10ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ, 11ଆଉ, ଘର ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରୀୟମଙ୍କ ସଙ୍ଗରେ ଦେଖି, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଏବଂ ଆରାଧନା କଲେ, ପୁଣି, ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ। 12ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ସତର୍କବାଣୀ ପାଇ ସେମାନେ ଅନ୍ୟ ପଥ ଦେଇ ଆପଣା ଦେଶକୁ ଚାଲିଗଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର