Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2026 › ନଭେମ୍ବର 25

ଅର୍ଥୋଡକ୍ସ ପଞ୍ଜିକା · 12 ନଭେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 25 ନଭେମ୍ବର 2026

ବୁଧବାର · ପେଣ୍ଟିକଷ୍ଟ ପରେ 26ତମ ସପ୍ତାହ · ସ୍ୱର 8

ପର୍ବ ଓ ସନ୍ଥ

Saint John the Merciful, Patriarch of Alexandria († c. 616–620)

ଉପବାସ ଦିନ

ଉପବାସ: ତେଲ ସହିତ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ପ୍ର.ତୀମ 1:18–20; 2:8–15

18ହେ ବତ୍ସ ତୀମଥି, ତୁମ୍ଭ ବିଷୟରେ ପୂର୍ବରେ ଏହି ସମସ୍ତ ଭାବବାଣୀ ଅନୁସାରେ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି, ଯେପରି ତୁମ୍ଭେ ସେହି ସମସ୍ତ ଭାବବାଣୀ ସାହାଯ୍ୟରେ ଉତ୍ତମ ଯୁଦ୍ଧ କରିପାର; 19ବିଶ୍ୱାସ ଓ ଶୁଚି ବିବେକ ଧରି ରଖ; ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ୱାସରୂପ ଜାହାଜ ଭାଙ୍ଗି ଯାଇଅଛି, 20ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‌ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ବର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି। 2:8ଏଣୁ ମୋହର ଇଚ୍ଛା, ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ। 9ସେହିପରି ମଧ୍ୟ ସ୍ତ୍ରୀମାନେ କେଶବିନ୍ୟାସ ଏବଂ ସୁନା କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ଉତ୍ତମ ବୁଦ୍ଧିର ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି 10ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ଉତ୍ତମ କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ। 11ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ନୀରବରେ ଶିକ୍ଷା ଗ୍ରହଣ କରୁ। 12ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ, ମାତ୍ର ସେ ନୀରବରେ ରହୁ। 13କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା; 14ଆଉ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ, ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞାଲଙ୍ଘନ ଦୋଷରେ ଦୋଷୀ ହେଲେ; 15କିନ୍ତୁ ସେମାନେ ଉତ୍ତମ ବୁଦ୍ଧିର ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ।

ପତ୍ର (ଗୁରୁବାର ପାଇଁ)

ପ୍ର.ତୀମ 3:1–13

1ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି। 2ଅତଏବ, ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ, ଆତ୍ମସଞ୍ଜମ, ଉତ୍ତମ ବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ, 3ମଦ୍ୟପାୟୀ କି ବିବାଦ-ପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ, 4ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ। 5କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ବରଙ୍କ ମଣ୍ଡଳୀର ଦାୟିତ୍ୱ ନେବ? 6ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ଭଳି ଦଣ୍ଡଗ୍ରସ୍ତ ହେବେ। 7ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସମ୍ମାନ ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ। 8ସେହି ପ୍ରକାରେ ସେବକମାନଙ୍କର ଶୁଦ୍ଧ ବିବେକରେ ବିଶ୍ୱାସର ନିଗୂଢ଼ତତ୍ତ୍ୱ ଅବଲମ୍ବନ କରି ଗମ୍ଭୀର, ଛଳନାବାକ୍ୟରହିତ, 9ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ; 10ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି, ନିର୍ଦ୍ଦୋଷ ଦେଖାଗଲେ ସେବକ ପଦରେ ନିଯୁକ୍ତ ହେଉନ୍ତୁ। 11ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦାକାରିଣୀ ନ ହୋଇ ଗମ୍ଭୀର, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ୱସ୍ତ ହେବା ଆବଶ୍ୟକ। 12ସେବକମାନେ ଏକ ଏକ ସ୍ତ୍ରୀର ସ୍ୱାମୀ ହେଉନ୍ତୁ, ପୁଣି, ନିଜ ନିଜ ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ। 13କାରଣ ଯେଉଁମାନେ ଉତ୍ତମ ରୂପେ ସେବକ କାର୍ଯ୍ୟ କରିଅଛନ୍ତି, ସେମାନେ ନିଜ ନିଜ ପାଇଁ ଉତ୍ତମ ଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସମୂଳକ ଅଧିକ ସାହସ ପାଇବେ।

ସୁସମାଚାର

ଲୂକ 12:48–59

48ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ। ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ।” 49“ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କଅଣ ବାଞ୍ଛା? 50ମାତ୍ର ମୋତେ ଏକ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ, ଆଉ ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ କିପରି ଭାରାକ୍ରାନ୍ତ ହେଉଅଛି। 51ମୁଁ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି ବୋଲି କଅଣ ତୁମ୍ଭେମାନେ ମନେ କରୁଅଛ? ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, ବରଂ ଭେଦ କରିବାକୁ ଆସିଅଛି। 52କାରଣ ଅଦ୍ୟାବଧି ଗୋଟିଏ ଗୃହରେ ପାଞ୍ଚ ଜଣ ଥିଲେ ଦୁଇ ଜଣଙ୍କ ବିରୁଦ୍ଧରେ ତିନି ଜଣ ଓ ତିନି ଜଣଙ୍କ ବିରୁଦ୍ଧରେ ଦୁଇ ଜଣ ବିଭିନ୍ନ ହେବେ। 53ପୁତ୍ର ବିରୁଦ୍ଧରେ ପିତା, ପିତା ବିରୁଦ୍ଧରେ ପୁତ୍ର, କନ୍ୟା ବିରୁଦ୍ଧରେ ମାତା, ମାତା ବିରୁଦ୍ଧରେ କନ୍ୟା, ବୋହୂ ବିରୁଦ୍ଧରେ ଶାଶୁ ଓ ଶାଶୁ ବିରୁଦ୍ଧରେ ବୋହୂ ଭିନ୍ନ ହେବେ।” 54ପୁଣି, ସେ ଲୋକମାନଙ୍କୁ ମଧ୍ୟ କହିଲେ, “ପଶ୍ଚିମ ଦିଗରେ ମେଘ ଉଠୁଥିବା ଦେଖିଲେ ସେହିକ୍ଷଣି ତୁମ୍ଭେମାନେ କୁହ, ବର୍ଷା ଆସୁଅଛି, ଆଉ ସେହିପରି ଘଟେ; 55ପୁଣି, ଦକ୍ଷିଣା ପବନ ବହିବା ଦେଖିଲେ ତୁମ୍ଭେମାନେ କୁହ, ବଡ଼ ଖରା ହେବ, ପୁଣି, ତାହା ଘଟେ। 56ରେ କପଟୀମାନେ, ତୁମ୍ଭେମାନେ ପୃଥିବୀ ଓ ଆକାଶର ଲକ୍ଷଣସବୁ ବୁଝି ପାରୁଅଛ, କିନ୍ତୁ ଏହି କାଳର ଲକ୍ଷଣସବୁ କିପରି ବୁଝୁ ନାହଁ?” 57“ଆଉ ନିଜେ ନିଜେ କାହିଁକି ନ୍ୟାୟବିଚାର କରୁ ନାହଁ ଯେ ଉଚିତ୍ କଅଣ? 58କାରଣ ତୁମ୍ଭର ବିବାଦୀ ସହିତ ଶାସନକର୍ତ୍ତାଙ୍କ ଛାମୁକୁ ଯାଉଥିବା ସମୟରେ ପଥ ମଧ୍ୟରେ ତାହାଠାରୁ ମୁକ୍ତ ହେବା ପାଇଁ ଚେଷ୍ଟା କର, କାଳେ ସେ ତୁମ୍ଭକୁ ବିଚାରକର୍ତ୍ତାଙ୍କ ନିକଟକୁ ଟାଣି ନେଇଯିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ଉଚ୍ଚପଦସ୍ଥ କର୍ମଚାରୀଙ୍କ ହସ୍ତରେ ସମର୍ପଣ କରିବେ, ଆଉ ଉଚ୍ଚପଦସ୍ଥ କର୍ମଚାରୀ ତୁମ୍ଭକୁ କାରାଗାରରେ ପକାଇବ। 59ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ଶେଷ କଉଡ଼ିଟି ନ ସୁଝିବା ପର୍ଯ୍ୟନ୍ତ ସେହି ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସିପାରିବ ନାହିଁ।”

ସୁସମାଚାର (ଗୁରୁବାର ପାଇଁ)

ଲୂକ 13:1–9

1ସେହି ସମୟରେ କେତେକ ଲୋକ ଆସି, ପୀଲାତ ଯେଉଁ ଗାଲିଲୀୟମାନଙ୍କ ରକ୍ତ ସେମାନଙ୍କର ବଳି ସହିତ ମିଶାଇଥିଲେ, ସେମାନଙ୍କ ବିଷୟରେ ଯୀଶୁଙ୍କୁ ଜଣାଇଲେ। 2ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, “ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ? 3ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ-ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହି ପ୍ରକାରେ ବିନଷ୍ଟ ହେବ। 4କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀ-ଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ? 5ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ-ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ।” 6ଆଉ, ସେ ଏହି ଦୃଷ୍ଟାନ୍ତ କହିଲେ, “ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରିବୃକ୍ଷ ଲଗାଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ। 7ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରିବୃକ୍ଷରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି? 8ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ‘ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, 9ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ।’”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ନଭେମ୍ବର 12 ନାଗରିକ ପଞ୍ଜିକାର ନଭେମ୍ବର 25। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର