Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2026 › ନଭେମ୍ବର 22

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 22 ନଭେମ୍ବର 2026

ରବିବାର · ସାଧାରଣ କାଳର 34ତମ ସପ୍ତାହ

ପର୍ବ ଓ ସନ୍ଥ

ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ, ବିଶ୍ୱର ରାଜା

ମହାପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ଯିହି 34:11–12, 15–17

11କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ନିଜେ, ଆମ୍ଭେ ହିଁ ନିଜ ମେଷଗଣର ଅନ୍ୱେଷଣ କରି ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରିବା। 12କୌଣସି ପାଳକ ଆପଣା ଛିନ୍ନଭିନ୍ନ ମେଷଗଣର ମଧ୍ୟରେ ଥିବା ଦିନ ଯେପରି ଆପଣା ପଲର ତତ୍ତ୍ୱାନୁସନ୍ଧାନ କରେ, ସେହିପରି ଆମ୍ଭେ ଆପଣା ମେଷଗଣର ତତ୍ତ୍ୱାନୁସନ୍ଧାନ କରିବା; ଆଉ, ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେହି ସକଳ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବା। 15ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆପଣା ମେଷଗଣକୁ ଚରାଇବା ଓ ଆମ୍ଭେ ସେମାନଙ୍କୁ ଶୟନ କରାଇବା। 16ଯେ ହଜିଥିଲା, ଆମ୍ଭେ ତାହାର ଅନ୍ଵେଷଣ କରିବା ଓ ଯେ ତାଡ଼ିତ ହୋଇଥିଲା, ତାହାକୁ ପୁନର୍ବାର ଆଣିବା, ପୁଣି, ଭଗ୍ନାଙ୍ଗର କ୍ଷତ ବାନ୍ଧିବା ଓ ପୀଡ଼ିତକୁ ସବଳ କରିବା, ଆଉ ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବା; ଆମ୍ଭେ ନ୍ୟାୟମତେ ସେମାନଙ୍କୁ ପାଳନ କରିବା। 17ପୁଣି, ହେ ଆମ୍ଭର ପଲ, ତୁମ୍ଭମାନଙ୍କ ବିଷୟରେ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ପଶୁ ଓ ପଶୁର ମଧ୍ୟରେ, ମେଷ ଓ ଛାଗଗଣର ମଧ୍ୟରେ ବିଚାର କରୁ।

ପ୍ରତିଉତ୍ତର ଗୀତ

ଗୀତ 23:1–3, 5–6

1ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ। 2ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି। 3ସେ ମୋʼ ପ୍ରାଣକୁ ସୁସ୍ଥ କରନ୍ତି, ସେ ଆପଣା ନାମ ସକାଶୁ ଧର୍ମ ପଥରେ ମୋତେ କଢ଼ାଇ ନିଅନ୍ତି। 5ତୁମ୍ଭେ ମୋʼ ଶତ୍ରୁଗଣଙ୍କ ସାକ୍ଷାତରେ ମୋʼ ସମ୍ମୁଖରେ ମେଜ ସଜାଉଅଛ; ତୁମ୍ଭେ ତୈଳରେ ମୋʼ ମସ୍ତକ ସିକ୍ତ କରିଅଛ; ମୋʼ ପାନପାତ୍ର ଉଚ୍ଛୁଳି ପଡ଼ୁଅଛି। 6ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦ୍‍ଗାମୀ ହେବ; ପୁଣି, ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।

ଦ୍ୱିତୀୟ ପାଠ

ପ୍ର.କରି 15:20–26, 28

20କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳ ସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। 21କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି। 22ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ। 23କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା କ୍ରମାନୁସାରେ ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ; 24ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ, ସେ ସମୟରେ ସେ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପ କଲା ଉତ୍ତାରେ ଈଶ୍ବର ପିତାଙ୍କୁ ରାଜତ୍ୱ ସମର୍ପଣ କରିବେ। 25କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜତ୍ୱ କରିବାକୁ ହେବ। 26ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ; 28ଆଉ ସମସ୍ତ ବିଷୟ ପୁତ୍ରଙ୍କ ବଶୀଭୂତ କରାଗଲା ଉତ୍ତାରେ, ଯେ ସମସ୍ତ ବିଷୟ ତାହାଙ୍କର ବଶୀଭୂତ କଲେ, ସ୍ୱୟଂ ପୁତ୍ର ମଧ୍ୟ ତାହାଙ୍କର ବଶୀଭୂତ ହେବେ, ଯେପରି ଈଶ୍ବର ସର୍ବେସର୍ବା ହୁଅନ୍ତି।

ସୁସମାଚାର

ମାଥି 25:31–46

31“ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ, 32ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି, 33ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ। 34ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ; 35କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ; 36ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ। 37ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ? 38ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ? କିମ୍ବା ଉଲଗ୍ନ ଦେଖି ବସ୍ତ୍ର ପରିଧାନ କରାଇଲୁ? 39ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ? 40ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ। 41ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ, 42କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ; 43ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ। 44ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଗ୍ନ, ପୀଡ଼ିତ କି କାରାଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ? 45ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ। 46ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ।”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର A, ସପ୍ତାହ ଦିନର ବର୍ଷ II।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର