Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2026 › ଅକ୍ଟୋବର 9

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 9 ଅକ୍ଟୋବର 2026

ଶୁକ୍ରବାର · ସାଧାରଣ କାଳର 27ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 27ତମ ସପ୍ତାହର ଶୁକ୍ରବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ସନ୍ଥ ଡେନିସ୍, ଧର୍ମାଧ୍ୟକ୍ଷ, ଓ ସାଥୀମାନେ, ଶହୀଦ · ଇଚ୍ଛାଧୀନ ସ୍ମୃତି ଦିବସ

ସନ୍ଥ ଜନ୍ ଲିଓନାର୍ଡି, ପୁରୋହିତ · ଇଚ୍ଛାଧୀନ ସ୍ମୃତି ଦିବସ

ସନ୍ଥ ଜନ୍ ହେନେରୀ ନ୍ୟୁମାନ୍, ପୁରୋହିତ ଓ ମଣ୍ଡଳୀର ଆଚାର୍ଯ୍ୟ · ଇଚ୍ଛାଧୀନ ସ୍ମୃତି ଦିବସ

ଉପବାସ ଓ ପ୍ରାୟଶ୍ଚିତ୍ତ

ପ୍ରାୟଶ୍ଚିତ୍ତର ଦିନ

ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।

ଦିନର ପାଠ

ପ୍ରଥମ ପାଠ

ଗାଲା 3:7–17

7ଅତଏବ ଯେଉଁମାନେ ବିଶ୍ୱାସୀ, ସେମାନେ ଅବ୍ରହାମଙ୍କର ସନ୍ତାନ। 8ଆଉ ଈଶ୍ବର ଅଣଯିହୁଦୀମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲେ, “ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।” 9ଏଣୁ ଯେଉଁମାନେ ବିଶ୍ୱାସୀ, ସେମାନେ ବିଶ୍ୱାସର ପୁରୁଷ ଅବ୍ରହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। 10କାରଣ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖାଅଛି, “ଯେ କେହି ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶ୍ରାପଗ୍ରସ୍ତ।” 11ମୋଶାଙ୍କ ବ୍ୟବସ୍ଥା ଦ୍ୱାରା କେହି ଯେ ଈଶ୍ବରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହୁଏ ନାହିଁ, ଏହା ତ ପବିତ୍ର ଶାସ୍ତ୍ରରେ ସ୍ପଷ୍ଟ, “କାରଣ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।” 12ଆଉ ବିଶ୍ୱାସ ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ନୁହେଁ; ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ଏହି, ଯେ ଏହିସବୁ ପାଳନ କରେ, ସେ ସେଥିରେ ବଞ୍ଚିବ। 13ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅବ୍ରହାମଙ୍କର ଆଶୀର୍ବାଦ ଯେପରି ଅଣଯିହୁଦୀମାନଙ୍କ ପ୍ରତି ବର୍ତ୍ତେ, ପୁଣି ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ, 14ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ; କାରଣ ଯେପରି ପବିତ୍ର ଶାସ୍ତ୍ରରେ ଲେଖାଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ, ସେ ଅଭିଶପ୍ତ। 15ହେ ଭାଇମାନେ, ମୁଁ ମନୁଷ୍ୟ ଭାବରେ କହୁଅଛି; ଚୁକ୍ତି ମନୁଷ୍ୟ ଦ୍ୱାରା କରାଗଲେ ସୁଦ୍ଧା ଯେତେବେଳେ ତାହା ସ୍ଥିରୀକୃତ ହୁଏ, ସେତେବେଳେ କେହି ତାହା ଅନ୍ୟଥା କରିପାରେ ନାହିଁ ବା ସେଥିରେ କିଛି ଯୋଗ କରିପାରେ ନାହିଁ। 16ଅବ୍ରହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା। ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ। 17ମୋହର ଭାବ ଏହି, ଯେଉଁ ନିୟମ ଈଶ୍ବରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶ ବର୍ଷ ପରେ ଦିଆଯାଇଥିବା ମୋଶାଙ୍କ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ୱାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ।

ପ୍ରତିଉତ୍ତର ଗୀତ

ଗୀତ 111:1–6

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ସରଳ ଲୋକଙ୍କ ସଭାରେ ଓ ମଣ୍ଡଳୀ ମଧ୍ୟରେ ମୁଁ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। 2ସଦାପ୍ରଭୁଙ୍କ କାର୍ଯ୍ୟସକଳ ମହତ, ଯେଉଁମାନେ ତହିଁରେ ସନ୍ତୁଷ୍ଟ, ସେମାନେ ତାହାସବୁ ଅନୁସନ୍ଧାନ କରନ୍ତି। 3ତାହାଙ୍କର କ୍ରିୟା, ସମ୍ଭ୍ରମ ଓ ଗୌରବ ସ୍ୱରୂପ; ଓ ତାହାଙ୍କର ଧର୍ମ ଅନନ୍ତକାଳସ୍ଥାୟୀ। 4ସେ ଆପଣାର ଆଶ୍ଚର୍ଯ୍ୟକର୍ମସବୁ ସ୍ମରଣ କରାଇଅଛନ୍ତି; ସଦାପ୍ରଭୁ କୃପାମୟ ଓ ସ୍ନେହଶୀଳ। 5ସେ ଆପଣା ଭୟକାରୀମାନଙ୍କୁ ଆହାର ଦେଇଅଛନ୍ତି; ସେ ସଦାକାଳ ଆପଣା ନିୟମ ସ୍ମରଣ କରିବେ। 6ସେ ନିଜ ଲୋକମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ଅଧିକାର ଦେଇ ଆପଣା କର୍ମର ପ୍ରଭାବ ସେମାନଙ୍କୁ ଦେଖାଇଅଛନ୍ତି।

ସୁସମାଚାର

ଲୂକ 11:15–26

15କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତ ଛଡ଼ାଏ। 16ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ତାହାଙ୍କଠାରୁ ଆକାଶରୁ ଏକ ଚିହ୍ନ ମାଗିଲେ। 17କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ଭାଗ ଭାଗ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇ ଯାଏ, ପୁଣି, ଗୃହ ଗୃହ ଉପରେ ପଡ଼େ। 18ଆଉ ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହାହେଲେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ? ମୁଁ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭେମାନେ ତ କହୁଅଛ। 19କିନ୍ତୁ ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ। 20କିନ୍ତୁ ମୁଁ ଯଦି ଈଶ୍ବରଙ୍କ ପରାକ୍ରମ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି। 21ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ; 22କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହିସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ। 23ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ; ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।” 24“ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି, ‘ମୋହର ସେହି ଘରକୁ ଫେରିଯିବି;’ 25ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ। 26ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତୋଟି ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ।”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର A, ସପ୍ତାହ ଦିନର ବର୍ଷ II।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର