Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2026 › ଅକ୍ଟୋବର 4

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 4 ଅକ୍ଟୋବର 2026

ରବିବାର · ସାଧାରଣ କାଳର 27ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 27ତମ ରବିବାର

ରବିବାର · ଉପାସନାର ରଙ୍ଗ: ସବୁଜ

ଦିନର ପାଠ

ପ୍ରଥମ ପାଠ

ଯିଶା 5:1–7

1ମୁଁ ଆପଣା ପ୍ରିୟତମଙ୍କ ଉଦ୍ଦେଶ୍ୟରେ, ତାହାଙ୍କ ଦ୍ରାକ୍ଷାକ୍ଷେତ୍ର ବିଷୟରେ ମୋʼ ପ୍ରିୟତମଙ୍କର ଗୋଟିଏ ଗୀତ ଗାନ କରେ। ଅତି ଉର୍ବରା ଏକ ପର୍ବତରେ ମୋʼ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା; 2ପୁଣି, ସେ ତାହା ଖୋଳି ପ୍ରସ୍ତରସବୁ ବାହାର କଲେ ଓ ଅତ୍ୟୁତ୍ତମ ଦ୍ରାକ୍ଷାଲତା ତହିଁରେ ରୋପଣ କଲେ ଓ ତହିଁର ମଧ୍ୟସ୍ଥାନରେ ଗୋଟିଏ ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ଡ ମଧ୍ୟ ଖୋଳିଲେ, ଆଉ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ, ମାତ୍ର ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା। 3ଏଣୁ ଏବେ ହେ ଯିରୂଶାଲମ ନିବାସୀମାନେ ଓ ଯିହୁଦାର ଲୋକମାନେ, ମୁଁ ତୁମ୍ଭମାନଙ୍କୁ ବିନୟ କରେ, ତୁମ୍ଭେମାନେ ମୋହର ଓ ମୋʼ ଦ୍ରାକ୍ଷାକ୍ଷେତ୍ରର ମଧ୍ୟରେ ବିଚାର କର। 4ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ରରେ ଯାହା କରି ନାହିଁ, ଏପରି କେଉଁ ଅଧିକ କର୍ମ ତହିଁ ପ୍ରତି କରାଯାଇ ପାରନ୍ତା? ଏନିମନ୍ତେ ମୁଁ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷା କଲେ, ତହିଁରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା କାହିଁକି? 5ଏଣୁ ଏବେ ଶୁଣ; ମୁଁ ଆପଣା ଦ୍ରାକ୍ଷାକ୍ଷେତ୍ର ପ୍ରତି ଯାହା କରିବି, ତାହା ତୁମ୍ଭମାନଙ୍କୁ ଜଣାଇବି; ମୁଁ ତହିଁର ବାଡ଼ କାଢ଼ି ପକାଇବି, ତହିଁରେ ତାହା ଗ୍ରାସ କରାଯିବ; ମୁଁ ତହିଁର ବେଢ଼ା ଭାଙ୍ଗି ପକାଇବି, ତହିଁରେ ତାହା ଦଳିତ ହେବ; 6ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି। 7ଯେହେତୁ ଇସ୍ରାଏଲ ବଂଶ ସୈନ୍ୟାଧିପତି ସଦାପ୍ରଭୁଙ୍କର ଦ୍ରାକ୍ଷାକ୍ଷେତ୍ର ଓ ଯିହୁଦାର ଲୋକେ ତାହାଙ୍କର ମନୋରମ ଚାରା; ସେ ନ୍ୟାୟ ଅପେକ୍ଷା କଲେ, ମାତ୍ର ଦେଖ, ଉପଦ୍ରବ; ଧାର୍ମିକତା ଅପେକ୍ଷା କଲେ, ମାତ୍ର ଦେଖ, କ୍ରନ୍ଦନ।

ପ୍ରତିଉତ୍ତର ଗୀତ

ଗୀତ 80:8, 11–15, 18–19

8ତୁମ୍ଭେ ମିସରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ; ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ିଦେଇ ତାହା ରୋପଣ କଲ। 11ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖା ଓ ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା। 12କାହିଁକି ତୁମ୍ଭେ ତାହାର ବେଢ଼ା ଭାଙ୍ଗି ପକାଇଅଛ ଯେ, ପଥିକସବୁ ତାହା ଛିଣ୍ଡାଇ ପକାଉଅଛନ୍ତି? 13ବନରୁ ବରାହ ଆସି ତାହା ଉଜାଡ଼ି ପକାଏ ଓ ବିଲର ପଶୁଗଣ ତାହା ଖାଇଯାʼନ୍ତି। 14ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭେମାନେ ବିନୟ କରୁଅଛୁ, ଫେର; ସ୍ୱର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି ଦ୍ରାକ୍ଷାଲତାର 15ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ୱାରା ସ୍ଥାପିତ ଗଣ୍ଡିର ଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ୱ ନିଅ। 18ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରିଯିବା ନାହିଁ; ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା। 19ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ; ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ।

ଦ୍ୱିତୀୟ ପାଠ

ଫିଲି 4:6–9

6କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ବରଙ୍କ ନିକଟରେ ଜଣାଅ। 7ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ବରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। 8ଅବଶେଷରେ, ହେ ଭ୍ରାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରିୟ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍‍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର। 9ତୁମ୍ଭେମାନେ ଯେ ସମସ୍ତ ବିଷୟ ମୋʼଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋʼ ଠାରେ ଦେଖିଅଛ, ସେହିସବୁ କର; ସେଥିରେ ଶାନ୍ତିଦାତା ଈଶ୍ବର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।

ସୁସମାଚାର

ମାଥି 21:33–43

33“ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ। 34ପରେ ଫଳର ସମୟ ପାଖେଇ ଆସନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ। 35କିନ୍ତୁ କୃଷକମାନେ ତାହାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ, ଅନ୍ୟ ଜଣକୁ ବଧ କଲେ, ପୁଣି, ଆଉ ଜଣକୁ ପଥର ଫୋପାଡ଼ି ମାରିପକାଇଲେ। 36ପୁଣି, ଥରେ ସେ ପ୍ରଥମ ଥର ଅପେକ୍ଷା ଅଧିକ ସଂଖ୍ୟକ ଦାସ ପଠାଇଲେ, ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ। 37‘କିନ୍ତୁ ମୋହର ପୁଅକୁ ସେମାନେ ମାନ୍ୟ କରିବେ,’ ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ। 38ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ‘ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ମାରି ଦେଇ ଆମ୍ଭେମାନେ ଏହାର ଅଧିକାର ଦଖଲ କରୁ।’ 39ଆଉ ସେମାନେ ତାହାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ମାରିଦେଲେ। 40ଅତଏବ ଯେତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କଅଣ କରିବେ?” 41ସେମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ନିଷ୍ଠୁର ଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାହାଙ୍କୁ ଠିକ୍ ସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ। 42ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’ 43ଏଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ କାଢ଼ି ନିଆଯିବ, ପୁଣି, ଯେଉଁ ଜାତି ସେଥିର ଫଳ ଫଳିବ, ତାହାକୁ ଦିଆଯିବ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର A, ସପ୍ତାହ ଦିନର ବର୍ଷ II।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର