ମୁଖ୍ୟ ପୃଷ୍ଠା › ମଣ୍ଡଳୀ ବର୍ଷର ପର୍ବ › ଆଗମନ କାଳ
ମଣ୍ଡଳୀ ବର୍ଷର ପର୍ବ
ଆଗମନ କାଳ
ବଡ଼ଦିନ ପୂର୍ବର ସପ୍ତାହ: ପାଶ୍ଚାତ୍ୟ ମଣ୍ଡଳୀରେ ଆଗମନ କାଳ ବଡ଼ଦିନ ପୂର୍ବର ଚତୁର୍ଥ ରବିବାରରେ ଆରମ୍ଭ ହୁଏ; ଅର୍ଥୋଡକ୍ସ ମଣ୍ଡଳୀରେ ଚାଳିଶ ଦିନର ଜନ୍ମ-ଉପବାସ ମଣ୍ଡଳୀ ପଞ୍ଜିକାର 15 ନଭେମ୍ବରରେ ଆରମ୍ଭ ହୁଏ। ଏହି ସପ୍ତାହଗୁଡ଼ିକରେ ପଢ଼ାଯାଉଥିବା ଭବିଷ୍ୟଦ୍ବାଣୀ ଓ ସୁସମାଚାରର ଅଂଶ, ସମ୍ପୂର୍ଣ୍ଣ।
ତାରିଖ
| ବର୍ଷ | ପାଶ୍ଚାତ୍ୟ ମଣ୍ଡଳୀଆଗମନ କାଳର ପ୍ରଥମ ରବିବାର | ଅର୍ଥୋଡକ୍ସ ମଣ୍ଡଳୀଜନ୍ମ-ଉପବାସର ଆରମ୍ଭ |
|---|---|---|
| 2026 | 29 ନଭେମ୍ବର 2026ରବିବାର | 28 ନଭେମ୍ବର 2026ଶନିବାର |
| 2027 | 28 ନଭେମ୍ବର 2027ରବିବାର | 28 ନଭେମ୍ବର 2027ରବିବାର |
| 2028 | 3 ଡିସେମ୍ବର 2028ରବିବାର | 28 ନଭେମ୍ବର 2028ମଙ୍ଗଳବାର |
| 2029 | 2 ଡିସେମ୍ବର 2029ରବିବାର | 28 ନଭେମ୍ବର 2029ବୁଧବାର |
| 2030 | 1 ଡିସେମ୍ବର 2030ରବିବାର | 28 ନଭେମ୍ବର 2030ଗୁରୁବାର |
ଏକ ତାରିଖ ଅର୍ଥୋଡକ୍ସ କିମ୍ବା କାଥଲିକ୍ ପଞ୍ଜିକାରେ ସେହି ଦିନର ପାଠ ଖୋଲେ।
ଅର୍ଥୋଡକ୍ସ ତାରିଖ ଜୁଲିଆନ୍ ପଞ୍ଜିକା ଅନୁସାରେ, ଯାହାକୁ ରୁଷ, ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ମାନନ୍ତି: ସେମାନଙ୍କ ସ୍ଥିର ତାରିଖର ପର୍ବ ନାଗରିକ ପଞ୍ଜିକାରେ 13 ଦିନ ପରେ ପଡ଼େ। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ ଓ ଅନ୍ୟ) 25 ଡିସେମ୍ବରରେ ବଡ଼ଦିନ ପାଳନ୍ତି; ପାସ୍କା ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ପ୍ରାୟ ସମସ୍ତ ଅର୍ଥୋଡକ୍ସ ମଣ୍ଡଳୀରେ ସମାନ ଭାବେ ଗଣାଯାଏ।
ବାଇବେଲ ଅଂଶ
ଯିଶାଇୟ
1ମୋʼ ଲୋକମାନଙ୍କୁ ସାନ୍ତ୍ୱନା କର, ସାନ୍ତ୍ୱନା କର, ଏହା ତୁମ୍ଭମାନଙ୍କର ପରମେଶ୍ୱର କହନ୍ତି। 2ତୁମ୍ଭେମାନେ ଯିରୂଶାଲମକୁ ଚିତ୍ତ ପ୍ରବୋଧକ କଥା କୁହ, ଆଉ ତାହାର ସଂଗ୍ରାମ ସମାପ୍ତ ହେଲା, ତାହାର ଅପରାଧ କ୍ଷମା ହେଲା, ସେ ସଦାପ୍ରଭୁଙ୍କ ହସ୍ତରୁ ଆପଣାର ସମସ୍ତ ପାପ ସକାଶୁ ଦୁଇଗୁଣ ପାଇଅଛି ବୋଲି ତାହା ନିକଟରେ ପ୍ରଚାର କର। 3ଏକ ଜଣର ରବ ପ୍ରଚାର କରେ, “ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପଥ ପ୍ରସ୍ତୁତ କର, ମରୁଭୂମି ମଧ୍ୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ରାଜପଥ ସଳଖ କର। 4ପ୍ରତ୍ୟେକ ଉପତ୍ୟକା ଉଚ୍ଚ କରାଯିବ, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ ଓ ବକ୍ର ସଳଖ କରାଯିବ, ଆଉ ରଗଡ଼ା ସ୍ଥାନସବୁ ସମାନ କରାଯିବ; 5ପୁଣି, ସଦାପ୍ରଭୁଙ୍କ ମହିମା ପ୍ରକାଶିତ ହେବ ଓ ଯାବତୀୟ ମର୍ତ୍ତ୍ୟ ଏକତ୍ର ତାହା ଦେଖିବେ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।” 6ଏକ ଜଣର ରବ କହେ, “ପ୍ରଚାର କର,” ତହିଁରେ ଜଣେ କହିଲା, “କଅଣ ପ୍ରଚାର କରିବା?” ମର୍ତ୍ତ୍ୟ ମାତ୍ର ତୃଣ ସ୍ୱରୂପ ଓ ତାହାର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପର ତୁଲ୍ୟ; 7ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମ୍ଳାନ ହୁଏ; କାରଣ ତହିଁ ଉପରେ ସଦାପ୍ରଭୁଙ୍କର ଶ୍ୱାସବାୟୁ ବହେ, ନିଶ୍ଚୟ ଲୋକମାନେ ତୃଣ ସ୍ୱରୂପ। 8ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମଳିନ ହୁଏ; ମାତ୍ର ଆମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ। 9ହେ ସିୟୋନ ନିକଟରେ ସୁସମାଚାର ପ୍ରଚାରକାରିଣୀ, ତୁମ୍ଭେ ଉଚ୍ଚ ପର୍ବତକୁ ଯାଅ; ହେ ଯିରୂଶାଲମ ନିକଟରେ ସୁସମାଚାର ପ୍ରଚାରକାରିଣୀ, ତୁମ୍ଭେ ବଳରେ ଉଚ୍ଚସ୍ୱର କର, ଉଚ୍ଚସ୍ୱର କର, ଭୟ କର ନାହିଁ; ଯିହୁଦାର ନଗରସମୂହକୁ କୁହ, “ହେଇ ଦେଖ, ତୁମ୍ଭମାନଙ୍କ ପରମେଶ୍ୱର!” 10ଦେଖ, ପ୍ରଭୁ ସଦାପ୍ରଭୁ ପରାକ୍ରମୀର ତୁଲ୍ୟ ଆସିବେ ଓ ତାହାଙ୍କର ବାହୁ ତାହାଙ୍କ ପାଇଁ କର୍ତ୍ତୃତ୍ୱ କରିବ; ଦେଖ, ତାହାଙ୍କ ସଙ୍ଗେ ତାହାଙ୍କର ପୁରସ୍କାର ଅଛି ଓ ତାହାଙ୍କ ଆଗରେ ତାହାଙ୍କର ପ୍ରତିଫଳ ଅଛି। 11ସେ ମେଷପାଳକ ପରି ଆପଣା ପଲ ଚରାଇବେ, ମେଷଛୁଆମାନଙ୍କୁ ସେ ଆପଣା ବାହୁରେ ସଂଗ୍ରହ କରିବେ ଓ ଆପଣା କୋଳରେ ସେମାନଙ୍କୁ ବହି ନେବେ, ଆଉ ଦୁଗ୍ଧଦାୟିନୀମାନଙ୍କୁ ଧୀରେ ଧୀରେ ଚଳାଇବେ।
ଯିଶାଇୟ
1ଏଥିଉତ୍ତାରେ ଯିଶୀର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ; 2ପୁଣି, ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିବେ; 3ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଆମୋଦ ହେବ; ପୁଣି, ସେ ଆପଣା ଚକ୍ଷୁର ଦୃଷ୍ଟି ଅନୁସାରେ ବିଚାର କରିବେ ନାହିଁ, କିଅବା ଆପଣା କର୍ଣ୍ଣପ୍ରାନ୍ତରେ ଶ୍ରବଣାନୁସାରେ ଅନୁଯୋଗ କରିବେ ନାହିଁ, 4ମାତ୍ର ସେ ଧର୍ମରେ ଦୀନହୀନମାନଙ୍କ ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେ; ପୁଣି, ସେ ଆପଣା ମୁଖସ୍ଥିତ ଦଣ୍ଡ ଦ୍ୱାରା ପୃଥିବୀକୁ ଆଘାତ କରିବେ ଓ ଆପଣା ଓଷ୍ଠାଧରର ନିଃଶ୍ୱାସ ଦ୍ୱାରା ଦୁଷ୍ଟକୁ ସଂହାର କରିବେ। 5ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ୱସ୍ତତା ତାହାଙ୍କ କଟିର ପଟୁକା ହେବ। 6ଆଉ, କେନ୍ଦୁଆ ବାଘ ମେଷଛୁଆ ସଙ୍ଗେ ବାସ କରିବ ଓ ଚିତାବାଘ ଛେଳିଛୁଆ ସଙ୍ଗେ ଶୟନ କରିବ; ବାଛୁରି, ଯୁବା ସିଂହ ଓ ହୃଷ୍ଟପୁଷ୍ଟ ପଶୁ ଏକତ୍ର ରହିବେ; ଆଉ, ଏକ ସାନ ପିଲା ସେମାନଙ୍କୁ ଅଡ଼ାଇବ। 7ପୁଣି, ଗାଭୀ ଓ ଭଲ୍ଲୁକୀ ଚରିବେ; ସେମାନଙ୍କର ଛୁଆସବୁ ଏକତ୍ର ଶୟନ କରିବେ; ଆଉ, ସିଂହ ବଳଦ ପରି ନଡ଼ା ଖାଇବ। 8ପୁଣି, ସ୍ତନ୍ୟପାୟୀ ଶିଶୁ କାଳସର୍ପର ଗର୍ତ୍ତ ଉପରେ ଖେଳିବ ଓ ତ୍ୟକ୍ତସ୍ତନ୍ୟ ବାଳକ କୃଷ୍ଣସର୍ପର ଗର୍ତ୍ତ ଉପରେ ହସ୍ତ ଥୋଇବ। 9ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ; କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ। 10ଆଉ, ସେହି ଦିନରେ ଗୋଷ୍ଠୀଗଣର ଧ୍ୱଜା ରୂପେ ସ୍ଥାପିତ ଯେ ଯିଶୀର ମୂଳ, ନାନା ଦେଶୀୟମାନେ ତାହାଙ୍କର ଅନ୍ଵେଷଣ କରିବେ; ଆଉ, ତାହାଙ୍କର ବିଶ୍ରାମ-ସ୍ଥାନ ଗୌରବାନ୍ୱିତ ହେବ।
ମାର୍କ
1ଈଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ। 2ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖାଅଛି, “ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ; 3ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।” 4ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ। 5ସେଥିରେ ସମଗ୍ର ଯିହୂଦିୟା ପ୍ରଦେଶ ଓ ସମସ୍ତ ଯିରୂଶାଲମ ସହରନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ। 6ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ। 7ସେ ଘୋଷଣା କରି କହିବାକୁ ଲାଗିଲେ, “ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ। 8ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।”
ଲୂକ
26ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ବରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ; 27ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ। 28ସେ ଗୃହରେ ପ୍ରବେଶ କରି ତାହାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ। 29କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ବିଚଳିତ ହୋଇ ଏହା କି ପ୍ରକାର ବାକ୍ୟ ବୋଲି ମନରେ ବିଚାର କରିବାକୁ ଲାଗିଲେ। 30ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ବରଙ୍କ ଛାମୁରେ ଅନୁଗ୍ରହ ପାଇଅଛ। 31ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ। 32ସେ ମହାନ ହେବେ ଓ ମହାନ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ବର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ, 33ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ। 34କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ। 35ଦୂତ ତାହାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। 36ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି। ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି; 37କାରଣ ଈଶ୍ବରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ। 38ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ। ତାହା ପରେ ଦୂତ ତାହାଙ୍କ ନିକଟରୁ ପ୍ରସ୍ଥାନ କଲେ।
ଲୂକ
39ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳର ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ, 40ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ। 41ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାହାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ 42ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ। 43ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋʼ ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା? 44କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋʼ କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା। 45ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ। 46ଏଥିରେ ମରୀୟମ କହିଲେ, “ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି, 47ପୁଣି, ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ବରଙ୍କଠାରେ ଆନନ୍ଦିତ ହୋଇଅଛି; 48କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ, 49କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର, 50ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ। 51ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଙ୍କାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି; 52ସେ ଶାସନକର୍ତ୍ତାମାନଙ୍କୁ ସିଂହାସନରୁ ବାହାର କରିଅଛନ୍ତି, ଦୀନହୀନମାନଙ୍କୁ ଉଠାଇଅଛନ୍ତି, 53ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି। 54ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ, ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି, 55ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି।” 56ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ।
କଳାରେ
ମଙ୍ଗଳ ସମାଚାର (ଘୋଷଣା)ୟାନ୍ ଭାନ୍ ଆଇକ୍ · c. 1434/1436
ସାଧୁ ନିକୋଲାସ୍ ଓ ମଠାଧ୍ୟକ୍ଷ ସାଧୁ ଆଣ୍ଟୋନିଙ୍କ ସହ ମରୀୟମଙ୍କ ସାକ୍ଷାତପିଏରୋ ଦି କୋସିମୋ · c. 1489/1490
ମଙ୍ଗଳ ସମାଚାରଗୁସ୍ତାଭ୍ ଡୋରେ · 1866
ମଙ୍ଗଳ ସମାଚାରଡ୍ୟୁରର୍ · c. 1503–5
ମରୀୟମଙ୍କ ସାକ୍ଷାତଡ୍ୟୁରର୍ · c. 1504
ମଙ୍ଗଳ ସମାଚାରଲୁକାସ୍ ଭାନ୍ ଲେଡେନ୍ · c. 1516
ମରୀୟମଙ୍କ ଏଲୀଶାବେଥଙ୍କ ସହ ସାକ୍ଷାତଲୁକାସ୍ ଭାନ୍ ଲେଡେନ୍ · 1520
ଏକ ‘ବୁକ୍ ଅଫ୍ ଆୱାର୍ସ’ର ପୃଷ୍ଠା: ମଙ୍ଗଳ ସମାଚାର (recto)ଅଜ୍ଞାତ ଫ୍ଲେମିଶ୍ ଚିତ୍ରକର · 1470–1479
ଏକ ‘ବୁକ୍ ଅଫ୍ ଆୱାର୍ସ’ର ପୃଷ୍ଠା: ମରୀୟମଙ୍କ ସାକ୍ଷାତଗିୟୋମ୍ ଭ୍ରେଲାଁ · c. 1470–1480
ମଙ୍ଗଳ ସମାଚାର (L'annonciation)ଜେମ୍ସ ଟିସୋ · 1886–1894
ମରୀୟମଙ୍କ ସାକ୍ଷାତ (La visitation)ଜେମ୍ସ ଟିସୋ · 1886–1894
ମରୀୟମଙ୍କ ସ୍ତୁତିଗୀତ (Le magnificat)ଜେମ୍ସ ଟିସୋ · 1886–1894
ଆହୁରି ପର୍ବ
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର