Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2027 › ନଭେମ୍ବର 28

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 28 ନଭେମ୍ବର 2027

ରବିବାର · ଆଗମନ କାଳର ପ୍ରଥମ ସପ୍ତାହ

ପର୍ବ ଓ ସନ୍ଥ

ଆଗମନ କାଳର ପ୍ରଥମ ରବିବାର

ରବିବାର · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ଯିରି 33:14–16

14ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ, ଆମ୍ଭର ତାହା ସଫଳ କରିବାର ସମୟ ଆସୁଅଛି। 15ସେସକଳ ଦିନରେ ଓ ସେହି ସମୟରେ ଆମ୍ଭେ ଦାଉଦ-ବଂଶରେ ଧର୍ମରୂପ ଏକ ଶାଖା ଉତ୍ପନ୍ନ କରାଇବା; ପୁଣି, ସେ ଦେଶରେ ନ୍ୟାୟବିଚାର ଓ ଧର୍ମ ପ୍ରଚଳିତ କରିବେ। 16ସେହି ସକଳ ଦିନରେ ଯିହୁଦା ପରିତ୍ରାଣ ପାଇବ ଓ ଯିରୂଶାଲମ ନିରାପଦରେ ବାସ କରିବ, ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ,’ ଏହି ନାମରେ ସେ ବିଖ୍ୟାତ ହେବେ।

ପ୍ରତିଉତ୍ତର ଗୀତ

ଗୀତ 25:4–5, 8–10, 14

4ହେ ସଦାପ୍ରଭୋ, ତୁମ୍ଭର ପଥସବୁ ମୋତେ ଦେଖାଅ; ତୁମ୍ଭର ମାର୍ଗସବୁ ମୋତେ ଶିଖାଅ। 5ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋʼ ପରିତ୍ରାଣର ପରମେଶ୍ୱର ଅଟ; ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ। 8ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ। 9ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ। 10ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ। 14ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ; ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ।

ଦ୍ୱିତୀୟ ପାଠ

ପ୍ର.ଥେସ 3:12–4:2

12ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ। 13ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ। 4:1ଅତଏବ, ହେ ଭାଇମାନେ, ଅବଶେଷରେ କି ପ୍ରକାର ଆଚରଣ କରି ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ଉଚିତ, ସେ ସମ୍ବନ୍ଧରେ ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଯେପରି ଶିକ୍ଷା ପ୍ରାପ୍ତ ହୋଇଅଛ, ଆଉ ତୁମ୍ଭେମାନେ ମଧ୍ୟ ଯେପ୍ରକାର ଆଚରଣ କରୁଅଛ, ତଦନୁସାରେ ଆହୁରି ଅଧିକ ଅଗ୍ରସର ହେବା ନିମନ୍ତେ ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭମାନଙ୍କୁ ଅନୁରୋଧ କରି ଉତ୍ସାହ ଦେଉଅଛୁ। 2ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ଦ୍ୱାରା ତୁମ୍ଭମାନଙ୍କୁ କି କି ଆଦେଶ ଦେଇଥିଲୁ, ତାହା ତ ତୁମ୍ଭେମାନେ ଜାଣ।

ସୁସମାଚାର

ଲୂକ 21:25–28, 34–36

25“ପୁଣି, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ, 26ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବ। 27ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ। 28କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ।” 34“କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍‍ ତୁମ୍ଭମାନଙ୍କ ଉପରେ ପଡ଼େ; 35କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ। 36କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ।”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର C, ସପ୍ତାହ ଦିନର ବର୍ଷ II।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର