Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2027 › ଡିସେମ୍ବର 3

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 3 ଡିସେମ୍ବର 2027

ଶୁକ୍ରବାର · ଆଗମନ କାଳର ପ୍ରଥମ ସପ୍ତାହ

ପର୍ବ ଓ ସନ୍ଥ

ଆଗମନ କାଳର ପ୍ରଥମ ସପ୍ତାହର ଶୁକ୍ରବାର

ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା

ସନ୍ଥ ଫ୍ରାନ୍ସିସ୍ ଜେଭିୟର୍, ପୁରୋହିତ · ସ୍ମୃତି ଦିବସ

ଉପବାସ ଓ ପ୍ରାୟଶ୍ଚିତ୍ତ

ପ୍ରାୟଶ୍ଚିତ୍ତର ଦିନ

ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।

ଦିନର ପାଠ

ପ୍ରଥମ ପାଠ

ଯିଶା 29:17–24

17ଅତି ଅଳ୍ପ କାଳ ଉତ୍ତାରେ ଲିବାନୋନ କି ଫଳବାନ କ୍ଷେତ୍ରରେ ପରିଣତ ହେବ ନାହିଁ ଓ ଫଳବାନ କ୍ଷେତ୍ର କି ଅରଣ୍ୟ ବୋଲି ଗଣ୍ୟ ହେବ ନାହିଁ? 18ପୁଣି, ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ, ପୁଣି, ତିମିର ଓ ଅନ୍ଧକାର ମଧ୍ୟରୁ ଅନ୍ଧର ଚକ୍ଷୁ ଦେଖିବ। 19ମଧ୍ୟ ନମ୍ର ଲୋକମାନେ ସଦାପ୍ରଭୁଙ୍କଠାରେ ଆପଣା ଆପଣା ଆନନ୍ଦ ବଢ଼ାଇବେ ଓ ମନୁଷ୍ୟମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଉଲ୍ଲାସ କରିବେ। 20କାରଣ ଭୟଙ୍କର ଲୋକ ଅକିଞ୍ଚନା ହୋଇଅଛି, ନିନ୍ଦକ ନିବୃତ୍ତ ହେଉଅଛି ଓ ଯେଉଁମାନେ ଅଧର୍ମ ପାଇଁ ଜଗି ରହନ୍ତି, ସେସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି; 21ସେମାନେ କଥାରେ ମନୁଷ୍ୟକୁ ଦୋଷୀ କରନ୍ତି ଓ ନଗର-ଦ୍ୱାରରେ ଦୋଷବକ୍ତା ନିମନ୍ତେ ଫାନ୍ଦ ପାତନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି। 22ଏହେତୁ ଅବ୍ରହାମର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କହନ୍ତି; “ଯାକୁବ ଏବେ ଲଜ୍ଜିତ ହେବ ନାହିଁ, କିଅବା ତାହାର ମୁଖ ମଳିନ ହେବ ନାହିଁ। 23ମାତ୍ର ଯେତେବେଳେ ସେ ଆମ୍ଭର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣକୁ ଆପଣା ମଧ୍ୟରେ ଦେଖିବ, ସେତେବେଳେ ସେମାନେ ଆମ୍ଭ ନାମକୁ ପବିତ୍ର କରି ମାନିବେ; ହଁ, ସେମାନେ ଯାକୁବର ଧର୍ମସ୍ୱରୂପଙ୍କୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ଭ୍ରମ କରିବେ। 24ଯେଉଁମାନେ ଭ୍ରାନ୍ତମନା, ସେମାନେ ମଧ୍ୟ ବୁଦ୍ଧି ପ୍ରାପ୍ତ ହେବେ ଓ ବଚସାକାରୀମାନେ ତତ୍ତ୍ୱ-କଥା ଶିଖିବେ।”

ପ୍ରତିଉତ୍ତର ଗୀତ

ଗୀତ 27:1, 4, 13–14

1ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; ମୁଁ କାହାକୁ ଭୟ କରିବି? ସଦାପ୍ରଭୁ ମୋʼ ଜୀବନର ବଳ; ମୁଁ କାହାଠାରୁ ଭୀତ ହେବି? 4ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି। 13ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥାʼନ୍ତି। 14ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର; ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।

ସୁସମାଚାର

ମାଥି 9:27–31

27ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ। 28ପୁଣି, ସେ ଗୃହରେ ପ୍ରବେଶ କରନ୍ତେ ସେହି ଅନ୍ଧମାନେ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେ ଏହା କରିପାରେ, ତାହା କି ବିଶ୍ୱାସ କରୁଅଛ?” ସେମାନେ କହିଲେ ହଁ, ପ୍ରଭୁ। 29ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, “ତୁମ୍ଭମାନଙ୍କ ବିଶ୍ୱାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ।” 30ତହିଁରେ ସେମାନଙ୍କର ଆଖି ଫିଟିଗଲା। ପୁଣି, ଯୀଶୁ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଇ କହିଲେ, “ଦେଖ, ଏ ବିଷୟ ଯେପରି କେହି ନ ଜାଣେ।” 31ମାତ୍ର ସେମାନେ ବାହାରିଯାଇ ସେହି ଦେଶଯାକ ତାହାଙ୍କ କୀର୍ତ୍ତି ପ୍ରଚାର କଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର C, ସପ୍ତାହ ଦିନର ବର୍ଷ II।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର