Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2027 › ଡିସେମ୍ବର 4

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 4 ଡିସେମ୍ବର 2027

ଶନିବାର · ଆଗମନ କାଳର ପ୍ରଥମ ସପ୍ତାହ

ପର୍ବ ଓ ସନ୍ଥ

ଆଗମନ କାଳର ପ୍ରଥମ ସପ୍ତାହର ଶନିବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ବାଇଗଣୀ

ଦମ୍ମେଶକର ସନ୍ଥ ଯୋହନ, ପୁରୋହିତ ଓ ମଣ୍ଡଳୀର ଆଚାର୍ଯ୍ୟ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଯିଶା 30:19–21, 23–26

19ଲୋକମାନେ ସିୟୋନରେ, ଯିରୂଶାଲମରେ ବାସ କରିବେ; ତୁମ୍ଭେ ଆଉ ରୋଦନ କରିବ ନାହିଁ; ତୁମ୍ଭର କ୍ରନ୍ଦନ ରବରେ ସେ ଅବଶ୍ୟ ତୁମ୍ଭକୁ ଅନୁଗ୍ରହ କରିବେ; ସେ ଶୁଣିବାମାତ୍ରେ ତୁମ୍ଭକୁ ଉତ୍ତର ଦେବେ। 20ପୁଣି, ଯଦ୍ୟପି ପ୍ରଭୁ ତୁମ୍ଭମାନଙ୍କୁ ଦୁଃଖରୂପ ଖାଦ୍ୟ ଓ କ୍ଲେଶରୂପ ଜଳ ଦିଅନ୍ତି, ତଥାପି ତୁମ୍ଭମାନଙ୍କର ଶିକ୍ଷକଗଣ ଆଉ ଗୁପ୍ତ ରହିବେ ନାହିଁ, ମାତ୍ର ତୁମ୍ଭର ଚକ୍ଷୁ ତୁମ୍ଭ ଶିକ୍ଷକଗଣକୁ ଦେଖିବ। 21ପୁଣି, ଦକ୍ଷିଣରେ କିମ୍ବା ବାମରେ ଫେରିବା ବେଳେ ତୁମ୍ଭର କର୍ଣ୍ଣ ତୁମ୍ଭ ପଛଆଡ଼ୁ ଏହି କଥା ଶୁଣିବ, “ପଥ ଏହି, ଏଥିରେ ହିଁ ତୁମ୍ଭେମାନେ ଗମନ କର।” 23ପୁଣି, ଭୂମିରେ ବୁଣିବା ନିମନ୍ତେ ସେ ତୁମ୍ଭ ବୀଜ ପାଇଁ ବୃଷ୍ଟି ଦେବେ; ଭୂମ୍ୟୁତ୍ପନ୍ନ ଭକ୍ଷ୍ୟ ଦେବେ ଓ ତାହା ଉତ୍ତମ ଓ ପ୍ରଚୁର ହେବ; ସେହି ଦିନରେ ତୁମ୍ଭ ପଶୁପଲ ପ୍ରଶସ୍ତ ଚରାସ୍ଥାନରେ ଚରିବେ। 24ମଧ୍ୟ ଭୂମି ଚାଷକାରୀ ବଳଦ, ଯୁବା ଗର୍ଦ୍ଦଭମାନେ ଚାଲୁଣୀ ଓ କୁଲାରେ ଝଡ଼ା ସୁମିଶ୍ରିତ ଶସ୍ୟାଦି ଖାଇବେ। 25ଆଉ, ଯେଉଁ ମହାହତ୍ୟା ଦିନରେ ଦୁର୍ଗସବୁ ପତିତ ହେବ, ସେହି ଦିନରେ ପ୍ରତ୍ୟେକ ଉଚ୍ଚ ପର୍ବତରେ, ପ୍ରତ୍ୟେକ ଉଚ୍ଚ ଗିରିରେ ନଦୀ ଓ ଜଳସ୍ରୋତ ହେବ। 26ଆହୁରି, ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର ଆଘାତ ସ୍ଥାନ ବାନ୍ଧିବେ ଓ ପ୍ରହାରଜାତ ସେମାନଙ୍କ କ୍ଷତ ସୁସ୍ଥ କରିବେ, ସେହି ଦିନରେ ଚନ୍ଦ୍ରମାର ଦୀପ୍ତି ସୂର୍ଯ୍ୟର ଦୀପ୍ତି ତୁଲ୍ୟ ହେବ, ଆଉ ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତି ତୁଲ୍ୟ ସପ୍ତଗୁଣ ହେବ।

ପ୍ରତିଉତ୍ତର ଗୀତ

ଗୀତ 147:1–6

1ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। କାରଣ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ; ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ। 2ସଦାପ୍ରଭୁ ଯିରୂଶାଲମକୁ ଗଢ଼ନ୍ତି; ସେ ଇସ୍ରାଏଲର ଦୂରୀକୃତ ଲୋକମାନଙ୍କୁ ସଂଗ୍ରହ କରନ୍ତି। 3ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି। 4ସେ ତାରାଗଣର ସଂଖ୍ୟା କରନ୍ତି; ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି। 5ଆମ୍ଭମାନଙ୍କର ପ୍ରଭୁ ମହାନ ଓ ଅତିଶୟ ଶକ୍ତିମାନ; ତାହାଙ୍କର ବୁଦ୍ଧି ଅସୀମ। 6ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି; ସେ ଦୁଷ୍ଟମାନଙ୍କୁ ଭୂମିସାତ୍‍ କରନ୍ତି।

ସୁସମାଚାର

ମାଥି 9:35–10:1, 6–8

35ଏହାପରେ ଯୀଶୁ ସେମାନଙ୍କ ସମାଜଗୃହ-ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି, ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ। 36ଆଉ ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ। 37ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ, 38ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ପାଖରେ ନିବେଦନ କର।” 10:1ଇତିମଧ୍ୟରେ ସେ ଆପଣା ବାର ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ। 6ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ। 7ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର। 8ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର C, ସପ୍ତାହ ଦିନର ବର୍ଷ II।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର