ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ନଭେମ୍ବର 2027 › ନଭେମ୍ବର 8
ଅର୍ଥୋଡକ୍ସ ପଞ୍ଜିକା · 26 ଅକ୍ଟୋବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 8 ନଭେମ୍ବର 2027
ସୋମବାର · ପେଣ୍ଟିକଷ୍ଟ ପରେ 21ତମ ସପ୍ତାହ · ସ୍ୱର 3
ପର୍ବ ଓ ସନ୍ଥ
Great Martyr Demetrius of Thessalonica († c. 306)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
15ଏବେ ସ୍ୱର୍ଗରୁ ଅବଲୋକନ କର, ତୁମ୍ଭ ପବିତ୍ରତାର ଓ ତୁମ୍ଭ ପ୍ରତାପର ବସତି-ସ୍ଥାନରୁ ଦୃଷ୍ଟିପାତ କର; ତୁମ୍ଭର ଉଦ୍ଯୋଗ ଓ ତୁମ୍ଭର ବିକ୍ରମକାର୍ଯ୍ୟସବୁ କାହିଁ? ତୁମ୍ଭ ଅନ୍ତଃକରଣର ବ୍ୟଥା ଓ ତୁମ୍ଭର ସ୍ନେହସବୁ ମୋʼ ପ୍ରତି ନିବୃତ୍ତ ହୋଇଅଛି। 16ଯଦ୍ୟପି ଅବ୍ରହାମ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ ଓ ଇସ୍ରାଏଲ ଆମ୍ଭମାନଙ୍କୁ ସ୍ୱୀକାର କରନ୍ତି ନାହିଁ, ତଥାପି ତୁମ୍ଭେ ତ ଆମ୍ଭମାନଙ୍କର ପିତା; ହେ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଅନନ୍ତ କାଳରୁ ଆମ୍ଭମାନଙ୍କର ମୁକ୍ତିଦାତା ବୋଲି ତୁମ୍ଭର ନାମ ଅଛି। 17ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ତୁମ୍ଭ ପଥରୁ କାହିଁକି ଭ୍ରାନ୍ତ କରାଉଅଛ ଓ ତୁମ୍ଭକୁ ଭୟ କରିବା ପ୍ରତି ଆମ୍ଭମାନଙ୍କ ଅନ୍ତଃକରଣକୁ କଠିନ କରାଉଅଛ? ଆପଣା ଦାସମାନଙ୍କର, ଆପଣା ଅଧିକାର ସ୍ୱରୂପ ଗୋଷ୍ଠୀଗଣର ସକାଶୁ ଫେର। 18ତୁମ୍ଭର ପବିତ୍ର ଲୋକମାନେ କେବଳ ଅଳ୍ପ କାଳ ତାହା ଅଧିକାର କଲେ; ଆମ୍ଭମାନଙ୍କର ବିପକ୍ଷମାନେ ତୁମ୍ଭର ପବିତ୍ର ଧାମ ପଦ ତଳେ ଦଳି ପକାଇଅଛନ୍ତି। 19ଯେଉଁମାନଙ୍କ ଉପରେ ତୁମ୍ଭେ କେବେ କର୍ତ୍ତୃତ୍ୱ କରି ନାହଁ, ଯେଉଁମାନେ ତୁମ୍ଭ ନାମରେ କେବେ ଖ୍ୟାତ ହୋଇ ନ ଥିଲେ, ଏପରି ଲୋକମାନଙ୍କ ତୁଲ୍ୟ ଆମ୍ଭେମାନେ ହୋଇଅଛୁ। 64:1ଆହା, ଅନ୍ୟ ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ, ଏଥିପାଇଁ ତୁମ୍ଭ ବିପକ୍ଷଗଣକୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ, 2ଅଗ୍ନି ଝାଟି ଜ୍ୱଳାଇବା ପରି, ଅଗ୍ନି ଜଳ ଫୁଟାଇବା ପରି ଯଦି ତୁମ୍ଭେ ଆକାଶମଣ୍ଡଳ ବିଦୀର୍ଣ୍ଣ କରି ଓହ୍ଲାଇ ଆସନ୍ତ ଓ ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହୁଅନ୍ତେ! 3ଯେତେବେଳେ ତୁମ୍ଭେ ଆମ୍ଭମାନଙ୍କର ଅନପେକ୍ଷିତ ଭୟାନକ କ୍ରିୟା କଲ, ସେତେବେଳେ ତୁମ୍ଭେ ଓହ୍ଲାଇ ଆସିଲ, ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହେଲେ। 4କାରଣ ଯେ ଆପଣା ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ବିଷୟ ଶୁଣି ନାହାନ୍ତି, ଅଥବା କର୍ଣ୍ଣ ଜ୍ଞାତ ହୋଇ ନାହିଁ, କିଅବା ଚକ୍ଷୁ ଦେଖି ନାହିଁ। 5ଯେଉଁ ଲୋକ ଆନନ୍ଦରେ ଧର୍ମାଚରଣ କରେ, ଯେଉଁମାନେ ତୁମ୍ଭ ପଥରେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେମାନଙ୍କ ସହିତ ସାକ୍ଷାତ କରିଥାଅ; ଦେଖ, ତୁମ୍ଭେ କ୍ରୁଦ୍ଧ ଥିଲ ଓ ଆମ୍ଭେମାନେ ପାପ କଲୁ; ଆମ୍ଭେମାନେ ଦୀର୍ଘ କାଳ ତହିଁରେ ରହିଅଛୁ, ଆମ୍ଭେମାନେ କି ପରିତ୍ରାଣ ପାଇବା? 8ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା, ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ। 9ହେ ସଦାପ୍ରଭୋ, ଅତ୍ୟନ୍ତ କ୍ରୁଦ୍ଧ ହୁଅ ନାହିଁ, କିଅବା ଚିରକାଳ ଅପରାଧ ମନରେ ରଖ ନାହିଁ; ଆମ୍ଭେମାନେ ବିନତି କରୁ, ଦେଖ, ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ଲୋକ।
ସନ୍ଧ୍ୟା ପ୍ରାର୍ଥନା: ପାଠ
2“ଯାଅ ଓ ଯିରୂଶାଲମର କର୍ଣ୍ଣଗୋଚରରେ ପ୍ରଚାର କରି କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ ଯୌବନାବସ୍ଥାର ଭକ୍ତି, ତୁମ୍ଭ ବିବାହ ସମୟର ପ୍ରେମ, ତୁମ୍ଭେ ପ୍ରାନ୍ତରରେ ଅବୁଣା ଦେଶରେ କିରୂପେ ଆମ୍ଭ ପଶ୍ଚାଦ୍ଗମନ କଲ, ଏହା ତୁମ୍ଭ ପକ୍ଷରେ ଆମ୍ଭେ ସ୍ମରଣ କରୁଅଛୁ। 3ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର, ତାହାଙ୍କ ଆୟର ପ୍ରଥମ ଫଳ ସ୍ୱରୂପ ଥିଲା। ଯେଉଁମାନେ ତାହାକୁ ଗ୍ରାସ କରନ୍ତି, ସେସମସ୍ତେ ଦୋଷୀ ଗଣାଯିବେ; ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ,” ଏହା ସଦାପ୍ରଭୁ କହନ୍ତି। 4ହେ ଯାକୁବର ବଂଶ, ଆଉ ହେ ଇସ୍ରାଏଲ ବଂଶର ଗୋଷ୍ଠୀସବୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; 5ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଠାରେ କେଉଁ ଅନ୍ୟାୟ ଦେଖିଲେ ଯେ, ସେମାନେ ଆମ୍ଭଠାରୁ ଦୂରକୁ ଯାଇଅଛନ୍ତି ଓ ଅସାର ପ୍ରତିମାଗଣର ପଶ୍ଚାଦ୍ଗମନ କରି ନିଜେ ଅସାର ହୋଇଅଛନ୍ତି? 6ଅଥବା ‘ଯେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତରର, ମରୁଭୂମି ଓ ଗର୍ତ୍ତମୟ ଦେଶର, ଆଉ ନିର୍ଜଳ ଓ ମୃତ୍ୟୁଚ୍ଛାୟାରୂପ ଦେଶର, ପୁଣି ପଥିକବିହୀନ ଓ ନିବାସୀଶୂନ୍ୟ ଦେଶର ମଧ୍ୟରେ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସେହି ସଦାପ୍ରଭୁ କାହାନ୍ତି,’ ଏହା ସେମାନେ କହିଲେ ନାହିଁ। 7ପୁଣି, ତୁମ୍ଭେମାନେ ଯେପରି ଫଳ ଓ ଅତ୍ୟୁତ୍ତମ ଦ୍ରବ୍ୟ ଭୋଜନ କରିବ, ଏଥିପାଇଁ ଆମ୍ଭେ ତୁମ୍ଭମାନଙ୍କୁ ଏକ ଅତି ଉର୍ବରା ଦେଶକୁ ଆଣିଲୁ; ମାତ୍ର ତୁମ୍ଭେମାନେ ପ୍ରବେଶ କରି ଆମ୍ଭ ଦେଶକୁ ଅଶୁଚି ଓ ଆମ୍ଭ ଅଧିକାରକୁ ଘୃଣାସ୍ପଦ କଲ। 8‘ସଦାପ୍ରଭୁ କାହାନ୍ତି,’ ଏହା ଯାଜକମାନେ କହିଲେ ନାହିଁ, ଆଉ ଯେଉଁମାନେ ବ୍ୟବସ୍ଥା ହସ୍ତରେ ଧରନ୍ତି, ସେମାନେ ଆମ୍ଭକୁ ଜାଣିଲେ ନାହିଁ; ଶାସନକର୍ତ୍ତାମାନେ ମଧ୍ୟ ଆମ୍ଭ ବିରୁଦ୍ଧରେ ଅଧର୍ମାଚରଣ କଲେ, ଆଉ ଭବିଷ୍ୟଦ୍ବକ୍ତାମାନେ ବାଲ୍ଦେବ ନାମରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନର ପଶ୍ଚାଦ୍ଗମନ କଲେ। 9ଏହେତୁ ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସହିତ ଆହୁରି ପ୍ରତିବାଦ କରିବା ଓ ତୁମ୍ଭମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା। 10ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପସମୂହକୁ ଯାଇ ଦେଖ, ଆଉ କେଦାରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି? 11ଦେବତାମାନେ ଈଶ୍ୱର ନୋହିଲେ ହେଁ କୌଣସି ଦେଶୀୟ ଲୋକେ କି ଆପଣା ଦେବତାମାନଙ୍କୁ ବଦଳ କରିଅଛନ୍ତି? ମାତ୍ର ଆମ୍ଭର ଲୋକମାନେ ନିଷ୍ଫଳ ବସ୍ତୁ ନିମନ୍ତେ ଆପଣାମାନଙ୍କର ଗୌରବସ୍ୱରୂପଙ୍କୁ ବଦଳ କରିଅଛନ୍ତି। 12ହେ ଆକାଶମଣ୍ଡଳ, ଏଥିରେ ଚମତ୍କୃତ ହୁଅ ଓ ମହାଭୟଗ୍ରସ୍ତ ହୋଇ ସଙ୍କୁଚିତ ହୁଅ, ଏହା ସଦାପ୍ରଭୁ କହନ୍ତି।
ସନ୍ଧ୍ୟା ପ୍ରାର୍ଥନା: ପାଠ
ଏହି ଅନୁବାଦରେ ନାହିଁ
ପ୍ରଭାତୀ ପ୍ରାର୍ଥନା: ସୁସମାଚାର
16“ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ। 17ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ, 18ପୁଣି, ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ପାଖକୁ ଅଣାଯିବ; ତାହା ସେମାନଙ୍କ ଓ ଅଣଯିହୁଦୀମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ। 19କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବା କି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କଅଣ କହିବ, ତାହା ସେହି ସମୟରେ ତୁମ୍ଭମାନଙ୍କୁ ଦିଆଯିବ। 20ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି। 21ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ। 22ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।
ପତ୍ର
10ଏବେ ଅବଶେଷରେ ମୋʼ ନିମନ୍ତେ ତୁମ୍ଭମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି; ପ୍ରକୃତରେ ମୋʼ ବିଷୟରେ ତୁମ୍ଭମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନ ଥିଲା। 11ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି। 12ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି। 13ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। 14ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ। 15ହେ ଫିଲିପ୍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋʼ ସହିତ ଦେବା ନେବାର ହିସାବ ରଖି ନ ଥିଲେ। 16କାରଣ ମୁଁ ଥେସଲନୀକୀ ସହରରେ ଥିବା ସମୟରେ ସୁଦ୍ଧା ତୁମ୍ଭେମାନେ ମୋହର ଅଭାବ ମୋଚନ ନିମନ୍ତେ ଥରେ, ହଁ, ଦୁଇ ଥର ଦାନ ପଠାଇଥିଲ। 17ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ଲାଳାୟିତ। 18ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହିସବୁ ମୋʼ ପାଇଁ ଯଥେଷ୍ଟ; ସେହିସବୁ ଈଶ୍ବରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ। 19ପୁଣି, ମୋହର ଈଶ୍ବର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ। 20ଆମ୍ଭମାନଙ୍କର ଈଶ୍ବର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ। ଆମେନ୍। 21ଖ୍ରୀଷ୍ଟ ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁଙ୍କୁ ନମସ୍କାର ଜଣାଅ। ମୋହର ସଙ୍ଗୀ ଭ୍ରାତୃଗଣ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। 22ସାଧୁମାନେ ସମସ୍ତେ, ବିଶେଷରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। 23ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ।
ପତ୍ର (ଭୂମିକମ୍ପ ସମୟରେ)
6କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି, ତାହାକୁ ଶାସନ କରନ୍ତି, ପୁଣି, ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି, ତାହାକୁ ପ୍ରହାର କରନ୍ତି।” 7ଶାସନ ଉଦ୍ଦେଶ୍ୟରେ ତ ତୁମ୍ଭେମାନେ କ୍ଳେଶ ସହ୍ୟ କରୁଅଛ ଈଶ୍ବର ତୁମ୍ଭମାନଙ୍କ ସହିତ ପୁତ୍ର ତୁଲ୍ୟ ବ୍ୟବହାର କରୁଅଛନ୍ତି, କାରଣ ପିତା ଯାହାକୁ ଶାସନ ନ କରନ୍ତି, ଏପରି ପୁତ୍ର କିଏ ଅଛି? 8କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ। 9ଆହୁରି ମଧ୍ୟ, ଆମ୍ଭମାନଙ୍କ ଶାସନକାରୀ ଆମ୍ଭମାନଙ୍କ ଶାରୀରିକ ପିତୃଗଣଙ୍କୁ ଆମ୍ଭେମାନେ ସମାଦର କଲୁ, ତେବେ ଆତ୍ମାମାନଙ୍କ ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହେବୁ? 10କାରଣ ସେମାନଙ୍କୁ ଯେପରି ବିହିତ ବୋଧ ହେଲା, ତଦନୁସାରେ ସେମାନେ ଅଳ୍ପ ଦିନ ନିମନ୍ତେ ଆମ୍ଭମାନଙ୍କୁ ଶାସନ କଲେ; କିନ୍ତୁ ଆମ୍ଭେମାନେ ଯେପରି ତାହାଙ୍କ ପବିତ୍ରତାର ସହଭାଗୀ ହେଉ, ଏଥିପାଇଁ ସେ ଆମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଶାସନ କରନ୍ତି। 11ଶାସନ ବର୍ତ୍ତମାନ ଆନନ୍ଦଜନକ ବୋଧ ନ ହୋଇ ଦୁଃଖଜନକ ବୋଧ ହୁଏ ତଥାପି ଯେଉଁମାନେ ତଦ୍ୱାରା ଶିକ୍ଷା ପ୍ରାପ୍ତ କରିଅଛନ୍ତି, ତାହା ପରେ ସେମାନଙ୍କୁ ଶାନ୍ତିର ଫଳ ସ୍ୱରୂପ ଧାର୍ମିକତା ପ୍ରଦାନ କରେ। 12ଅତଏବ, ତୁମ୍ଭେମାନେ ଦୁର୍ବଳ ହସ୍ତ ଓ ଅବଶ ଜାନୁ ସବଳ କର, 13ପୁଣି, ଆପଣା ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର ଯେପରି ଯାହା ଖଞ୍ଜ, ତାହା ଅଧିକ ବିକୃତ ନ ହୋଇ ବରଂ ସୁସ୍ଥ ହୁଏ। 25ସାବଧାନ, ଯେ ବାକ୍ୟ କହୁଅଛନ୍ତି, ତାହାଙ୍କୁ ଅଗ୍ରାହ୍ୟ କର ନାହିଁ, କାରଣ ଯେଉଁ ମୋଶା ପୃଥିବୀରେ ଆଦେଶ ଦେଲେ, ତାହାଙ୍କୁ ଅଗ୍ରାହ୍ୟ କରିବାରୁ ଇସ୍ରାଏଲର ଲୋକମାନେ ଯଦି ରକ୍ଷା ପାଇଲେ ନାହିଁ, ତେବେ ଯେ ସ୍ୱର୍ଗରୁ ଆଦେଶ ଦେଉଅଛନ୍ତି, ତାହାଙ୍କଠାରୁ ବିମୁଖ ହେଲେ ଆମ୍ଭେମାନେ ମଧ୍ୟ ଯେ ରକ୍ଷା ପାଇବା ନାହିଁ, ଏହା ଯେ ଅଧିକ ସୁନିଶ୍ଚିତ! 26ସେତେବେଳେ ଈଶ୍ବରଙ୍କ ସ୍ୱର ପୃଥିବୀକୁ ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, “ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ଆକାଶକୁ ମଧ୍ୟ କମ୍ପାଇବା।” 27ପୁନର୍ବାର ବୋଲି କହିବା ଦ୍ୱାରା ଏହା ବୁଝାଯାଏ ଯେ, ଅଟଳ ବିଷୟସବୁ ରହିବା ନିମନ୍ତେ ଟଳମଳ ବିଷୟ, ଅର୍ଥାତ୍, ସୃଷ୍ଟ ବିଷୟସବୁର ପରିବର୍ତ୍ତନ ହେବ।
ପତ୍ର (ସନ୍ଥ ଦିମିତ୍ରିୟସ୍ଙ୍କ ପାଇଁ)
1ଅତଏବ, ହେ ମୋହର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ, 2ଆଉ ଅନେକ ସାକ୍ଷୀମାନଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋʼଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହିସବୁ ଅର୍ପଣ କର। 3ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର। 4କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରିପାରେ। 5ଆହୁରି ମଧ୍ୟ ଯଦି ଜଣେ ଲୋକ ଖେଳରେ ଭାଗ ନିଏ, ସେ ନିୟମ ଅନୁସାରେ ତାହା ନ କଲେ ମୁକୁଟ ପାଏ ନାହିଁ। 6ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ। 7ମୁଁ ଯାହା କହୁଅଛି, ତାହା ଚିନ୍ତା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ। 8ମୋ ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର। 9ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ବରଙ୍କ ବାକ୍ୟ ଆବଦ୍ଧ ନୁହେଁ। 10ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛି।
ସୁସମାଚାର
22“ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି, ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।” 23ପୁଣି, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି କେବଳ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଯେଉଁ ଚକ୍ଷୁ ଦେଖେ, ତାହା ଧନ୍ୟ। 24କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ ସେହିସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ ସେହିସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ।”
ସୁସମାଚାର (ଭୂମିକମ୍ପ ସମୟରେ)
23ସେ ନୌକାରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ। 24ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ। 25ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ। 26ସେ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ?” ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା। 27ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି।
ସୁସମାଚାର (ସନ୍ଥ ଦିମିତ୍ରିୟସ୍ଙ୍କ ପାଇଁ)
17ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ଦେଉଅଛି।” 18“ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମୋତେ ଘୃଣା କରିଅଛି, ଏହା ଜାଣ। 19ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାଆନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ଆପଣାର ଲୋକ ଜାଣି ପ୍ରେମ କରନ୍ତା; କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ, ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ମନୋନୀତ କରିଅଛି, ଏଥିନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ। 20ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, ମୁଁ ତୁମ୍ଭମାନଙ୍କୁ ଏହି ଯେଉଁ ବାକ୍ୟ କହିଅଛି, ତାହା ସ୍ମରଣ କର। ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ; ଯଦି ସେମାନେ ମୋହର ବାକ୍ୟ ପାଳନ କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କର ବାକ୍ୟ ମଧ୍ୟ ପାଳନ କରିବେ। 21କିନ୍ତୁ ସେମାନେ ମୋହର ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ମୋହର ନାମ ସକାଶେ ତୁମ୍ଭମାନଙ୍କ ପ୍ରତି ଏହି ସମସ୍ତ କରିବେ। 22ଯଦି ମୁଁ ଆସି ସେମାନଙ୍କୁ କହି ନ ଥାଆନ୍ତି, ତାହାହେଲେ ସେମାନଙ୍କ ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନଙ୍କ ପାପ ବିଷୟରେ ସେମାନେ କୌଣସି ବାହାନା କରିପାରନ୍ତି ନାହିଁ। 23ଯେ ମୋତେ ଘୃଣା କରେ, ସେ ମୋହର ପିତାଙ୍କୁ ମଧ୍ୟ ଘୃଣା କରେ। 24ଯେଉଁ କର୍ମସବୁ ଆଉ କେହି କରି ନାହିଁ, ମୁଁ ଯଦି ସେହିସବୁ ସେମାନଙ୍କ ମଧ୍ୟରେ କରି ନ ଥାଆନ୍ତି, ତାହାହେଲେ ସେମାନଙ୍କର ପାପ ହୋଇ ନ ଥାଆନ୍ତା; କିନ୍ତୁ ଏବେ ସେମାନେ ଦେଖିଅଛନ୍ତି, ଆଉ ମୋତେ ଓ ମୋହର ପିତା ଉଭୟଙ୍କୁ ଘୃଣା କରିଅଛନ୍ତି। 25‘ମାତ୍ର ସେମାନେ ଅକାରଣରେ ମୋତେ ଘୃଣା କଲେ,’ ସେମାନଙ୍କ ବ୍ୟବସ୍ଥାରେ ଲିଖିତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏପରି ଘଟୁଅଛି। 26ପିତାଙ୍କ ନିକଟରୁ ମୁଁ ତୁମ୍ଭମାନଙ୍କ ନିକଟକୁ ଯେଉଁ ସାହାଯ୍ୟକାରୀଙ୍କୁ ପ୍ରେରଣ କରିବି, ପିତାଙ୍କଠାରୁ ବର୍ହିଗତ ସେହି ସତ୍ୟମୟ ଆତ୍ମା ଆସିଲେ ମୋʼ ବିଷୟରେ ସାକ୍ଷ୍ୟ ଦେବେ; 27ଆଉ, ତୁମ୍ଭେମାନେ ମଧ୍ୟ ସାକ୍ଷୀ, କାରଣ ତୁମ୍ଭେମାନେ ଆରମ୍ଭରୁ ମୋʼ ସହିତ ରହିଅଛ।” 16:1“ତୁମ୍ଭେମାନେ ଯେପରି ବିଘ୍ନ ନ ପାଅ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଅଛି। 2ସେମାନେ ତୁମ୍ଭମାନଙ୍କୁ ସମାଜଗୃହରୁ ବାହାର କରିବେ, ହଁ, ଏପରି ସମୟ ଆସୁଅଛି, ଯେତେବେଳେ ଯେ କେହି ତୁମ୍ଭମାନଙ୍କୁ ବଧ କରେ, ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉପାସନାରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅକ୍ଟୋବର 26 ନାଗରିକ ପଞ୍ଜିକାର ନଭେମ୍ବର 8। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର