ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 20
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 20 ଅକ୍ଟୋବର 2027
ବୁଧବାର · ସାଧାରଣ କାଳର 29ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 29ତମ ସପ୍ତାହର ବୁଧବାର
ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
12ଅତଏବ ପାପ ତୁମ୍ଭମାନଙ୍କ ମର୍ତ୍ତ୍ୟ ଶରୀରରେ ରାଜତ୍ୱ ନ କରୁ, ତାହା କଲେ, ତୁମ୍ଭେମାନେ ସେଥିର କୁଅଭିଳାଷଗୁଡ଼ାକର ବଶବର୍ତ୍ତୀ ହେବ; 13କିମ୍ବା ଆପଣା ଆପଣାର ଅଙ୍ଗପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କର, ପୁଣି, ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ବରଙ୍କ ନିକଟରେ ସମର୍ପଣ କର। 14କାରଣ ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଯେଣୁ ତୁମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ, ମାତ୍ର ଅନୁଗ୍ରହର ଅଧୀନ ଅଟ। 15ତେବେ କଅଣ? ଆମ୍ଭେମାନେ ଯେ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୋହୁଁ, ମାତ୍ର ଅନୁଗ୍ରହର ଅଧୀନ ଅଟୁ, ଏଥିନିମନ୍ତେ କି ପାପ କରିବା? ତାହା କେବେ ହେଁ ନ ହେଉ। 16ମୃତ୍ୟୁଜନକ ପାପ କିମ୍ବା ଧାର୍ମିକତାଜନକ ଆଜ୍ଞାବହତା, ଏହା ମଧ୍ୟରୁ ଯାହା ନିକଟରେ ତୁମ୍ଭେମାନେ ଆଜ୍ଞାବହ ହେବା ନିମନ୍ତେ ଆପଣା ଆପଣାକୁ ଦାସ ରୂପେ ସମର୍ପଣ କର, ଅର୍ଥାତ୍ ଯାହାର ଆଜ୍ଞା ପାଳନ କର, ତାହାର ଯେ ତୁମ୍ଭେମାନେ ଦାସ ଅଟ, ଏହା କଅଣ ଜାଣ ନାହିଁ? 17କିନ୍ତୁ ଈଶ୍ବରଙ୍କର ଧନ୍ୟବାଦ ହେଉ ଯେ, ତୁମ୍ଭେମାନେ, ଯେଉଁମାନେ କି ପୂର୍ବରେ ପାପର ଦାସ ଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିର ଆଜ୍ଞାବହ ହୋଇଅଛ, 18ପୁଣି, ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ।
ପ୍ରତିଉତ୍ତର ଗୀତ
1ଆରୋହଣ ଗୀତ; ଦାଉଦଙ୍କ ରଚିତ। ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ, ଇସ୍ରାଏଲ ଏବେ କହୁନ୍ତୁ; 2ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା ବେଳେ, ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ; 3ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥାʼନ୍ତେ; 4ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥାʼନ୍ତା, ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥାʼନ୍ତା 5ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର ଦେଇ ଯାଇଥାʼନ୍ତା। 6ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ୱରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇ ନାହାନ୍ତି। 7ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି; ଫାନ୍ଦ ଛିଣ୍ଡିଗଲା, ଆମ୍ଭେମାନେ ରକ୍ଷା ପାଇଲୁ। 8ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କର ସାହାଯ୍ୟ ଥାଏ।
ସୁସମାଚାର
39କିନ୍ତୁ ଏହା ଜାଣିଥାଅ, କେଉଁ ସମୟରେ ଚୋର ଆସିବ, ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହାହେଲେ ସେ ଆପଣା ଘରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ। 40ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ।” 41ସେଥିରେ ପିତର କହିଲେ, ହେ ପ୍ରଭୁ, ଆପଣ କେବଳ ଆମ୍ଭମାନଙ୍କୁ ନା ସମସ୍ତଙ୍କୁ ଏହି ଦୃଷ୍ଟାନ୍ତ କହୁଅଛନ୍ତି? 42ପ୍ରଭୁ କହିଲେ, “ଏଣୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ନିରୂପିତ ଭାଗ ଦେବା ନିମନ୍ତେ ପ୍ରଭୁ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କରିବେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ବେବର୍ତ୍ତା କିଏ? 43ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ। 44ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସମସ୍ତ ସମ୍ପତ୍ତି ଉପରେ ଦାୟିତ୍ୱ ଦେବେ। 45କିନ୍ତୁ ଯଦି ସେହି ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି ଦାସଦାସୀମାନଙ୍କୁ ପ୍ରହାର କରିବାକୁ ଏବଂ ଭୋଜନପାନ କରି ମତ୍ତ ହେବାକୁ ଆରମ୍ଭ କରେ, 46ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ଦଣ୍ଡ ସେ ଜାଣି ନ ଥିବ, ସେହି ଦିନ ଓ ସେହି ଦଣ୍ଡରେ ତାହାର ପ୍ରଭୁ ଆସିବେ, ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି ଅବିଶ୍ୱସ୍ତମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ। 47ଆଉ ଯେଉଁ ଦାସ ନିଜ ପ୍ରଭୁଙ୍କ ଇଚ୍ଛା ଜାଣି ପ୍ରସ୍ତୁତ ହୋଇ ନ ଥାଏ କିମ୍ବା ତାହାଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ନ ଥାଏ, 48ସେ ବହୁତ ପ୍ରହାରରେ ପ୍ରହାରିତ ହେବ; କିନ୍ତୁ ଯେ ନ ଜାଣି ପ୍ରହାରଯୋଗ୍ୟ କର୍ମ କରିଥାଏ, ସେ ଅଳ୍ପ ପ୍ରହାରରେ ପ୍ରହାରିତ ହେବ। ଯାହାକୁ ବହୁତ ଦିଆଯାଇଅଛି, ତାହାଠାରୁ ବହୁତ ଦାବି କରାଯିବ; ପୁଣି, ଲୋକେ ଯାହା ନିକଟରେ ବହୁତ ସମର୍ପଣ କରିଅଛନ୍ତି, ତାହା ନିକଟରୁ ବହୁତ ଦାବି କରିବେ।”
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର