Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 21

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 21 ଅକ୍ଟୋବର 2027

ଗୁରୁବାର · ସାଧାରଣ କାଳର 29ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 29ତମ ସପ୍ତାହର ଗୁରୁବାର

ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ

ଦିନର ପାଠ

ପ୍ରଥମ ପାଠ

ରୋମୀ 6:19–23

19ତୁମ୍ଭମାନଙ୍କ ମାନବୀୟ ଦୁର୍ବଳତା ହେତୁ ମୁଁ ମନୁଷ୍ୟ ଭାବରେ କହୁଅଛି; ତୁମ୍ଭେମାନେ ଯେପରି ଅଧର୍ମ ନିମନ୍ତେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ଅଶୁଚିତା ଓ ଅଧର୍ମ ନିକଟରେ ଦାସ ରୂପେ ସମର୍ପଣ କରିଥିଲ, ସେହିପରି ଏବେ ଆପଣା ଆପଣା ଅଙ୍ଗପ୍ରତ୍ୟଙ୍ଗକୁ ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଦାସ ରୂପେ ସମର୍ପଣ କର। 20କାରଣ ତୁମ୍ଭେମାନେ ପାପର ଦାସ ଥିବା ସମୟରେ ଧାର୍ମିକତା ସମ୍ବନ୍ଧରେ ସ୍ୱାଧୀନ ଥିଲ। 21ତେବେ, ସେହି ସମୟରେ ତୁମ୍ଭମାନଙ୍କର କି ଫଳ ଥିଲା? ଯେ ସମସ୍ତ ବିଷୟରେ ତୁମ୍ଭେମାନେ ଏବେ ଲଜ୍ଜାବୋଧ କରୁଅଛ, କେବଳ ସେତିକି ମାତ୍ର; ସେହି ସମସ୍ତର ପରିଣାମ ତ ମୃତ୍ୟୁ। 22କିନ୍ତୁ ଏବେ ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ବରଙ୍କ ଦାସ ହେବାରୁ ତୁମ୍ଭେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ। 23କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ।

ପ୍ରତିଉତ୍ତର ଗୀତ

ଗୀତ 1:1–4, 6

1ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, 2ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। 3ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ; ପୁଣି, ସେ ଯାହା କରେ, ତାହା ସଫଳ ହେବ। 4ଦୁଷ୍ଟମାନେ ସେପ୍ରକାର ନୁହନ୍ତି; ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି। 6କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ।

ସୁସମାଚାର

ଲୂକ 12:49–53

49“ମୁଁ ପୃଥିବୀରେ ଅଗ୍ନି ନିକ୍ଷେପ କରିବାକୁ ଆସୁଅଛି, ଆଉ ତାହା ଯଦି ପ୍ରଜ୍ୱଳିତ ହେଲାଣି, ତାହାହେଲେ ମୋହର ଆଉ କଅଣ ବାଞ୍ଛା? 50ମାତ୍ର ମୋତେ ଏକ ବାପ୍ତିସ୍ମରେ ବାପ୍ତିଜିତ ହେବାକୁ ହେବ, ଆଉ ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ମୁଁ କିପରି ଭାରାକ୍ରାନ୍ତ ହେଉଅଛି। 51ମୁଁ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି ବୋଲି କଅଣ ତୁମ୍ଭେମାନେ ମନେ କରୁଅଛ? ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, ବରଂ ଭେଦ କରିବାକୁ ଆସିଅଛି। 52କାରଣ ଅଦ୍ୟାବଧି ଗୋଟିଏ ଗୃହରେ ପାଞ୍ଚ ଜଣ ଥିଲେ ଦୁଇ ଜଣଙ୍କ ବିରୁଦ୍ଧରେ ତିନି ଜଣ ଓ ତିନି ଜଣଙ୍କ ବିରୁଦ୍ଧରେ ଦୁଇ ଜଣ ବିଭିନ୍ନ ହେବେ। 53ପୁତ୍ର ବିରୁଦ୍ଧରେ ପିତା, ପିତା ବିରୁଦ୍ଧରେ ପୁତ୍ର, କନ୍ୟା ବିରୁଦ୍ଧରେ ମାତା, ମାତା ବିରୁଦ୍ଧରେ କନ୍ୟା, ବୋହୂ ବିରୁଦ୍ଧରେ ଶାଶୁ ଓ ଶାଶୁ ବିରୁଦ୍ଧରେ ବୋହୂ ଭିନ୍ନ ହେବେ।”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର