Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅକ୍ଟୋବର 2027 › ଅକ୍ଟୋବର 19

ଅର୍ଥୋଡକ୍ସ ପଞ୍ଜିକା · 6 ଅକ୍ଟୋବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 19 ଅକ୍ଟୋବର 2027

ମଙ୍ଗଳବାର · ପେଣ୍ଟିକଷ୍ଟ ପରେ 18ତମ ସପ୍ତାହ · ସ୍ୱର 8

ପର୍ବ ଓ ସନ୍ଥ

Holy and Glorious Apostle Thomas (1st C)

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର (ପ୍ରେରିତ ଥୋମାଙ୍କ ପାଇଁ)

ପ୍ର.କରି 4:9–16

9କାରଣ ମୋହର ମନେ ହୁଏ, ଆମ୍ଭେମାନେ ଯେ ପ୍ରେରିତ, ଆମ୍ଭମାନଙ୍କୁ ଈଶ୍ବର ମୃତ୍ୟୁମୁଖରେ ସମର୍ପିତ ସର୍ବଶେଷର ଲୋକମାନଙ୍କ ସଦୃଶ ପ୍ରଦର୍ଶନ କରିଅଛନ୍ତି, ଯେଣୁ ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ। 10ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ। 11ଏ ସମୟ ପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ କ୍ଷୁଧିତ ଓ ତୃଷିତ, ବସ୍ତ୍ରହୀନ ଓ ପ୍ରହାରିତ ହେଉଅଛୁ, ପୁଣି, ନିରାଶ୍ରୟ ହୋଇ ଭ୍ରମଣ କରୁ କରୁ 12ସ୍ୱହସ୍ତରେ କର୍ମ କରି ପରିଶ୍ରମ କରୁଅଛୁ, ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାପ୍ତ ହୋଇ ସହ୍ୟ କରୁଅଛୁ, 13ଅପବାଦିତ ହୋଇ ମିଳନର କଥା କହୁଅଛୁ; ଏପର୍ଯ୍ୟନ୍ତ ସୁଦ୍ଧା ଆମ୍ଭେମାନେ ଜଗତର ଆବର୍ଜନା, ସମସ୍ତଙ୍କର କଳଙ୍କ ସ୍ୱରୂପ ହୋଇଅଛୁ। 14ମୁଁ ତୁମ୍ଭମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଏହି ସମସ୍ତ ବିଷୟ ଲେଖୁ ନାହିଁ, କିନ୍ତୁ ମୋହର ପ୍ରିୟ ସନ୍ତାନ ବୋଲି ମନେ କରି ତୁମ୍ଭମାନଙ୍କୁ ଚେତନା ଦେବା ନିମନ୍ତେ ଏହି ସମସ୍ତ ଲେଖୁଅଛି। 15କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ଦଶ ସହସ୍ର ଶିକ୍ଷକ ଥାଆନ୍ତେ, ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି; କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି। 16ଏଣୁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ, ତୁମ୍ଭେମାନେ ମୋହର ଅନୁକାରୀ ହୁଅ।

ସୁସମାଚାର

ଲୂକ 6:37–45

37“ପୁଣି, ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ। କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ; 38ଦାନ କର, ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ; ଲୋକେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ; କାରଣ ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ପୁଣି ମପାଯିବ। 39ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, ଅନ୍ଧ କଅଣ ଅନ୍ଧକୁ ବାଟ କଢ଼ାଇପାରେ? ସେମାନେ କଅଣ ଉଭୟେ ଗାତରେ ପଡ଼ିବେ ନାହିଁ? 40ଶିଷ୍ୟ ଗୁରୁଠାରୁ ଶ୍ରେଷ୍ଠ ନୁହେଁ; କିନ୍ତୁ ପ୍ରତ୍ୟେକ ଶିଷ୍ୟ ସିଦ୍ଧ ହୋଇ ଆପଣା ଗୁରୁଙ୍କ ତୁଲ୍ୟ ହେବ। 41ଆଉ, କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ? 42ତୁମ୍ଭେ ଆପଣା ଆଖିରେ ଥିବା କଡ଼ିକାଠ ନ ଦେଖି କିପରି ନିଜ ଭାଇ କି କହିପାର, ଭାଇ, ଆସ, ତୁମ୍ଭ ଆଖିରେ ଥିବା କୁଟାଟିକକ ବାହାର କରିଦେବି? କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରେ ଥିବା କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟ ରୂପେ ଦେଖି ପାରିବ।” 43“କାରଣ ଏପରି କୌଣସି ଭଲ ଗଛ ନାହିଁ, ଯାହାକି ମନ୍ଦ ଫଳ ଫଳେ, ଅନ୍ୟ ପକ୍ଷରେ ଏପରି କୌଣସି ମନ୍ଦ ଗଛ ନାହିଁ, ଯାହାକି ଭଲ ଫଳ ଫଳେ। 44କାରଣ ପ୍ରତ୍ୟେକ ଗଛ ନିଜର ଫଳ ଦ୍ୱାରା ଚିହ୍ନାଯାଏ; କଣ୍ଟାଗଛରୁ ତ ଲୋକମାନେ ଡିମ୍ବିରି ତୋଳନ୍ତି ନାହିଁ, କିମ୍ବା କଣ୍ଟାଗଛରୁ ଦ୍ରାକ୍ଷାଫଳ ତୋଳନ୍ତି ନାହିଁ। 45ଉତ୍ତମ ଲୋକ ଆପଣା ହୃଦୟରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ; କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ।

ପତ୍ର

ଏଫି 5:20–26

20ସର୍ବଦା ସର୍ବ ବିଷୟ ନିମନ୍ତେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ବରଙ୍କୁ ଧନ୍ୟବାଦ ଦିଅ, 21ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପରର ବଶୀଭୂତ ହୁଅ। 22ହେ ସ୍ତ୍ରୀମାନେ ତୁମ୍ଭେମାନେ ଯେପରି ପ୍ରଭୁଙ୍କର ବଶୀଭୂତା ହୁଅ, ସେହିପରି ଆପଣା ଆପଣା ସ୍ୱାମୀର ବଶୀଭୂତ ହୁଅ, 23କାରଣ ଖ୍ରୀଷ୍ଟ ଯେପରି ମଣ୍ଡଳୀର ମସ୍ତକ ସ୍ୱରୂପ, ସ୍ୱାମୀ ମଧ୍ୟ ସେହିପରି ସ୍ତ୍ରୀର ମସ୍ତକ ସ୍ୱରୂପ, ପୁଣି, ଖ୍ରୀଷ୍ଟ ଆପଣା ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା। 24ହଁ, ମଣ୍ଡଳୀ ଯେପରି ଖ୍ରୀଷ୍ଟଙ୍କର ବଶୀଭୂତ, ସେହିପରି ସ୍ତ୍ରୀମାନେ ମଧ୍ୟ ସବୁ ବିଷୟରେ ଆପଣା ଆପଣା ସ୍ୱାମୀର ବଶୀଭୂତା ହେଉନ୍ତୁ। 25ହେ ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ତୁମ୍ଭେମାନେ ମଧ୍ୟ ସେହିପରି ଆପଣା ଆପଣା ସ୍ତ୍ରୀମାନଙ୍କୁ ପ୍ରେମ କର; ଖ୍ରୀଷ୍ଟ ତ ମଣ୍ଡଳୀ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ, 26ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ମଣ୍ଡଳୀକୁ ପରିଷ୍କାର କରି ପବିତ୍ର କରନ୍ତି,

ସୁସମାଚାର (ପ୍ରେରିତ ଥୋମାଙ୍କ ପାଇଁ)

ଯୋହ 20:19–31

19ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 20ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ। ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ। 21ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି।” 22ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, “ପବିତ୍ର ଆତ୍ମାଙ୍କୁ ଗ୍ରହଣ କର। 23ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ।” 24କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ। 25ଅତଏବ, ଅନ୍ୟ ଶିଷ୍ୟମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଅଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ। 26ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ। ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।” 27ପରେ ସେ ଥୋମାଙ୍କୁ କହିଲେ, “ଏଆଡ଼େ ତୁମ୍ଭର ଅଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ।” 28ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ବର। 29ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ।” 30ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହିସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ; 31କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏସମସ୍ତ ଲେଖାଯାଇଅଛି।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅକ୍ଟୋବର 6 ନାଗରିକ ପଞ୍ଜିକାର ଅକ୍ଟୋବର 19। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର