ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ସେପ୍ଟେମ୍ବର 2027 › ସେପ୍ଟେମ୍ବର 14
ଅର୍ଥୋଡକ୍ସ ପଞ୍ଜିକା · 1 ସେପ୍ଟେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 14 ସେପ୍ଟେମ୍ବର 2027
ମଙ୍ଗଳବାର · ପେଣ୍ଟିକଷ୍ଟ ପରେ 13ତମ ସପ୍ତାହ · ସ୍ୱର 3
ପର୍ବ ଓ ସନ୍ଥ
Beginning of the Indiction (that is, the New Year)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
1ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋʼ ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି; ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ; 2ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ; ଶୋକାର୍ତ୍ତ ସମସ୍ତଙ୍କୁ ସାନ୍ତ୍ୱନା କରିବାକୁ; 3ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍, ଭସ୍ମର ପରିବର୍ତ୍ତେ ଭୂଷଣ, ଦୁଃଖର ପରିବର୍ତ୍ତେ ସୁଖରୂପ ତୈଳ, ଅବସନ୍ନ ଆତ୍ମାର ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ। 4ପୁଣି, ସେମାନେ ପୁରାତନ ଧ୍ୱଂସିତ ସ୍ଥାନସବୁ ନିର୍ମାଣ କରିବେ, ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ଧ୍ୱଂସିତ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗରସକଳ ନୂତନ କରିବେ। 5ପୁଣି, ଅପରିଚିତ ଲୋକମାନେ ତୁମ୍ଭମାନଙ୍କର ପଲ ଚରାଇବା ପାଇଁ ଠିଆ ହେବେ ଓ ବିଦେଶୀୟମାନେ ତୁମ୍ଭମାନଙ୍କର ଶସ୍ୟକ୍ଷେତ୍ରର ଓ ଦ୍ରାକ୍ଷାକ୍ଷେତ୍ରର କୃଷକ ହେବେ। 6ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କର ଯାଜକ ବୋଲି ବିଖ୍ୟାତ ହେବ; ଲୋକମାନେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପରିଚାରକ ବୋଲି ଡାକିବେ; ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଦର୍ପ କରିବ। 7ତୁମ୍ଭେମାନେ ଲଜ୍ଜାର ପରିବର୍ତ୍ତେ ଦୁଇଗୁଣ ସମ୍ମାନ ପାଇବ; ପୁଣି, ଅପମାନର ପରିବର୍ତ୍ତେ ସେମାନେ ଆପଣା ଆପଣା ଅଧିକାରରେ ଆନନ୍ଦ କରିବେ; ଏନିମନ୍ତେ ସେମାନେ ଆପଣାମାନଙ୍କ ଦେଶରେ ଦୁଇଗୁଣ ଅଂଶ ପାଇବେ; ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ। 8କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟବିଚାର ଭଲ ପାଉ, ଆମ୍ଭେ ଅଧର୍ମଯୁକ୍ତ ଅପହରଣ ଘୃଣା କରୁ; ଆଉ, ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ନିୟମ କରିବା। 9ପୁଣି, ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀସମୂହର ମଧ୍ୟରେ ବିଖ୍ୟାତ ହେବେ; ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।
ସନ୍ଧ୍ୟା ପ୍ରାର୍ଥନା: ପାଠ
ଲେବୀ 26:3–12, 14–17, 19–20, 22, 33, 23–25
3ଯଦି ତୁମ୍ଭେମାନେ ଆମ୍ଭର ବିଧି ଅନୁସାରେ ଚ଼ାଲିବ ଓ ଆମ୍ଭର ଆଜ୍ଞା ମାନ୍ୟ କରି ପାଳନ କରିବ; 4ତେବେ ଆମ୍ଭେ ଉପଯୁକ୍ତ ସମୟରେ ତୁମ୍ଭମାନଙ୍କୁ ବୃଷ୍ଟିଦାନ କରିବା, ତହିଁରେ ଭୂମି ନିଜ ଶସ୍ୟର ପୂର୍ଣ୍ଣତା ଉତ୍ପନ୍ନ କରିବ ଓ କ୍ଷେତ୍ରର ବୃକ୍ଷସକଳ ଆପଣା ଆପଣା ଫଳ ଉତ୍ପନ୍ନ କରିବ। 5ଆଉ ତୁମ୍ଭମାନଙ୍କର ଶସ୍ୟମର୍ଦ୍ଦନର ସମୟ ଦ୍ରାକ୍ଷା ସଂଗ୍ରହର ସମୟ ପର୍ଯ୍ୟନ୍ତ ଲାଗିବ ଓ ଦ୍ରାକ୍ଷା ସଂଗ୍ରହର ସମୟ ବୀଜ ବୁଣିବାର ସମୟ ପର୍ଯ୍ୟନ୍ତ ଲାଗିବ; ପୁଣି ତୁମ୍ଭେମାନେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରିବ ଓ ଆପଣା ଦେଶରେ ନିର୍ଭୟରେ ବାସ କରିବ। 6ଆଉ, ଆମ୍ଭେ ଦେଶରେ ଶାନ୍ତି ପ୍ରଦାନ କରିବା, ତହିଁରେ ତୁମ୍ଭେମାନେ ଶୟନ କଲେ, କେହି ତୁମ୍ଭମାନଙ୍କୁ ଭୟ ଦେଖାଇବ ନାହିଁ; ପୁଣି ଆମ୍ଭେ ହିଂସ୍ରକ ଜନ୍ତୁମାନଙ୍କୁ ଦେଶରୁ ଦୂର କରିବା ଓ ତୁମ୍ଭମାନଙ୍କ ଦେଶରେ ଖଡ୍ଗ ଭ୍ରମଣ କରିବ ନାହିଁ। 7ଆଉ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କୁ ଘଉଡ଼ାଇ ଦେବ ଓ ସେମାନେ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ। 8ପୁଣି ତୁମ୍ଭମାନଙ୍କର ପାଞ୍ଚ ଜଣ ଶହେ ଜଣଙ୍କୁ ଘଉଡ଼ାଇ ଦେବ ଓ ତୁମ୍ଭମାନଙ୍କର ଶହେ ଜଣ ଦଶ ସହସ୍ର ଜଣଙ୍କୁ ଘଉଡ଼ାଇ ଦେବ; ଆଉ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ। 9ଆଉ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ପ୍ରସନ୍ନମୁଖ ହେବା ଓ ତୁମ୍ଭମାନଙ୍କୁ ପ୍ରଜାବନ୍ତ ଓ ବହୁବଂଶ କରିବା ଓ ତୁମ୍ଭମାନଙ୍କ ସହିତ ଆପଣା ନିୟମ ସ୍ଥିର କରିବା। 10ପୁଣି ତୁମ୍ଭେମାନେ ବହୁସମୟର ସଞ୍ଚିତ ପୁରାତନ ଶସ୍ୟ ଭୋଜନ କରିବ ଓ ତୁମ୍ଭେମାନେ ନୂତନ ଶସ୍ୟ ହେତୁ ପୁରାତନ ଶସ୍ୟ ବାହାର କରିବ। 11ଆଉ ଆମ୍ଭେ ଆପଣା ଆବାସ ତୁମ୍ଭମାନଙ୍କ ମଧ୍ୟରେ ସ୍ଥାପନ କରିବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ ନାହିଁ। 12ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ଗମନାଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ। 14ମାତ୍ର, ଯଦି ତୁମ୍ଭେମାନେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ ଓ ସେହି ସକଳ ଆଜ୍ଞା ପାଳନ ନ କରିବ; 15ପୁଣି, ଯଦି ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରିବାରୁ ତୁମ୍ଭେମାନେ ଆମ୍ଭର ଆଜ୍ଞାସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ, 16ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ପ୍ରତି ଏହିରୂପେ ବ୍ୟବହାର କରିବା; ଆମ୍ଭେ ତୁମ୍ଭମାନଙ୍କ ଉପରେ ବ୍ୟାକୁଳତା ନିରୂପଣ କରିବା; ଅର୍ଥାତ୍, ଯକ୍ଷ୍ମା ଓ ଜ୍ୱର, ତାହା ତୁମ୍ଭମାନଙ୍କ ଚକ୍ଷୁ କ୍ଷୀଣ କରିବ ଓ ପ୍ରାଣ କ୍ଷୟ କରିବ; ଆଉ ତୁମ୍ଭେମାନେ ବୃଥାରେ ଆପଣାମାନଙ୍କ ବୀଜ ବୁଣିବ, କାରଣ ତୁମ୍ଭମାନଙ୍କ ଶତ୍ରୁମାନେ ତାହା ଖାଇବେ। 17ପୁଣି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ପରାସ୍ତ ହେବ; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନେ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ ଓ କେହି ତୁମ୍ଭମାନଙ୍କ ପଛେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ପଳାଇଯିବ। 19ପୁଣି ଆମ୍ଭେ ତୁମ୍ଭମାନଙ୍କ ବଳର ଗର୍ବ ଖର୍ବ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ଆକାଶ ଲୌହ ତୁଲ୍ୟ ଓ ଭୂମି ପିତ୍ତଳ ତୁଲ୍ୟ କରିବା। 20ତହିଁରେ ତୁମ୍ଭେମାନେ ବୃଥାରେ ବଳ ବ୍ୟୟ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷସକଳ ଫଳ ଉତ୍ପନ୍ନ କରିବ ନାହିଁ। 22ପୁଣି ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ବନ୍ୟ ପଶୁମାନଙ୍କୁ ପଠାଇବା, ତହିଁରେ ସେମାନେ ତୁମ୍ଭମାନଙ୍କୁ ସନ୍ତାନହୀନ କରିବେ ଓ ତୁମ୍ଭମାନଙ୍କ ପଶୁମାନଙ୍କୁ ବିନଷ୍ଟ କରିବେ, ପୁଣି ତୁମ୍ଭମାନଙ୍କୁ ଅଳ୍ପସଂଖ୍ୟକ କରିବେ; ଆଉ ତୁମ୍ଭମାନଙ୍କ ରାଜପଥସକଳ ଜନମାନବ ଶୂନ୍ୟ ହେବ। 33ଆଉ ଆମ୍ଭେ ନାନା ଦେଶୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିବା ଓ ଆମ୍ଭେ ତୁମ୍ଭମାନଙ୍କ ପଶ୍ଚାତ୍ ଖଡ୍ଗ ନିଷ୍କୋଷ କରିବା; ତହିଁରେ ତୁମ୍ଭମାନଙ୍କ ଦେଶ ଶୂନ୍ୟସ୍ଥାନ ହେବ ଓ ତୁମ୍ଭମାନଙ୍କ ନଗରସକଳ ମରୁଭୂମି ହେବ। 23ଏହା ହେଲେ ମଧ୍ୟ ଯଦି ତୁମ୍ଭେମାନେ ଆମ୍ଭ ପ୍ରତି ସୁଧୁରିବ ନାହିଁ, ମାତ୍ର ଆମ୍ଭର ବିରୁଦ୍ଧାଚରଣ କରିବ, 24ତେବେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କର ବିରୁଦ୍ଧାଚରଣ କରିବା ଓ ତୁମ୍ଭମାନଙ୍କୁ ପ୍ରହାର କରିବା, ଆମ୍ଭେ ନିଜେ ତୁମ୍ଭମାନଙ୍କ ପାପ ସକାଶୁ ତୁମ୍ଭମାନଙ୍କୁ ସାତ ଗୁଣ ପ୍ରହାର କରିବା। 25ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରକୁ ଖଡ୍ଗ ଆଣିବା, ତାହା ନିୟମ ଲଙ୍ଘନର ପ୍ରତିଫଳ ଦେବ ଓ ତୁମ୍ଭେମାନେ ନଗର ମଧ୍ୟରେ ଏକତ୍ର ହେଲେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମହାମାରୀ ପଠାଇବା; ତହିଁରେ ତୁମ୍ଭେମାନେ ଶତ୍ରୁ ହସ୍ତରେ ସମର୍ପିତ ହେବ।
ସନ୍ଧ୍ୟା ପ୍ରାର୍ଥନା: ପାଠ
ଏହି ଅନୁବାଦରେ ନାହିଁ
ପତ୍ର (ମଣ୍ଡଳୀର ନୂଆ ବର୍ଷ ପାଇଁ)
1ଆମ୍ଭେମାନେ ଯେପରି ସର୍ବତୋଭାବେ ଈଶ୍ବରପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ବାଧାହୀନ ଜୀବନଯାପନ କରିପାରୁ, 2ଏଥିନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି। 3ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ; 4ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି। 5କାରଣ ଏକମାତ୍ର ଈଶ୍ବର ଅଛନ୍ତି, ଆଉ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ; 6ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କରି ଠିକ୍ ସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି। 7ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୁଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ।
ପତ୍ର (ସନ୍ଥ ଶିମିୟୋନଙ୍କ ପାଇଁ)
12ଅତଏବ, ଈଶ୍ବରଙ୍କ ମନୋନୀତ ସାଧୁ ଓ ପ୍ରିୟ ଲୋକ ହୋଇ କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘସହିଷ୍ଣୁତା ପରିଧାନ କର। 13ପରସ୍ପର ପ୍ରତି ସହନଶୀଳ ହୁଅ ଆଉ ଯଦି କାହାରି କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର। 14ଆଉ, ଏହି ସମସ୍ତ ଉପରେ ପ୍ରେମକୁ ପରିଧାନ କର, ଏହା ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ। 15ପୁଣି, ଖ୍ରୀଷ୍ଟଦତ୍ତ ଯେଉଁ ଶାନ୍ତି ଭୋଗ କରିବା ନିମନ୍ତେ ତୁମ୍ଭେମାନେ ଏକ ଶରୀର ସ୍ୱରୂପେ ଆହୂତ ହୋଇଅଛ, ତାହା ତୁମ୍ଭମାନଙ୍କ ହୃଦୟରେ ରାଜତ୍ୱ କରୁ; ପୁଣି, ତୁମ୍ଭେମାନେ ଧନ୍ୟବାଦ ଦିଅ। 16ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚୁରଭାବେ ତୁମ୍ଭମାନଙ୍କଠାରେ ବାସ କରୁ; ତୁମ୍ଭେମାନେ ପରସ୍ପରକୁ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଓ ଚେତନା ଦିଅ, ପୁଣି, ଈଶ୍ବରଙ୍କ ଉଦ୍ଦେଶ୍ୟରେ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା କୃତଜ୍ଞ ହୃଦୟରେ ଗାନ କର।
ସୁସମାଚାର (ମଣ୍ଡଳୀର ନୂଆ ବର୍ଷ ପାଇଁ)
16ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ, ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କଲେ, ଆଉ ପାଠ କରିବା ନିମନ୍ତେ ଠିଆ ହେଲେ। 17ସେଥିରେ ଯିଶାଇୟ ଭାବବାଦୀଙ୍କ ପୁସ୍ତକ ତାହାଙ୍କୁ ଦିଆଗଲା, ଆଉ ସେ ତାହା ଫିଟାଇ, ଯେଉଁ ସ୍ଥାନରେ ଏହି ବାକ୍ୟ ଲିଖିତ ଅଛି, ତାହା ପାଇଲେ, 18“ପ୍ରଭୁଙ୍କ ଆତ୍ମା ମୋʼଠାରେ ଅଧିଷ୍ଠିତ, ଯେଣୁ ଦୀନହୀନମାନଙ୍କ ପାଖରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସେ ମୋତେ ଅଭିଷିକ୍ତ କରିଅଛନ୍ତି, ବନ୍ଦୀମାନଙ୍କ ନିକଟରେ ମୁକ୍ତି ଓ ଅନ୍ଧମାନଙ୍କ ନିକଟରେ ଦୃଷ୍ଟିଲାଭର ବିଷୟ ଘୋଷଣା କରିବାକୁ ପୁଣି, ଅତ୍ୟାଚାର ପାଉଥିବା ଲୋକମାନଙ୍କୁ ମୁକ୍ତ କରିବାକୁ, 19ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପଠାଇଅଛନ୍ତି।” 20ପରେ ସେ ପୁସ୍ତକ ବନ୍ଦ କରି, ପରିଚାରକଙ୍କୁ ତାହା ଫେରାଇଦେଇ ବସିଲେ। ଆଉ ସମାଜଗୃହରେ ସମସ୍ତଙ୍କ ଦୃଷ୍ଟି ତାହାଙ୍କ ଉପରେ ସ୍ଥିର ହୋଇ ରହିଲା। 21ପୁଣି, ସେ ସେମାନଙ୍କୁ କହିବାକୁ ଲାଗିଲେ, “ଆଜି ଧର୍ମଶାସ୍ତ୍ରର ଏହି ବାକ୍ୟ ତୁମ୍ଭମାନଙ୍କ ଶୁଣିବା ଅନୁସାରେ ସଫଳ ହେଲା।” 22ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ?
ସୁସମାଚାର (ସନ୍ଥ ଶିମିୟୋନଙ୍କ ପାଇଁ)
27ମୋହର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ। 28ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। 29ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; 30ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ସେପ୍ଟେମ୍ବର 1 ନାଗରିକ ପଞ୍ଜିକାର ସେପ୍ଟେମ୍ବର 14। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର