ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 29
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 29 ଅଗଷ୍ଟ 2027
ରବିବାର · ସାଧାରଣ କାଳର 22ତମ ସପ୍ତାହ
ପର୍ବ ଓ ସନ୍ଥ
ସାଧାରଣ କାଳର 22ତମ ରବିବାର
ରବିବାର · ଉପାସନାର ରଙ୍ଗ: ସବୁଜ
ଦିନର ପାଠ
ପ୍ରଥମ ପାଠ
1ଏବେ ହେ ଇସ୍ରାଏଲ, ମୁଁ ଯେଉଁ ଯେଉଁ ବିଧି ଓ ଶାସନ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ତହିଁରେ ମନୋଯୋଗ କର; ତାହା କଲେ ତୁମ୍ଭେମାନେ ବଞ୍ଚିବ ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ। 2ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଅଛି, ସେହି ବାକ୍ୟରେ ତୁମ୍ଭେମାନେ କିଛି ମିଶାଇବ ନାହିଁ, କିଅବା ତହିଁରୁ କିଛି ଊଣା କରିବ ନାହିଁ, ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ସେହି ସବୁ ଆଜ୍ଞା ପାଳନ କର। 6ଏଣୁ ତୁମ୍ଭେମାନେ ତାହାସବୁ ପାଳନ କର; କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମ୍ଭମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ୱରୂପ ହେବ; ସେମାନେ ଏହିସବୁ ବିଧି ଶୁଣି କହିବେ, “ଏହି ମହାଗୋଷ୍ଠୀ ନିତାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ ଅଟନ୍ତି।” 7ଯେହେତୁ ଆମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରୁ, ସେସମୟରେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କର ନିକଟବର୍ତ୍ତୀ ହୁଅନ୍ତି, ସେପରି ଆଉ କେଉଁ ମହାଗୋଷ୍ଠୀର ପରମେଶ୍ୱର ସେମାନଙ୍କର ନିକଟବର୍ତ୍ତୀ ହୁଅନ୍ତି? 8ପୁଣି ମୁଁ ଆଜି ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ସମସ୍ତ ବ୍ୟବସ୍ଥା ଦେଉଅଛି, ତାହା ତୁଲ୍ୟ ଯଥାର୍ଥ ବିଧି ଓ ଶାସନ ଆଉ କେଉଁ ମହାଗୋଷ୍ଠୀର ଅଛି?
ପ୍ରତିଉତ୍ତର ଗୀତ
2ଯେଉଁ ଜନ ସରଳାଚରଣ, ଧର୍ମକର୍ମ କରେ ଓ ଆପଣା ଅନ୍ତଃକରଣରେ ସତ୍ୟ କହେ। 3ଯେ ଆପଣା ଜିହ୍ୱାରେ ଗ୍ଳାନି କରେ ନାହିଁ, ଅବା ଆପଣା ମିତ୍ରର ଅନିଷ୍ଟ କରେ ନାହିଁ, କିଅବା ଆପଣା ପ୍ରତିବାସୀ ବିରୁଦ୍ଧରେ ନିନ୍ଦା ପ୍ରକଟ କରେ ନାହିଁ। 4ଯାହାର ଦୃଷ୍ଟିରେ ପାମର ତୁଚ୍ଛୀକୃତ ହୁଏ; ମାତ୍ର ଯେ ସଦାପ୍ରଭୁଙ୍କ ଭୟକାରୀମାନଙ୍କୁ ସମାଦର କରେ। ଯେ ଶପଥ କରି ଆପଣାର କ୍ଷତି ହେଲେ ହେଁ ତାହା ଅନ୍ୟଥା କରେ ନାହିଁ। 5ଯେ ସୁଧ ପାଇଁ ଟଙ୍କା ଋଣ ଦିଏ ନାହିଁ, କିଅବା ନିର୍ଦ୍ଦୋଷ ବିରୁଦ୍ଧରେ ଲାଞ୍ଚ ନିଏ ନାହିଁ। ଯେ ଏହି ସକଳ କର୍ମ କରେ, ସେ କେବେ ଘୁଞ୍ଚା ଯିବ ନାହିଁ।
ଦ୍ୱିତୀୟ ପାଠ
17ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ, ଅର୍ଥାତ୍, ଜ୍ୟୋତିଃର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ। 18ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ-ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥିନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ। 21ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର। 22କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ। 27ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି, ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ।
ସୁସମାଚାର
1ପରେ ଫାରୂଶୀମାନେ ଓ ଯିରୂଶାଲମ ସହରରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ। 2ସେମାନେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକଙ୍କୁ ଅଶୁଚି, ଅର୍ଥାତ୍ ଅଧୁଆ ହାତରେ ଖାଇବା ଦେଖିଲେ। 3ଫାରୂଶୀମାନେ ଓ ସମସ୍ତ ଯିହୁଦୀ ଲୋକ ପ୍ରାଚୀନମାନଙ୍କ ପରମ୍ପରାଗତ ରୀତିନୀତି ପାଳନ କରି ଭଲ ରୂପେ ହାତ ନ ଧୋଇଲେ ଭୋଜନ କରନ୍ତି ନାହିଁ। 4ପୁଣି, ହାଟବଜାରରୁ ଆସି ନିଜେ ଧୋଇ ନ ହେବା ପର୍ଯ୍ୟନ୍ତ ଖାଆନ୍ତି ନାହିଁ; ଆଉ, ଗିନା, ଢାଳ ଓ ପିତଳ ପାତ୍ରଗୁଡ଼ିକ ପାଣିରେ ବୁଡ଼ାଇ ଧୋଇବା ଇତ୍ୟାଦି ଅନ୍ୟାନ୍ୟ ଅନେକ ରୀତିନୀତି ପାଳନ କରିବା ନିମନ୍ତେ ସେମାନେ ଆଦେଶପ୍ରାପ୍ତ କରିଅଛନ୍ତି। 5ଏଣୁ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ତାହାଙ୍କୁ ପଚାରିଲେ, ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅନୁସାରେ କାହିଁକି ଆଚରଣ ନ କରି ଅଶୁଚି ହସ୍ତରେ ଭୋଜନ କରନ୍ତି? 6ସେ ସେମାନଙ୍କୁ କହିଲେ, “ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଯଥାର୍ଥ ରୂପେ ଭାବବାଣୀ କହିଅଛନ୍ତି, ଯେପରି ଲେଖାଅଛି, ‘ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। 7ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।’ 8ତୁମ୍ଭେମାନେ ଈଶ୍ବରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ।” 14ସେ ପୁନର୍ବାର ଲୋକସମୂହକୁ ନିକଟକୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ମୋʼ କଥା ଶୁଣ ଓ ବୁଝ। 15ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ, କିନ୍ତୁ ଯାହା ଯାହା ମନୁଷ୍ୟଠାରୁ ବାହାରେ, ସେହିସବୁ ତାହାକୁ ଅଶୁଚି କରେ। 21କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ, 22ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା; 23ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ।”
ଆଜିର ସନ୍ଥ
- ସନ୍ଥ ବାପ୍ତିଜକ ଯୋହନଙ୍କ ଦୁଃଖଭୋଗ
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର