Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 21

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 21 ଅଗଷ୍ଟ 2027

ଶନିବାର · ସାଧାରଣ କାଳର 20ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 20ତମ ସପ୍ତାହର ଶନିବାର

ସ୍ମୃତି ଦିବସ · ଉପାସନାର ରଙ୍ଗ: ଧଳା

ସନ୍ଥ ପିୟୁସ୍ ଦଶମ, ପୋପ୍ · ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ରୂତ 2:1–3, 8–11; 4:13–17

1ନୟମୀର ସ୍ୱାମୀ ଏଲିମେଲକ ବଂଶୀୟ ବୋୟଜ ନାମରେ ଜଣେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ଥିଲା। 2ତହୁଁ ମୋୟାବ ଦେଶୀୟା ରୂତ ନୟମୀକି କହିଲା, “ମୋତେ କ୍ଷେତ୍ରକୁ ଯିବାକୁ ଦିଅ, ମୁଁ ଯାହାର ଦୃଷ୍ଟିରେ ଅନୁଗ୍ରହ ପାଇବି, ତାହାର ପଛେ ପଛେ ବଳକା ଶସ୍ୟଗୁଡ଼ିକ ସାଉଣ୍ଟିବି,” ତହିଁରେ ସେ ତାହାକୁ କହିଲା, “ଆହେ ଆମ୍ଭର କନ୍ୟା, ଯାଅ।” 3ଏଥିରେ ସେ ଯାଇ କ୍ଷେତ୍ରରେ ଉପସ୍ଥିତ ହୋଇ ଶସ୍ୟକଟାଳିମାନଙ୍କର ପଛେ ପଛେ ବଳକା ଶସ୍ୟ ସଂଗ୍ରହ କରିବାକୁ ଲାଗିଲା; ଆଉ ଘଟଣାକ୍ରମେ ସେ ଏଲିମେଲକ ବଂଶୀୟ ବୋୟଜର କ୍ଷେତ୍ରଖଣ୍ଡରେ ପହଁଞ୍ଚିଲା। 8ତହିଁରେ ବୋୟଜ ରୂତକୁ କହିଲା, “ଆହେ ମୋହର କନ୍ୟା, ମୋର କଥା କି ଶୁଣୁ ନାହଁ? ତୁମ୍ଭେ ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ, ପୁଣି ଏହି ସ୍ଥାନରୁ ନ ଯାଅ, ମାତ୍ର ଏଠାରେ ମୋର ଦାସୀଗଣର ସଙ୍ଗେ ସଙ୍ଗେ ଥାଅ। 9ଶସ୍ୟକଟାଳିମାନେ ଯେଉଁ କ୍ଷେତ୍ରର ଶସ୍ୟ କାଟିବେ, ତାହା ପ୍ରତି ଦୃଷ୍ଟି ରଖି ତୁମ୍ଭେ ଦାସୀଗଣର ପଛେ ଯାଅ, ତୁମ୍ଭକୁ ସ୍ପର୍ଶ କରିବାକୁ ମୁଁ କି ସେ ଯୁବାମାନଙ୍କୁ ନିଷେଧ କରି ନାହିଁ? ଆଉ ତୁମ୍ଭେ ତୃଷିତ ହେଲେ, ପାତ୍ର ନିକଟକୁ ଯାଇ ଯୁବାମାନଙ୍କର କାଢ଼ିବା ଜଳରୁ ପାନ କର।” 10ଏଥିରେ ସେ ମୁହଁ ମାଡ଼ି ଭୂମିରେ ପଡ଼ି ତାହାକୁ କହିଲା, “ମୁଁ ବିଦେଶିନୀ ହେଲେ ହେଁ ଆପଣ ମୋହର ପରିଚୟ ନେଉଅଛନ୍ତି, ଆପଣଙ୍କ ଦୃଷ୍ଟିରେ ଏତେ ଅନୁଗ୍ରହ ମୁଁ କିପରି ପାଇଲି?” 11ବୋୟଜ ତାହାକୁ ଉତ୍ତର ଦେଇ କହିଲା, “ତୁମ୍ଭ ସ୍ୱାମୀର ମୃତ୍ୟୁ ଉତ୍ତାରେ ତୁମ୍ଭେ ନିଜ ଶାଶୁ ପ୍ରତି ଯେରୂପ ବ୍ୟବହାର କରିଅଛ, ପୁଣି ନିଜ ପିତା ଓ ନିଜ ମାତା ଓ ନିଜ ଜନ୍ମ ଦେଶ ତ୍ୟାଗ କରି ପୂର୍ବେ ଯେଉଁମାନଙ୍କୁ ଜାଣିଲ ନାହିଁ, ଏପରି ଲୋକଙ୍କ ନିକଟକୁ ଆସିଅଛ, ଏହିସବୁ କଥା ମୋତେ ସମ୍ପୂର୍ଣ୍ଣ ରୂପେ କୁହାଯାଇଅଛି। 4:13ଏରୂପେ ବୋୟଜ ରୂତକୁ ବିବାହ କରନ୍ତେ, ସେ ତାହାର ସ୍ତ୍ରୀ ହେଲା, ପୁଣି ତାହାର ସହବାସ କରନ୍ତେ, ସେ ସଦାପ୍ରଭୁଙ୍କଠାରୁ ଗର୍ଭଧାରଣ ଶକ୍ତି ପାଇ ପୁତ୍ର ପ୍ରସବ କଲା। 14ଏଣୁ ସ୍ତ୍ରୀମାନେ ନୟମୀକି କହିଲେ, “ଧନ୍ୟ ସଦାପ୍ରଭୁ, ସେ ଆଜି ତୁମ୍ଭକୁ ମୁକ୍ତିକର୍ତ୍ତା ଜ୍ଞାତିହୀନ କରି ନାହାନ୍ତି; ଇସ୍ରାଏଲ ବଂଶରେ ଏହି ବାଳକର ନାମ ବିଖ୍ୟାତ ହେଉ। 15ପୁଣି ସେ ତୁମ୍ଭର ପ୍ରାଣ ସଜୀବକାରୀ ଓ ତୁମ୍ଭ ବୃଦ୍ଧାବସ୍ଥାରେ ତୁମ୍ଭର ପ୍ରତିପାଳକ ହେବ; ଯେହେତୁ ଯେ ତୁମ୍ଭକୁ ପ୍ରେମ କରେ ଓ ସାତ ପୁତ୍ରଠାରୁ ତୁମ୍ଭ ପ୍ରତି ଅଧିକ ଉତ୍ତମ ଯେ ତୁମ୍ଭର ପୁତ୍ରବଧୂ, ସେ ତାହାକୁ ପ୍ରସବ କରିଅଛି।” 16ସେତେବେଳେ ନୟମୀ ବାଳକକୁ ଘେନି ନିଜ କୋଳରେ ରଖିଲା ଓ ତାହାକୁ ପ୍ରତିପାଳନ କଲା। 17“ଏଉତ୍ତାରୁ ନୟମୀର ଏକ ପୁତ୍ର ଜନ୍ମିଅଛି,” ଏହି କଥା କହି ପ୍ରତିବାସିନୀ ସ୍ତ୍ରୀମାନେ ତାହାର ନାମକରଣ କଲେ; ସେମାନେ ତାହାର ନାମ ଓବେଦ୍‍ (ସେବକ) ରଖିଲେ। ସେ ଦାଉଦର ପିତାମହ ଯିଶୀର ପିତାମହ।

ପ୍ରତିଉତ୍ତର ଗୀତ

ଗୀତ 128:1–5

1ଆରୋହଣ ଗୀତ। ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି, ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ। 2କାରଣ ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଜନ କରିବ; ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ। 3ତୁମ୍ଭର ଭାର୍ଯ୍ୟା ତୁମ୍ଭ ଗୃହର ଅନ୍ତଃପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ; ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଚାରିଆଡ଼େ ଜୀତବୃକ୍ଷର ଚାରା ପରି ହେବେ। 4ଦେଖ, ସଦାପ୍ରଭୁଙ୍କୁ ଭୟ କରିବା ଲୋକ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ। 5ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରିବେ; ଆଉ, ତୁମ୍ଭେ ଯାବଜ୍ଜୀବନ ଯିରୂଶାଲମର ମଙ୍ଗଳ ଦେଖିବ।

ସୁସମାଚାର

ମାଥି 23:1–12

1ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, 2“ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାକୁ ବ୍ୟାଖ୍ୟା କରିବାର ଅଧିକାର ପାଇଅଛନ୍ତି। 3ଅତଏବ ସେମାନେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ। 4ସେମାନେ ଗୁରୁ ଭାର ବହନ କରି ମନୁଷ୍ୟମାନଙ୍କ କାନ୍ଧରେ ଥୋଇଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ। 5ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି, 6ଆଉ ଭୋଜନରେ ପ୍ରଧାନ ସ୍ଥାନ ଓ ସମାଜଗୃହରେ ପ୍ରଧାନ ଆସନ, 7ପୁଣି, ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି। 8କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ଗୁରୁ ଜଣେ, ପୁଣି, ତୁମ୍ଭେମାନେ ସମସ୍ତେ ଭାଇ। 9ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ଡାକ ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି। 10ଆଉ ତୁମ୍ଭେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ। 11କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମ୍ଭମାନଙ୍କର ସେବକ ହେବ। 12ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ କେହି ଆପଣାକୁ ନତ କରେ ତାହାକୁ ଉନ୍ନତ କରାଯିବ।”

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର