ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅଗଷ୍ଟ 2027 › ଅଗଷ୍ଟ 2
ଅର୍ଥୋଡକ୍ସ ପଞ୍ଜିକା · 20 ଜୁଲାଇ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 2 ଅଗଷ୍ଟ 2027
ସୋମବାର · ପେଣ୍ଟିକଷ୍ଟ ପରେ ସପ୍ତମ ସପ୍ତାହ · ସ୍ୱର 5
ପର୍ବ ଓ ସନ୍ଥ
Holy Glorious Prophet Elijah (9th C BC)
ଉପବାସ
ଉପବାସ ନାହିଁ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ସନ୍ଧ୍ୟା ପ୍ରାର୍ଥନା: ପାଠ
1ଏଥିଉତ୍ତାରେ ଗିଲୀୟଦର ପ୍ରବାସୀ ତିଶ୍ବୀୟ ଏଲୀୟ ଆହାବଙ୍କୁ କହିଲେ, “ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହେଉଅଛି, ସେହି ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋʼ ବାକ୍ୟାନୁସାରେ ହେବ।” 2ଏଉତ୍ତାରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 3ଯଥା, “ତୁମ୍ଭେ ଏଠାରୁ ଯାଇ ପୂର୍ବ ଦିଗକୁ ଫେରି ଯର୍ଦ୍ଦନ ସମ୍ମୁଖସ୍ଥ କରୀତ୍ ନଦୀ ନିକଟରେ ଆପଣାକୁ ଲୁଚାଅ। 4ସେସ୍ଥାନରେ ତୁମ୍ଭେ ନଦୀରୁ ପାନ କରିବ ଓ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ।” 5ତହିଁରେ ସେ ଯାଇ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କଲେ; ସେ ଯର୍ଦ୍ଦନ ସମ୍ମୁଖସ୍ଥ କରୀତ୍ ନଦୀ ନିକଟକୁ ଯାଇ ବାସ କଲେ। 6ପୁଣି, କାକମାନେ ପ୍ରାତଃକାଳରେ ରୁଟି ଓ ମାଂସ, ପୁଣି, ସନ୍ଧ୍ୟା ବେଳେ ରୁଟି ଓ ମାଂସ ତାଙ୍କ ପାଇଁ ଆଣିଲେ; ଆଉ ସେ ନଦୀରୁ ପାନ କଲେ। 7ପୁଣି, ଦେଶରେ ବୃଷ୍ଟି ନୋହିବାରୁ କିଛି କାଳ ଉତ୍ତାରେ ନଦୀ ଶୁଷ୍କ ହୋଇଗଲା। 8ଏଥିଉତ୍ତାରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, 9ଯଥା, “ଉଠ, ସୀଦୋନର ସାରିଫତ୍କୁ ଯାଇ ସେଠାରେ ବାସ କର। ଦେଖ, ଆମ୍ଭେ ସେଠାସ୍ଥିତ ଏକ ବିଧବା ସ୍ତ୍ରୀକୁ ତୁମ୍ଭକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଇଅଛୁ।” 10ତହିଁରେ ସେ ଉଠି ସାରିଫତ୍କୁ ଗଲେ ଓ ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ବିଧବା ସ୍ତ୍ରୀ ସେଠାରେ କାଠ ସାଉଣ୍ଟୁଅଛି; ତହୁଁ ସେ ତାହାକୁ ଡାକି କହିଲେ, “ବିନୟ କରୁଅଛି, ଗୋଟିଏ ପାତ୍ରରେ କିଛି ଜଳ ଆଣ, ମୁଁ ପାନ କରିବି।” 11ଏଣୁ ସେ ସ୍ତ୍ରୀ ତାହା ଆଣିବା ପାଇଁ ଯିବା ବେଳେ ସେ ତାହାକୁ ପୁନର୍ବାର ଡାକି କହିଲେ, “ବିନୟ କରୁଅଛି, ମୋʼ ପାଇଁ ଖଣ୍ଡେ ରୁଟି ହାତରେ ଆଣ।” 12ତହୁଁ ସେ କହିଲା, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଜୀବିତ ଥିବା ପ୍ରମାଣେ ମୋʼ ଠାରେ ଗୋଟିଏ ପିଠା ନାହିଁ, କେବଳ କଳସରେ ମୁଠିଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି; ଆଉ ଦେଖ, ମୁଁ ଦୁଇ ଖଣ୍ଡ କାଠ ସାଉଣ୍ଟୁଅଛି, ଯେପରି ତାହା ନେଇଯାଇ ମୋʼ ପାଇଁ ଓ ମୋʼ ପୁତ୍ର ପାଇଁ ପାକ କରି ଖାଇବୁ, ତହିଁ ଉତ୍ତାରେ ମରିବୁ।” 13ଏଥିରେ ଏଲୀୟ ତାହାକୁ କହିଲେ, “ଭୟ କର ନାହିଁ; ଯାହା କହିଲ, ତାହା ଯାଇ କର; ମାତ୍ର ତହିଁରୁ ପ୍ରଥମେ ମୋʼ ପାଇଁ ଗୋଟିଏ ସାନ ପିଠା କରି ମୋʼ ନିକଟକୁ ଆଣ, ତହିଁ ଉତ୍ତାରେ ତୁମ୍ଭ ପାଇଁ ଓ ତୁମ୍ଭ ପୁତ୍ର ପାଇଁ କର। 14କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଯେପର୍ଯ୍ୟନ୍ତ ସଦାପ୍ରଭୁ ଭୂମିରେ ବୃଷ୍ଟି ନ ବର୍ଷାନ୍ତି, ସେଦିନ ପର୍ଯ୍ୟନ୍ତ ମଇଦା-କଳସ ଶୂନ୍ୟ ହେବ ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେବ ନାହିଁ।” 15ତହିଁରେ ସେ ଯାଇ ଏଲୀୟଙ୍କ ବାକ୍ୟାନୁସାରେ କଲା; ପୁଣି, ସେ ଓ ଏଲୀୟ ଓ ସେହି ସ୍ତ୍ରୀର ପରିଜନ ଅନେକ ଦିନ ଯାଏ ଭୋଜନ କଲେ। 16ଏଲୀୟଙ୍କ ଦ୍ୱାରା ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ମଇଦା-କଳସ ଶୂନ୍ୟ ହେଲା ନାହିଁ, କିଅବା ପାତ୍ରରେ ତୈଳର ଅଭାବ ହେଲା ନାହିଁ। 17ଏହିସବୁ ଘଟଣା ଉତ୍ତାରେ ଗୃହର କର୍ତ୍ତ୍ରୀ ସେହି ସ୍ତ୍ରୀର ପୁତ୍ର ପୀଡ଼ିତ ହେଲା; ପୁଣି, ତାହାର ପୀଡ଼ା ଏପରି ପ୍ରବଳ ହେଲା ଯେ, ତାହାଠାରେ ଶ୍ୱାସବାୟୁ ରହିଲା ନାହିଁ। 18ତହିଁରେ ସେ ସ୍ତ୍ରୀ ଏଲୀୟଙ୍କୁ କହିଲା, “ହେ ପରମେଶ୍ୱରଙ୍କ ଲୋକ, ତୁମ୍ଭ ସଙ୍ଗେ ମୋହର କଅଣ ଅଛି? ତୁମ୍ଭେ ମୋହର ପାପ ସ୍ମରଣ କରାଇବାକୁ ଓ ମୋʼ ପୁତ୍ରକୁ ବଧ କରିବାକୁ ଆସିଅଛ!” 19ତହୁଁ ଏଲୀୟ ତାହାକୁ କହିଲେ, “ମୋତେ ତୁମ୍ଭ ପୁତ୍ରକୁ ଦିଅ।” ତହିଁରେ ସେ ତାହା କୋଳରୁ ବାଳକକୁ ନେଇ ଆପଣା ରହିବା ଉପର କୋଠରିକୁ ଘେନିଯାଇ ଆପଣା ଶଯ୍ୟାରେ ତାହାକୁ ଶୁଆଇଲେ। 20ପୁଣି, ସେ ସଦାପ୍ରଭୁଙ୍କୁ ଡାକି କହିଲେ, “ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ମୁଁ ଯେଉଁ ବିଧବାର ଗୃହରେ ପ୍ରବାସ କରୁଅଛି, ତୁମ୍ଭେ ତାହାର ପୁତ୍ରକୁ ବଧ କରି ତାହା ପ୍ରତି ହିଁ କʼଣ ଅମଙ୍ଗଳ ଘଟାଇଲ?” 21ତହୁଁ ବାଳକ ଉପରେ ସେ ତିନି ଥର ଆପଣାକୁ ଲମ୍ବାଇଲେ, ଆଉ ସେ ସଦାପ୍ରଭୁଙ୍କୁ ଡାକି କହିଲେ, “ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ମୁଁ ବିନୟ କରୁଅଛି, ଏହି ବାଳକର ପ୍ରାଣ ତାହା ମଧ୍ୟକୁ ଫେରିଆସୁ।” 22ଏଥିରେ ସଦାପ୍ରଭୁ ଏଲୀୟଙ୍କର ରବରେ କର୍ଣ୍ଣପାତ କଲେ; ପୁଣି, ବାଳକର ପ୍ରାଣ ପୁନର୍ବାର ତାହା ମଧ୍ୟକୁ ଆସନ୍ତେ, ସେ ପୁନର୍ଜୀବିତ ହେଲା। 23ତହୁଁ ଏଲୀୟ ବାଳକକୁ ନେଇ କୋଠରିରୁ ଓହ୍ଲାଇ ଗୃହକୁ ଆଣି ତାହାର ମାତାର ହସ୍ତରେ ତାହାକୁ ସମର୍ପଣ କଲେ; ପୁଣି, ଏଲୀୟ କହିଲେ, “ଏହି ଦେଖ, ତୁମ୍ଭର ପୁତ୍ର ଜୀବିତ ହେଲା।”
ସନ୍ଧ୍ୟା ପ୍ରାର୍ଥନା: ପାଠ
ପ୍ର.ରା 19:19–21 · ଦ୍ଵି.ରା 2:1, 6–14
19ଏଥିରେ ଏଲୀୟ ଏଠାରୁ ପ୍ରସ୍ଥାନ କରି ଶାଫଟ୍ର ପୁତ୍ର ଇଲୀଶାୟଙ୍କର ସନ୍ଧାନ ପାଇଲେ। ସେସମୟରେ ସେ ହଳ ବୁଲାଉଥିଲେ, ତାଙ୍କ ଆଗରେ ବାର ହଳ ବଳଦ ଥିଲେ, ପୁଣି, ସେ ଦ୍ୱାଦଶ ହଳରେ ଥିଲେ; ତହିଁରେ ଏଲୀୟ ତାଙ୍କ ନିକଟକୁ ଯାଇ ଆପଣା ବସ୍ତ୍ର ତାଙ୍କ ଉପରେ ପକାଇଲେ। 20ତହିଁରେ ସେ ବଳଦ ଛାଡ଼ି ଏଲୀୟଙ୍କ ପଛେ ଦୌଡ଼ି ତାଙ୍କୁ କହିଲେ, “ବିନୟ କରୁଅଛି, ମୋʼ ପିତା ଓ ମାତାଙ୍କୁ ଚୁମ୍ବନ ଦେବା ପାଇଁ ଅନୁମତି ଦେଉନ୍ତୁ, ତହିଁ ଉତ୍ତାରେ ମୁଁ ଆପଣଙ୍କ ପଛେ ଯିବି।” ତହୁଁ ଏଲୀୟ ତାଙ୍କୁ କହିଲେ, “ଫେରିଯାଅ; କିନ୍ତୁ ଚିନ୍ତା କର ଆମ୍ଭେ ତୁମ୍ଭର କଅଣ କଲୁ।” 21ତହିଁରେ ସେ ତାଙ୍କ ପଶ୍ଚାତ୍ଗମନରୁ ଫେରିଗଲେ ଓ ସେହି ବଳଦ ହଳକ ନେଇ ବଧ କରି ଯୁଆଳି କାଠରେ ସେହି ମାଂସ ସିଦ୍ଧ କରି ଲୋକମାନଙ୍କୁ ଦିଅନ୍ତେ, ସେମାନେ ଭୋଜନ କଲେ। ତହୁଁ ସେ ଉଠି ଏଲୀୟଙ୍କର ପଶ୍ଚାତ୍ଗମନ କରି ତାଙ୍କର ପରିଚର୍ଯ୍ୟା କଲେ। 2:1ଏଥିଉତ୍ତାରେ ସଦାପ୍ରଭୁ ଏଲୀୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନିଯିବା ପାଇଁ ଉଦ୍ୟତ ହୁଅନ୍ତେ, ଏଲୀୟ ଇଲୀଶାୟଙ୍କ ସହିତ ଗିଲ୍ଗଲ୍ରୁ ଗଲେ। 6ଏଥିଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଅଛି, ଏଠାରେ ଥାଅ; କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନକୁ ପଠାଇଅଛନ୍ତି।” ତହୁଁ ସେ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ିବି ନାହିଁ।” ଏଥିରେ ସେ ଦୁହେଁ ଅଗ୍ରସର ହେଲେ। 7ପୁଣି ଭବିଷ୍ୟଦ୍ବକ୍ତାଗଣଙ୍କ ଦଳ ମଧ୍ୟରୁ ପଚାଶ ଜଣ ଯାଇ ସେମାନଙ୍କ ସମ୍ମୁଖରେ ଦୂରରେ ଠିଆ ହେଲେ; ଆଉ ସେ ଦୁହେଁ ଯର୍ଦ୍ଦନ ନିକଟରେ ଠିଆ ହେଲେ। 8ଏଥିରେ ଏଲୀୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଜଳକୁ ଆଘାତ କଲେ, ତହିଁରେ ଜଳ ଏପାଖେ ସେପାଖେ ବିଭକ୍ତ ହୋଇଯାଆନ୍ତେ, ସେ ଦୁହେଁ ଶୁଷ୍କ ଭୂମି ଦେଇ ପାର ହୋଇଗଲେ। 9ପୁଣି ସେମାନେ ପାର ହୋଇଗଲା ଉତ୍ତାରେ ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି, ଏହା ମୁଁ ତୁମ୍ଭ ନିକଟରୁ ନିଆଯିବା ପୂର୍ବରୁ ମାଗ।” ତହିଁରେ ଇଲୀଶାୟ କହିଲେ, “ମୁଁ ବିନୟ କରୁଅଛି, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋʼ ଉପରେ ବର୍ତ୍ତୁ।” 10ଏଥିରେ ଏଲୀୟ କହିଲେ, “ତୁମ୍ଭେ ଦୁଃସାଧ୍ୟ ବିଷୟ ମାଗିଲ; ତଥାପି ମୁଁ ତୁମ୍ଭ ନିକଟରୁ ନିଆଯିବା ବେଳେ ଯେବେ ତୁମ୍ଭେ ମୋତେ ଦେଖିବ, ତେବେ ତୁମ୍ଭ ପ୍ରତି ତଦ୍ରୂପ ବର୍ତ୍ତିବ; ମାତ୍ର ତାହା ନ ହେଲେ, ବର୍ତ୍ତିବ ନାହିଁ।” 11ଏହିରୂପେ ସେମାନେ ଯାଉ ଯାଉ ଓ କଥାବାର୍ତ୍ତା କରୁ କରୁ ଦେଖ, ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହୋଇ ସେ ଦୁହିଁଙ୍କୁ ପୃଥକ କଲା; ପୁଣି ଏଲୀୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ। 12ଆଉ ଇଲୀଶାୟ ତାହା ଦେଖି ଉଚ୍ଚସ୍ୱରରେ କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” ଏଉତ୍ତାରେ ସେ ଏଲୀୟଙ୍କୁ ଆଉ ଦେଖିଲେ ନାହିଁ; ଏଣୁ ସେ ଆପଣା ବସ୍ତ୍ର ଧରି ଦୁଇ ଖଣ୍ଡ କରି ଚିରିଲେ। 13ମଧ୍ୟ ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ରଖଣ୍ଡ ଉଠାଇ ନେଲେ ଓ ଫେରିଯାଇ ଯର୍ଦ୍ଦନ ତୀରରେ ଠିଆ ହେଲେ। 14ପୁଣି ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ର ନେଇ ଜଳକୁ ଆଘାତ କରି କହିଲେ, “ସଦାପ୍ରଭୁ ଏଲୀୟଙ୍କର ପରମେଶ୍ୱର କାହାନ୍ତି?” ପୁଣି ସେ ମଧ୍ୟ ଜଳକୁ ଆଘାତ କରନ୍ତେ, ତାହା ଏପାଖେ ସେପାଖେ ବିଭକ୍ତ ହୋଇଗଲା; ତହିଁରେ ଇଲୀଶାୟ ପାର ହୋଇଗଲେ।
ପ୍ରଭାତୀ ପ୍ରାର୍ଥନା: ସୁସମାଚାର
22ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ? 23ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, ‘ହେ ବୈଦ୍ୟ, ନିଜେ ନିଜକୁ ସୁସ୍ଥ କର; କଫର୍ନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହିସବୁ ଏହି ସ୍ଥାନରେ ନିଜ ପିତାଙ୍କ ନଗରରେ ମଧ୍ୟ କର।’” 24ପୁଣି, ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପିତାଙ୍କ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ। 25କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ବନ୍ଦ ହେବାରୁ ସମସ୍ତ ଦେଶରେ ମହାଦୁର୍ଭିକ୍ଷ ପଡ଼ିଥିଲା, ସେତେବେଳେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ; 26ତଥାପି ଏଲୀୟ ସେମାନଙ୍କର କାହାରି ନିକଟକୁ ପ୍ରେରିତ ନ ହୋଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପଠାଗଲେ। 27ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠରୋଗୀମାନେ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସିରିୟା ଦେଶୀୟ ନାମାନ ଶୁଚି କରାଯାଇଥିଲେ।” 28ସମାଜଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ, 29ପୁଣି, ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଉପରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ନେଇଗଲେ; 30କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ।
ପତ୍ର
9ବ୍ୟଭିଚାରୀମାନଙ୍କ ସହିତ ସମ୍ପର୍କ ନ ରଖିବା ପାଇଁ ମୁଁ ତୁମ୍ଭମାନଙ୍କୁ ମୋହର ପତ୍ରରେ ଲେଖିଥିଲି; 10ଏହି ଜଗତର ବ୍ୟଭିଚାରୀ କି ଧନଲୋଭୀ କି ପରଦ୍ରବ୍ୟ ଲୁଣ୍ଠନକାରୀ କି ପ୍ରତିମାପୂଜକମାନଙ୍କ ସହିତ ଯେ ଆଦୌ ସମ୍ପର୍କ ନ ରଖିବ, ତାହା ନୁହେଁ; ତାହାହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରିଯିବାକୁ ପଡ଼ିବ; 11କିନ୍ତୁ ମୋହର ଲେଖିବାର ଭାବ ଏହା ଥିଲା ଯେ, ଯଦି କୌଣସି ଲୋକ ଭ୍ରାତା ବୋଲି ଖ୍ୟାତ ହୋଇ ବ୍ୟଭିଚାରୀ କି ଧନଲୋଭୀ କି ପ୍ରତିମାପୂଜକ କି ନିନ୍ଦକ କି ମତୁଆଳ କି ପରଦ୍ରବ୍ୟ ଲୁଣ୍ଠନକାରୀ ହୁଏ, ତେବେ ଏପରି ଲୋକ ସହିତ ସମ୍ପର୍କ ରଖ ନାହିଁ, ପୁଣି, ତାହା ସାଙ୍ଗରେ ଭୋଜନ ସୁଦ୍ଧା କର ନାହିଁ। 12କାରଣ ମଣ୍ଡଳୀ ବାହାର ଲୋକମାନଙ୍କର ବିଚାର କରିବାରେ ମୋହର କଅଣ ଅଛି? ମଣ୍ଡଳୀ ଭିତରେ ଯେଉଁମାନେ ଅଛନ୍ତି, ସେମାନଙ୍କର ବିଚାର କି ତୁମ୍ଭେମାନେ କର ନାହିଁ? 13କିନ୍ତୁ ଯେଉଁମାନେ ବାହାରେ ଅଛନ୍ତି, ସେମାନଙ୍କ ବିଚାର ଈଶ୍ବର କରିବେ। ସେହି ଦୁଷ୍ଟ ଲୋକକୁ ତୁମ୍ଭମାନଙ୍କ ମଧ୍ୟରୁ ବାହାର କରିଦିଅ। 6:1ତୁମ୍ଭମାନଙ୍କ ମଧ୍ୟରୁ କାହାରି ଅନ୍ୟ ଜଣକ ବିରୁଦ୍ଧରେ କଥା ଥିଲେ ସେ କି ବିଚାର ନିମନ୍ତେ ସାଧୁମାନଙ୍କ ନିକଟକୁ ନ ଯାଇ ଅଧାର୍ମିକମାନଙ୍କ ନିକଟକୁ ଯିବା ପାଇଁ ସାହସ କରେ? 2ଅବା ସାଧୁମାନେ ଯେ ଜଗତର ବିଚାର କରିବେ, ଏ କଥା କି ତୁମ୍ଭେମାନେ ଜାଣ ନାହିଁ? ଆଉ ଯଦି ଜଗତ ତୁମ୍ଭମାନଙ୍କ ଦ୍ୱାରା ବିଚାରିତ ହୁଏ, ତେବେ ତୁମ୍ଭେମାନେ କି ସାମାନ୍ୟ ସାମାନ୍ୟ ବିଷୟ ବିଚାର କରିବାକୁ ଅଯୋଗ୍ୟ? 3ଆମ୍ଭେମାନେ ଯେ ଦୂତମାନଙ୍କର ବିଚାର କରିବା, ଏହା କି ତୁମ୍ଭେମାନେ ଜାଣ ନାହିଁ? 4ତେବେ ଐହିକ ଜୀବନର କଥା ବା କଅଣ? ଅତଏବ, ଯଦି ବିଚାର ନିମନ୍ତେ ତୁମ୍ଭମାନଙ୍କର ଐହିକ ଜୀବନ ସମ୍ବନ୍ଧୀୟ କୌଣସି ବିଷୟ ଥାଏ, ତେବେ ମଣ୍ଡଳୀରେ ଯେଉଁମାନେ ନଗଣ୍ୟ, ସେମାନଙ୍କୁ କଅଣ ବିଚାର କରିବା ନିମନ୍ତେ ନିଯୁକ୍ତ କର? 5ମୁଁ ତୁମ୍ଭମାନଙ୍କୁ ଲଜ୍ଜା କରାଇବା ପାଇଁ ଏହା କହୁଅଛି। ଭାଇ ଭାଇ ମଧ୍ୟରେ ମୀମାଂସା କରିବାକୁ ସମର୍ଥ, ଏପରି କଅଣ ଜଣେ ବୋଲି ଜ୍ଞାନୀ ଲୋକ ପ୍ରକୃତରେ ତୁମ୍ଭମାନଙ୍କ ମଧ୍ୟରେ ନାହିଁ? 6ମାତ୍ର ଜଣେ ବିଶ୍ୱାସୀ ଭାଇ ଅନ୍ୟ ବିଶ୍ୱାସୀ ଭାଇ ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରେ, ତାହା ପୁଣି, ଅବିଶ୍ୱାସୀମାନଙ୍କ ନିକଟରେ! 7ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରୁଅଛ, ସେଥିରେ ତୁମ୍ଭେମାନେ ନିତାନ୍ତ ଦୋଷୀ। ବରଂ କାହିଁକି ଅନ୍ୟାୟ ସହୁ ନାହଁ? ବରଂ କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ? 8କିନ୍ତୁ ତୁମ୍ଭେମାନେ ନିଜେ ନିଜେ ଅନ୍ୟାୟ ଓ କ୍ଷତି କରୁଅଛ, ପୁଣି, ତାହା ଭାଇମାନଙ୍କ ପ୍ରତି କରୁଅଛ। 9ଅବା, ଅଧାର୍ମିକମାନେ ଯେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଭ୍ରାନ୍ତ ହୁଅ ନାହିଁ, ବ୍ୟଭିଚାରୀ କି ପ୍ରତିମାପୂଜକ କି ପାରଦାରିକ କି ସ୍ତ୍ରୀବତ୍ ଆଚାରୀ 10କି ପୁଂମୈଥୁନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ, ଏମାନେ ଈଶ୍ବରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। 11ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ବରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ।
ପତ୍ର (ଭାବବାଦୀ ଏଲୀୟଙ୍କ ପାଇଁ)
10ହେ ଭାଇମାନେ, ଯେଉଁ ଭାବବାଦୀମାନେ ପ୍ରଭୁଙ୍କ ନାମରେ କଥା କହିଥିଲେ, ସେମାନଙ୍କୁ କ୍ଳେଶଭୋଗ ଓ ଧୈର୍ଯ୍ୟର ଦୃଷ୍ଟାନ୍ତ ସ୍ୱରୂପେ ଗ୍ରହଣ କର। 11ଦେଖ, ଯେଉଁମାନେ ସହିଷ୍ଣୁ ହୋଇ ରହିଥିଲେ, ଆମ୍ଭେମାନେ ସେମାନଙ୍କୁ ଧନ୍ୟ ବୋଲି କହିଥାଉ। ତୁମ୍ଭେମାନେ ଆୟୁବଙ୍କ ସହିଷ୍ଣୁତା ବିଷୟରେ ଶୁଣିଅଛ, ପୁଣି, ପ୍ରଭୁଙ୍କ ଶେଷ କାର୍ଯ୍ୟ ଦେଖି ଜାଣିଅଛ ଯେ, ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଅଟନ୍ତି। 12ବିଶେଷତଃ, ହେ ମୋହର ଭାଇମାନେ, ଶପଥ କର ନାହିଁ, ସ୍ୱର୍ଗର ଶପଥ ହେଉ ବା ପୃଥିବୀର ଶପଥ ହେଉ; ଅବା ଅନ୍ୟ କୌଣସି ଶପଥ ହେଉ; କିନ୍ତୁ ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ, ଯେପରି ତୁମ୍ଭେମାନେ ବିଚାରରେ ଦଣ୍ଡନୀୟ ନ ହୁଅ। 13ତୁମ୍ଭମାନଙ୍କ ମଧ୍ୟରେ କଅଣ କେହି ଦୁଃଖଭୋଗ କରୁଅଛି? ସେ ପ୍ରାର୍ଥନା କରୁ। କେହି କଅଣ ଆନନ୍ଦିତ ଅଟେ? ସେ ସ୍ତବଗାନ କରୁ। 14ତୁମ୍ଭମାନଙ୍କ ମଧ୍ୟରେ କଅଣ କେହି ପୀଡ଼ିତ? ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ। 15ବିଶ୍ୱାସଯୁକ୍ତ ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ, ପୁଣି, ପ୍ରଭୁ ତାହାକୁ ଉଠାଇବେ ଆଉ ଯଦି ସେ ପାପ କରିଥାଏ, ତାହାହେଲେ ତାହାକୁ କ୍ଷମା ଦିଆଯିବ। 16ଅତଏବ, ପରସ୍ପର ନିକଟରେ ଆପଣା ଆପଣାର ପାପ ସ୍ୱୀକାର କର, ପୁଣି, ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରିପାରେ। 17ଏଲୀୟ ଆମ୍ଭମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ ଥିଲେ; ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ, ଆଉ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ; 18ସେ ପୁନର୍ବାର ପ୍ରାର୍ଥନା କରନ୍ତେ ଆକାଶରୁ ବୃଷ୍ଟି ହେଲା, ଆଉ ଭୂମି ଆପଣା ଫଳ ଉତ୍ପନ୍ନ କଲା। 19ହେ ମୋହର ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଯଦି କେହି ସତ୍ୟ ପଥରୁ ଭ୍ରାନ୍ତ ହୁଏ, ପୁଣି, କେହି ତାହାକୁ ଫେରାଇ ଆଣେ, 20ତେବେ ଯେ ପାପୀକୁ ଭ୍ରାନ୍ତିପଥରୁ ଫେରାଇ ଆଣେ, ସେ ଯେ ତାହାର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରେ ଓ ବହୁତ ପାପ ଆଚ୍ଛାଦନ କରେ, ଏହା ଜାଣ।
ସୁସମାଚାର
54ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା? 55ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମାଆ ନାମ କଅଣ ମରୀୟମ ନୁହେଁ? ପୁଣି, ଏହାର ଭାଇମାନଙ୍କ ନାମ କଅଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ? 56ଆଉ, ଏହାର ଭଉଣୀମାନେ କଅଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ତେବେ ସେ ଏହିସବୁ କେଉଁଠୁ ପାଇଲା? 57ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।” 58ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ।
ସୁସମାଚାର (ଭାବବାଦୀ ଏଲୀୟଙ୍କ ପାଇଁ)
22ଆଉ, ସମସ୍ତେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲାଗିଲେ ଓ ତାହାଙ୍କ ମୁଖ ନିର୍ଗତ ଅନୁଗ୍ରହର ବାକ୍ୟରେ ଚମତ୍କୃତ ହେଲେ; ପୁଣି, ସେମାନେ କହିବାକୁ ଲାଗିଲେ, ଏ କଅଣ ଯୋଷେଫର ପୁତ୍ର ନୁହେଁ? 23ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନିଶ୍ଚୟ ମୋତେ ଏହି ପ୍ରବାଦବାକ୍ୟ କହିବ, ‘ହେ ବୈଦ୍ୟ, ନିଜେ ନିଜକୁ ସୁସ୍ଥ କର; କଫର୍ନାହୂମରେ ଯାହା ଯାହା ଘଟିଅଛି ବୋଲି ଆମ୍ଭେମାନେ ଶୁଣିଅଛୁ, ସେହିସବୁ ଏହି ସ୍ଥାନରେ ନିଜ ପିତାଙ୍କ ନଗରରେ ମଧ୍ୟ କର।’” 24ପୁଣି, ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କୌଣସି ଭାବବାଦୀ ନିଜ ପିତାଙ୍କ ନଗରରେ ଗ୍ରାହ୍ୟ ହୁଅନ୍ତି ନାହିଁ। 25କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏଲୀୟଙ୍କ ସମୟରେ ଯେତେବେଳେ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଆକାଶ ବନ୍ଦ ହେବାରୁ ସମସ୍ତ ଦେଶରେ ମହାଦୁର୍ଭିକ୍ଷ ପଡ଼ିଥିଲା, ସେତେବେଳେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ଥିଲେ; 26ତଥାପି ଏଲୀୟ ସେମାନଙ୍କର କାହାରି ନିକଟକୁ ପ୍ରେରିତ ନ ହୋଇ କେବଳ ସୀଦୋନ ଦେଶର ସାରିଫତକୁ ଜଣେ ବିଧବା ସ୍ତ୍ରୀ ନିକଟକୁ ପଠାଗଲେ। 27ପୁଣି, ଭାବବାଦୀ ଇଲୀଶାୟଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ କୁଷ୍ଠରୋଗୀମାନେ ଥିଲେ; ତଥାପି ସେମାନଙ୍କ ମଧ୍ୟରୁ କେହି ଶୁଚି କରାଯାଇ ନ ଥିଲେ, କେବଳ ସିରିୟା ଦେଶୀୟ ନାମାନ ଶୁଚି କରାଯାଇଥିଲେ।” 28ସମାଜଗୃହରେ ଏହିସବୁ କଥା ଶୁଣୁ ଶୁଣୁ ସମସ୍ତେ କ୍ରୋଧରେ ପରିପୂର୍ଣ୍ଣ ହେଲେ, 29ପୁଣି, ସେମାନେ ଉଠି ତାହାଙ୍କୁ ନଗରରୁ ବାହାର କରିଦେଲେ ଏବଂ ସେମାନଙ୍କର ନଗର ଯେଉଁ ପର୍ବତ ଉପରେ ସ୍ଥାପିତ ଥିଲା, ସେହି ପର୍ବତ ଉପରୁ ତଳକୁ ପକାଇଦେବା ନିମନ୍ତେ ତାହାକୁ ସେଠାକୁ ନେଇଗଲେ; 30କିନ୍ତୁ ସେ ସେମାନଙ୍କ ମଧ୍ୟ ଦେଇ ଗମନ କରି ଚାଲିଗଲେ।
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜୁଲାଇ 20 ନାଗରିକ ପଞ୍ଜିକାର ଅଗଷ୍ଟ 2। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର