Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 14

ଅର୍ଥୋଡକ୍ସ ପଞ୍ଜିକା · 1 ଜୁଲାଇ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 14 ଜୁଲାଇ 2027

ବୁଧବାର · ପେଣ୍ଟିକଷ୍ଟ ପରେ ଚତୁର୍ଥ ସପ୍ତାହ · ସ୍ୱର 2

ପର୍ବ ଓ ସନ୍ଥ

Holy Unmercenaries Cosmas and Damian, Martyrs at Rome († 284)

ଉପବାସ ଦିନ

ଉପବାସ: ତେଲ ସହିତ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ରୋମୀ 11:2–12

2ଈଶ୍ବର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାନ୍ତି; ଏଲୀୟଙ୍କ ବିବରଣରେ ଶାସ୍ତ୍ର କଅଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ବରଙ୍କଠାରେ ନିବେଦନ କରନ୍ତି, 3“ପ୍ରଭୁ, ସେମାନେ ତୁମ୍ଭର ଭାବବାଦୀମାନଙ୍କୁ ବଧ କରିଅଛନ୍ତି, ତୁମ୍ଭର ବେଦିଗୁଡ଼ିକ ଖୋଳି ପକାଇଅଛନ୍ତି, ଆଉ ମୁଁ ଏକାକୀ ଅବଶିଷ୍ଟ ରହିଅଛି, ପୁଣି, ସେମାନେ ମୋହର ପ୍ରାଣ ନେବାକୁ ଖୋଜୁଅଛନ୍ତି।” 4କିନ୍ତୁ ତାହାଙ୍କୁ ଈଶ୍ବର କଅଣ ଉତ୍ତର ଦିଅନ୍ତି? “ଯେଉଁମାନେ ଅନ୍ୟ ବାଆଲ୍ ଦେବତା ସମ୍ମୁଖରେ ଆଣ୍ଠୁ ପକାଇ ନାହାନ୍ତି, ଏପରି ସାତ ହଜାର ଲୋକ ଆମ୍ଭେ ଆପଣା ନିମନ୍ତେ ଅବଶିଷ୍ଟ ରଖିଅଛୁ।” 5ସେହିପରି ଏହି ବର୍ତ୍ତମାନ ସମୟରେ ମଧ୍ୟ ଅନୁଗ୍ରହର ନିର୍ବାଚନ ଅନୁସାରେ ଗୋଟିଏ ଅବଶିଷ୍ଟ ଅଂଶ ରହିଅଛି। 6କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ; ନୋହିଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ। 7ତେବେ କଅଣ? ଇସ୍ରାଏଲ ଯାହା ଖୋଜୁଅଛି, ତାହା ପାଇ ନାହିଁ; କିନ୍ତୁ ନିର୍ବାଚିତମାନେ ତାହା ପାଇଅଛନ୍ତି, ଆଉ ଅବଶିଷ୍ଟମାନେ ଜଡ଼ କରାଗଲେ; 8ଯେପରି ଲେଖାଅଛି, “ଈଶ୍ବର ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜଡ଼ତାର ଆତ୍ମା ଦେଇଅଛନ୍ତି, ଏପରି ଚକ୍ଷୁ ଦେଇଅଛନ୍ତି, ଯେପରି ସେମାନେ ଦେଖିବେ ନାହିଁ, ଆଉ ଏପରି କର୍ଣ୍ଣ ଦେଇଅଛନ୍ତି, ଯେପରି ସେମାନେ ଶୁଣିବେ ନାହିଁ।” 9ପୁଣି, ଦାଉଦ କହନ୍ତି, “ସେମାନଙ୍କର ଭୋଜନ ଫାନ୍ଦ ଓ ଫାଶ ପରି ହେଉ, ପୁଣି, ସେମାନଙ୍କ ପ୍ରତି ତାହା ବିଘ୍ନ ଓ ପ୍ରତିଶୋଧ ସ୍ୱରୂପ ହେଉ। 10ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍‍ଜା କରି ରଖ।” 11ତେବେ ମୁଁ ପଚାରେ, କଅଣ ଯିହୁଦୀମାନେ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ? ତାହା କେବେ ହେଁ ନ ହେଉ, ବରଂ ସେମାନଙ୍କୁ ଉଦ୍‍ଯୋଗୀ କରିବା ନିମନ୍ତେ ସେମାନଙ୍କ ପତନ ଦ୍ୱାରା ଅଣଯିହୁଦୀମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି। 12ଯଦି ସେମାନଙ୍କର ପତନ ଜଗତର ଧନ ସ୍ୱରୂପ, ଆଉ ସେମାନଙ୍କର ହ୍ରାସ ଅଣଯିହୁଦୀମାନଙ୍କ ଧନ ସ୍ୱରୂପ ହୋଇଅଛି, ତାହାହେଲେ ସେମାନଙ୍କ ପୂର୍ଣ୍ଣତା ଆହୁରି କେତେ ଅଧିକ ଧନ ସ୍ୱରୂପ ନ ହେବ!

ପତ୍ର (ସନ୍ଥ କସ୍ମାସ୍ ଓ ସନ୍ଥ ଡାମିଆନ୍‌ଙ୍କ ପାଇଁ)

ପ୍ର.କରି 12:27–13:8

27ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର, ଆଉ ଏକ ଏକ ଜଣ ଏକ ଏକ ଅଙ୍ଗ ସ୍ୱରୂପ। 28ପୁଣି, ଈଶ୍ବର ମଣ୍ଡଳୀରେ ପ୍ରଥମରେ ପ୍ରେରିତ, ଦ୍ୱିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ, ଏହିପରି ବିଭିନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରିଅଛନ୍ତି; ପରେ ଆଶ୍ଚର୍ଯ୍ୟର କାର୍ଯ୍ୟ, ତତ୍ପରେ ଆରୋଗ୍ୟ କରିବାର ଶକ୍ତି, ପରୋପକାରିତା, ପରିଚାଳନାର କ୍ଷମତା ଓ ବିଭିନ୍ନ ପରଭାଷା ଦାନ କରିଅଛନ୍ତି। 29ସମସ୍ତେ କି ପ୍ରେରିତ? ସମସ୍ତେ କି ଭାବବାଦୀ? ସମସ୍ତେ କି ଶିକ୍ଷକ? ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ? 30ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କି ପରଭାଷାରେ କଥା କହନ୍ତି? ସମସ୍ତେ କି ଭାଷାର ଅର୍ଥ କରନ୍ତି? 31କିନ୍ତୁ ଶ୍ରେଷ୍ଠ ଦାନସମସ୍ତ ପାଇବା ନିମନ୍ତେ ଏକାନ୍ତ ଚେଷ୍ଟା କର। ଅଧିକନ୍ତୁ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଉଅଛି। 13:1ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ ଠଣ୍ ଠଣ୍ ଶବ୍ଦକାରକ ପିତଳ ଘଣ୍ଟା କିମ୍ବା ଝମ୍‍ ଝମ୍‍ ଶବ୍ଦକାରୀ ଝାଞ୍ଜ ସ୍ୱରୂପ ହୋଇଅଛି। 2ଆଉ, ଯଦି ମୋହର ଭାବବାଣୀ କହିବାର ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶୀ ହୋଇଥାଏ, ପୁଣି, ପର୍ବତକୁ ସ୍ଥାନାନ୍ତର କରିବା ନିମନ୍ତେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ କିଛି ନୁହେଁ। 3ପୁଣି, ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, ପୁଣି, ଯଦି ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୋହର କିଛି ଲାଭ ନାହିଁ। 4ପ୍ରେମ ଦୀର୍ଘସହିଷ୍ଣୁ ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ଅହଙ୍କାର କରେ ନାହିଁ, 5ଅନୁଚିତ ବ୍ୟବହାର କରେ ନାହିଁ, ସ୍ୱାର୍ଥ ଚେଷ୍ଟା କରେ ନାହିଁ, ବିରକ୍ତ ହୁଏ ନାହିଁ, ଅପକାର ସ୍ମରଣରେ ରଖେ ନାହିଁ, 6ଅଧର୍ମରେ ଆନନ୍ଦ କରେ ନାହିଁ, କିନ୍ତୁ ସତ୍ୟରେ ଆନନ୍ଦ କରେ; 7ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ। 8ପ୍ରେମ କଦାପି ଶେଷ ହୁଏ ନାହିଁ; କିନ୍ତୁ ଯଦି ଭାବବାଣୀ ଥାଏ, ତାହା ଲୋପ ହେବ; ଯଦି ପରଭାଷା ଥାଏ, ସେହିସବୁ ନିବୃତ୍ତ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ହେବ।

ସୁସମାଚାର

ମାଥି 11:20–26

20ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ-ପରିବର୍ତ୍ତନ କରି ନ ଥିଲେ। 21“ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନ ସହରମାନଙ୍କରେ କରାଯାଇଥାଆନ୍ତା, ତେବେ ସେମାନେ ସମୟ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ। 22ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ସହନୀୟ ହେବ। 23ଆଉ ରେ କଫର୍ନାହୂମ, ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ, କାରଣ ତୋʼ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସଦୋମରେ କରାଯାଇଥାଆନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାଆନ୍ତା। 24ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୋର ଦଶା ଅପେକ୍ଷା ସଦୋମ ଦେଶର ଦଶା ସହନୀୟ ହେବ।” 25ସେହି ସମୟରେ ଯୀଶୁ ଉତ୍ତର ଦେଲେ, “ପିତଃ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି; 26ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।

ସୁସମାଚାର (ସନ୍ଥ କସ୍ମାସ୍ ଓ ସନ୍ଥ ଡାମିଆନ୍‌ଙ୍କ ପାଇଁ)

ମାଥି 10:1, 5–8

1ଇତିମଧ୍ୟରେ ସେ ଆପଣା ବାର ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ। 5ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଅଣଯିହୁଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ, 6ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ। 7ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର। 8ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଜୁଲାଇ 1 ନାଗରିକ ପଞ୍ଜିକାର ଜୁଲାଇ 14। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର