Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁଲାଇ 2027 › ଜୁଲାଇ 14

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 14 ଜୁଲାଇ 2027

ବୁଧବାର · ସାଧାରଣ କାଳର 15ତମ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର 15ତମ ସପ୍ତାହର ବୁଧବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ସନ୍ଥ କାମିଲସ୍ ଡି ଲେଲିସ୍, ପୁରୋହିତ · ଇଚ୍ଛାଧୀନ ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଯାତ୍ରା 3:1–6, 9–12

1ସେହି ସମୟରେ ମୋଶା ଆପଣା ଶ୍ୱଶୁର ଯିଥ୍ରୋ ନାମକ ମିଦୀୟନୀୟ ଯାଜକଙ୍କର ମେଷପଲ ଚରାଉଥିଲେ; ଦିନକରେ ସେ ପ୍ରାନ୍ତରର ପଶ୍ଚାଦ୍‍ ଭାଗରେ ମେଷପଲ ଘେନି ହୋରେବ ନାମକ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେଲେ। 2ଏଥିରେ ଗୋଟିଏ ବୁଦା ମଧ୍ୟରୁ ଅଗ୍ନିଶିଖାରେ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଦର୍ଶନ ଦେଲେ; ତହୁଁ ସେ ଅନାଇଲେ, ଆଉ ଦେଖ, ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉ ନାହିଁ। 3ତେଣୁ ମୋଶା କହିଲେ, “ମୁଁ ଏକ ପାଖକୁ ଯାଇ ଏହି ମହାଶ୍ଚର୍ଯ୍ୟ ବିଷୟ ଦେଖିବି, ବୁଦାଟା କାହିଁକି ଦଗ୍ଧ ହେଉ ନାହିଁ।” 4ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ, ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଅଛନ୍ତି, ସେତେବେଳେ ପରମେଶ୍ୱର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, “ହେ ମୋଶା, ହେ ମୋଶା।” ତହିଁରେ ସେ କହିଲେ, “ଏହି ଦେଖନ୍ତୁ, ମୁଁ ଉପସ୍ଥିତ ଅଛି।” 5ତହୁଁ ସେ କହିଲେ, “ତୁମ୍ଭେ ଏ ସ୍ଥାନର ନିକଟବର୍ତ୍ତୀ ହୁଅ ନାହିଁ, ତୁମ୍ଭ ପାଦରୁ ପାଦୁକା କାଢ଼; କାରଣ ତୁମ୍ଭେ ଯେଉଁ ସ୍ଥାନରେ ଛିଡ଼ା ହେଉଅଛ, ତାହା ପବିତ୍ର ଭୂମି।” 6ସେ ଆହୁରି କହିଲେ, “ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ୱର, ଅର୍ଥାତ୍‍, ଅବ୍ରହାମର ପରମେଶ୍ୱର ଓ ଇସ୍‌ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର।” ତହିଁରେ ମୋଶା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ। 9ଯେହେତୁ ଦେଖ, ଇସ୍ରାଏଲ-ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହୋଇଅଛି; ଆହୁରି ମିସରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଅତ୍ୟାଚାର ବ୍ୟବହାର କରନ୍ତି, ତାହା ଆମ୍ଭେ ଦେଖିଅଛୁ। 10ଏଣୁ ଏବେ ଆସ, ଆମ୍ଭେ ତୁମ୍ଭକୁ ଫାରୋ ନିକଟକୁ ପ୍ରେରଣ କରିବା, ତୁମ୍ଭେ ମିସରଠାରୁ ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବ।” 11ତହିଁରେ ମୋଶା ପରମେଶ୍ୱରଙ୍କୁ କହିଲେ, “ମୁଁ କିଏ ଯେ, ଫାରୋଙ୍କ ନିକଟକୁ ଯାଇ ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବି?” 12ତହୁଁ ସେ କହିଲେ, “ଆମ୍ଭେ ଅବଶ୍ୟ ତୁମ୍ଭର ସହବର୍ତ୍ତୀ ହେବା; ପୁଣି, ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କଲୁ, ତହିଁର ଏକ ଚିହ୍ନ ଜାଣିବ, ତୁମ୍ଭେ ମିସରରୁ ଲୋକସମୂହ ବାହାର କରି ଆଣିଲା ଉତ୍ତାରେ ତୁମ୍ଭେମାନେ ଏହି ପର୍ବତରେ ପରମେଶ୍ୱରଙ୍କର ସେବା କରିବ।”

ପ୍ରତିଉତ୍ତର ଗୀତ

ଗୀତ 103:1–4, 6–7

1ଦାଉଦଙ୍କର ଗୀତ। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର; ହେ ମୋହର ଅନ୍ତରସ୍ଥ ସମସ୍ତ, ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। 2ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ; 3ସେ ତୁମ୍ଭର ଅଧର୍ମସବୁ କ୍ଷମା କରନ୍ତି; ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି; 4ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି; ସେ ସ୍ନେହପୂର୍ଣ୍ଣ କରୁଣା ଓ ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି; 6ସଦାପ୍ରଭୁ ଧର୍ମକର୍ମ ସାଧନ କରନ୍ତି ଓ ଉପଦ୍ରବଗ୍ରସ୍ତ ସମସ୍ତଙ୍କ ପକ୍ଷରେ ସୁବିଚାର ନିଷ୍ପତ୍ତି କରନ୍ତି। 7ସେ ମୋଶାଙ୍କୁ ଆପଣା ପଥ ଓ ଇସ୍ରାଏଲ-ସନ୍ତାନଗଣକୁ ଆପଣା କ୍ରିୟାସବୁ ଜଣାଇଲେ।

ସୁସମାଚାର

ମାଥି 11:25–27

25ସେହି ସମୟରେ ଯୀଶୁ ଉତ୍ତର ଦେଲେ, “ପିତଃ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି; 26ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା। 27ମୋହର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର