Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜୁନ 2027 › ଜୁନ 10

ଅର୍ଥୋଡକ୍ସ ପଞ୍ଜିକା · 28 ମଇ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 10 ଜୁନ 2027

ଗୁରୁବାର · ପାସ୍କାର ଷଷ୍ଠ ସପ୍ତାହ · ସ୍ୱର 5

ପର୍ବ ଓ ସନ୍ଥ

ପ୍ରଭୁଙ୍କ ସ୍ୱର୍ଗାରୋହଣ

ଉପବାସ

ଉପବାସ ନାହିଁ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଶା 2:2–3

2ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। 3ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, “ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।” କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଶା 62:10–63:3, 7–9

10ତୁମ୍ଭେମାନେ ଅଗ୍ରସର ହୁଅ, ନଗର-ଦ୍ୱାର ମଧ୍ୟଦେଇ ଅଗ୍ରସର ହୁଅ; ଲୋକମାନଙ୍କର ପଥ ପ୍ରସ୍ତୁତ କର; ଉଚ୍ଚ କର, ରାଜପଥ ଉଚ୍ଚ କର; ପ୍ରସ୍ତରସବୁ ବାହାର କରି ସଂଗ୍ରହ କର; ଗୋଷ୍ଠୀସମୂହ ନିମନ୍ତେ ଏକ ଧ୍ୱଜା ଉଠାଅ। 11ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, “ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି, ଦେଖ, ତାହାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।” 12ପୁଣି, ଲୋକମାନେ ସେମାନଙ୍କୁ ପବିତ୍ର ଲୋକ, ସଦାପ୍ରଭୁଙ୍କର ମୁକ୍ତ ବୋଲି ଡାକିବେ, ଆଉ, ତୁମ୍ଭେ ଅନ୍ୱେଷିତା, ଅପରିତ୍ୟକ୍ତା ନଗରୀ ବୋଲି ଖ୍ୟାତ ହେବ। 63:1ଇଦୋମରୁ ରଙ୍ଗୀକୃତ ବସ୍ତ୍ର ପିନ୍ଧି ବସ୍ରାରୁ ଏ ଯେ ଆସୁଅଛନ୍ତି, ସେ କିଏ? ଆପଣା ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ ଓ ଆପଣା ମହାଶକ୍ତିରେ ବିଜେ କରୁଅଛନ୍ତି ଯେ ଏ, ସେ କିଏ? “ଆମ୍ଭେ ଯେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।” 2ଆପଣଙ୍କର ପରିଧେୟ ବସ୍ତ୍ର ରକ୍ତବର୍ଣ୍ଣ ଓ କୁଣ୍ଡରେ ଦ୍ରାକ୍ଷାମର୍ଦ୍ଦନକାରୀର ବସ୍ତ୍ର ପରି କାହିଁକି? 3“ଆମ୍ଭେ ଏକାକୀ ଦ୍ରାକ୍ଷାମର୍ଦ୍ଦନ କରିଅଛୁ ଓ ଲୋକମାନଙ୍କ ମଧ୍ୟରୁ ଆମ୍ଭ ସଙ୍ଗେ କେହି ନ ଥିଲା; ଆମ୍ଭେ ଆପଣା କ୍ରୋଧରେ ସେମାନଙ୍କୁ ଦଳନ କଲୁ ଓ ଆପଣା କୋପରେ ସେମାନଙ୍କୁ ମର୍ଦ୍ଦନ କଲୁ; ଏଣୁ ସେମାନଙ୍କ ପ୍ରାଣରକ୍ତର ଛିଟା ଆମ୍ଭ ବସ୍ତ୍ରରେ ପଡ଼ିଲା ଓ ଆମ୍ଭେ ଆପଣାର ପରିହିତ ବସ୍ତ୍ରସବୁ ଦାଗଯୁକ୍ତ କରିଅଛୁ। 7ଆମ୍ଭେ ସଦାପ୍ରଭୁଙ୍କର ସ୍ନେହପୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେଉଁସବୁ ଉପକାର କରିଅଛନ୍ତି, ପୁଣି ଆପଣାର ନାନାବିଧ ଦୟା ଓ ପ୍ରଚୁର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ଇସ୍ରାଏଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସାରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା କୀର୍ତ୍ତନ କରିବା। 8କାରଣ ସେ କହିଲେ, ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁମାନେ ଅସତ୍ୟ ବ୍ୟବହାର ନ କରିବେ, ଏପରି ସନ୍ତାନ ଅଟନ୍ତି; ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ। 9ସେମାନଙ୍କର ସବୁ ଦୁଃଖରେ ସେ ଦୁଃଖିତ ହେଲେ ଓ ତାହାଙ୍କର ଶ୍ରୀମୁଖ ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ; ସେ ଆପଣା ପ୍ରେମ ଓ ଆପଣା ଦୟାରେ ସେମାନଙ୍କୁ ମୁକ୍ତ କଲେ ଓ ପୁରାତନ କାଳର ସମସ୍ତ ଦିନ ସେମାନଙ୍କୁ ବହନ କଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିଖ 14:1, 4, 8–11

1ଦେଖ, ସଦାପ୍ରଭୁଙ୍କର ଏକ ଦିନ ଆସୁଅଛି, ସେହି ସମୟରେ ତୁମ୍ଭ ସମ୍ପତ୍ତି ତୁମ୍ଭ ମଧ୍ୟରେ ବିଭକ୍ତ କରାଯିବ। 4ପୁଣି, ସେହି ଦିନ ପୂର୍ବ ଦିଗରେ ଯିରୂଶାଲମର ସମ୍ମୁଖସ୍ଥ ଜୈତୁନ ପର୍ବତରେ ତାହାଙ୍କର ଚରଣ ଥୁଆ ହେବ ଓ ଜୈତୁନ ପର୍ବତର ମଧ୍ୟଦେଶ ପୂର୍ବ ଓ ପଶ୍ଚିମ ଦିଗରେ ବିଦୀର୍ଣ୍ଣ ହୋଇ ଅତି ବୃହତ ଏକ ଉପତ୍ୟକା ହେବ; ଆଉ, ପର୍ବତର ଅର୍ଦ୍ଧେକ ଉତ୍ତର ଦିଗ ଆଡ଼େ ଓ ଅର୍ଦ୍ଧେକ ଦକ୍ଷିଣ ଦିଗ ଆଡ଼େ ଘୁଞ୍ଚିଯିବ। 8ପୁଣି, ସେହି ଦିନ ଯିରୂଶାଲମରୁ ଅମୃତ ଜଳ ନିର୍ଗତ ହେବ; ତହିଁର ଅର୍ଦ୍ଧେକ ପୂର୍ବ ସମୁଦ୍ର ଆଡ଼େ ଓ ଅର୍ଦ୍ଧେକ ପଶ୍ଚିମ ସମୁଦ୍ର ଆଡ଼େ ଯିବ; ଗ୍ରୀଷ୍ମକାଳରେ ଓ ଶୀତକାଳରେ ତାହା ରହିବ। 9ଆଉ, ସଦାପ୍ରଭୁ ସମୁଦାୟ ପୃଥିବୀ ଉପରେ ରାଜା ହେବେ; ସେହି ଦିନ ସଦାପ୍ରଭୁ ଅଦ୍ୱିତୀୟ ହେବେ ଓ ତାହାଙ୍କର ନାମ ଅଦ୍ୱିତୀୟ ହେବ। 10ଗେବାଠାରୁ ଯିରୂଶାଲମର ଦକ୍ଷିଣସ୍ଥ ରିମ୍ମୋନ୍‍ ପର୍ଯ୍ୟନ୍ତ ସମସ୍ତ ଦେଶ ଆରବା ତୁଲ୍ୟ ପରିବର୍ତ୍ତିତ ହେବ; ଆଉ, ନଗର ଉନ୍ନତ ହୋଇ ବିନ୍ୟାମୀନ୍‍ର ଦ୍ୱାରଠାରୁ ପ୍ରଥମ ଦ୍ୱାରର ସ୍ଥାନ, ଅର୍ଥାତ୍‍, କୋଣର ଦ୍ୱାର ପର୍ଯ୍ୟନ୍ତ ଓ ହନନେଲର ଦୁର୍ଗଠାରୁ ରାଜାର ଦ୍ରାକ୍ଷାଯନ୍ତ୍ର ପର୍ଯ୍ୟନ୍ତ ଆପଣା ସ୍ଥାନରେ ବାସ କରିବ। 11ପୁଣି, ମନୁଷ୍ୟମାନେ ତହିଁ ମଧ୍ୟରେ ବାସ କରିବେ, ପୁଣି ଅଭିଶାପ ଆଉ ରହିବ ନାହିଁ; ମାତ୍ର ଯିରୂଶାଲମ ନିରାପଦରେ ବାସ କରିବ।

ପ୍ରଭାତୀ ପ୍ରାର୍ଥନା: ସୁସମାଚାର

ମାର୍କ 16:9–20

9[ସପ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ଯୀଶୁ ପୁନରୁତ୍ଥାନ କରି, ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍‌ଦଲୀନୀ ମରୀୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ। 10ସେ ଯାଇ, ଯେଉଁମାନେ ତାହାଙ୍କ ସଙ୍ଗୀ ହୋଇଥିଲେ, ସେମାନଙ୍କୁ ସମ୍ବାଦ ଦେଲେ; ସେମାନେ ଶୋକ ଓ ରୋଦନ କରୁଥିଲେ। 11ଯୀଶୁ ଯେ ଜୀବିତ ଅଟନ୍ତି ଓ ତାହାଙ୍କୁ ଦର୍ଶନ ଦେଇଅଛନ୍ତି, ଏହା ଶୁଣି ସେମାନେ ବିଶ୍ୱାସ କଲେ ନାହିଁ। 12ଏହି ସମସ୍ତ ଘଟଣା ଉତ୍ତାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୋଟିଏ ପଲ୍ଲୀଗ୍ରାମକୁ ଯାଉଥିବା ସମୟରେ ସେ ଅନ୍ୟ ରୂପରେ ସେମାନଙ୍କୁ ଦର୍ଶନ ଦେଲେ, 13ପୁଣି, ସେମାନେ ଯାଇ ଅନ୍ୟମାନଙ୍କୁ ସମ୍ବାଦ ଦେଲେ; କିନ୍ତୁ ସେମାନଙ୍କ କଥା ସୁଦ୍ଧା ସେମାନେ ବିଶ୍ୱାସ କଲେ ନାହିଁ। 14ଏଥିଉତ୍ତାରେ ଏଗାର ଜଣ ଶିଷ୍ୟମାନେ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ୱାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ, କାରଣ ଯେଉଁମାନେ ତାହାଙ୍କୁ ପୁନରୁତ୍ଥିତ ଦେଖିଲେ, ସେମାନଙ୍କ କଥା ସେମାନେ ବିଶ୍ୱାସ କରି ନ ଥିଲେ। 15ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର। 16ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ। 17ଆଉ ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, 18ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ।” 19ଏହି ରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ। 20କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।]

ପତ୍ର

ପ୍ରେରି 1:1–12

1ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ, 2ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟଗୁଡ଼ିକୁ ମୁଁ ପ୍ରଥମ ପୁସ୍ତକରେ ଲେଖିଅଛି। 3ଯୀଶୁ ଆପଣା ଦୁଃଖଭୋଗ ଉତ୍ତାରେ ମଧ୍ୟ ଅନେକ ପ୍ରମାଣ ଦ୍ୱାରା ପ୍ରେରିତମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ। 4ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ଯିରୂଶାଲମ ସହରରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋʼଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ; 5କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।” 6ଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; “ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି?” 7ସେ ସେମାନଙ୍କୁ କହିଲେ, “ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତା ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ। 8କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦିୟା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ।” 9ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା। 10ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, 11ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ। 12ଏହାପରେ ସେମାନେ ଜୀତ ନାମକ ପର୍ବତରୁ ଯିରୂଶାଲମ ସହରକୁ ବାହୁଡ଼ି ଆସିଲେ। ସେହି ପର୍ବତ ଯିରୂଶାଲମ ପାଖରେ, ଗୋଟିଏ ବିଶ୍ରାମବାରର ବାଟ ଦୂରରେ ଥିଲା।

ସୁସମାଚାର

ଲୂକ 24:36–53

36କିନ୍ତୁ ସେମାନେ ଏହିସବୁ କଥା କହୁଥିବା ସମୟରେ ସେ ଆପେ ଏମାନଙ୍କ ମଧ୍ୟରେ ଉପସ୍ଥିତ ହେଲେ, ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ବର୍ତ୍ତୁ।” 37ମାତ୍ର ସେମାନେ ଆତଙ୍କିତ ଓ ଭୀତ ହୋଇ ଗୋଟିଏ ଭୂତ ଦେଖୁଅଛନ୍ତି ବୋଲି ମନେ କଲେ। 38ସେଥିରେ ସେ ସେମାନଙ୍କୁ କହିଲେ, “କାହିଁକି ଉଦ୍‌ବିଗ୍ନ ହେଉଅଛ, ପୁଣି, ତୁମ୍ଭମାନଙ୍କ ମନରେ କାହିଁକି ତର୍କବିତର୍କ ଉଠୁଅଛି? 39ଏ ଯେ ସ୍ୱୟଂ ମୁଁ, ମୋହର ହାତ ଓ ପାଦ ଦେଖ, ମୋତେ ସ୍ପର୍ଶ କରି ଦେଖ, କାରଣ ମୋହର ଯେପରି ମାଂସ ଓ ଅସ୍ଥି ଥିବାର ତୁମ୍ଭେମାନେ ଦେଖୁଅଛ, ଭୂତର ସେପରି ନାହିଁ।” 40[ଆଉ ସେ ଏହା କହି ସେମାନଙ୍କୁ ଆପଣା ହାତ ଓ ପାଦ ଦେଖାଇଲେ।] 41ତେବେ ମଧ୍ୟ ସେମାନେ ଆନନ୍ଦ ହେତୁ ଅବିଶ୍ୱାସ କରି ଚମତ୍କୃତ ହେବାରୁ ସେ ସେମାନଙ୍କୁ ପଚାରିଲେ, “ଏଠାରେ ତୁମ୍ଭମାନଙ୍କ ପାଖରେ କଅଣ ଖାଦ୍ୟ ଅଛି?” 42ସେଥିରେ ସେମାନେ ତାହାଙ୍କୁ ଖଣ୍ଡେ ଭଜା ମାଛ ଦେଲେ। 43ଆଉ, ସେ ତାହା ଘେନି ସେମାନଙ୍କ ସାକ୍ଷାତରେ ଭୋଜନ କଲେ। 44ପୁଣି, ସେ ସେମାନଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ ଏବଂ ଭାବବାଦୀମାନଙ୍କ ଓ ଗୀତସଂହିତା ଧର୍ମଶାସ୍ତ୍ରରେ ମୋʼ ବିଷୟରେ ଯାହା ଯାହା ଲେଖାଅଛି, ସେହିସବୁ ସଫଳ ହେବା ଆବଶ୍ୟକ, ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ତୁମ୍ଭମାନଙ୍କୁ ଏହି ସମସ୍ତ କଥା କହିଥିଲି।” 45ସେତେବେଳେ ସେମାନେ ଯେପରି ଧର୍ମଶାସ୍ତ୍ର ବୁଝି ପାରନ୍ତି, ସେଥିପାଇଁ ସେ ସେମାନଙ୍କର ମନ ଉନ୍ମୁକ୍ତ କଲେ; 46ଆଉ ସେମାନଙ୍କୁ କହିଲେ, “ଏହି ପ୍ରକାରେ ଲେଖାଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ ହେବେ, 47ପୁଣି, ଯିରୂଶାଲମ ସହରରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। 48ତୁମ୍ଭେମାନେ ଏହି ସମସ୍ତ ବିଷୟର ସାକ୍ଷୀ ଅଟ 49ଆଉ ଦେଖ, ମୋହର ପିତା ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ମୁଁ ତୁମ୍ଭମାନଙ୍କ ନିକଟକୁ ପଠାଉଅଛି, କିନ୍ତୁ ଊର୍ଦ୍ଧ୍ୱରୁ ଶକ୍ତି ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି ନଗରରେ ରହିଥାଅ।” 50ତତ୍ପରେ ସେ ସେମାନଙ୍କୁ ବେଥନୀୟାକୁ ଯିବା ବାଟ ପର୍ଯ୍ୟନ୍ତ ଘେନିଗଲେ ଓ ଆପଣା ହାତ ତୋଳି ସେମାନଙ୍କୁ ଆଶୀର୍ବାଦ କଲେ। 51ପୁଣି, ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେ ସେମାନଙ୍କଠାରୁ ଅଲଗା ହୋଇ ସ୍ୱର୍ଗକୁ ନୀତ ହେଲେ। 52ଆଉ ସେମାନେ ତାହାଙ୍କୁ ପ୍ରଣାମ କରି ମହାନନ୍ଦରେ ଯିରୂଶାଲମ ସହରକୁ ବାହୁଡ଼ିଗଲେ, 53ପୁଣି, ସର୍ବଦା ମନ୍ଦିରରେ ରହି ଈଶ୍ବରଙ୍କ ସ୍ତବ କରିବାକୁ ଲାଗିଲେ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମଇ 28 ନାଗରିକ ପଞ୍ଜିକାର ଜୁନ 10। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର