Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମଇ 2027 › ମଇ 6

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 6 ମଇ 2027

ଗୁରୁବାର · ପାସ୍କା କାଳର ଷଷ୍ଠ ସପ୍ତାହ

ପର୍ବ ଓ ସନ୍ଥ

ପ୍ରଭୁଙ୍କ ସ୍ୱର୍ଗାରୋହଣ

ମହାପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ପ୍ରେରି 1:1–11

1ହେ ଥୀୟଫିଲ, ଯେଉଁ ଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱକୁ ନିଆଗଲେ, 2ସେହି ଦିନ ପର୍ଯ୍ୟନ୍ତ ସେ ଯେଉଁ ସବୁ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେହି ସମସ୍ତ ବିଷୟଗୁଡ଼ିକୁ ମୁଁ ପ୍ରଥମ ପୁସ୍ତକରେ ଲେଖିଅଛି। 3ଯୀଶୁ ଆପଣା ଦୁଃଖଭୋଗ ଉତ୍ତାରେ ମଧ୍ୟ ଅନେକ ପ୍ରମାଣ ଦ୍ୱାରା ପ୍ରେରିତମାନଙ୍କ ନିକଟରେ ନିଜକୁ ଜୀବିତ ଦେଖାଇଲେ, ପୁଣି, ଚାଳିଶ ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ବରଙ୍କ ରାଜ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ କହିଲେ। 4ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, “ତୁମ୍ଭେମାନେ ଯିରୂଶାଲମ ସହରରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋʼଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ; 5କାରଣ ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ।” 6ଅତଏବ, ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ; “ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି?” 7ସେ ସେମାନଙ୍କୁ କହିଲେ, “ଯେଉଁ ସମସ୍ତ କାଳ କି ସମୟ ପିତା ଆପଣା କ୍ଷମତା ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କ ଜାଣିବା ବିଷୟ ନୁହେଁ। 8କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦିୟା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ।” 9ସେ ଏହି ସମସ୍ତ କଥା କହିବା ପରେ, ସେମାନେ ଦେଖୁ ଦେଖୁ ସେ ଊର୍ଦ୍ଧ୍ୱକୁ ନୀତ ହେଲେ, ଆଉ ଖଣ୍ଡେ ମେଘ ତାହାଙ୍କୁ ସେମାନଙ୍କ ଦୃଷ୍ଟିଗୋଚରରୁ ଘେନିଗଲା। 10ସେ ଯାଉ ଯାଉ ସେମାନେ ଆକାଶ ଆଡ଼କୁ ଏକଦୃଷ୍ଟିରେ ଚାହିଁଅଛନ୍ତି; ଏପରି ସମୟରେ, ଦେଖ, ଶୁକ୍ଳ ବସ୍ତ୍ର ପରିହିତ ଦୁଇ ଜଣ ପୁରୁଷ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, 11ପୁଣି, ସେମାନେ କହିଲେ, ହେ ଗାଲିଲୀୟ ଲୋକେ, କାହିଁକି ତୁମ୍ଭେମାନେ ଆକାଶ ଆଡ଼କୁ ଚାହିଁ ଠିଆ ହୋଇଅଛ? ଏହି ଯେଉଁ ଯୀଶୁ ତୁମ୍ଭମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ, ତାହାଙ୍କୁ ତୁମ୍ଭେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ, ସେ ସେହି ପ୍ରକାରେ ଆଗମନ କରିବେ।

ପ୍ରତିଉତ୍ତର ଗୀତ

ଗୀତ 47:1–2, 5–8

1ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦ-ସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। 2କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା। 5ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି। 6ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପ୍ରଶଂସା ଗାନ କର; ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପ୍ରଶଂସା ଗାନ କର। 7କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସା ଗାନ କର। 8ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ।

ଦ୍ୱିତୀୟ ପାଠ

ଏଫି 4:1–13

1ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର, 2ଅର୍ଥାତ୍‍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ; 3ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ। 4ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୂତ ହୋଇଅଛ; 5ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ବର ଓ ପିତା; 6ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି। 7କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦିଆଯାଇଅଛି। 8ଏଥିନିମନ୍ତେ ଉକ୍ତ ଅଛି, “ସେ ଊର୍ଦ୍ଧ୍ୱକୁ ଆରୋହଣ କରି, ବନ୍ଦୀମାନଙ୍କୁ ବନ୍ଦୀ କରି ନେଇଗଲେ, ଆଉ ମନୁଷ୍ୟମାନଙ୍କୁ ନାନା ବରଦାନ ଦେଲେ।” 9(ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଅଣ? ନା, ସେ ମଧ୍ୟ ନୀଚସ୍ଥ ପୃଥିବୀକୁ ଅବତରଣ କରିଥିଲେ। 10ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ମଧ୍ୟ ଆରୋହଣ କଲେ।) 11ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି, 12ଯେପରି ସାଧୁମାନେ ସେବାକାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ, 13ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ବରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍‍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ,

ସୁସମାଚାର

ମାର୍କ 16:15–20

15ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର। 16ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ। 17ଆଉ ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, 18ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ।” 19ଏହି ରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ। 20କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।]

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର