ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 18
ଅର୍ଥୋଡକ୍ସ ପଞ୍ଜିକା · 5 ଅପ୍ରେଲ (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 18 ଅପ୍ରେଲ 2027
ରବିବାର · ସ୍ୱର 5
ପର୍ବ ଓ ସନ୍ଥ
ମହା ଉପବାସର ପଞ୍ଚମ ରବିବାର
ମହା ଉପବାସ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପ୍ରଭାତୀ ପ୍ରାର୍ଥନାର ଦ୍ୱିତୀୟ ସୁସମାଚାର
1ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧିଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି। 2ପୁଣି, ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଲା। 3ସେମାନେ ପରସ୍ପରକୁ କହୁଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି-ଦ୍ୱାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା। 4ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି। 5ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହେଲେ। 6ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ। 7କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି; ଯୀଶୁ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ। 8ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ଆଶ୍ଚର୍ଯ୍ୟ ହୋଇଥିଲେ, ପୁଣି, କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ।
ପତ୍ର
11କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ, 12ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। 13କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ, 14ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ବରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ!
ପତ୍ର (ସନ୍ଥ ମରୀୟମଙ୍କ ପାଇଁ)
23ମାତ୍ର ସେହି ବିଶ୍ୱାସ ଆସିବା ପୂର୍ବେ, ପ୍ରକାଶିତ ହେବାକୁ ଯାଉଥିବା ସେହି ବିଶ୍ୱାସ ପ୍ରାପ୍ତି ଉଦ୍ଦେଶ୍ୟରେ, ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ବନ୍ଦୀ ହୋଇ ରକ୍ଷିତ ହେଉଥିଲୁ। 24ଏହି ପ୍ରକାରେ ବିଶ୍ୱାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ମୋଶାଙ୍କ ବ୍ୟବସ୍ଥା ଆମ୍ଭମାନଙ୍କର ଶିକ୍ଷକ ସ୍ୱରୂପ ହୋଇଥିଲା। 25କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧୀନରେ ନାହୁଁ। 26କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ବରଙ୍କର ସନ୍ତାନ ହୋଇଅଛ; 27ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ। 28ଯିହୁଦୀ କି ଗ୍ରୀକ୍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ। 29ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ।
ସୁସମାଚାର
32ସେମାନେ ଯିରୂଶାଲମ ସହରକୁ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଥିଲେ ଓ ଯୀଶୁ ସେମାନଙ୍କ ଆଗେ ଆଗେ ଯାଉଥିଲେ, ଆଉ ଶିଷ୍ୟମାନେ ବିସ୍ମୟାନ୍ୱିତ ଓ ପଛରେ ଆସୁଥିବା ଲୋକେ ଭୀତ ହୋଇଥିଲେ। ଏଣୁ ସେ ପୁନର୍ବାର ବାର ଶିଷ୍ୟଙ୍କୁ ଅନ୍ତର କରି, ତାହାଙ୍କ ପ୍ରତି ଯାହା ଯାହା ଘଟିବାକୁ ଯାଉଅଛି, ସେହିସବୁ ସେମାନଙ୍କୁ ଜଣାଇବାକୁ ଲାଗିଲେ। 33ଯୀଶୁ କହିଲେ, “ଦେଖ, ଆମ୍ଭେମାନେ ଯିରୂଶାଲମ ସହରକୁ ଯାତ୍ରା କରୁଅଛୁ; ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ, ଆଉ ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଦେଶ ଦେଇ ଅଣଯିହୁଦୀମାନଙ୍କ ହସ୍ତରେ ସମର୍ପଣ କରିବେ, 34ପୁଣି, ଶାସ୍ତ୍ରୀମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ ତିନି ଦିନ ପରେ ସେ ପୁନରୁତ୍ଥିତ ହେବେ।” 35ପରେ ଜେବଦୀଙ୍କ ପୁତ୍ରମାନେ ଯାକୁବ ଓ ଯୋହନ ତାହାଙ୍କ ଛାମୁକୁ ଆସି କହିଲେ, ହେ ଗୁରୁ, ଆମ୍ଭମାନଙ୍କର ଇଚ୍ଛା ଯେ, ଆମ୍ଭେମାନେ ଆପଣଙ୍କଠାରୁ ଯାହା କିଛି ମାଗିବୁ, ତାହା ଆମ୍ଭମାନଙ୍କ ପାଇଁ ଆପଣ କରନ୍ତୁ। 36ତହୁଁ ସେ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ?” 37ସେମାନେ ତାହାଙ୍କୁ କହିଲେ, ଆପଣ ମହିମାପ୍ରାପ୍ତ ହେଲେ ଯେପରି ଆମ୍ଭମାନଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣକ ବାମ ପାର୍ଶ୍ୱରେ ବସିବ, ଆମ୍ଭମାନଙ୍କୁ ଏହି ବର ଦିଅନ୍ତୁ। 38କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ। ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ସେଥିରେ କି ତୁମ୍ଭେମାନେ ପାନ କରିପାର? ଅବା ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ସେଥିରେ କି ତୁମ୍ଭେମାନେ ବାପ୍ତିଜିତ ହୋଇପାର?” 39ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପାରୁ। ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ତୁମ୍ଭେମାନେ ସେଥିରେ ପାନ କରିବ, ପୁଣି, ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ତୁମ୍ଭେମାନେ ସେଥିରେ ବାପ୍ତିଜିତ ହେବ; 40କିନ୍ତୁ ମୋହର ଦକ୍ଷିଣ ଅବା ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ।” 41ଅନ୍ୟ ଦଶ ଜଣ ଏହା ଶୁଣି ଯାକୁବ ଓ ଯୋହନଙ୍କ ଉପରେ ବିରକ୍ତ ହେବାକୁ ଲାଗିଲେ। 42ସେଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, “ଯେଉଁମାନେ ଅଣଯିହୁଦୀମାନଙ୍କର ଶାସନକର୍ତ୍ତା ରୂପେ ଗଣିତ, ସେମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ଅଣଯିହୁଦୀମାନଙ୍କର ମହାନ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ଏହା ତୁମ୍ଭେମାନେ ଜାଣ। 43କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ; ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ, 44ପୁଣି, ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ଦାସ ହେଉ। 45କାରଣ ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି।”
ସୁସମାଚାର (ସନ୍ଥ ମରୀୟମଙ୍କ ପାଇଁ)
36ଆଉ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ। ସେଥିରେ ସେ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ। 37ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି, 38ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା। 39ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା। 40ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି।” ସେ କହିଲେ, ଗୁରୁ, କୁହନ୍ତୁ। 41“ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଦିନର ମଜୁରୀ ସମାନ ମୂଲ୍ୟ ଓ ଆଉ ଜଣେ ପଚାଶ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିଲା। 42ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ?” 43ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ। ସେ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ବିଚାର କଲ।” 44ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, “ଏହି ସ୍ତ୍ରୀକୁ ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋହର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା। 45ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ? କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ। 46ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା। 47ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ।” 48ଆଉ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ପାପସବୁ କ୍ଷମା ହୋଇଅଛି।” 49ସେଥିରେ ତାହାଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ? 50କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ଅପ୍ରେଲ 5 ନାଗରିକ ପଞ୍ଜିକାର ଅପ୍ରେଲ 18। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର