Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 11

ଅର୍ଥୋଡକ୍ସ ପଞ୍ଜିକା · 29 ମାର୍ଚ୍ଚ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 11 ଅପ୍ରେଲ 2027

ରବିବାର · ସ୍ୱର 4

ପର୍ବ ଓ ସନ୍ଥ

ମହା ଉପବାସର ଚତୁର୍ଥ ରବିବାର

ମହା ଉପବାସ

ଉପବାସ: ତେଲ ସହିତ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପ୍ରଭାତୀ ପ୍ରାର୍ଥନାର ପ୍ରଥମ ସୁସମାଚାର

ମାଥି 28:16–20

16କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକୁ ଯାଇ, ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ, ସେହି ପର୍ବତକୁ ଗଲେ। 17ଆଉ, ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ। 18ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ଦିଆଯାଇଅଛି। 19ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, 20ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।”

ପତ୍ର

ଏବ୍ରୀ 6:13–20

13କାରଣ ଈଶ୍ବର ଯେତେବେଳେ ଅବ୍ରହାମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେତେବେଳେ ସେ ଆଉ କୌଣସି ମହାନ ନାମ ନ ପାଇବାରୁ ଆପଣା ନାମରେ ଶପଥ କରି କହିଥିଲେ, 14“ଆମ୍ଭେ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବା ଓ ତୁମ୍ଭ ବଂଶର ଅତିଶୟ ବୃଦ୍ଧି କରିବା।” 15ଆଉ ଏହି ପ୍ରକାରେ ଦୀର୍ଘସହିଷ୍ଣୁ ହୋଇ ଅବ୍ରହାମ ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇଥିଲେ। 16ମନୁଷ୍ୟମାନେ ତ ସେମାନଙ୍କଠାରୁ ମହାନ ନାମରେ ଶପଥ କରିଥାଆନ୍ତି, ଆଉ କଥା ସ୍ଥିର କରିବା ନିମନ୍ତେ ସେମାନଙ୍କର ସମସ୍ତ ବିବାଦର ନିଷ୍ପତ୍ତି ଶପଥ ଦ୍ୱାରା ହୁଏ। 17ଏଣୁ ଈଶ୍ବର ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ଆପଣା ସଂକଳ୍ପର ଅଟଳତା ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଇଚ୍ଛା କରି ପ୍ରତିଜ୍ଞା ସହ ଶପଥ ମଧ୍ୟ କରିଥିଲେ, 18ଯେପରି ଯେଉଁ ଦୁଇ ଅପରିବର୍ତ୍ତନୀୟ ବିଷୟରେ ଈଶ୍ବରଙ୍କ ମିଥ୍ୟା କହିବା ଅସମ୍ଭବ, ତଦ୍ୱାରା ସମ୍ମୁଖସ୍ଥ ଭରସାକୁ ଧରିବା ନିମନ୍ତେ ଆଶ୍ରୟସ୍ଥଳକୁ ପଳାୟନ କରିଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ଦୃଢ଼ ଉତ୍ସାହ ପ୍ରାପ୍ତ ହେଉ। 19ସେହି ଭରସା ଆମ୍ଭମାନଙ୍କ ଆତ୍ମାର ଲଙ୍ଗର ସ୍ୱରୂପ, ତାହା ବିଚ୍ଛେଦବସ୍ତ୍ରାବୃତ ସ୍ଥାନରେ ପ୍ରବେଶ କରି ଦୃଢ଼ ଓ ଅଟଳ ହୋଇଅଛି, 20ଆଉ, ଯୀଶୁ ସେହି ସ୍ଥାନରେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ମହାଯାଜକ ହୋଇ ଆମ୍ଭମାନଙ୍କର ଅଗ୍ରଗାମୀ ରୂପେ ପ୍ରବେଶ କରିଅଛନ୍ତି।

ପତ୍ର (ସନ୍ଥ ଯୋହନଙ୍କ ପାଇଁ)

ଏଫି 5:8–19

8କାରଣ ତୁମ୍ଭେମାନେ ପୂର୍ବେ ଅନ୍ଧକାର ସ୍ୱରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ହୋଇଅଛ; ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର, 9(କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ୱରୂପ), 10ପ୍ରଭୁଙ୍କର କଣ ସନ୍ତୋଷଜନକ, ତାହା ଅନୁସନ୍ଧାନ କର; 11ଅନ୍ଧକାରର ନିଷ୍ଫଳ କର୍ମସବୁର ସହଭାଗୀ ହୁଅ ନାହିଁ, ବରଂ ସେସବୁର ଦୋଷ ହିଁ ଦେଖାଇଦିଅ; 12କାରଣ ସେମାନେ ଯାହାସବୁ ଗୁପ୍ତରେ କରନ୍ତି, ସେହିସବୁ କଥା କହିବା ସୁଦ୍ଧା ଲଜ୍ଜାଜନକ, 13କିନ୍ତୁ ସମସ୍ତ ବିଷୟର ଦୋଷ ଆଲୋକ ଦ୍ୱାରା ଦେଖାଇ ଦିଆଯାଏ, ଯେଉଁ ସବୁ ପ୍ରକାଶିତ ହୁଏ, ତାହା ଆଲୋକ। 14ଏଣୁ ପବିତ୍ର ଶାସ୍ତ୍ରରେ ଉକ୍ତ ଅଛି, “ହେ ନିଦ୍ରିତ ଜାଗ, ମୃତମାନଙ୍କ ମଧ୍ୟରୁ ଉଠ, ପୁଣି, ଖ୍ରୀଷ୍ଟ ତୁମ୍ଭକୁ ଆଲୋକ ପ୍ରଦାନ କରିବେ।” 15ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ, 16ପୁଣି, ସୁଯୋଗର ସତ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। 17ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର କଣ ଇଚ୍ଛା ତାହା ବୁଝ। 18ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ, 19ପୁଣି, ତୁମ୍ଭମାନଙ୍କ ହୃଦୟରେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଭଜନ ଓ ଗୀତ ଗାନ କର;

ସୁସମାଚାର

ମାର୍କ 9:17–31

17ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋହର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି; 18ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ। 19ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ମୋʼ ପାଖକୁ ଆଣ। 20ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ। ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂମିରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା। 21ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ; 22ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ। 23ସେଥିରେ ଯୀଶୁ ତାହାକୁ କହିଲେ, କଅଣ କହିଲ? ଯଦି କରିପାରନ୍ତି! ଯିଏ ବିଶ୍ୱାସ କରେ, ତାʼ ପକ୍ଷରେ ସମସ୍ତ ସମ୍ଭବ। 24ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ। 25ପରେ ଲୋକସମୂହ ଏକତ୍ର ଦୌଡ଼ି ଆସୁଥିବା ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ। 26ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା। 27କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା। 28ପୁଣି, ସେ ଗୃହକୁ ଆସନ୍ତେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ? 29ସେ ସେମାନଙ୍କୁ କହିଲେ, ପ୍ରାର୍ଥନା (ଏବଂ ଉପବାସ) ବିନା ଆଉ କାହିଁରେ ଏପ୍ରକାର ଭୂତ ଛଡ଼ାଯାଇ ପାରେ ନାହିଁ। 30ସେମାନେ ସେହି ସ୍ଥାନରୁ ପ୍ରସ୍ଥାନ କରି ଗାଲିଲୀର ମଧ୍ୟ ଦେଇ ଯାତ୍ରା କଲେ, ଆଉ କେହି ତାହା ଜାଣନ୍ତୁ ବୋଲି ତାହାଙ୍କର ଇଚ୍ଛା ନ ଥିଲା; 31କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି, ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ସେ ହତ ହେଲା ଉତ୍ତାରେ ତିନି ଦିନ ପରେ ପୁନରୁତ୍ଥାନ କରିବେ।

ସୁସମାଚାର (ସନ୍ଥ ଯୋହନଙ୍କ ପାଇଁ)

ମାଥି 4:25–5:12

25ପୁଣି, ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୂଦିୟା ପ୍ରଦେଶ ଓ ଯର୍ଦ୍ଦନ ନଦୀର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାତ୍‌ଗମନ କଲେ। 5:1ଲୋକମାନଙ୍କୁ ଦେଖି ଯୀଶୁ ପାହାଡ ଉପରକୁ ଚଢ଼ିଲେ, ପୁଣି, ବସିବା ପରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। 2ସେଥିରେ ସେ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, 3“ଆତ୍ମାରେ ଦୀନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। 4ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ। 5ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। 6ଧାର୍ମିକତା ନିମନ୍ତେ କ୍ଷୁଧିତ ଓ ତୃଷିତ ଲୋକେ ଧନ୍ୟ, କାରଣ ସେମାନେ ପରିତୃପ୍ତ ହେବେ। 7ଦୟାଳୁ ଲୋକେ ଧନ୍ୟ, କାରଣ ସେମାନେ ଦୟା ପ୍ରାପ୍ତ ହେବେ। 8ଶୁଦ୍ଧଚିତ୍ତ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ବରଙ୍କ ଦର୍ଶନ ପାଇବେ। 9ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ବରଙ୍କ ସନ୍ତାନ ଭାବରେ ପରିଚିତ ହେବେ। 10ଧାର୍ମିକତା ନିମନ୍ତେ ତାଡ଼ନାପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେମାନଙ୍କର। 11ଲୋକେ ଯେବେ ତୁମ୍ଭମାନଙ୍କୁ ମୋʼ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। 12ଆନନ୍ଦ କର ଓ ଉଲ୍ଲସିତ ହୁଅ, କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ସେହିପରି ତ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆସିଥିବା ଭାବବାଦୀମାନଙ୍କୁ ତାଡ଼ନା କରିଥିଲେ।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 29 ନାଗରିକ ପଞ୍ଜିକାର ଅପ୍ରେଲ 11। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର