Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 10

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 10 ଅପ୍ରେଲ 2027

ଶନିବାର · ପାସ୍କା କାଳର ଦ୍ୱିତୀୟ ସପ୍ତାହ

ପର୍ବ ଓ ସନ୍ଥ

ପାସ୍କା କାଳର ଦ୍ୱିତୀୟ ସପ୍ତାହର ଶନିବାର

ସାଧାରଣ ଦିନ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ପ୍ରେରି 6:1–7

1ଏହି ସମୟରେ, ଯେତେବେଳେ ଶିଷ୍ୟମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିଲା, ସେତେବେଳେ ଗ୍ରୀକ୍‍ ଭାଷାବାଦୀ ଯିହୁଦୀ ବିଶ୍ୱାସୀମାନେ, ଏବ୍ରୀୟ ବିଶ୍ୱାସୀମାନଙ୍କ ବିପକ୍ଷରେ ବଚସା କରିବାକୁ ଲାଗିଲେ, କାରଣ ଦୈନିକ ଖାଦ୍ୟ ବିତରଣ କରିବାରେ ବିଧବାମାନଙ୍କୁ ଅବହେଳା କରାଯାଉଥିଲା। 2ସେଥିରେ ବାର ଜଣ ପ୍ରେରିତମାନେ ଶିଷ୍ୟସମୁହକୁ ନିକଟକୁ ଡାକି କହିଲେ, ଈଶ୍ବରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ଖାଦ୍ୟ ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ। 3ଅତଏବ ହେ ଭାଇମାନେ, ଯେଉଁମାନଙ୍କୁ ଆମ୍ଭେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ ସାତ ଜଣଙ୍କୁ ଆପଣମାନଙ୍କ ମଧ୍ୟରୁ ବାଛି ସ୍ଥିର କରନ୍ତୁ; 4କିନ୍ତୁ ଆମ୍ଭେମାନେ ପ୍ରାର୍ଥନାରେ ଓ ବାକ୍ୟ ପ୍ରଚାର ସେବା କାର୍ଯ୍ୟରେ ଏକାଗ୍ରଭାବେ ଲାଗିରହିବା। 5ଏହି କଥା ସମସ୍ତ ବିଶ୍ୱାସୀମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା, ଆଉ ସେମାନେ ବିଶ୍ୱାସ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ସ୍ତିଫାନ ନାମକ ଜଣେ ବ୍ୟକ୍ତିଙ୍କୁ, ପୁଣି, ଫିଲିପ୍ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ଆନ୍ତିୟଖିଆର ଯିହୁଦୀମତାବଲମ୍ବୀ ନୀକଲାୟଙ୍କୁ ମନୋନୀତ କରି, 6ପ୍ରେରିତମାନଙ୍କ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ମସ୍ତକ ଉପରେ ହାତ ରଖି ସମର୍ପଣ କଲେ। 7ଏଣୁ ଈଶ୍ବରଙ୍କ ବାକ୍ୟ ଅଧିକ ବ୍ୟାପିଗଲା ଏବଂ ଯିରୂଶାଲମ ସହରରେ ଶିଷ୍ୟମାନଙ୍କ ସଂଖ୍ୟା ଅତିଶୟ ବୃଦ୍ଧି ପାଇବାକୁ ଲାଗିଲା; ଆଉ, ଯାଜକମାନଙ୍କ ମଧ୍ୟରୁ ଅନେକ ଅନେକ ଲୋକ ବିଶ୍ୱାସମାର୍ଗ ଅବଲମ୍ବନ କରିବାକୁ ଲାଗିଲେ।

ପ୍ରତିଉତ୍ତର ଗୀତ

ଗୀତ 33:1–2, 4–5, 18–19

1ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର; ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ। 2ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ; ଦଶତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର। 4କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ; ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ। 5ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି; ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ; 18ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ତାହାଙ୍କ ଦୟାରେ ଭରସା ରଖନ୍ତି, 19ସେମାନଙ୍କ ପ୍ରାଣ ମୃତ୍ୟୁରୁ ରକ୍ଷା କରିବା ପାଇଁ ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ।

ସୁସମାଚାର

ଯୋହ 6:16–21

16ସନ୍ଧ୍ୟା ହୁଅନ୍ତେ ତାହାଙ୍କ ଶିଷ୍ୟମାନେ ସମୁଦ୍ରକୂଳକୁ ଗଲେ 17ଓ ନୌକାରେ ଚଢ଼ି ସମୁଦ୍ର ସେପାରସ୍ଥ କଫର୍ନାହୂମ ଆଡ଼କୁ ଯିବାକୁ ଲାଗିଲେ। ଅନ୍ଧକାର ହୋଇଗଲା, ପୁଣି, ଯୀଶୁ ସେପର୍ଯ୍ୟନ୍ତ ସେମାନଙ୍କ ନିକଟକୁ ଆସି ନ ଥିଲେ, 18ଆଉ ପ୍ରବଳ ପବନ ବହୁଥିବାରୁ ସମୁଦ୍ରରେ ଲହଡ଼ି ଉଠୁଥିଲା। 19ଇତିମଧ୍ୟରେ ସେମାନେ ପ୍ରାୟ ଦେଢ଼ ବା ଦୁଇ କୋଶ ବାହିଯାଇ ଯୀଶୁଙ୍କୁ ସମୁଦ୍ର ଉପରେ ଚାଲି ନୌକା ନିକଟକୁ ଆସୁଥିବା ଦେଖି ଭୀତ ହେଲେ। 20କିନ୍ତୁ ସେ ସେମାନଙ୍କୁ କହିଲେ, “ଏ ତ ମୁଁ, ଭୟ କର ନାହିଁ।” 21ତେଣୁ ସେମାନେ ତାହାଙ୍କୁ ନୌକାରେ ନେବାକୁ ଇଚ୍ଛୁକ ହେଲେ, ପୁଣି, ସେମାନେ ଯେଉଁ ସ୍ଥାନକୁ ଯାଉଥିଲେ, ନୌକାଟି ତତ୍‍କ୍ଷଣାତ୍‍ ସେହି ସ୍ଥାନରେ ପହଞ୍ଚିଲା।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର