Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଅପ୍ରେଲ 2027 › ଅପ୍ରେଲ 9

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 9 ଅପ୍ରେଲ 2027

ଶୁକ୍ରବାର · ପାସ୍କା କାଳର ଦ୍ୱିତୀୟ ସପ୍ତାହ

ପର୍ବ ଓ ସନ୍ଥ

ପାସ୍କା କାଳର ଦ୍ୱିତୀୟ ସପ୍ତାହର ଶୁକ୍ରବାର

ସାଧାରଣ ଦିନ · ଉପାସନାର ରଙ୍ଗ: ଧଳା

ଉପବାସ ଓ ପ୍ରାୟଶ୍ଚିତ୍ତ

ପ୍ରାୟଶ୍ଚିତ୍ତର ଦିନ

ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।

ଦିନର ପାଠ

ପ୍ରଥମ ପାଠ

ପ୍ରେରି 5:34–42

34କିନ୍ତୁ ଗମଲୀୟେଲ ନାମକ ଜଣେ ଫାରୂଶୀ, ଯେ କି ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ସମସ୍ତଙ୍କ ନିକଟରେ ସମ୍ମାନପାତ୍ର ଥିଲେ, ସେ ମହାସଭାରେ ଠିଆ ହୋଇ ପ୍ରେରିତମାନଙ୍କୁ କିଛି ସମୟ ନିମନ୍ତେ ବାହାର କରିଦେବାକୁ ଆଜ୍ଞା ଦେଲେ, 35ପୁଣି, ସେ ସେମାନଙ୍କୁ କହିଲେ, ହେ ଇସ୍ରାଏଲୀୟ ଲୋକମାନେ, ଏମାନଙ୍କ ପ୍ରତି ଆପଣମାନେ କଅଣ କରିବାକୁ ଉଦ୍ୟତ ହେଉଅଛନ୍ତି, ସେହି ବିଷୟରେ ସାବଧାନ ହେଉନ୍ତୁ। 36କାରଣ ଏଥିପୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରି ଶହ ଲୋକ ତାହା ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ଓ ବିଫଳ ହେଲେ। 37ସେହି ଲୋକ ଉତ୍ତାରେ ଜନଗଣନା ସମୟରେ ଗାଲିଲୀୟ ଯିହୂଦା ଉଠି ଲୋକମାନଙ୍କୁ ଆପଣା ପଛରେ ଟାଣିନେଇ ବିପ୍ଳବ କରାଇଲା; ସେ ମଧ୍ୟ ବିନଷ୍ଟ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହୋଇଗଲେ। 38ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତାହା ଉଚ୍ଛିନ୍ନ ହୋଇଯିବ; 39କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ। 40ସେମାନେ ତାହାଙ୍କ କଥାରେ ସମ୍ମତ ହେଲେ, ପୁଣି, ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ। 41ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥିନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ; 42ଆଉ ସେମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଶିକ୍ଷା ଦେବାକୁ ଓ ଯୀଶୁ ଯେ ଖ୍ରୀଷ୍ଟ, ଏହି ସୁସମାଚାର ପ୍ରଚାର କରିବାକୁ ବନ୍ଦ କଲେ ନାହିଁ।

ପ୍ରତିଉତ୍ତର ଗୀତ

ଗୀତ 27:1, 4, 13–14

1ଦାଉଦଙ୍କର ଗୀତ। ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ; ମୁଁ କାହାକୁ ଭୟ କରିବି? ସଦାପ୍ରଭୁ ମୋʼ ଜୀବନର ବଳ; ମୁଁ କାହାଠାରୁ ଭୀତ ହେବି? 4ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି, ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି, ତାହା ହିଁ ମୁଁ ଅନ୍ୱେଷଣ କରିବି। 13ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥାʼନ୍ତି। 14ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର; ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।

ସୁସମାଚାର

ଯୋହ 6:1–15

1ଏଥିଉତ୍ତାରେ ଯୀଶୁ ଗାଲିଲୀ ସମୁଦ୍ରର, ଅର୍ଥାତ୍‍, ତିବିରୀୟା ହ୍ରଦର ଆରପାରିକୁ ଗଲେ। 2ଆଉ, ସେ ରୋଗୀମାନଙ୍କ ପ୍ରତି ଯେଉଁ ଯେଉଁ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍‍ଗମନ କରିବାକୁ ଲାଗିଲେ। 3ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ। 4ସେତେବେଳେ ଯିହୁଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା। 5ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କୁ କହିଲେ, “ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା?” 6କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ। 7ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଦୁଇଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି ଯଥେଷ୍ଟ ନୁହେଁ। 8ଶିମୋନ ପିତରଙ୍କର ଭାଇ ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି, 9ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଅଣ ହେବ? 10ଯୀଶୁ କହିଲେ, “ଲୋକମାନଙ୍କୁ ବସାଅ।” ସେ ସ୍ଥାନରେ ବହୁତ ଘାସ ଥିଲା। ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ। 11ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ। 12ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର।” 13ସେଥିରେ ସେମାନେ ସେହିସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗାଯାଇଥିବା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ। 14ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି। 15ଅତଏବ, ସେମାନେ ଆସି ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର