Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 24

ଅର୍ଥୋଡକ୍ସ ପଞ୍ଜିକା · 11 ମାର୍ଚ୍ଚ (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 24 ମାର୍ଚ୍ଚ 2027

ବୁଧବାର · ମହା ଉପବାସର ଦ୍ୱିତୀୟ ସପ୍ତାହ · ସ୍ୱର 1

ପର୍ବ ଓ ସନ୍ଥ

Holy Hierarch Sophronius the Patriarch of Jerusalem (638-644)

ମହା ଉପବାସ

କଠୋର ଉପବାସ (ଶୁଖିଲା ଆହାର: ରୁଟି, ପନିପରିବା, ଫଳ)

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ଷଷ୍ଠ ଘଣ୍ଟା

ଯିଶା 5:16–25

16ମାତ୍ର ସୈନ୍ୟାଧିପତି ସଦାପ୍ରଭୁ ବିଚାରରେ ଉନ୍ନତ ହୁଅନ୍ତି, ପୁଣି, ଧର୍ମସ୍ୱରୂପ ପରମେଶ୍ୱର ଧାର୍ମିକତାରେ ପବିତ୍ର ରୂପେ ମାନ୍ୟ ହୁଅନ୍ତି। 17ସେହି ସମୟରେ ମେଷଶାବକମାନେ ଆପଣା ଚରାସ୍ଥାନରେ ଚରିବା ପରି ଚରିବେ, ପୁଣି, ଭ୍ରମଣକାରୀମାନେ ହୃଷ୍ଟପୁଷ୍ଟ ଲୋକମାନଙ୍କର ଧ୍ୱଂସସ୍ଥାନ ଭୋଗ କରିବେ। 18ଯେଉଁମାନେ ଅସାରତାରୂପ ରଜ୍ଜୁରେ ଅପରାଧ ଓ ଶଗଡ଼ ରଜ୍ଜୁରେ ପାପ ଆକର୍ଷଣ କରନ୍ତି, ସେମାନେ ସନ୍ତାପର ପାତ୍ର! 19ସେମାନେ କହନ୍ତି, “ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ସେ ତ୍ୱରା କରନ୍ତୁ, ସେ ଆପଣା କାର୍ଯ୍ୟ ଶୀଘ୍ର କରନ୍ତୁ; ଆଉ, ଆମ୍ଭେମାନେ ଯେପରି ଜାଣି ପାରିବା, ଏଥିପାଇଁ ଇସ୍ରାଏଲର ଧର୍ମସ୍ୱରୂପଙ୍କ ମନ୍ତ୍ରଣା ଉପସ୍ଥିତ ହୋଇ ଘଟୁ।” 20ଯେଉଁମାନେ ମନ୍ଦକୁ ଭଲ ଓ ଭଲକୁ ମନ୍ଦ କୁହନ୍ତି; ଯେଉଁମାନେ ଅନ୍ଧାରକୁ ଆଲୁଅ ଓ ଆଲୁଅକୁ ଅନ୍ଧାର ଭଳି ମନେ କରନ୍ତି; ଯେଉଁମାନେ ତିକ୍ତକୁ ମିଷ୍ଟ ଓ ମିଷ୍ଟକୁ ତିକ୍ତ ଭଳି ମନେ କରନ୍ତି, ସେମାନେ ସନ୍ତାପର ପାତ୍ର! 21ଯେଉଁମାନେ ଆପଣା ଆପଣା ଦୃଷ୍ଟିରେ ଜ୍ଞାନବାନ ଓ ଆପଣା ଆପଣା ବୋଧରେ ବୁଦ୍ଧିମାନ, ସେମାନେ ସନ୍ତାପର ପାତ୍ର! 22ଯେଉଁମାନେ ଦ୍ରାକ୍ଷାରସ ପାନ କରିବାକୁ ପରାକ୍ରମୀ ଓ ମଦ୍ୟ ମିଶ୍ରିତ କରିବାକୁ ବଳବାନ; 23ଯେଉଁମାନେ ଲାଞ୍ଚ ସକାଶେ ଦୁଷ୍ଟକୁ ନିର୍ଦ୍ଦୋଷ କରନ୍ତି ଓ ଧାର୍ମିକର ଧାର୍ମିକତା ତାହାଠାରୁ ଦୂର କରନ୍ତି, ସେମାନେ ସନ୍ତାପର ପାତ୍ର! 24ଏଥିନିମନ୍ତେ ଅଗ୍ନିର ଜିହ୍ୱା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନିଶିଖାରେ ଭସ୍ମସାତ୍‍ ହୁଏ, ସେହିପରି ସେମାନଙ୍କର ମୂଳ ସଢ଼ିଯିବ ଓ ସେମାନଙ୍କର ପୁଷ୍ପ ଧୂଳି ପରି ଉଡ଼ିଯିବ; କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି। 25ଏଥିପାଇଁ ସଦାପ୍ରଭୁଙ୍କର କ୍ରୋଧ ତାହାଙ୍କ ଲୋକମାନଙ୍କ ବିରୁଦ୍ଧରେ ପ୍ରଜ୍ୱଳିତ ହୋଇଅଛି ଓ ସେ ସେମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଘାତ କରିଅଛନ୍ତି, ପୁଣି, ଉପପର୍ବତଗଣ କମ୍ପିଲେ ଓ ଲୋକମାନଙ୍କ ଶବ ସଡ଼କ ମଧ୍ୟରେ ଅଳିଆ ପରି ହେଲା। ଏହିସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଆଦି 4:16–26

16ଏଥିଉତ୍ତାରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ସ୍ଥାନରେ ବାସ କଲେ। 17ଆଉ କୟିନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ହନୋକକୁ ପ୍ରସବ କଲେ; ପୁଣି, ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମାନୁସାରେ ତହିଁର ନାମ ହନୋକ ଦେଲେ। 18ସେହି ହନୋକର ପୁତ୍ର ଈରଦ ଓ ଈରଦର ପୁତ୍ର ମହୁୟାୟେଲ ଓ ମହୁୟାୟେଲର ପୁତ୍ର ମଥୁଶାୟେଲ ଓ ମଥୁଶାୟେଲର ପୁତ୍ର ଲେମକ। 19ଏହି ଲେମକ ଦୁଇଟି ସ୍ତ୍ରୀ ବିବାହ କଲେ, ଏକର ନାମ ଆଦା ଓ ଅନ୍ୟର ନାମ ସିଲ୍ଲା ଥିଲା। 20ଆଦାର ଗର୍ଭରେ ଜାବଳ ଜନ୍ମିଲା, ସେ ତମ୍ବୁନିବାସୀ ପଶୁପାଳକମାନଙ୍କର ଆଦିପୁରୁଷ ଥିଲା। 21ତାହାର ଭାଇର ନାମ ଯୁବଳ, ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା। 22ସିଲ୍ଲାର ଗର୍ଭରେ ତୁବଲ୍‍-କୟିନ ଜନ୍ମିଲା, ସେ ପିତ୍ତଳ ଓ ଲୌହର ନାନା ପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା; ତୁବଲ୍‍-କୟିନର ନୟମା ନାମ୍ନୀ ଏକ ଭଗ୍ନୀ ଥିଲା। 23ଏଥିଉତ୍ତାରେ ଲେମକ ଆପଣା ଭାର୍ଯ୍ୟାମାନଙ୍କୁ କହିଲେ, “ଆଗୋ ଆଦା ଓ ସିଲ୍ଲା, ମୋʼ କଥା ଶୁଣ; ଆଗୋ ଲେମକର ଭାର୍ଯ୍ୟାଗଣ, ତୁମ୍ଭେମାନେ ମୋʼ ବାକ୍ୟରେ କର୍ଣ୍ଣପାତ କର; ମୁଁ ଆଘାତର ପରିଶୋଧରେ ଜଣେ ମନୁଷ୍ୟକୁ ଓ ପ୍ରହାରର ପରିଶୋଧରେ ଜଣେ ଯୁବାକୁ ବଧ କରିଅଛି; 24ଯଦି କୟିନର ବଧର ପ୍ରତିଫଳ ସାତ ଗୁଣ ହୁଏ, ତେବେ ଲେମକର ପ୍ରତିଫଳ ସତସ୍ତରି ଗୁଣ ନିଶ୍ଚୟ ହେବ।” 25ଏଥିଉତ୍ତାରେ ଆଦମ ପୁନଶ୍ଚ ଆପଣା ଭାର୍ଯ୍ୟାଙ୍କର ସହବାସ କରନ୍ତେ, ସେ ଏକ ପୁତ୍ର ପ୍ରସବ କରି ତାହାର ନାମ ଶେଥ (ଅର୍ଥାତ୍‍ ପ୍ରତିନିଧି) ଦେଲେ; ଯେହେତୁ ସେ କହିଲେ, “ପରମେଶ୍ୱର ହେବଲର ପ୍ରତିନିଧି ରୂପେ ଆଉ ଗୋଟିଏ ପୁତ୍ର ମୋତେ ଦେଇଅଛନ୍ତି, କାରଣ କୟିନ ତାକୁ ବଧ କରିଥିଲା।” 26ତହୁଁ ଶେଥର ମଧ୍ୟ ଏକ ପୁତ୍ର ଜନ୍ମିଲା; ଆଉ ସେ ତାହାର ନାମ ଈନୋଶ ଦେଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବାକୁ ଲାଗିଲେ।

ସନ୍ଧ୍ୟା ପ୍ରାର୍ଥନା: ପାଠ

ହିତୋ 5:15–6:3

15ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର ଓ ନିଜ କୂପରୁ ସ୍ରୋତଜଳ ପାନ କର। 16ତୁମ୍ଭର ନିର୍ଝର କʼଣ ବାହାରେ ଏଣେତେଣେ ବିସ୍ତାରିତ ହେବ? ଓ ରାଜଦାଣ୍ଡରେ କʼଣ ଜଳସ୍ରୋତ ବହିଯିବ? 17ତାହା କେବଳ ତୁମ୍ଭର ହେଉ, ତୁମ୍ଭ ସହିତ ଅପରିଚିତ ଲୋକମାନଙ୍କର ନ ହେଉ। 18ତୁମ୍ଭର ନିର୍ଝର ଧନ୍ୟ ହେଉ; ଆଉ, ତୁମ୍ଭେ ଆପଣା ଯୌବନ କାଳର ଭାର୍ଯ୍ୟାଠାରେ ଆମୋଦ କର। 19ସେ ପ୍ରେମିକା ହରିଣୀ ଓ ରୂପବତୀ ବାଉଟୀ ପରି, ତାହାର ବକ୍ଷ ସର୍ବଦା ତୁମ୍ଭକୁ ତୁଷ୍ଟ କରୁ; ଆଉ, ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। 20ହେ ମୋହର ପୁତ୍ର, ପରକୀୟାଠାରେ ତୁମ୍ଭେ କାହିଁକି ଆସକ୍ତ ହେବ? ଏବଂ ଅନ୍ୟର କୋଳ କାହିଁକି ଆଲିଙ୍ଗନ କରିବ? 21ଯେହେତୁ ମନୁଷ୍ୟର ସବୁ ଗତି ସଦାପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ ଓ ସେ ତାହାର ସବୁ ପଥ ସମାନ କରନ୍ତି। 22ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ। 23ସେ ଉପଦେଶ ଅଭାବରେ ମରିଯିବ ଓ ଆପଣା ଅଜ୍ଞାନତାର ବୃଦ୍ଧିରେ ଭ୍ରାନ୍ତ ହେବ। 6:1ହେ ମୋହର ପୁତ୍ର, ଯଦି ତୁମ୍ଭେ ଆପଣା ପ୍ରତିବାସୀର ବନ୍ଧକ ହୋଇଥାଅ, ଯଦି ପର ପାଇଁ ହାତ ଦେଇଥାଅ, 2ତେବେ ତୁମ୍ଭେ ଆପଣା ମୁଖର ବାକ୍ୟରୂପ ଫାନ୍ଦରେ ପଡ଼ିଅଛ ଓ ଆପଣା ମୁଖର କଥାରେ ଧରା ଯାଇଅଛ। 3ହେ ମୋହର ପୁତ୍ର, ତୁମ୍ଭେ ଏବେ ଏହି କର୍ମ କର, ଆପଣାକୁ ଉଦ୍ଧାର କର; ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ; ଯାଅ, ଆପଣାକୁ ନମ୍ର କରି ତୁମ୍ଭ ପ୍ରତିବାସୀକୁ ବାରମ୍ବାର ବିନତି କର।

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ମାର୍ଚ୍ଚ 11 ନାଗରିକ ପଞ୍ଜିକାର ମାର୍ଚ୍ଚ 24। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର