ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 16
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 16 ମାର୍ଚ୍ଚ 2027
ମଙ୍ଗଳବାର · ଉପବାସ କାଳର ପଞ୍ଚମ ସପ୍ତାହ
ପର୍ବ ଓ ସନ୍ଥ
ଉପବାସ କାଳର ପଞ୍ଚମ ସପ୍ତାହର ମଙ୍ଗଳବାର
ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ
ଦିନର ପାଠ
ପ୍ରଥମ ପାଠ
4ଏଥିଉତ୍ତାରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ସୂଫ ସାଗର ପଥ ଦେଇ ଯାତ୍ରା କଲେ; ପୁଣି, ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା। 5ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୋଶାଙ୍କ ବିରୁଦ୍ଧରେ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିସର ଦେଶରୁ ବାହାର କରି ଆଣିଲ?” ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ; ପୁଣି, ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ। 6ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ବିଷାକ୍ତ ସର୍ପଗୁଡ଼ିକୁ ପ୍ରେରଣ କରନ୍ତେ, ସେମାନେ ଲୋକମାନଙ୍କୁ ଦଂଶନ କଲେ; ତହିଁରେ ଇସ୍ରାଏଲର ଅନେକ ଲୋକ ମଲେ। 7ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ପାପ କରିଅଛୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ।” ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। 8ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଗୋଟିଏ ବିଷାକ୍ତ ସର୍ପର ନମୁନା ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖ; ତହିଁରେ ସର୍ପଦ୍ରଂଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ।” 9ତହୁଁ ମୋଶା ପିତ୍ତଳର ଏକ ସର୍ପ ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖିଲେ; ତହିଁରେ ସର୍ପ କୌଣସି ମନୁଷ୍ୟକୁ ଦଂଶନ କଲେ, ସେ ସେହି ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରନ୍ତେ, ବଞ୍ଚିଲା।
ପ୍ରତିଉତ୍ତର ଗୀତ
1ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା। ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ। 2ମୋʼ ସଙ୍କଟ ଦିନରେ ମୋʼ ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ; ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ। 15ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ। 16କାରଣ ସଦାପ୍ରଭୁ ସିୟୋନକୁ ପୁନଃନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି; 17ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି। 18ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ; ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ। 19କାରଣ ବନ୍ଦୀର ହାହାକାର ଶୁଣିବାକୁ, ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ; 20ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି; ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ;
ସୁସମାଚାର
21ସେଥିରେ ସେ ପୁନର୍ବାର ସେମାନଙ୍କୁ କହିଲେ, “ମୁଁ ଯାଉଅଛି, ଆଉ ତୁମ୍ଭେମାନେ ମୋତେ ଖୋଜିବ ଓ ଆପଣା ଆପଣା ପାପରେ ମରିବ, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ।” 22ତେଣୁ ଯିହୁଦୀମାନେ କହିବାକୁ ଲାଗିଲେ, ଏ କଅଣ ଆତ୍ମହତ୍ୟା କରିବ ବୋଲି କହୁଅଛି, “ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେମାନେ ସେଠାକୁ ଯାଇ ପାର ନାହିଁ?” 23ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅଧଃସ୍ଥାନରୁ ଉତ୍ପନ୍ନ, ମୁଁ ଊର୍ଦ୍ଧ୍ୱସ୍ଥାନରୁ ଉତ୍ପନ୍ନ; ତୁମ୍ଭେମାନେ ଜଗତରୁ ଉତ୍ପନ୍ନ, ମୁଁ ଜଗତରୁ ଉତ୍ପନ୍ନ ନୁହେଁ।” 24ତେଣୁ ତୁମ୍ଭେମାନେ ଆପଣା ଆପଣା ପାପରେ ମରିବ, “ମୁଁ ତୁମ୍ଭମାନଙ୍କୁ ଏହା କହିଲି; କାରଣ ମୁଁ ଯେ ସେହି ବ୍ୟକ୍ତି, ଏହା ତୁମ୍ଭେମାନେ ବିଶ୍ୱାସ ନ କଲେ ଆପଣା ଆପଣା ପାପରେ ମରିବ।” 25ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତୁମ୍ଭେ କିଏ? ଯୀଶୁ ସେମାନଙ୍କୁ କହିଲେ, “ପ୍ରାରମ୍ଭରୁ ମୁଁ ତୁମ୍ଭମାନଙ୍କୁ ଯାହା କହିଅଛି। 26ତୁମ୍ଭମାନଙ୍କ ସମ୍ବନ୍ଧରେ କଥା କହିବାକୁ ଓ ବିଚାର କରିବାକୁ ମୋହର ଅନେକ ବିଷୟ ଅଛି; ଯାହା ହେଉ, ମୋହର ପ୍ରେରଣକର୍ତ୍ତା ସତ୍ୟ, ଆଉ ମୁଁ ତାହାଙ୍କଠାରୁ ଯାହା ଯାହା ଶ୍ରବଣ କଲି, ସେହିସବୁ ଜଗତକୁ ଜଣାଉଅଛି।” 27ସେ ଯେ ପିତାଙ୍କ ସମ୍ବନ୍ଧରେ ସେମାନଙ୍କୁ କହୁଥିଲେ, ଏହା ସେମାନେ ବୁଝିଲେ ନାହିଁ। 28ଅତଏବ, ଯୀଶୁ କହିଲେ, “ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଗୌରବ ଦେବ, ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ଓ ମୁଁ ନିଜରୁ କିଛି ନ କରି ବରଂ ପିତା ମୋତେ ଯେପ୍ରକାର ଶିକ୍ଷା ଦେଲେ, ସେହି ପ୍ରକାର ଏସମସ୍ତ କଥା ଯେ କହୁଅଛି, ଏହା ତୁମ୍ଭେମାନେ ବୁଝିବ। 29ମୋହର ପ୍ରେରଣକର୍ତ୍ତା ମୋʼ ସାଙ୍ଗରେ ଅଛନ୍ତି; ସେ ମୋତେ ଏକାକୀ କରି ନାହାନ୍ତି, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷଜନକ କାର୍ଯ୍ୟ କରେ।” 30ସେ ଏହି ସମସ୍ତ କଥା କହନ୍ତେ, ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ।
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର