Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ମାର୍ଚ୍ଚ 2027 › ମାର୍ଚ୍ଚ 7

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 7 ମାର୍ଚ୍ଚ 2027

ରବିବାର · ଉପବାସ କାଳର ଚତୁର୍ଥ ସପ୍ତାହ

ପର୍ବ ଓ ସନ୍ଥ

ଉପବାସ କାଳର ଚତୁର୍ଥ ରବିବାର

ରବିବାର · ଉପାସନାର ରଙ୍ଗ: ଗୋଲାପୀ

ଦିନର ପାଠ

ପ୍ରଥମ ପାଠ

ଦ୍ଵି.ବଂ 36:14–16, 19–23

14ଆହୁରି, ଯାଜକମାନଙ୍କର ପ୍ରଧାନ ସମସ୍ତେ ଓ ଲୋକମାନେ ଅନ୍ୟ ଦେଶୀୟମାନଙ୍କ ସକଳ ଘୃଣାଯୋଗ୍ୟ କ୍ରିୟାନୁସାରେ ଅତିଶୟ ଅପରାଧ କଲେ; ପୁଣି, ସଦାପ୍ରଭୁ ଯିରୂଶାଲମରେ ଯେଉଁ ଗୃହ ପବିତ୍ର କରିଥିଲେ, ତାହାଙ୍କର ସେହି ଗୃହ ଅଶୁଚି କଲେ। 15ତଥାପି ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଆପଣା ଦୂତଗଣ ଦ୍ୱାରା ସେମାନଙ୍କ ନିକଟକୁ କହି ପଠାଇଲେ, ସେ ଆପଣା ଲୋକମାନଙ୍କ ପ୍ରତି ଓ ଆପଣା ନିବାସ ସ୍ଥାନ ପ୍ରତି ଦୟା ବହିବାରୁ ପ୍ରତ୍ୟୁଷରେ ଉଠି ପଠାଇଲେ; 16ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍‍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା। 19ପୁଣି, ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ। 20ପୁଣି, ସେ ଖଡ୍ଗରୁ ବଞ୍ଚିବା ଲୋକମାନଙ୍କୁ ବାବିଲକୁ ନେଇଗଲା; ତହିଁରେ ପାରସିକ ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ସେମାନେ ତାହାର ଓ ତାହାର ସନ୍ତାନଗଣର ଦାସ ହୋଇ ରହିଲେ; 21ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା। 22ଯିରିମୀୟଙ୍କ ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳାର୍ଥେ ପାରସ୍ୟର ରାଜା କୋରସ୍‍ଙ୍କ ରାଜତ୍ଵର ପ୍ରଥମ ବର୍ଷରେ ସଦାପ୍ରଭୁ ପାରସ୍ୟର ରାଜା କୋରସ୍‍ର ମନରେ ପ୍ରବୃତ୍ତି ଜନ୍ମାନ୍ତେ, ସେ ଆପଣା ରାଜ୍ୟର ସର୍ବତ୍ର ଘୋଷଣା କରାଇ, ମଧ୍ୟ ଲେଖାଇ ଏହି କଥା ପ୍ରଚାର କରାଇଲା, 23“ପାରସ୍ୟର ରାଜା କୋରସ୍‍ ଏହା କହନ୍ତି, ‘ସଦାପ୍ରଭୁ ସ୍ୱର୍ଗର ପରମେଶ୍ୱର ପୃଥିବୀର ସମସ୍ତ ରାଜ୍ୟ ଆମ୍ଭକୁ ପ୍ରଦାନ କରିଅଛନ୍ତି; ଆଉ, ସେ ଯିହୁଦା ଦେଶସ୍ଥ ଯିରୂଶାଲମରେ ତାହାଙ୍କ ପାଇଁ ଏକ ଗୃହ ନିର୍ମାଣ କରିବାକୁ, ଆମ୍ଭକୁ ଆଜ୍ଞା କରିଅଛନ୍ତି। ତାହାଙ୍କର ସମଗ୍ର ଲୋକଙ୍କ ମଧ୍ୟରେ ତୁମ୍ଭମାନଙ୍କର ଯେକେହି ହେଉ, ସଦାପ୍ରଭୁ ତାହାର ପରମେଶ୍ୱର ତାହାର ସହବର୍ତ୍ତୀ ହେଉନ୍ତୁ ଓ ସେ ଯାତ୍ରା କରୁ।’”

ପ୍ରତିଉତ୍ତର ଗୀତ

ଗୀତ 137:1–6

1ଆମ୍ଭେମାନେ ବାବିଲୀୟ ନଦୀମାନର ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସେଠାରେ ବସିଲୁ ଓ ରୋଦନ କଲୁ। 2ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା ଆପଣା ବୀଣା ଟଙ୍ଗାଇ ରଖିଲୁ। 3କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ, ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।” 4ଆମ୍ଭେମାନେ ବିଦେଶରେ କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା? 5ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ, ତେବେ ମୋହର ଦକ୍ଷିଣ ହସ୍ତ ଆପଣା ବଜାଇବା କୌଶଳ ପାସୋରି ଯାଉ। 6ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ, ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ, ତେବେ ମୋହର ଜିହ୍ୱା ମୋʼ ମୁଖର ତାଳୁରେ ଲାଗି ରହୁ।

ଦ୍ୱିତୀୟ ପାଠ

ଏଫି 2:4–10

4ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ବର, ସେ ଆମ୍ଭମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, 5ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଜୀବିତ କରିଅଛନ୍ତି, ଏଣୁ ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ, 6ପୁଣି, ତାହାଙ୍କ ସହିତ ଆମ୍ଭମାନଙ୍କୁ ଉତ୍ଥାପିତ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି, 7ଯେପରି ଖ୍ରୀଷ୍ଟ ଯୀଶୁଙ୍କଠାରେ ସେ ଆମ୍ଭମାନଙ୍କ ପ୍ରତି କରୁଣା କରି ଆଗାମୀ ଯୁଗରେ ଆପଣା ଅନୁଗ୍ରହର ଅତ୍ୟଧିକ ଧନ ପ୍ରକାଶ କରନ୍ତି। 8କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ; ତାହା ତୁମ୍ଭମାନଙ୍କ ନିଜଠାରୁ ହୋଇ ନାହିଁ, ତାହା ଈଶ୍ବରଙ୍କ ଦାନ, 9କର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। 10କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କର୍ମ ଆମ୍ଭେମାନେ କରିବୁ ବୋଲି ଈଶ୍ବର ପୂର୍ବରୁ ପ୍ରସ୍ତୁତ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ।

ସୁସମାଚାର

ଯୋହ 3:14–21

14ପୁଣି, ମୋଶା ଯେପ୍ରକାର ପ୍ରାନ୍ତରରେ ପିତ୍ତଳର ଏକ ସର୍ପକୁ ଊର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟପୁତ୍ର ଅବଶ୍ୟ ସେହି ପ୍ରକାର ଊର୍ଦ୍ଧ୍ୱକୁ ଉଠାଯିବେ, 15ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ।” 16କାରଣ ଈଶ୍ବର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। 17ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। 18ଯେ ତାହାଙ୍କଠାରେ ବିଶ୍ୱାସ କରେ, ସେ ବିଚାରିତ ହୁଏ ନାହିଁ; ଯେ ବିଶ୍ୱାସ କରେ ନାହିଁ, ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ବରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ। 19ଆଉ, ସେହି ବିଚାର ଏହି, ଜଗତରେ ଜ୍ୟୋତିଃ ପ୍ରକାଶିତ ହୋଇଅଛି, ଆଉ ଲୋକମାନେ ଜ୍ୟୋତିଃ ଅପେକ୍ଷା ବରଂ ଅନ୍ଧକାରକୁ ଭଲ ପାଇଲେ, ଯେଣୁ ସେମାନଙ୍କର କର୍ମସବୁ ମନ୍ଦ। 20କାରଣ ଯେ କେହି କୁକର୍ମ କରେ, ଯେ ଜ୍ୟୋତିଃକୁ ଘୃଣା କରେ, ପୁଣି, କାଳେ ତାହାର କର୍ମର ଦୋଷ ପ୍ରକାଶିତ ହୁଏ, ଏଥିପାଇଁ ସେ ଜ୍ୟୋତିଃ ନିକଟକୁ ଆସେ ନାହିଁ। 21କିନ୍ତୁ ଯେ କେହି ସତ୍ୟ ଆଚରଣ କରେ, ସେ ଜ୍ୟୋତିଃ ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ବରଙ୍କଠାରେ ସାଧିତ ବୋଲି ପ୍ରକାଶିତ ହୁଏ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର