ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 25
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 25 ଫେବୃଆରୀ 2027
ଗୁରୁବାର · ଉପବାସ କାଳର ଦ୍ୱିତୀୟ ସପ୍ତାହ
ପର୍ବ ଓ ସନ୍ଥ
ଉପବାସ କାଳର ଦ୍ୱିତୀୟ ସପ୍ତାହର ଗୁରୁବାର
ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ
ଦିନର ପାଠ
ପ୍ରଥମ ପାଠ
5ସଦାପ୍ରଭୁ ଏହି କଥା କହନ୍ତି; “ଯେଉଁ ମନୁଷ୍ୟ, ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ। 6ସେ ମରୁଭୂମିସ୍ଥିତ ଝାଉଁ ବୃକ୍ଷ ତୁଲ୍ୟ ହେବ, ମଙ୍ଗଳ ଉପସ୍ଥିତ ହେବା ବେଳେ ସେ ଦେଖିବ ନାହିଁ; ମାତ୍ର ପ୍ରାନ୍ତରର ଶୁଷ୍କ ସ୍ଥାନରେ, ନିବାସୀବିହୀନ ଲବଣ ଭୂମିରେ ବାସ କରିବ। 7ଯେଉଁ ମନୁଷ୍ୟ ସଦାପ୍ରଭୁଙ୍କ ଉପରେ ନିର୍ଭର କରେ, ପୁଣି ସଦାପ୍ରଭୁ ଯାହାର ବିଶ୍ୱାସଭୂମି ଅଟନ୍ତି, ସେ ଧନ୍ୟ। 8କାରଣ ସେ ଜଳ ନିକଟରେ ରୋପିତ ଓ ନଦୀ କୂଳରେ ବିସ୍ତୃତମୂଳ ବୃକ୍ଷ ତୁଲ୍ୟ ହେବ ଓ ଗ୍ରୀଷ୍ମ ଉପସ୍ଥିତ ହେବା ବେଳେ ସେ ଭୟ କରିବ ନାହିଁ, ମାତ୍ର ତାହାର ପତ୍ର ସତେଜ ହେବ; ଆଉ, ଅନାବୃଷ୍ଟିର ବର୍ଷରେ ସେ ଚିନ୍ତିତ ହେବ ନାହିଁ, କିଅବା ତାହାର ଫଳ ଫଳିବାର ନିବୃତ୍ତ ହେବ ନାହିଁ।” 9ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ ରୂପେ ପୀଡ଼ିତ; କିଏ ତାହା ଜାଣିପାରେ? 10“ଆମ୍ଭେ ସଦାପ୍ରଭୁ, ପ୍ରତ୍ୟେକ ମନୁଷ୍ୟକୁ ତାହାର ଆଚରଣ ଅନୁସାରେ ତାହାର କର୍ମର ଫଳ ଦେବା ପାଇଁ, ଅନ୍ତଃକରଣ ଅନୁସନ୍ଧାନ କରୁ, ଆମ୍ଭେ ମର୍ମ ପରୀକ୍ଷା କରୁ।”
ପ୍ରତିଉତ୍ତର ଗୀତ
1ଯେଉଁ ଜନ ଦୁଷ୍ଟମାନଙ୍କ ମନ୍ତ୍ରଣାରେ ଚାଲେ ନାହିଁ, ଅବା ପାପୀମାନଙ୍କ ମାର୍ଗରେ ଠିଆ ହୁଏ ନାହିଁ, କିଅବା ନିନ୍ଦକମାନଙ୍କ ସଭାରେ ବସେ ନାହିଁ, 2ମାତ୍ର ସଦାପ୍ରଭୁଙ୍କ ବ୍ୟବସ୍ଥାରେ ଯାହାର ଆମୋଦ ଥାଏ ଓ ଯେ ଦିବାରାତ୍ର ତାହାଙ୍କର ବ୍ୟବସ୍ଥା ଧ୍ୟାନ କରେ, ସେ ଧନ୍ୟ। 3ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ଯେ ସ୍ୱସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ; ପୁଣି, ସେ ଯାହା କରେ, ତାହା ସଫଳ ହେବ। 4ଦୁଷ୍ଟମାନେ ସେପ୍ରକାର ନୁହନ୍ତି; ମାତ୍ର ବାୟୁ ଦ୍ୱାରା ଚାଳିତ ତୁଷ ତୁଲ୍ୟ ଅଟନ୍ତି। 6କାରଣ ସଦାପ୍ରଭୁ ଧାର୍ମିକମାନଙ୍କ ପଥ ଜାଣନ୍ତି; ମାତ୍ର ଦୁଷ୍ଟମାନଙ୍କ ପଥ ବିନଷ୍ଟ ହେବ।
ସୁସମାଚାର
19“ଜଣେ ଧନୀ ଲୋକ ଥିଲା, ସେ କୃଷ୍ଣଲୋହିତ ବର୍ଣ୍ଣର ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହା ଆଡ଼ମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା; 20କିନ୍ତୁ ତାହାର ଫାଟକ ପାଖରେ ଲାଜାର ବୋଲି ଜଣେ ଭିକାରୀ ପଡ଼ି ରହିଥିଲା, 21ତାର ଦେହରେ ଘାଆ ଭର୍ତ୍ତି ହୋଇଥିଲା; ସେ ସେହି ଧନୀ ଲୋକର ମେଜରୁ ପଡ଼ିବା ଅଇଁଣ୍ଠାରୁ କିଛି ଖାଇ ପେଟ ପୁରାଇବାକୁ ଆଶା କରୁଥିଲା; ଆଉ କୁକୁରଗୁଡ଼ାକ ସୁଦ୍ଧା ଆସି ତାହାର ଘାଆ ସବୁ ଚାଟୁଥିଲେ। 22କାଳକ୍ରମେ ସେହି ଭିକାରୀଟି ମରିଗଲା ଓ ଦୂତମାନଙ୍କ ଦ୍ୱାରା ଅବ୍ରହାମଙ୍କ କୋଳକୁ ନିଆଗଲା; ପରେ ସେହି ଧନୀ ଲୋକ ମଧ୍ୟ ମରିଗଲା ଓ ସମାଧି ପାଇଲା। 23ଆଉ, ସେ ନର୍କ-ଯନ୍ତ୍ରଣାରେ କଲବଲ ହୋଇ ଉପରକୁ ଚାହିଁ ଦୂରରେ ଅବ୍ରହାମ ଓ ତାହାଙ୍କ କୋଳରେ ଲାଜାରକୁ ଦେଖିଲା। 24ସେଥିରେ ସେ ଡାକି କହିଲେ, ‘ହେ ପିତା ଅବ୍ରହାମ, ମୋତେ ଦୟା କରି ଲାଜାରକୁ ପଠାଇ ଦିଅନ୍ତୁ, ଯେପରି ସେ ପାଣିରେ ନିଜ ଅଙ୍ଗୁଳିର ଟିପ ବୁଡ଼ାଇ ମୋହର ଜିଭକୁ ଥଣ୍ଡା କରେ, କାରଣ ମୁଁ ଏହି ନିଆଁରେ କଲବଲ ହେଉଅଛି।’ 25କିନ୍ତୁ ଅବ୍ରହାମ କହିଲେ, ‘ପୁଅରେ, ତୁ ଯେ ଜୀବିତ ଥିବା ସମୟରେ ତୋର ଭଲ ବିଷୟସବୁ ପାଇଲୁ, ଆଉ ଲାଜାର ସେହିପରି ମନ୍ଦ ବିଷୟସବୁ ପାଇଲା, ଏହା ମନେ କର; କିନ୍ତୁ ଏବେ ସେ ଏହି ସ୍ଥାନରେ ସାନ୍ତ୍ୱନା ପାଉଅଛି, ଆଉ ତୁ କଲବଲ ହେଉଅଛୁ। 26ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ।’ 27ସେଥିରେ ସେ କହିଲେ, ‘ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ, 28କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ।’ 29କିନ୍ତୁ ଅବ୍ରହାମ କହିଲେ, ‘ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ।’ 30ସେଥିରେ ସେ କହିଲେ, ‘ହେ ପିତା ଅବ୍ରହାମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ-ପରିବର୍ତ୍ତନ କରିବେ।’ 31କିନ୍ତୁ ସେ ତାହାକୁ କହିଲେ, ‘ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ।’”
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର