ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 19
କାଥଲିକ୍ ପଞ୍ଜିକା
ଦୈନିକ ବାଇବେଲ ପାଠ (କାଥଲିକ୍) — 19 ଫେବୃଆରୀ 2027
ଶୁକ୍ରବାର · ଉପବାସ କାଳର ପ୍ରଥମ ସପ୍ତାହ
ପର୍ବ ଓ ସନ୍ଥ
ଉପବାସ କାଳର ପ୍ରଥମ ସପ୍ତାହର ଶୁକ୍ରବାର
ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ
ଉପବାସ ଓ ପ୍ରାୟଶ୍ଚିତ୍ତ
ମାଂସରୁ ବିରତି
ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।
ଦିନର ପାଠ
ପ୍ରଥମ ପାଠ
21ମାତ୍ର ଦୁଷ୍ଟ ଯଦି ଆପଣାର କୃତ ସକଳ ପାପରୁ ଫେରେ ଓ ଆମ୍ଭର ବିଧିସକଳ ପାଳନ କରେ, ପୁଣି, ନ୍ୟାୟ ଓ ଧର୍ମାଚରଣ କରେ, ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ। 22ତାହାର କୃତ କୌଣସି ଅପରାଧ ତାହା ବିରୁଦ୍ଧରେ ସ୍ମରଣ କରାଯିବ ନାହିଁ; ସେ ଯେଉଁ ଧର୍ମାଚରଣ କରିଅଛି, ତଦ୍ଦ୍ୱାରା ବଞ୍ଚିବ। 23ପ୍ରଭୁ, ସଦାପ୍ରଭୁ କହନ୍ତି, ଦୁଷ୍ଟର ମରଣରେ କି ଆମ୍ଭର କିଛି ସନ୍ତୋଷ ଅଛି? ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ କି ଆମ୍ଭର ସନ୍ତୋଷ ନାହିଁ? 24ମାତ୍ର ଧାର୍ମିକ ଲୋକ ଯଦି ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ଦୁଷ୍ଟ ଲୋକର କୃତ ସକଳ ଘୃଣାଯୋଗ୍ୟ କ୍ରିୟାନୁଯାୟୀ ଆଚରଣ କରେ, ତେବେ ସେ କି ବଞ୍ଚିବ? ତାହାର କୃତ କୌଣସି ଧର୍ମକର୍ମ ସ୍ମରଣ କରାଯିବ ନାହିଁ; ସେ ଯେଉଁ ସତ୍ୟ-ଲଙ୍ଘନ କରିଅଛି, ସେହି ସତ୍ୟ-ଲଙ୍ଘନରେ ଓ ସେ ଯେଉଁ ପାପ କରିଅଛି, ତାହାର ସେହି ପାପରେ ସେ ମରିବ। 25ତଥାପି ତୁମ୍ଭେମାନେ କହୁଅଛ, ‘ପ୍ରଭୁଙ୍କର ପଥ ସରଳ ନୁହେଁ।’ ହେ ଇସ୍ରାଏଲ ବଂଶ, ଏବେ ଶୁଣ; ଆମ୍ଭର ପଥ କି ସରଳ ନୁହେଁ? ତୁମ୍ଭମାନଙ୍କର ପଥ କି ଅସରଳ ନୁହେଁ? 26ଧାର୍ମିକ ଲୋକ ଯେତେବେଳେ ଆପଣା ଧାର୍ମିକତାରୁ ଫେରି ଅଧର୍ମ କରେ ଓ ତହିଁରେ ମରେ, ସେତେବେଳେ ସେ ଯେଉଁ ଅଧର୍ମ କରିଅଛି, ତହିଁରେ ହିଁ ମରିବ। 27ପୁନର୍ବାର ଦୁଷ୍ଟ ଲୋକ ଯେତେବେଳେ ଆପଣା କୃତ ଦୁଷ୍ଟତାରୁ ଫେରେ, ଆଉ ନ୍ୟାୟ ଓ ଧର୍ମାଚରଣ କରେ, ସେତେବେଳେ ସେ ଆପଣା ପ୍ରାଣ ଜୀବିତ ରକ୍ଷା କରିବ। 28ସେ ବିବେଚନା କରେ ଓ ଆପଣା କୃତ ସମସ୍ତ ଅପରାଧରୁ ଫେରେ, ଏଥିପାଇଁ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ।
ପ୍ରତିଉତ୍ତର ଗୀତ
1ଆରୋହଣ ଗୀତ। ହେ ସଦାପ୍ରଭୋ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି। 2ହେ ପ୍ରଭୋ, ମୋʼ ରବ ଶୁଣ; ତୁମ୍ଭ କର୍ଣ୍ଣ ମୋʼ ବିନତି-ରବରେ ମନୋଯୋଗ କରୁ। 3ହେ ସଦାପ୍ରଭୋ, ତୁମ୍ଭେ ଯଦି ଅପରାଧସବୁ ଧରିବ, ତେବେ ହେ ପ୍ରଭୋ, କିଏ ଠିଆ ହେବ? 4ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ, ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି। 5ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋʼ ପ୍ରାଣ ଅପେକ୍ଷା କରୁଅଛି, ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି। 6ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋʼ ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ; ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ। 7ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ; କାରଣ ସଦାପ୍ରଭୁଙ୍କଠାରେ ଦୟା ଅଛି ଓ ତାହାଙ୍କଠାରେ ପ୍ରଚୁର ମୁକ୍ତି ଅଛି। 8ପୁଣି, ସେ ଇସ୍ରାଏଲକୁ ତାହାର ସମସ୍ତ ଅପରାଧରୁ ମୁକ୍ତ କରିବେ।
ସୁସମାଚାର
20କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଧାର୍ମିକତା ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ଧାର୍ମିକତା ଅପେକ୍ଷା ଅଧିକ ନ ହେଲେ ତୁମ୍ଭେମାନେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ। 21ତୁମ୍ଭେମାନେ ଶୁଣିଅଛ ଯେ, ପୁରାତନ କାଳର ଲୋକମାନଙ୍କୁ କୁହାଯାଇଥିଲା, ‘ନରହତ୍ୟା କର ନାହିଁ, ଆଉ ଯେ କେହି ନରହତ୍ୟା କରେ ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ।’ 22କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ଭାଇ ଉପରେ କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡନୀୟ ହେବ। ପୁଣି, ଯେ କେହି ଆପଣା ଭାଇ କି ‘ମୂର୍ଖ’ ବୋଲି କହେ, ସେ ମହାସଭାରେ ଦଣ୍ଡିତ ହେବ; ଆଉ ଯେ କେହି ‘ପାଷାଣ୍ଡ’ ବୋଲି କହେ, ସେ ଅଗ୍ନିମୟ ନର୍କରେ ଦଣ୍ଡନୀୟ ହେବ। 23ଅତଏବ ଯଦି ବେଦି ନିକଟକୁ ତୁମ୍ଭେ ନିଜର ନୈବେଦ୍ୟ ଆଣୁଥିବା ସମୟରେ ତୁମ୍ଭ ବିରୁଦ୍ଧରେ ତୁମ୍ଭ ଭାଇର କୌଣସି କଥା ଅଛି ବୋଲି ସେଠାରେ ତୁମ୍ଭର ମନେ ପଡ଼େ, 24ତାହାହେଲେ ସେହି ସ୍ଥାନରେ ବେଦି ସମ୍ମୁଖରେ ତୁମ୍ଭର ନୈବେଦ୍ୟ ଥୋଇଦେଇ ଚାଲିଯାଅ, ଆଗେ ନିଜ ଭାଇ ସାଙ୍ଗରେ ମିଳିତ ହୁଅ, ଆଉ ତାହା ପରେ ଆସି ତୁମ୍ଭର ନୈବେଦ୍ୟ ଉତ୍ସର୍ଗ କର। 25ତୁମ୍ଭର ବିବାଦୀ ସହିତ ବାଟରେ ଥିବା ସମୟରେ ଶୀଘ୍ର ତାହା ପ୍ରତି ମିଳନର ଭାବ ଦେଖାଅ, କାଳେ ବିବାଦୀ ତୁମ୍ଭକୁ ବିଚାରକର୍ତ୍ତାଙ୍କ ହସ୍ତରେ ସମର୍ପଣ କରିବ, ପୁଣି, ବିଚାରକର୍ତ୍ତା ତୁମ୍ଭକୁ ପଦାତିକ ହସ୍ତରେ ସମର୍ପଣ କରିବେ, ଆଉ ତୁମ୍ଭେ କାରାଗାରରେ ନିକ୍ଷିପ୍ତ ହେବ। 26ମୁଁ ତୁମ୍ଭକୁ ସତ୍ୟ କହୁଅଛି, ତୁମ୍ଭେ ଶେଷ ପାହୁଲାଟି ନ ଶୁଝିବା ପର୍ଯ୍ୟନ୍ତ ସେ ସ୍ଥାନରୁ କୌଣସି ପ୍ରକାରେ ବାହାରି ଆସିପାରିବ ନାହିଁ।
ସାଧାରଣ ରୋମୀୟ ପଞ୍ଜିକା; ବିଶପ୍ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର