Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 13

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 13 ଫେବୃଆରୀ 2027

ଶନିବାର · ଉପବାସ କାଳ: ଭସ୍ମ ବୁଧବାର ପରର ଦିନଗୁଡ଼ିକ

ପର୍ବ ଓ ସନ୍ଥ

ଭସ୍ମ ବୁଧବାର ପରର ଶନିବାର

ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ଯିଶା 58:9–14

9ସେତେବେଳେ ତୁମ୍ଭେ ଡାକିବ ଓ ସଦାପ୍ରଭୁ ଉତ୍ତର ଦେବେ; ତୁମ୍ଭେ ଆର୍ତ୍ତସ୍ୱର କରିବ, ଆଉ ସେ କହିବେ, ‘ଆମ୍ଭେ ଉପସ୍ଥିତ ଅଛୁ।’ ଯଦି ତୁମ୍ଭେ ଆପଣା ମଧ୍ୟରୁ ଯୁଆଳି, ଅଙ୍ଗୁଳି ତର୍ଜ୍ଜନ ଓ ଅଧର୍ମ ବାକ୍ୟ ଦୂର କର; 10ପୁଣି, ଯଦି କ୍ଷୁଧିତର ପ୍ରତି ତୁମ୍ଭର ପ୍ରାଣ ଆକର୍ଷିତ ହୁଏ ଓ ତୁମ୍ଭେ ଦୁଃଖିତର ପ୍ରାଣକୁ ତୃପ୍ତ କର, ତେବେ ଅନ୍ଧକାରରେ ତୁମ୍ଭର ଦୀପ୍ତି ଉଦିତ ହେବ ଓ ତୁମ୍ଭର ଅନ୍ଧକାର ମଧ୍ୟାହ୍ନର ସମାନ ହେବ; 11ଆଉ, ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢ଼ାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ ଓ ତୁମ୍ଭ ଅସ୍ଥିସକଳକୁ ବଳିଷ୍ଠ କରିବେ; ତହିଁରେ ତୁମ୍ଭେ ଜଳ ସିଞ୍ଚିତ ଉଦ୍ୟାନ ତୁଲ୍ୟ ଓ ଜଳାଭାବ ନ ଥିବା ନିର୍ଝର ତୁଲ୍ୟ ହେବ। 12ପୁଣି, ତୁମ୍ଭ ବଂଶୀୟ ଲୋକେ ପୁରାତନ ଉତ୍ସନ୍ନ ସ୍ଥାନସକଳ ପୁନଃନିର୍ମାଣ କରିବେ; ତୁମ୍ଭେ ପୂର୍ବକାଳର ଅନେକ ଭିତ୍ତିମୂଳର ଉପରେ ଗାନ୍ଥିବ; ପୁଣି, ଭଗ୍ନ ପ୍ରାଚୀର ନିର୍ମାଣକାରୀ ଓ ନିବାସ ନିମନ୍ତେ ପୁନଃ ପଥ ସଂସ୍ଥାପନକାରୀ ବୋଲି ବିଖ୍ୟାତ ହେବ। 13ତୁମ୍ଭେ ଯଦି ବିଶ୍ରାମବାର ଲଙ୍ଘନରୁ, ଆମ୍ଭ ପବିତ୍ର ଦିନରେ ନିଜ ଅଭିଳାଷ ଚେଷ୍ଟାରୁ ଆପଣା ପାଦ ଫେରାଅ; ପୁଣି, ବିଶ୍ରାମବାରକୁ ସୁଖଦାୟକ ଓ ସଦାପ୍ରଭୁଙ୍କ ପବିତ୍ର ଦିନକୁ ଆଦରଣୀୟ ବୋଲି କୁହ; ଆଉ, ନିଜ କାର୍ଯ୍ୟ ନ କରି ଅବା ନିଜ ଅଭିଳାଷର ଚେଷ୍ଟା ନ କରି ଅଥବା ନିଜ କଥା ନ କହି ତାହାକୁ ଆଦର କରିବ: 14ତେବେ ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ; ପୁଣି, ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥଳୀମାନରେ ଆରୋହଣ କରାଇବା; ଆଉ, ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା: କାରଣ ସଦାପ୍ରଭୁଙ୍କର ମୁଖ ଏହା କହିଅଛି।”

ପ୍ରତିଉତ୍ତର ଗୀତ

ଗୀତ 86:1–6

1ଦାଉଦଙ୍କର ପ୍ରାର୍ଥନା। ହେ ସଦାପ୍ରଭୋ, କର୍ଣ୍ଣ ଡେରି ମୋତେ ଉତ୍ତର ଦିଅ; କାରଣ ମୁଁ ଦରିଦ୍ର ଓ ଦୀନହୀନ। 2ମୋହର ପ୍ରାଣ ରକ୍ଷା କର; ଯେହେତୁ ମୁଁ ଈଶ୍ୱରପରାୟଣ; ହେ ମୋହର ପରମେଶ୍ୱର, ତୁମ୍ଭଠାରେ ଭରସାକାରୀ ଦାସର ପରିତ୍ରାଣ କର। 3ହେ ପ୍ରଭୋ, ମୋʼ ପ୍ରତି ଦୟାଳୁ ହୁଅ; କାରଣ ମୁଁ ସାରାଦିନ ତୁମ୍ଭ ନିକଟରେ ଡାକ ପକାଏ। 4ଆପଣା ଦାସର ପ୍ରାଣ ଆନନ୍ଦିତ କର; କାରଣ ହେ ପ୍ରଭୋ, ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ। 5ଯେହେତୁ ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ, ପୁଣି, ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ। 6ହେ ସଦାପ୍ରଭୋ, ମୋʼ ପ୍ରାର୍ଥନାରେ କର୍ଣ୍ଣପାତ କର ଓ ମୋʼ ନିବେଦନର ରବରେ ମନୋଯୋଗ କର।

ସୁସମାଚାର

ଲୂକ 5:27–32

27ଏଥିଉତ୍ତାରେ ସେ ବାହାରିଯାଇ ଲେବୀ ନାମକ ଜଣେ କରଗ୍ରାହୀଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” 28ସେଥିରେ ସେ ସମସ୍ତ ପରିତ୍ୟାଗ କରି ଉଠି ତାହାଙ୍କର ଅନୁଗମନ କରିବାକୁ ଲାଗିଲେ। 29ପୁଣି, ଲେବୀ ନିଜ ଘରେ ତାହାଙ୍କ ନିମନ୍ତେ ଗୋଟିଏ ବଡ଼ ଭୋଜି କଲେ, ଆଉ ବହୁସଂଖ୍ୟକ କରଗ୍ରାହୀ ଓ ଅନ୍ୟାନ୍ୟ ଲୋକ ସେମାନଙ୍କ ସାଙ୍ଗରେ ଭୋଜନ କରିବାକୁ ବସିଲେ। 30ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ତୁମ୍ଭେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରୁଅଛ? 31ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକତା ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକତା ଅଛି। 32ମୁଁ ଧାର୍ମିକ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନ-ପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଅଛି।”

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର