Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଫେବୃଆରୀ 2027 › ଫେବୃଆରୀ 2

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 2 ଫେବୃଆରୀ 2027

ମଙ୍ଗଳବାର · ସାଧାରଣ କାଳର ଚତୁର୍ଥ ସପ୍ତାହ

ପର୍ବ ଓ ସନ୍ଥ

ମନ୍ଦିରରେ ପ୍ରଭୁଙ୍କ ଉତ୍ସର୍ଗ

ପର୍ବ · ଉପାସନାର ରଙ୍ଗ: ଧଳା

ଦିନର ପାଠ

ପ୍ରଥମ ପାଠ

ମଲାଖି 3:1–4

କିମ୍ବା: ଏବ୍ରୀ 2:14–18

1“ଦେଖ, ଆମ୍ଭେ ଆପଣା ବାର୍ତ୍ତାବାହକଙ୍କୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ; ପୁଣି, ତୁମ୍ଭେମାନେ ଯେଉଁ ପ୍ରଭୁଙ୍କର ଅନ୍ୱେଷଣ କରୁଅଛ, ସେ ଅକସ୍ମାତ୍‍ ଆପଣା ମନ୍ଦିରକୁ ଆସିବେ; ଆଉ, ନିୟମର ଯେଉଁ ବାର୍ତ୍ତାବାହକଠାରେ ତୁମ୍ଭେମାନେ ସନ୍ତୁଷ୍ଟ ଅଟ, ଦେଖ, ସେ ଆସୁଅଛନ୍ତି,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। 2ମାତ୍ର ତାହାଙ୍କର ଆଗମନ ଦିନ କିଏ ସହିପାରେ? ଆଉ, ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ? କାରଣ ସେ ପରିଷ୍କାରକାରୀର ଅଗ୍ନି ତୁଲ୍ୟ ଓ ଲୁଗା ସଫା କ୍ଷାର ସ୍ୱରୂପ; 3ପୁଣି, ସେ ରୌପ୍ୟ ପରିଷ୍କାରକ ଓ ଶୁଚିକାରକର ତୁଲ୍ୟ ବସିବେ ଓ ସେ ଲେବୀର ସନ୍ତାନଗଣଙ୍କୁ ପରିଷ୍କାର କରିବେ ପୁଣି ସୁନା ଓ ରୂପା ପରି ସେମାନଙ୍କୁ ବିଶୁଦ୍ଧ କରିବେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧାର୍ମିକତାର ନୈବେଦ୍ୟ ଉତ୍ସର୍ଗ କରିବେ। 4ସେତେବେଳେ, ପୁରାତନ କାଳର ଦିନରେ ଓ ପ୍ରାଚୀନ କାଳର ବର୍ଷରେ ଯେପରି ହେଉଥିଲା, ସେପରି ଯିହୁଦାର ଓ ଯିରୂଶାଲମର ନୈବେଦ୍ୟ ସଦାପ୍ରଭୁଙ୍କର ସନ୍ତୋଷଜନକ ହେବ।

ପ୍ରତିଉତ୍ତର ଗୀତ

ଗୀତ 24:7–10

7ହେ ନଗରଦ୍ୱାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। 8ଗୌରବମୟ ରାଜା କିଏ? ବଳବାନ ଓ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ। 9ହେ ନଗରଦ୍ୱାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ। 10ଏହି ଗୌରବମୟ ରାଜା କିଏ? ବାହିନୀଗଣର ସଦାପ୍ରଭୁ, ସେ ଗୌରବମୟ ରାଜା ଅଟନ୍ତି। [ସେଲା]

ସୁସମାଚାର

ଲୂକ 2:22–40

22ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ମରୀୟମଙ୍କ ଶୁଚି ହେବା ସମୟ ପୂର୍ଣ୍ଣ ହେଲା, 23ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁତ୍ରସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବେ, 24ପ୍ରଭୁଙ୍କ ବ୍ୟବସ୍ଥାରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାରେ ଲେଖାଯାଇଥିବା ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମ ସହରକୁ ନେଇଗଲେ। 25ଆଉ ଦେଖ, ଯିରୂଶାଲମ ସହରରେ ଶିମିୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ୱନା ଅପେକ୍ଷା କରୁଥିଲେ, ପୁଣି, ପବିତ୍ର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିଥିଲେ। 26ପ୍ରଭୁ ଖ୍ରୀଷ୍ଟଙ୍କର ଦର୍ଶନ ନ ପାଇଲେ ତାହାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ୱାରା ତାହାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା। 27ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି, ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ମୋଶାଙ୍କ ବ୍ୟବସ୍ଥାର ନିୟମ ଅନୁଯାୟୀ କର୍ମ କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ, 28ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ବରଙ୍କ ପ୍ରଶଂସା କରି କହିଲେ, 29“ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ; 30କାରଣ ମୋହର ଚକ୍ଷୁ ତୁମ୍ଭର ପରିତ୍ରାଣ ଦେଖିଅଛି, 31ଯାହା ତୁମ୍ଭେ ସମସ୍ତ ଲୋକମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରି, 32ଅଣଯିହୁଦୀମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଆଲୋକ, ପୁଣି, ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ।” 33ତାହାଙ୍କ ସମ୍ବନ୍ଧୀୟ କୁହାଯାଇଥିବା ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ। 34ଆଉ, ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବନା ପ୍ରକାଶିତ ହୁଏ, 35ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍‌ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି, ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ୍ଗ ବିଦ୍ଧ କରିବ। 36ଆଉ ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର ବଂଶଜ ଫିନୂୟେଲଙ୍କ କନ୍ୟା। ତାହାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ୱାମୀଙ୍କ ସହିତ ବାସ କରିଥିଲେ ଓ ଚଊରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ। 37ସେ ମନ୍ଦିର ନ ଛାଡ଼ି ଉପବାସ ଓ ନିବେଦନ ସହ ଦିନରାତି ଉପାସନା କରୁଥିଲେ। 38ସେହି ଦଣ୍ଡରେ ସେ ଉପସ୍ଥିତ ହୋଇ ଈଶ୍ବରଙ୍କ ପ୍ରଶଂସା କରୁ କରୁ ଯିରୂଶାଲମ ସହରର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ। 39ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରି ଗାଲିଲୀକୁ, ନିଜ ନଗର ନାଜରିତକୁ ଫେରିଗଲେ। 40ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି, ଈଶ୍ବରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର