Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 29

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 29 ଜାନୁଆରୀ 2027

ଶୁକ୍ରବାର · ସାଧାରଣ କାଳର ତୃତୀୟ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର ତୃତୀୟ ସପ୍ତାହର ଶୁକ୍ରବାର

ସାଧାରଣ ଦିନ · ଉପାସନାର ରଙ୍ଗ: ସବୁଜ

ଉପବାସ ଓ ପ୍ରାୟଶ୍ଚିତ୍ତ

ପ୍ରାୟଶ୍ଚିତ୍ତର ଦିନ

ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।

ଦିନର ପାଠ

ପ୍ରଥମ ପାଠ

ଏବ୍ରୀ 10:32–39

32କିନ୍ତୁ ଆଲୋକ ପ୍ରାପ୍ତ ହେଲା ଉତ୍ତାରେ ଯେତେବେଳେ ତୁମ୍ଭେମାନେ ନାନା ଦୁଃଖଭୋଗରୂପ କଠୋର ସଂଗ୍ରାମ ସହ୍ୟ କରିଥିଲ, ସେହି ପୂର୍ବ ସମୟକୁ ସ୍ମରଣରେ ଆଣ; 33ଏକ ଦିଗରେ ତିରସ୍କାର ଓ କ୍ଳେଶ ଦ୍ୱାରା କୌତୁକାସ୍ପଦ ହୋଇଥିଲ, ଅନ୍ୟ ଦିଗରେ ସେହି ପ୍ରକାର ବ୍ୟବହାର ପାଉଥିବା ଲୋକମାନଙ୍କର ସହଭାଗୀ ହୋଇଥିଲ। 34କାରଣ ତୁମ୍ଭେମାନେ ବନ୍ଦୀମାନଙ୍କ ସହିତ ଦୁଃଖଭୋଗ କରିଥିଲ, ଆଉ ତୁମ୍ଭମାନଙ୍କ ନିଜର ଯେ ଅଧିକ ଉତ୍ତମ ଓ ନିତ୍ୟସ୍ଥାୟୀ ସମ୍ପତ୍ତି ଅଛି, ଏହା ଜାଣି ଆନନ୍ଦରେ ତୁମ୍ଭମାନଙ୍କ ସମ୍ପତ୍ତିର ଲୁଣ୍ଠନ ସହ୍ୟ କରିଥିଲ। 35ଅତଏବ, ତୁମ୍ଭମାନଙ୍କ ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ଅଛି। 36ଯେଣୁ ତୁମ୍ଭେମାନେ ଯେପରି ଈଶ୍ବରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇପାର, ଏଥିନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ। 37ଯେପରି ଶାସ୍ତ୍ରରେ ଲେଖାଅଛି, “କାରଣ ଆଉ ଅତି ଅଳ୍ପ ସମୟ ମାତ୍ର, ଯାହାଙ୍କ ଆଗମନ କରିବାର ଅଛି, ସେ ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ।” 38ପୁଣି, “ଆମ୍ଭର ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ, କିନ୍ତୁ ଯଦି କେହି ପଶ୍ଚାତ୍‍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ।” 39ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍‍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ।

ପ୍ରତିଉତ୍ତର ଗୀତ

ଗୀତ 37:3–6, 23–24, 39–40

3ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର; ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ। 4ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର; ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ। 5ସଦାପ୍ରଭୁଙ୍କଠାରେ ତୁମ୍ଭର ଗତି ସମର୍ପଣ କର; ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ। 6ଆଉ, ସେ ଦୀପ୍ତି ତୁଲ୍ୟ ତୁମ୍ଭର ଧର୍ମ ଓ ମଧ୍ୟାହ୍ନ ତୁଲ୍ୟ ତୁମ୍ଭର ବିଚାର ପ୍ରକାଶ କରାଇବେ। 23ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି। 24ସେ ପତିତ ହେଲେ ହେଁ ଭୂମିଶାୟୀ ହେବ ନାହିଁ; କାରଣ ସଦାପ୍ରଭୁ ସ୍ୱହସ୍ତରେ ତାହାକୁ ଧରି ରଖନ୍ତି। 39ମାତ୍ର ସଦାପ୍ରଭୁଙ୍କଠାରୁ ଧାର୍ମିକ ଲୋକର ପରିତ୍ରାଣ ହୁଏ; ସେ ସଙ୍କଟ ସମୟରେ ସେମାନଙ୍କର ଦୃଢ଼ ଦୁର୍ଗ ଅଟନ୍ତି। 40ପୁଣି, ସଦାପ୍ରଭୁ ସେମାନଙ୍କର ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି; ସେ ଦୁଷ୍ଟମାନଙ୍କଠାରୁ ସେମାନଙ୍କୁ ରକ୍ଷା କରି ପରିତ୍ରାଣ କରନ୍ତି, କାରଣ ସେମାନେ ତାହାଙ୍କର ଶରଣାଗତ।

ସୁସମାଚାର

ମାର୍କ 4:26–34

26ଆହୁରି ସେ କହିଲେ, “ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର, ଯେପରି ଜଣେ ଲୋକ ଭୂମିରେ ବିହନ ବୁଣେ; 27ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ। 28ଭୂମି ଆପେ ଫଳ ଉତ୍ପନ୍ନ କରେ, ପ୍ରଥମରେ ପତ୍ର, ପରେ ଶସ୍ୟର ଶିଁଷା, ତାହା ପରେ ଶିଁଷାରେ ପୂର୍ଣ୍ଣ ଶସ୍ୟ। 29କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ।” 30ଯୀଶୁ ପୁଣି, କହିଲେ, “ଆମ୍ଭେମାନେ କାହା ସାଙ୍ଗରେ ଈଶ୍ବରଙ୍କ ରାଜ୍ୟର ତୁଳନା କରିବା? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା? 31ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର, 32ମାତ୍ର ବୁଣାଗଲେ ତାହା ବଢ଼ି ଉଠି ସବୁ ଶାକଠାରୁ ବଡ଼ ହୁଏ, ପୁଣି, ତାହାର ଏପରି ବଡ଼ ବଡ଼ ଡାଳ ହୁଏ ଯେ, ଆକାଶର ଚଢ଼େଇମାନେ ତାହାର ଛାୟାରେ ବାସ କରିପାରନ୍ତି।” 33ସେ ଏହି ପ୍ରକାରେ ଅନେକ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କ ଶୁଣିବା ଶକ୍ତି ଅନୁସାରେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରୁଥିଲେ, 34ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କ ନିକଟରେ କୌଣସି କଥା କହୁ ନ ଥିଲେ। କିନ୍ତୁ ସେ ଗୋପନରେ ଆପଣା ଶିଷ୍ୟମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେଉଥିଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର