Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 22

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 22 ଜାନୁଆରୀ 2027

ଶୁକ୍ରବାର · ସାଧାରଣ କାଳର ଦ୍ୱିତୀୟ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର ଦ୍ୱିତୀୟ ସପ୍ତାହର ଶୁକ୍ରବାର

ଇଚ୍ଛାଧୀନ ସ୍ମୃତି ଦିବସ · ଉପାସନାର ରଙ୍ଗ: ସବୁଜ

ସନ୍ଥ ଭିନ୍ସେଣ୍ଟ, ଉପଯାଜକ ଓ ଶହୀଦ · ଇଚ୍ଛାଧୀନ ସ୍ମୃତି ଦିବସ

ଉପବାସ ଓ ପ୍ରାୟଶ୍ଚିତ୍ତ

ପ୍ରାୟଶ୍ଚିତ୍ତର ଦିନ

ପ୍ରତ୍ୟେକ ଶୁକ୍ରବାର ପ୍ରାୟଶ୍ଚିତ୍ତର ଦିନ; ପ୍ରତ୍ୟେକ ବିଶପ୍ ସମ୍ମିଳନୀ ଏହା କିପରି ପାଳିବାକୁ ହେବ ସ୍ଥିର କରେ: ମାଂସରୁ ବିରତି କିମ୍ବା ପ୍ରାୟଶ୍ଚିତ୍ତର ଅନ୍ୟ କାର୍ଯ୍ୟ। ଉପବାସ 18ରୁ 59 ବର୍ଷ ପର୍ଯ୍ୟନ୍ତ, ବିରତି 14 ବର୍ଷରୁ ବାଧ୍ୟତାମୂଳକ।

ଦିନର ପାଠ

ପ୍ରଥମ ପାଠ

ଏବ୍ରୀ 8:6–13

6କିନ୍ତୁ ଏବେ ଯେଉଁ ପରିମାଣରେ ଖ୍ରୀଷ୍ଟ ଉତ୍କୃଷ୍ଟତର ପ୍ରତିଜ୍ଞାଗୁଡ଼ିକ ଉପରେ ସ୍ଥାପିତ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ସେହି ପରିମାଣରେ ମଧ୍ୟ ଉତ୍କୃଷ୍ଟତର ସେବକପଦ ପ୍ରାପ୍ତ କରିଅଛନ୍ତି। 7କାରଣ ପ୍ରଥମ ନିୟମ ଯଦି ଦୋଷରହିତ ହୋଇଥାଆନ୍ତା, ତେବେ ଦ୍ୱିତୀୟ ନିୟମର କଥା ଉଠି ନ ଥାଆନ୍ତା। 8ଯେଣୁ ଈଶ୍ବର ସେଥିର ଦୋଷ ପ୍ରକାଶ କରି ସେମାନଙ୍କୁ କହନ୍ତି, “ପ୍ରଭୁ କହନ୍ତି, ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୂଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା; 9ଯେଉଁ କାଳରେ ଆମ୍ଭେ ସେମାନଙ୍କର ପିତୃପୁରୁଷମାନଙ୍କୁ ହସ୍ତ ଧରି ମିସର ଦେଶରୁ ବାହାର କରି ଆଣିଥିଲୁ, ସେହି ସମୟରେ ସେମାନଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ, ଏହା ତଦନୁଯାୟୀ ନୁହେଁ; ଯେଣୁ ସେମାନେ ଆମ୍ଭ ନିୟମରେ ସ୍ଥିର ରହିଲେ ନାହିଁ, ଆଉ ଆମ୍ଭେ ସେମାନଙ୍କ ପ୍ରତି ମନୋଯୋଗ କଲୁ ନାହିଁ, ଏହା ପ୍ରଭୁ କହନ୍ତି। 10କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହିସବୁ ଲେଖିବା, 11ଆମ୍ଭେ ସେମାନଙ୍କ ଈଶ୍ବର ହେବା, ସେମାନେ ଆମ୍ଭର ଲୋକ ହେବେ, ପୁଣି, ପ୍ରଭୁଙ୍କୁ ଜାଣ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ସହନଗରବାସୀଙ୍କୁ, ଆଉ ପ୍ରତ୍ୟେକେ ଆପଣା ଆପଣା ଭାଇଙ୍କୁ ଶିକ୍ଷା ଦେବେ ନାହିଁ, ଯେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ଆମ୍ଭକୁ ଜାଣିବେ। 12କାରଣ ଆମ୍ଭେ ସେମାନଙ୍କର ଅଧର୍ମ ପ୍ରତି ସଦୟ ହେବା, ପୁଣି, ସେମାନଙ୍କର ପାପସବୁ ଆଉ ସ୍ମରଣରେ ଆଣିବା ନାହିଁ।” 13ସେ “ନୂତନ ନିୟମ” ବୋଲି କହିବା ଦ୍ୱାରା ପ୍ରଥମକୁ ପୁରାତନ କରିଅଛନ୍ତି; ଆଉ ଯାହା ପୁରାତନ ଓ ଜୀର୍ଣ୍ଣ ହୋଇଯାଉଅଛି, ତାହାର ଲୋପ ହେବାର ସମୟ ସନ୍ନିକଟ।

ପ୍ରତିଉତ୍ତର ଗୀତ

ଗୀତ 85:7, 9–13

7ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି ଆପଣା ଦୟା ପ୍ରକାଶ କର ଓ ଆମ୍ଭମାନଙ୍କୁ ତୁମ୍ଭ ପରିତ୍ରାଣ ପ୍ରଦାନ କର। 9ଯେପରି ଆମ୍ଭମାନଙ୍କ ଦେଶରେ ଗୌରବ ବାସ କରିବ, ଏଥିପାଇଁ ନିଶ୍ଚୟ ତାହାଙ୍କ ଭୟକାରୀମାନଙ୍କ ନିକଟରେ ତାହାଙ୍କ ପରିତ୍ରାଣ ଅଛି। 10ଦୟା ଓ ସତ୍ୟତା ପରସ୍ପର ମିଳିତ ହୋଇଅଛନ୍ତି; ଧର୍ମ ଓ ଶାନ୍ତି ପରସ୍ପର ଚୁମ୍ବନ କରିଅଛନ୍ତି। 11ପୃଥିବୀରୁ ସତ୍ୟତା ଅଙ୍କୁରିତ ହେଉଅଛି; ପୁଣି, ଧାର୍ମିକତା ସ୍ୱର୍ଗରୁ ଦୃଷ୍ଟିପାତ କରିଅଛି। 12ସଦାପ୍ରଭୁ ମଙ୍ଗଳ ପ୍ରଦାନ କରିବେ; ତହିଁରେ ଆମ୍ଭମାନଙ୍କ ଦେଶ ଫଳ ଉତ୍ପନ୍ନ କରିବ। 13ଧର୍ମ ତାହାଙ୍କର ଆଗେ ଆଗେ ଯିବ ଓ ତାହାଙ୍କ ପଦଚିହ୍ନକୁ ଗମନର ପଥ କରିବ।

ସୁସମାଚାର

ମାର୍କ 3:13–19

13ସେ ପର୍ବତ ଉପରକୁ ଯାଇ, ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ। 14ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ, 15ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ। 16ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ। 17ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍‍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ; 18ଆନ୍ଦ୍ରିୟ, ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ, 19ପୁଣି, ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର