Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଜାନୁଆରୀ 2027 › ଜାନୁଆରୀ 21

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 21 ଜାନୁଆରୀ 2027

ଗୁରୁବାର · ସାଧାରଣ କାଳର ଦ୍ୱିତୀୟ ସପ୍ତାହ

ପର୍ବ ଓ ସନ୍ଥ

ସାଧାରଣ କାଳର ଦ୍ୱିତୀୟ ସପ୍ତାହର ଗୁରୁବାର

ସ୍ମୃତି ଦିବସ · ଉପାସନାର ରଙ୍ଗ: ନାଲି

ସନ୍ଥ ଆଗ୍ନେସ୍, କୁମାରୀ ଓ ଶହୀଦ · ସ୍ମୃତି ଦିବସ

ଦିନର ପାଠ

ପ୍ରଥମ ପାଠ

ଏବ୍ରୀ 7:25–8:6

25ଅତଏବ, ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ବରଙ୍କ ନିକଟବର୍ତ୍ତୀ ହୁଅନ୍ତି, ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି, ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ। 26କାରଣ ଏହି ପ୍ରକାର ମହାଯାଜକ ଆମ୍ଭମାନଙ୍କ ପକ୍ଷରେ ଉପଯୁକ୍ତ, ଯେ କି ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ, ପାପୀମାନଙ୍କଠାରୁ ପୃଥକୀକୃତ, ପୁଣି, ଆକାଶମଣ୍ଡଳ ଉପରେ ଉଚ୍ଚୀକୃତ। 27ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି। 28ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ଈଶ୍ବରଙ୍କ ପୁତ୍ରଙ୍କୁ ନିଯୁକ୍ତ କରେ। 8:1ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି; 2ସେ ମହାପବିତ୍ର ସ୍ଥାନର ପୁଣି, ଯେଉଁ ଯଥାର୍ଥ ତମ୍ବୁ ମନୁଷ୍ୟ ଦ୍ୱାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ୱାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି। 3କାରଣ ପ୍ରତ୍ୟେକ ମହାଯାଜକ ଦାନ ଓ ବଳି ଉଭୟ ଉତ୍ସର୍ଗ କରିବାକୁ ନିଯୁକ୍ତ ହୁଅନ୍ତି, ଅତଏବ ଏହି ମହାଯାଜକଙ୍କର ମଧ୍ୟ ଉତ୍ସର୍ଗ କରିବା ନିମନ୍ତେ କିଛି ଥିବା ଆବଶ୍ୟକ। 4ଯୀଶୁ ଖ୍ରୀଷ୍ଟ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇପାରି ନ ଥାଆନ୍ତେ, କାରଣ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି; 5ସେମାନେ ଯାହାର ସେବା କରନ୍ତି, ତାହା ସ୍ୱର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ବୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶପ୍ରାପ୍ତ ହୋଇଥିଲେ; କାରଣ ଈଶ୍ବର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କର। 6କିନ୍ତୁ ଏବେ ଯେଉଁ ପରିମାଣରେ ଖ୍ରୀଷ୍ଟ ଉତ୍କୃଷ୍ଟତର ପ୍ରତିଜ୍ଞାଗୁଡ଼ିକ ଉପରେ ସ୍ଥାପିତ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ସେହି ପରିମାଣରେ ମଧ୍ୟ ଉତ୍କୃଷ୍ଟତର ସେବକପଦ ପ୍ରାପ୍ତ କରିଅଛନ୍ତି।

ପ୍ରତିଉତ୍ତର ଗୀତ

ଗୀତ 40:6–9, 16

6ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ। 7ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି। 8ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି।” 9ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ। 16ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେହି ସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ନିରନ୍ତର କହନ୍ତୁ, “ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ।”

ସୁସମାଚାର

ମାର୍କ 3:7–12

7ଏଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଅନ୍ତର ହୋଇ ସମୁଦ୍ରକୂଳକୁ ବାହାରିଗଲେ, ପୁଣି, ଗାଲିଲୀରୁ ମହାଜନତା ତାହାଙ୍କର ପଶ୍ଚାତ୍‌ଗମନ କଲେ; ଆଉ ଯିହୂଦିୟା ପ୍ରଦେଶ, 8ଯିରୂଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନ ସହରର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ। 9ସେତେବେଳେ ଭିଡ଼ ସକାଶେ, ଲୋକସମୂହ ଯେପରି ତାହାଙ୍କ ଉପରେ ମାଡ଼ି ନ ପଡ଼ନ୍ତି, ଏଥିପାଇଁ ସେ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ଗୋଟିଏ ସାନ ନୌକା ନିକଟରେ ପ୍ରସ୍ତୁତ ରଖିବାକୁ କହିଲେ; 10କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ। 11ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ବରଙ୍କ ପୁତ୍ର। 12ସେଥିରେ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ।

ଆଜିର ସନ୍ଥ

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର