Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2026 › ଡିସେମ୍ବର 22

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 22 ଡିସେମ୍ବର 2026

ମଙ୍ଗଳବାର · ଆଗମନ କାଳର ଚତୁର୍ଥ ସପ୍ତାହ

ପର୍ବ ଓ ସନ୍ଥ

22 ଡିସେମ୍ବର

ସାଧାରଣ ଦିନ · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ପ୍ର.ଶା 1:24–28

24ଏଥିଉତ୍ତାରେ ସେ ତାହାକୁ ସ୍ତନ୍ୟପାନ ତ୍ୟାଗ କରାନ୍ତେ, ତିନି ଗୋବତ୍ସ ଓ ଏକ ଐଫା ମଇଦା ଓ ଏକ କୁମ୍ପା ଦ୍ରାକ୍ଷାରସ ସହିତ ତାହାକୁ ଶୀଲୋସ୍ଥିତ ସଦାପ୍ରଭୁଙ୍କ ଗୃହକୁ ଆଣିଲା; ସେତେବେଳେ ବାଳକ ଅଳ୍ପ ବୟସ୍କ ଥିଲା। 25ତହୁଁ ସେମାନେ ଗୋବତ୍ସ ବଧ କରି ବାଳକକୁ ଏଲିଙ୍କ କତିକି ଆଣିଲେ। 26ତହିଁରେ ସେ ସ୍ତ୍ରୀ କହିଲା, “ହେ ମୋହର ପ୍ରଭୋ, ତୁମ୍ଭ ପ୍ରାଣ ଜୀବିତ ଥିବା ପ୍ରମାଣେ, ହେ ମୋହର ପ୍ରଭୋ, ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଏହି ସ୍ଥାନରେ ତୁମ୍ଭ ସମ୍ମୁଖରେ ଠିଆ ହୋଇଥିଲା, ମୁଁ ସେହି। 27ଏହି ବାଳକ ନିମନ୍ତେ ମୁଁ ପ୍ରାର୍ଥନା କରିଥିଲି; ଆଉ ମୁଁ ଯାହା ମାଗିଥିଲି, ସଦାପ୍ରଭୁ ମୋହର ସେହି ନିବେଦନ ଅନୁସାରେ ମୋତେ ଦେଇଅଛନ୍ତି। 28ଏଣୁ ମୁଁ ମଧ୍ୟ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦନ କଲି; ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ ହେଲା,” ଏଉତ୍ତାରେ ସେ ସେଠାରେ ସଦାପ୍ରଭୁଙ୍କର ଆରାଧନା କଲା।

ପ୍ରତିଉତ୍ତର ଗୀତ

ପ୍ର.ଶା 2:1, 4–8

1ପୁଣି, ହାନ୍ନା ପ୍ରାର୍ଥନା କରି କହିଲା; “ମୋହର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହା ଉଲ୍ଲାସ କରୁଅଛି, ସଦାପ୍ରଭୁଙ୍କଠାରେ ମୋହର ଶୃଙ୍ଗ ଉନ୍ନତ ହୋଇଅଛି; ମୋହର ମୁଖ ମୋର ଶତ୍ରୁମାନଙ୍କ ନିକଟରେ ଖୋଲିଅଛି; ଯେହେତୁ ମୁଁ ତୁମ୍ଭ ପରିତ୍ରାଣରେ ଆନନ୍ଦ କରେ। 4ବୀରମାନଙ୍କର ଧନୁ ଭଙ୍ଗା ଯାଇଅଛି ଓ ଝୁଣ୍ଟି ପଡ଼ିବା ଲୋକମାନଙ୍କର କଟି ବଳରେ ବନ୍ଧାଯାଇଅଛି। 5ଯେଉଁମାନେ ପରିତୃପ୍ତ ଥିଲେ, ସେମାନେ ଆପେ ଖାଦ୍ୟ ନିମନ୍ତେ ବେତନଜୀବୀ ହୋଇଅଛନ୍ତି ଓ ଯେଉଁମାନେ କ୍ଷୁଧିତ ଥିଲେ, ସେମାନେ ବିଶ୍ରାମ ପାଇଅଛନ୍ତି; ହଁ, ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି ଓ ଯାହାର ଅନେକ ସନ୍ତାନସନ୍ତତି ଥିଲେ, ସେ ନିସ୍ତେଜ ହେଉଅଛି। 6ସଦାପ୍ରଭୁ ମୃତ୍ୟୁ ଘଟାନ୍ତି ଓ ସଜୀବ କରନ୍ତି; ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି। 7ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି; ସେ ନତ କରନ୍ତି, ସେ ମଧ୍ୟ ଉନ୍ନତ କରନ୍ତି। 8ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ ଓ ଗୌରବ ସିଂହାସନ ଅଧିକାର କରିବା ପାଇଁ ଧୂଳିରୁ ଦୀନହୀନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି; କାରଣ ପୃଥିବୀର ସ୍ତମ୍ଭସକଳ ସଦାପ୍ରଭୁଙ୍କର ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଅଛନ୍ତି।

ସୁସମାଚାର

ଲୂକ 1:46–56

46ଏଥିରେ ମରୀୟମ କହିଲେ, “ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି, 47ପୁଣି, ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ବରଙ୍କଠାରେ ଆନନ୍ଦିତ ହୋଇଅଛି; 48କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ, 49କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର, 50ଆଉ ତାହାଙ୍କ ଭୟକାରୀମାନଙ୍କ ପ୍ରତି ତାହାଙ୍କ ଦୟା ପୁରୁଷାନୁକ୍ରମେ ଥାଏ। 51ସେ ଆପଣା ବାହୁରେ ପରାକ୍ରମ ପ୍ରକାଶ କରିଅଛନ୍ତି, ଅହଙ୍କାରୀମାନଙ୍କୁ ସେମାନଙ୍କ ହୃଦୟର କଳ୍ପନାରେ ଛିନ୍ନଭିନ୍ନ କରିଅଛନ୍ତି; 52ସେ ଶାସନକର୍ତ୍ତାମାନଙ୍କୁ ସିଂହାସନରୁ ବାହାର କରିଅଛନ୍ତି, ଦୀନହୀନମାନଙ୍କୁ ଉଠାଇଅଛନ୍ତି, 53ସେ କ୍ଷୁଧିତମାନଙ୍କୁ ଉତ୍ତମ ଉତ୍ତମ ଦ୍ରବ୍ୟରେ ତୃପ୍ତ କରିଅଛନ୍ତି, ଧନୀମାନଙ୍କୁ ଶୂନ୍ୟ ହସ୍ତରେ ବିଦାୟ କରିଅଛନ୍ତି। 54ଆମ୍ଭମାନଙ୍କ ପିତୃ-ପୁରୁଷଙ୍କ ପ୍ରତି ଉକ୍ତ ତାହାଙ୍କର ବାକ୍ୟାନୁସାରେ, ସେ ଅବ୍ରହାମ ଓ ତାହାଙ୍କ ସନ୍ତାନମାନଙ୍କ ପ୍ରତି, 55ଯୁଗେ ଯୁଗେ ଦୟା ସ୍ମରଣ କରିବା ନିମନ୍ତେ ଆପଣଙ୍କ ଦାସ ଇସ୍ରାଏଲର ଉପକାର କରିଅଛନ୍ତି।” 56ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର