Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2026 › ଡିସେମ୍ବର 20

କାଥଲିକ୍ ପଞ୍ଜିକା

ଦୈନିକ ବାଇବେଲ ପାଠ (କାଥଲିକ୍) — 20 ଡିସେମ୍ବର 2026

ରବିବାର · ଆଗମନ କାଳର ଚତୁର୍ଥ ସପ୍ତାହ

ପର୍ବ ଓ ସନ୍ଥ

ଆଗମନ କାଳର ଚତୁର୍ଥ ରବିବାର

ରବିବାର · ଉପାସନାର ରଙ୍ଗ: ବାଇଗଣୀ

ଦିନର ପାଠ

ପ୍ରଥମ ପାଠ

ଦ୍ଵି.ଶା 7:1–5, 8–12, 14–16

1ଏଥିଉତ୍ତାରେ ରାଜା ଆପଣା ଗୃହରେ ବାସ କରିବା ବେଳେ ଓ ସଦାପ୍ରଭୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ତାଙ୍କୁ ବିଶ୍ରାମ ଦେଲା ଉତ୍ତାରେ 2ରାଜା ନାଥନ ଭବିଷ୍ୟଦ୍‍ବକ୍ତାଙ୍କୁ କହିଲେ, “ଦେଖ, ଏବେ ମୁଁ ଏରସ କାଷ୍ଠରେ ନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ପରମେଶ୍ୱରଙ୍କ ସିନ୍ଦୁକ ପରଦା ପଛରେ ବାସ କରୁଅଛି।” 3ତହିଁରେ ନାଥନ ରାଜାଙ୍କୁ କହିଲେ, “ଯାଅ, ତୁମ୍ଭ ହୃଦୟରେ ଯାହା ଅଛି, ତାହାସବୁ କର; କାରଣ ସଦାପ୍ରଭୁ ତୁମ୍ଭ ସଙ୍ଗରେ ଅଛନ୍ତି।” 4ଏଉତ୍ତାରେ ସେହି ରାତ୍ରି ସଦାପ୍ରଭୁଙ୍କ ବାକ୍ୟ ନାଥନଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, 5“ଯାଅ, ଆମ୍ଭ ଦାସ ଦାଉଦଙ୍କୁ ଜଣାଅ, ‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ଆମ୍ଭ ନିମନ୍ତେ ବସତି-ଗୃହ ନିର୍ମାଣ କରିବ? 8ଏଣୁ ଏବେ ତୁମ୍ଭେ ଆମ୍ଭ ଦାସ ଦାଉଦଙ୍କୁ ଏପରି କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେପରି ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଗ୍ରଣୀ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ମେଷଶାଳାରୁ, ମେଷମାନଙ୍କ ପଶ୍ଚାଦ୍‍ଗମନରୁ ଗ୍ରହଣ କଲୁ; 9ପୁଣି ତୁମ୍ଭେ ଯେଉଁ ଯେଉଁ ସ୍ଥାନକୁ ଗଲ, ଆମ୍ଭେ ତୁମ୍ଭର ସଙ୍ଗୀ ହେଲୁ ଓ ତୁମ୍ଭ ସମ୍ମୁଖରୁ ତୁମ୍ଭର ସମସ୍ତ ଶତ୍ରୁଙ୍କୁ ଉଚ୍ଛିନ୍ନ କଲୁ; ଆହୁରି ଆମ୍ଭେ ପୃଥିବୀସ୍ଥ ମହାନ ଲୋକମାନଙ୍କ ନାମ ତୁଲ୍ୟ ତୁମ୍ଭର ମହାନାମ କରିବା। 10ପୁଣି ଆମ୍ଭେ ଆପଣା ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ନିରୂପଣ କରି ସେମାନଙ୍କୁ ରୋପଣ କରିବା, ତହିଁରେ ସେମାନେ ଆପଣାମାନଙ୍କ ସେହି ସ୍ଥାନରେ ବାସ କରି ଆଉ ଶାସିତ ହେବେ ନାହିଁ; 11କିଅବା ଯେପରି ପୂର୍ବକାଳରେ ଓ ଯେଉଁ ସମୟାବଧି ଆମ୍ଭେ ଆପଣା ଲୋକ ଇସ୍ରାଏଲ ଉପରେ ବିଚାରକର୍ତ୍ତୃଗଣକୁ ନିଯୁକ୍ତ କରିଅଛୁ, ସେସମୟାବଧି ଯେପରି ହୋଇଅଛି, ସେପରି ଅଧର୍ମର ସନ୍ତାନମାନେ ସେମାନଙ୍କୁ ଆଉ କ୍ଳେଶ ଦେବେ ନାହିଁ; ପୁଣି ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଠାରୁ ତୁମ୍ଭକୁ ବିଶ୍ରାମ ଦେବା। ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ କହନ୍ତି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ। 12ତୁମ୍ଭର ଦିନ ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣା ପିତୃଲୋକମାନଙ୍କ ସଙ୍ଗରେ ଶୟନ କଲେ, ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା। 14ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ; ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ-ସନ୍ତାନମାନଙ୍କ ପ୍ରହାରରେ ଶାସ୍ତି ଦେବା। 15ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ଶାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ। 16ପୁଣି ତୁମ୍ଭ ବଂଶ ଓ ତୁମ୍ଭ ରାଜତ୍ୱ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରୀକୃତ ହେବ; ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’”

ପ୍ରତିଉତ୍ତର ଗୀତ

ଗୀତ 89:1–4, 26, 28

1ଇଷ୍ରାହୀୟ ଏଥନ୍‍ର ମସ୍କୀଲ୍‍। ମୁଁ ସର୍ବଦା ସଦାପ୍ରଭୁଙ୍କ ବିବିଧ ଦୟା ବିଷୟ ଗାନ କରିବି; ମୁଁ ଆପଣା ମୁଖରେ ତୁମ୍ଭର ବିଶ୍ୱସ୍ତତା ସମସ୍ତ ପିଢ଼ି ପ୍ରତି ପ୍ରକାଶ କରିବି। 2କାରଣ ଦୟା ସଦାକାଳ ଗଢ଼ାଯିବ ବୋଲି ମୁଁ କହିଅଛି; “ତୁମ୍ଭେ ଆପଣା ବିଶ୍ୱସ୍ତତା ସ୍ୱର୍ଗରେ ହିଁ ସ୍ଥାପନ କରିବ।” 3“ଆମ୍ଭେ ଆପଣା ମନୋନୀତ ଲୋକ ସଙ୍ଗେ ନିୟମ କରିଅଛୁ, ଆମ୍ଭେ ଆପଣା ଦାସ ଦାଉଦ ସଙ୍ଗେ ଶପଥ କରିଅଛୁ। 4‘ଆମ୍ଭେ ତୁମ୍ଭ ବଂଶକୁ ସଦାକାଳ ସୁସ୍ଥିର କରିବା ଓ ପୁରୁଷ-ପରମ୍ପରା ପର୍ଯ୍ୟନ୍ତ ତୁମ୍ଭର ସିଂହାସନ ଗଢ଼ିବା।’” [ସେଲା] 26ସେ ଆମ୍ଭଙ୍କୁ ଡାକି କହିବ, ‘ତୁମ୍ଭେ ଆମ୍ଭର ପିତା, ଆମ୍ଭର ପରମେଶ୍ୱର ଓ ଆମ୍ଭ ପରିତ୍ରାଣର ଶୈଳ।’ 28ଆମ୍ଭେ ଅନନ୍ତକାଳ ତାହା ପକ୍ଷରେ ଆପଣା ଦୟା ରଖିବା, ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ।

ଦ୍ୱିତୀୟ ପାଠ

ରୋମୀ 16:25–27

25ଯେଉଁ ଈଶ୍ବର ମୋହର ସୁସମାଚାର ଓ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍‍ ଯେଉଁ ନିଗୂଢ଼ତତ୍ତ୍ୱ ଅନାଦିକାଳରୁ ଗୁପ୍ତ ଥିଲା, 26ମାତ୍ର ଏବେ ପ୍ରକାଶିତ ହୋଇଅଛି, ପୁଣି, ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ବରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ମାନବଜାତି ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ତତ୍ତ୍ୱର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି, 27ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯୁଗେ ଯୁଗେ ସେହି ଏକମାତ୍ର ଜ୍ଞାନବାନ ଈଶ୍ବରଙ୍କ ଗୌରବ ହେଉ। ଆମେନ୍‍।

ସୁସମାଚାର

ଲୂକ 1:26–38

26ଏଲୀଶାବେଥଙ୍କ ଗର୍ଭର ଛଅ ମାସରେ ଗାବ୍ରିଏଲ ଦୂତ ଈଶ୍ବରଙ୍କ ନିକଟରୁ ଗାଲିଲୀର ନାଜରିତ ନାମକ ନଗରକୁ ଜଣେ କନ୍ୟା ନିକଟକୁ ପଠାଗଲେ; 27ଦାଉଦଙ୍କ ବଂଶର ଯୋଷେଫ ନାମକ ଜଣେ ପୁରୁଷଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇଥିଲା; ସେହି କନ୍ୟାଙ୍କ ନାମ ମରୀୟମ। 28ସେ ଗୃହରେ ପ୍ରବେଶ କରି ତାହାଙ୍କ ନିକଟକୁ ଆସି କହିଲେ, ଆଗୋ ଅନୁଗ୍ରହପାତ୍ରୀ, ତୁମ୍ଭର ମଙ୍ଗଳ ହେଉ, ପ୍ରଭୁ ତୁମ୍ଭର ସହବର୍ତ୍ତୀ। 29କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ବିଚଳିତ ହୋଇ ଏହା କି ପ୍ରକାର ବାକ୍ୟ ବୋଲି ମନରେ ବିଚାର କରିବାକୁ ଲାଗିଲେ। 30ସେଥିରେ ଦୂତ ତାହାଙ୍କୁ କହିଲେ, ଆଗୋ ମରୀୟମ, ଭୟ କର ନାହିଁ, କାରଣ ତୁମ୍ଭେ ଈଶ୍ବରଙ୍କ ଛାମୁରେ ଅନୁଗ୍ରହ ପାଇଅଛ। 31ଆଉ ଦେଖ, ତୁମ୍ଭେ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ। 32ସେ ମହାନ ହେବେ ଓ ମହାନ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ; ପ୍ରଭୁ ଈଶ୍ବର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ, 33ସେ ଯାକୁବ ବଂଶ ଉପରେ ଯୁଗେ ଯୁଗେ ଶାସନ କରିବେ, ପୁଣି, ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ। 34କିନ୍ତୁ ମରୀୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ। 35ଦୂତ ତାହାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ମହାନ ଈଶ୍ବରଙ୍କ ଶକ୍ତି ତୁମ୍ଭକୁ ଆବୋରିବ, ଏଣୁ ଯେ ଜାତ ହେବେ, ସେ ପବିତ୍ର ଓ ଈଶ୍ବରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। 36ପୁଣି, ଦେଖ, ତୁମ୍ଭର ଆତ୍ମୀୟା ଏଲୀଶାବେଥ ମଧ୍ୟ ବୃଦ୍ଧା ବୟସରେ ଗୋଟିଏ ପୁତ୍ର ଗର୍ଭରେ ଧାରଣ କରିଅଛନ୍ତି। ଯେ ବନ୍ଧ୍ୟା ବୋଲି ଖ୍ୟାତ, ତାଙ୍କର ଏବେ ଛଅ ମାସ ହେଲାଣି; 37କାରଣ ଈଶ୍ବରଙ୍କଠାରୁ ନିର୍ଗତ କୌଣସି ବାକ୍ୟ ଶକ୍ତିହୀନ ହେବ ନାହିଁ। 38ଏଥିରେ ମରୀୟମ କହିଲେ, ଦେଖନ୍ତୁ, ମୁଁ ପ୍ରଭୁଙ୍କ ଦାସୀ; ଆପଣଙ୍କ ବାକ୍ୟାନୁସାରେ ମୋʼ ପ୍ରତି ଘଟୁ। ତାହା ପରେ ଦୂତ ତାହାଙ୍କ ନିକଟରୁ ପ୍ରସ୍ଥାନ କଲେ।

ସାଧାରଣ ରୋମୀୟ ପଞ୍ଜିକା; ବିଶପ୍‌ମାନଙ୍କ ସମ୍ମିଳନୀ କେତେକ ପର୍ବ (ପ୍ରଭୁଙ୍କ ପ୍ରକାଶ, ସ୍ୱର୍ଗାରୋହଣ, ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତ) ରବିବାରକୁ ଘୁଞ୍ଚାଇପାରେ କିମ୍ବା ନିଜ ପର୍ବ ଯୋଡ଼ିପାରେ। ପାଠ-ସଂଗ୍ରହ: ରବିବାରର ଚକ୍ର B, ସପ୍ତାହ ଦିନର ବର୍ଷ I।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର