ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2026 › ଡିସେମ୍ବର 3
ଅର୍ଥୋଡକ୍ସ ପଞ୍ଜିକା · 20 ନଭେମ୍ବର (ପୁରୁଣା ଶୈଳୀ)
ଅର୍ଥୋଡକ୍ସ ଦୈନିକ ପାଠ — 3 ଡିସେମ୍ବର 2026
ଗୁରୁବାର · ପେଣ୍ଟିକଷ୍ଟ ପରେ 27ତମ ସପ୍ତାହ · ସ୍ୱର 1
ପର୍ବ ଓ ସନ୍ଥ
Forefeast of the Entry of the Theotokos
ଜନ୍ମ ପର୍ବର ଉପବାସ
ଉପବାସ: ତେଲ ସହିତ
ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।
ଦିନର ପାଠ
ପତ୍ର
17ଯେଉଁମାନେ ଏହିକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୋଇ ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରି, ବରଂ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁର ଭାବେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ବର, ସେହି ଈଶ୍ବର ଉପରେ ନିର୍ଭର କରନ୍ତି, 18ପୁଣି, ଅନ୍ୟର ଉପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; 19ଏହି ପ୍ରକାର କଲେ ସେମାନେ ଭାବୀ ଜୀବନ ନିମନ୍ତେ ପ୍ରକୃତ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି। 20ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ; 21କେହି କେହି ତାହା ପାଳନ ନ କରି ବିଶ୍ୱାସ ବିଷୟରେ ପଥଭ୍ରଷ୍ଟ ହୋଇଅଛନ୍ତି। ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
ପତ୍ର (ଶୁକ୍ରବାର ପାଇଁ)
1ପାଉଲ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଜୀବନ ସମ୍ବନ୍ଧୀୟ ପ୍ରତିଜ୍ଞା ଅନୁସାରେ ଈଶ୍ବରଙ୍କ ଇଚ୍ଛା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ, 2ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ। 8ଅତଏବ, ଆମ୍ଭମାନଙ୍କ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ କିଅବା ତାହାଙ୍କ ନିମନ୍ତେ ବନ୍ଦୀ ଯେ ମୁଁ, ମୋ ବିଷୟରେ ଲଜ୍ଜିତ ହୁଅ ନାହିଁ, ବରଂ ଈଶ୍ବରଙ୍କ ଶକ୍ତି ଅନୁସାରେ ସୁସମାଚାର ନିମନ୍ତେ ମୋ ସହିତ କ୍ଲେଶ ସହ୍ୟ କର; 9ସେ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି; ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରି ନାହାନ୍ତି, ମାତ୍ର ତାହାଙ୍କ ନିଜ ସଂକଳ୍ପ ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି; ସେହି ଅନୁଗ୍ରହ ଜଗତର ସୃଷ୍ଟି ପୂର୍ବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ଦିଆଯାଇଥିଲା, 10କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆଗମନ ହେବା ଦ୍ୱାରା ପ୍ରକାଶିତ ହୋଇଅଛି; ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି, ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି; 11ସେହି ସୁସମାଚାରର ମୁଁ ଜଣେ ପ୍ରଚାରକ, ପ୍ରେରିତ ଓ ଶିକ୍ଷକ ସ୍ୱରୂପେ ନିଯୁକ୍ତ ହୋଇଅଛି। 12ଏହି କାରଣ ଯୋଗୁଁ ମୁଁ ଏହିସବୁ ମଧ୍ୟ ଦୁଃଖଭୋଗ କରୁଅଛି; ତଥାପି ମୁଁ ଲଜ୍ଜିତ ନୁହେଁ, କାରଣ ମୁଁ ଯାହାଙ୍କଠାରେ ବିଶ୍ୱାସ କରିଅଛି, ତାହାଙ୍କୁ ଜାଣେ, ପୁଣି, ମୁଁ ତାହାଙ୍କ ହାତରେ ଯାହା ସମର୍ପଣ କରିଅଛି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହା ଦୃଢ଼ରୂପେ ବିଶ୍ୱାସ କରୁଅଛି। 13ମୋʼଠାରୁ ଯେଉଁ ସବୁ ହିତଜନକ ବାକ୍ୟ ଶୁଣିଅଛ, ଖ୍ରୀଷ୍ଟ ଯୀଶୁଙ୍କ ସମ୍ବନ୍ଧୀୟ ବିଶ୍ୱାସ ଓ ପ୍ରେମରେ ତାହା ଆଦର୍ଶରୂପେ ଧରି ରଖ। 14ତୁମ୍ଭ ହସ୍ତରେ ସମର୍ପିତ ଯେଉଁ ଉତ୍ତମ ବିଷୟ, ତାହା ଆମ୍ଭମାନଙ୍କଠାରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଦ୍ୱାରା ସୁରକ୍ଷା କର, 15ଏସିଆ ଅଞ୍ଚଳର ସମସ୍ତ ଲୋକ ଯେ ମୋ ପ୍ରତି ବିମୁଖ ହୋଇଅଛନ୍ତି, ଏହା ତୁମ୍ଭେ ଜାଣ; ଫୁଗେଲ ଓ ହର୍ମଗେନା ସେମାନଙ୍କ ମଧ୍ୟରେ ଅନ୍ତର୍ଗତ। 16ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ, କାରଣ ସେ ବାରମ୍ବାର ମୋତେ ସାନ୍ତ୍ୱନା ଦେଇଅଛନ୍ତି, ପୁଣି, ମୋହର ବନ୍ଦୀ ଅବସ୍ଥା ପାଇଁ ଲଜ୍ଜିତ ହୋଇ ନାହାନ୍ତି, 17ବରଂ ସେ ରୋମ ସହରରେ ଥିବା ସମୟରେ ମୋତେ ଯତ୍ନ ସହକାରେ ଅନ୍ୱେଷଣ କରି ମୋ ସହିତ ସାକ୍ଷାତ କଲେ, 18ମହାଦିନରେ ସେ ଯେପରି ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହୁଅନ୍ତି, ଏହା ପ୍ରଭୁ ତାହାଙ୍କ ପ୍ରତି ଅନୁଗ୍ରହ କରନ୍ତୁ, ଆଉ ଏଫିସରେ ସେ କିପରି ଅନେକ ସେବା କରିଅଛନ୍ତି, ତାହା ତୁମ୍ଭେ ଉତ୍ତମ ରୂପେ ଜାଣିଅଛ।
ସୁସମାଚାର
1ଯୀଶୁ ଶିଷ୍ୟମାନଙ୍କୁ ମଧ୍ୟ କହିଲେ, “ଜଣେ ଧନୀ ଲୋକ ଥିଲେ; ତାହାଙ୍କର ଜଣେ ବେବର୍ତ୍ତା ଥିଲେ, ଆଉ ସେ ତାହାଙ୍କର ସମ୍ପତ୍ତି ଅଯଥା ଖର୍ଚ୍ଚ କରିଦେଉଅଛି ବୋଲି ତାହା ବିଷୟରେ ଶୁଣି ସେ ତାହାକୁ ଡାକି କହିଲେ, 2ମୁଁ ତୁମ୍ଭ ବିଷୟରେ ଏ କି କଥା ଶୁଣୁଅଛି? ତୁମ୍ଭ ବେବର୍ତ୍ତା କାର୍ଯ୍ୟର ହିସାବ ଦିଅ, କାରଣ ତୁମ୍ଭେ ଆଉ ବେବର୍ତ୍ତା ହୋଇ ରହି ପାରିବ ନାହିଁ। 3ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କଅଣ କରିବି? ମୋହର ପ୍ରଭୁ ତ ମୋʼଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି। ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି। 4ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କଅଣ କରିବି, ତାହା ବୁଝିଲିଣି। 5ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଅଛ? ସେ କହିଲା, ଶହେ ମହଣ ତୈଳ। 6ସେ ତାହାକୁ କହିଲା, ତୁମ୍ଭର ରସିଦ ନେଇ ଶୀଘ୍ର ବସି ପଚାଶ ବୋଲି ଲେଖ। 7ତାହା ପରେ ସେ ଆଉ ଜଣକୁ କହିଲା, ‘ତୁମ୍ଭେ କେତେ ଧାର ନେଇଅଛ?’ ସେ କହିଲା, ‘ଶହେ ଭରଣ ଗହମ।’ ସେ ତାହାକୁ କହିଲା, ‘ତୁମ୍ଭର ରସିଦ ନେଇ ଅଶୀ ବୋଲି ଲେଖ।’ 8ସେହି ଅବିଶ୍ୱସ୍ତ ବେବର୍ତ୍ତା ବୁଦ୍ଧି ସହିତ କାର୍ଯ୍ୟ କରିଥିବାରୁ ପ୍ରଭୁ ତାହାର ପ୍ରଶଂସା କଲେ; ଯେଣୁ ଏହି ଯୁଗର ସନ୍ତାନମାନେ ସେମାନଙ୍କ ନିଜ ଜାତି ପକ୍ଷରେ ଆଲୋକର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ। 9ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ଅଧର୍ମ ଧନରେ ଆପଣା ଆପଣା ନିମନ୍ତେ ବନ୍ଧୁ ଲାଭ କର, ଯେପରି ତାହା ଶେଷ ହେଲେ ସେମାନେ ତୁମ୍ଭମାନଙ୍କୁ ନିତ୍ୟସ୍ଥାୟୀ ବାସସ୍ଥାନରେ ଗ୍ରହଣ କରିବେ।
ସୁସମାଚାର (ଶୁକ୍ରବାର ପାଇଁ)
15ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଯେଉଁମାନେ ନିଜ ନିଜକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ଦେଖାନ୍ତି, ତୁମ୍ଭେମାନେ ସେହି ପ୍ରକାର ଲୋକ, କିନ୍ତୁ ଈଶ୍ବର ତୁମ୍ଭମାନଙ୍କର ହୃଦୟ ଜାଣନ୍ତି; କାରଣ ଯାହା ମନୁଷ୍ୟମାନଙ୍କ ମଧ୍ୟରେ ଉଚ୍ଚୀକୃତ, ତାହା ଈଶ୍ବରଙ୍କ ଦୃଷ୍ଟିରେ ଘୃଣିତ। 16ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯୋହନଙ୍କ ପର୍ଯ୍ୟନ୍ତ ପ୍ରଚଳିତ ଥିଲା; ସେହି ସମୟଠାରୁ ଈଶ୍ବରଙ୍କ ରାଜ୍ୟର ସୁସମାଚାର ପ୍ରଚାର ହେଉଅଛି, ଆଉ ପ୍ରତ୍ୟେକ ଲୋକ ପରାକ୍ରମ ପୂର୍ବକ ସେଥିରେ ପ୍ରବେଶ କରୁଅଛନ୍ତି। 17କିନ୍ତୁ ଇଶ୍ବରଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ। 18ଯେ କେହି ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ପୁଣି, ଯେ ସ୍ୱାମୀ ଦ୍ୱାରା ପରିତ୍ୟାଗ କରାଯାଇଥିବା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।” 17:1ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର; 2ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାଆନ୍ତା। 3ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ। ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ-ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ। 4ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ-ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର।”
ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ନଭେମ୍ବର 20 ନାଗରିକ ପଞ୍ଜିକାର ଡିସେମ୍ବର 3। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।
ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର