Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2026 › ଡିସେମ୍ବର 2

ଅର୍ଥୋଡକ୍ସ ପଞ୍ଜିକା · 19 ନଭେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 2 ଡିସେମ୍ବର 2026

ବୁଧବାର · ପେଣ୍ଟିକଷ୍ଟ ପରେ 27ତମ ସପ୍ତାହ · ସ୍ୱର 1

ପର୍ବ ଓ ସନ୍ଥ

Prophet Obadiah (9th C BC)

ଜନ୍ମ ପର୍ବର ଉପବାସ

ଉପବାସ: ତେଲ ସହିତ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ପତ୍ର

ପ୍ର.ତୀମ 5:22–6:11

22ହଠାତ୍‍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ; ଆପଣାକୁ ପବିତ୍ର କରି ରଖ। 23ଆଉ କେବଳ ଜଳ ପାନ ନ କରି ତୁମ୍ଭର ପେଟ ରୋଗ ଓ ବାରମ୍ବାର ଅସୁସ୍ଥତା ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର। 24କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ। 25ସେହି ପ୍ରକାରେ ମଧ୍ୟ ସତ୍କର୍ମ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇପାରେ ନାହିଁ। 6:1ଯେତେ ଲୋକ ଦାସତ୍ୱରୂପ ଜୁଆଳିର ଅଧୀନରେ ଅଛନ୍ତି, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମ୍ମାନ ପାଇବାର ଯୋଗ୍ୟ ବୋଲି ଜାଣନ୍ତୁ, ଯେପରି ଈଶ୍ବରଙ୍କ ନାମ ଓ ଶିକ୍ଷାର ନିନ୍ଦା ନ ହୁଏ। 2ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜାଣି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ୱାରା ଉପକାର ପାଆନ୍ତି, ସେମାନେ ବିଶ୍ୱାସୀ ଓ ପ୍ରିୟପାତ୍ର। ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ। 3କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ବରପରାୟଣତା ଅନୁଯାୟୀ ଶିକ୍ଷା ଗ୍ରହଣ ନ କରେ, 4ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ, ପୁଣି, ବାଦାନୁବାଦ ଓ ଯୁକ୍ତିତର୍କରେ ଲିପ୍ତ; ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, ମନ୍ଦ ସନ୍ଦେହ, 5ପୁଣି, ଯେଉଁମାନେ ଈଶ୍ବରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ସର୍ବଦା ବିରୋଧ ଜନ୍ମେ। 6ଈଶ୍ବରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ; 7କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି, ଏଠାରୁ କିଛି ନେଇଯାଇ ନ ପାରୁ; 8ଏଣୁ ଖାଦ୍ୟ, ବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ। 9ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ, ପୁଣି, ଅନେକ ପ୍ରକାର ଭୁଲ୍ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହିସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ବୁଡ଼ାଇ ଦିଏ। 10କାରଣ ଧନଲୋଭ ସମସ୍ତ ମନ୍ଦତାର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି, ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ଦୁଃଖ କରିଅଛନ୍ତି। 11କିନ୍ତୁ ହେ ଈଶ୍ବରଙ୍କ ଲୋକ, ତୁମ୍ଭେ ଏହି ସମସ୍ତଠାରୁ ପଳାୟନ କରି ଧାର୍ମିକତା, ଈଶ୍ବରପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ସହିଷ୍ଣୁତା ଓ ନମ୍ରତାର ଅନୁଗାମୀ ହୁଅ।

ସୁସମାଚାର

ଲୂକ 15:1–10

1ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ। 2ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ! 3ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ, 4“ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ, ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶତକୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ? 5ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ, 6ପୁଣି, ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହେ, ‘ମୋʼ ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି।’ 7ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ-ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ।” 8“ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ରୌପ୍ୟ-ମୁଦ୍ରା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ? 9ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକାଠି କରି କହେ, ‘ମୋ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ରୌପ୍ୟ-ମୁଦ୍ରାଟି ହଜିଯାଇଥିଲା, ତାହା ପାଇଲି।’ 10ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ବରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ।”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ନଭେମ୍ବର 19 ନାଗରିକ ପଞ୍ଜିକାର ଡିସେମ୍ବର 2। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର