Bible Explorer ଆପ୍ ପାଆନ୍ତୁ

ମୁଖ୍ୟ ପୃଷ୍ଠା › ପ୍ରତ୍ୟେକ ଦିନର ବାଇବେଲ ପାଠ › ଡିସେମ୍ବର 2026 › ଡିସେମ୍ବର 4

ଅର୍ଥୋଡକ୍ସ ପଞ୍ଜିକା · 21 ନଭେମ୍ବର (ପୁରୁଣା ଶୈଳୀ)

ଅର୍ଥୋଡକ୍ସ ଦୈନିକ ପାଠ — 4 ଡିସେମ୍ବର 2026

ଶୁକ୍ରବାର · ପେଣ୍ଟିକଷ୍ଟ ପରେ 27ତମ ସପ୍ତାହ · ସ୍ୱର 1

ପର୍ବ ଓ ସନ୍ଥ

Entry into the Temple of our Most Holy Lady Theotokos and Ever-Virgin Mary

ଜନ୍ମ ପର୍ବର ଉପବାସ

ମାଛ ଚଳିବ

ଏହା ମଠର ନିୟମ ଅନୁସାରେ। ପ୍ୟାରିସ୍‌ରେ ଉପବାସର ମାତ୍ରା ନିଜ ପାପସ୍ୱୀକାର ଶ୍ରବଣକାରୀଙ୍କ ସହିତ ସ୍ୱାସ୍ଥ୍ୟ, ବୟସ ଓ ପରିସ୍ଥିତି ଅନୁସାରେ ସ୍ଥିର କରାଯାଏ।

ଦିନର ପାଠ

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯାତ୍ରା 40:1–5, 9–10, 16, 34–35

1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ତୁମ୍ଭେ ପ୍ରଥମ ମାସରେ ପ୍ରଥମ ଦିନରେ ସମାଗମ-ତମ୍ବୁର ଆବାସ ସ୍ଥାପନ କରିବ। 3ପୁଣି, ତହିଁ ମଧ୍ୟରେ ସାକ୍ଷ୍ୟ-ସିନ୍ଦୁକ ରଖି ବିଚ୍ଛେଦ ବସ୍ତ୍ର ଟଙ୍ଗାଇ ସେହି ସିନ୍ଦୁକ ଆଚ୍ଛାଦନ କରିବ। 4ଏଉତ୍ତାରେ ମେଜ ଭିତରକୁ ଆଣି ତହିଁ ଉପରିସ୍ଥିତ ଦ୍ରବ୍ୟମାନ ଧାରାନୁସାରେ ରଖିବ; ଆଉ ଦୀପବୃକ୍ଷ ଭିତରକୁ ଆଣି ତହିଁର ପ୍ରଦୀପସକଳ ଜାଳିବ। 5ସାକ୍ଷ୍ୟ-ସିନ୍ଦୁକ ସମ୍ମୁଖରେ ସ୍ୱର୍ଣ୍ଣର ଧୂପବେଦି ରଖିବ, ପୁଣି, ଆବାସ-ଦ୍ୱାରର ଆଚ୍ଛାଦନ ବସ୍ତ୍ର ଟଙ୍ଗାଇବ। 9ଏଉତ୍ତାରେ ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ତାହା ଓ ତହିଁର ସକଳ ପାତ୍ର ପବିତ୍ର କରିବ; ତହିଁରେ ତାହା ପବିତ୍ର ହେବ। 10ଆଉ, ତୁମ୍ଭେ ହୋମବେଦି ଓ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କରିବ; ତହିଁରେ ସେହି ବେଦି ମହାପବିତ୍ର ହେବ। 16ମୋଶା ଏହିରୂପ କଲେ; ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମସ୍ତ କଲେ। 34ଏଥିଉତ୍ତାରେ ମେଘ ସେହି ସମାଗମ-ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଆବାସକୁ ପରିପୂର୍ଣ୍ଣ କଲା। 35ତହିଁରେ ମୋଶା ସମାଗମ-ତମ୍ବୁରେ ପ୍ରବେଶ କରି ପାରିଲେ ନାହିଁ, କାରଣ ମେଘ ତହିଁ ଉପରେ ଅବସ୍ଥିତି କରିଥିଲା ଓ ସଦାପ୍ରଭୁଙ୍କ ପ୍ରତାପ ଆବାସକୁ ପରିପୂର୍ଣ୍ଣ କରିଥିଲା।

ସନ୍ଧ୍ୟା ପ୍ରାର୍ଥନା: ପାଠ

ପ୍ର.ରା 8:1, 3–7, 9–11

1ଏଥିଉତ୍ତାରେ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶସମୂହର ପ୍ରଧାନବର୍ଗଙ୍କୁ, ଅର୍ଥାତ୍‍, ଇସ୍ରାଏଲ-ସନ୍ତାନଗଣଙ୍କର ପିତୃଗୃହାଧିପତି ସମସ୍ତଙ୍କୁ ଯିରୂଶାଲମରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ର କଲେ। 3ପୁଣି, ଇସ୍ରାଏଲର ପ୍ରାଚୀନ ସମସ୍ତେ ଉପସ୍ଥିତ ହୁଅନ୍ତେ, ଯାଜକମାନେ ସିନ୍ଦୁକ ଉଠାଇଲେ। 4ଆଉ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁରେ ଥିବା ସମସ୍ତ ପବିତ୍ର ପାତ୍ର ଆଣିଲେ; ଯାଜକ ଓ ଲେବୀୟମାନେ ଏହିସବୁ ଆଣିଲେ। 5ତହୁଁ ରାଜା ଶଲୋମନ ଓ ତାଙ୍କ ସହିତ ତାଙ୍କ ନିକଟରେ ଏକତ୍ରିତ ସମଗ୍ର ଇସ୍ରାଏଲ-ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ମେଷ ଓ ଗୋରୁ ବଳିଦାନ କଲେ, ତାହା ବାହୁଲ୍ୟ ହେତୁ ଅସଂଖ୍ୟ ଓ ଅପରିମେୟ ଥିଲା। 6ଏଉତ୍ତାରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତାହାର ସ୍ୱ ସ୍ଥାନକୁ, ଅର୍ଥାତ୍‍, ଗୃହର ମହାପବିତ୍ର ସ୍ଥାନ ମହାପବିତ୍ର ସ୍ଥାନସ୍ଥ କିରୂବମାନଙ୍କ ପକ୍ଷ ତଳକୁ ଆଣିଲେ। 7କାରଣ, କିରୂବମାନେ ସିନ୍ଦୁକର ସ୍ଥାନ ଉପରେ ଆପଣାମାନଙ୍କ ପକ୍ଷ ବିସ୍ତାର କରିଥିଲେ, ପୁଣି, କିରୂବମାନେ ସିନ୍ଦୁକ ଓ ତହିଁ ସାଙ୍ଗୀ ଉପର ଆଚ୍ଛାଦନ କରିଥିଲେ। 9ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ବେଳେ ଓ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କଲା ବେଳେ ହୋରେବ ନିକଟରେ ମୋଶା ଯେଉଁ ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ଛଡ଼ା ଆଉ କିଛି ତହିଁରେ ନ ଥିଲା। 10ଆଉ, ଯାଜକମାନେ ପବିତ୍ର ସ୍ଥାନ ମଧ୍ୟରୁ ବାହାରି ଆସିଲା ଉତ୍ତାରେ ସଦାପ୍ରଭୁଙ୍କ ଗୃହ ମେଘରେ ପରିପୂର୍ଣ୍ଣ ହେଲା; 11ତହିଁରେ ସେହି ମେଘ ସକାଶୁ ଯାଜକମାନେ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେଲା।

ସନ୍ଧ୍ୟା ପ୍ରାର୍ଥନା: ପାଠ

ଯିହି 43:27–44:4

27ପୁଣି, ସେମାନେ ସେସକଳ ଦିନ ସମାପ୍ତ କଲା ଉତ୍ତାରେ ଅଷ୍ଟମ ଦିନଠାରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ତହିଁରେ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।” 44:1ଏଉତ୍ତାରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଦ୍ୱାର ବାଟରେ ଫେରାଇ ଆଣିଲେ, ପୁଣି, ଦ୍ୱାର ବନ୍ଦ ଥିଲା। 2ପୁଣି, ସଦାପ୍ରଭୁ ମୋତେ କହିଲେ, “ଏହି ଦ୍ୱାର ବନ୍ଦ ରହିବ, ତାହା ମୁକ୍ତ ହେବ ନାହିଁ, କିଅବା କୌଣସି ମନୁଷ୍ୟ ତାହା ଦେଇ ପ୍ରବେଶ କରିବ ନାହିଁ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହା ଦେଇ ପ୍ରବେଶ କରିଅଛନ୍ତି; ଏଥିପାଇଁ ତାହା ବନ୍ଦ ରହିବ। 3କେବଳ ଅଧିପତି, ଅଧିପତି ବୋଲି ସଦାପ୍ରଭୁଙ୍କ ସମ୍ମୁଖରେ ଆହାର କରିବା ପାଇଁ ତହିଁ ମଧ୍ୟରେ ବସିବେ; ସେ ଦ୍ୱାରର ବାରଣ୍ଡା ପଥ ଦେଇ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।” 4ତେବେ ସେ ଉତ୍ତର ଦ୍ୱାର ପଥରେ ମୋତେ ଗୃହ ସମ୍ମୁଖକୁ ଆଣିଲେ; ତହିଁରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ଥିଲା; ତହିଁରେ ମୁଁ ମୁହଁ ମାଡ଼ି ପଡ଼ିଲି।

ପ୍ରଭାତୀ ପ୍ରାର୍ଥନା: ସୁସମାଚାର

ଲୂକ 1:39–49, 56

39ଏହି ସମୟରେ ମରୀୟମ ଉଠି ପାର୍ବତୀୟ ଅଞ୍ଚଳର ଯିହୂଦା ପ୍ରଦେଶର ଗୋଟିଏ ନଗରକୁ ଶୀଘ୍ର ଗଲେ, 40ପୁଣି, ଜିଖରୀୟଙ୍କ ଗୃହରେ ପ୍ରବେଶ କରି ଏଲୀଶାବେଥଙ୍କୁ ନମସ୍କାର କଲେ। 41ଆଉ, ଏଲୀଶାବେଥ ମରୀୟମଙ୍କ ନମସ୍କାର ଶୁଣିବାମାତ୍ରେ ଶିଶୁଟି ତାହାଙ୍କ ଗର୍ଭରେ ନାଚି ଉଠିଲା, ପୁଣି, ଏଲୀଶାବେଥ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ 42ଅତି ଉଚ୍ଚସ୍ୱରରେ କହିଲେ, ନାରୀମାନଙ୍କ ମଧ୍ୟରେ ତୁମ୍ଭେ ଧନ୍ୟ, ପୁଣି, ଧନ୍ୟ ତୁମ୍ଭର ଗର୍ଭର ଫଳ। 43ଆଉ, ମୋ ପ୍ରଭୁଙ୍କ ମାତା ଯେ ମୋʼ ନିକଟକୁ ଆସିବେ, ମୋହର ଏହି ସୌଭାଗ୍ୟ କେଉଁଠାରୁ ହେଲା? 44କାରଣ ଦେଖ, ତୁମ୍ଭ ସମ୍ଭାଷଣର ସ୍ୱର ମୋʼ କାନରେ ପ୍ରବେଶ କରିବା ମାତ୍ରେ ଶିଶୁଟି ମୋʼ ଗର୍ଭରେ ଉଲ୍ଲାସରେ ନାଚି ଉଠିଲା। 45ଯେ ବିଶ୍ୱାସ କଲେ, ସେ ଧନ୍ୟ, କାରଣ ପ୍ରଭୁଙ୍କଠାରୁ ତାହାଙ୍କୁ ଯାହା ଯାହା କୁହାଯାଇଅଛି, ସେହିସବୁ ସଫଳ ହେବ। 46ଏଥିରେ ମରୀୟମ କହିଲେ, “ମୋହର ପ୍ରାଣ ପ୍ରଭୁଙ୍କର ପ୍ରଶଂସା କରୁଅଛି, 47ପୁଣି, ମୋହର ଆତ୍ମା ମୋʼ ତ୍ରାଣକର୍ତ୍ତା ଈଶ୍ବରଙ୍କଠାରେ ଆନନ୍ଦିତ ହୋଇଅଛି; 48କାରଣ ସେ ଆପଣା ଦାସୀର ଦୀନାବସ୍ଥା ପ୍ରତି ଦୃଷ୍ଟିପାତ କରିଅଛନ୍ତି। ଆଉ ଦେଖ, ବର୍ତ୍ତମାନଠାରୁ ସମସ୍ତ ପିଢ଼ି ମୋତେ ଧନ୍ୟ ବୋଲି କହିବେ, 49କାରଣ ଯେ ଶକ୍ତିମାନ, ସେ ମୋʼ ପ୍ରତି ମହତ କର୍ମ କରିଅଛନ୍ତି; ତାହାଙ୍କର ନାମ ପବିତ୍ର, 56ଆଉ ମରୀୟମ ପ୍ରାୟ ତିନି ମାସ ତାହାଙ୍କ ସହିତ ରହି ଆପଣା ଗୃହକୁ ଫେରିଗଲେ।

ପତ୍ର (ମନ୍ଦିର ପ୍ରବେଶ ପାଇଁ)

ଏବ୍ରୀ 9:1–7

1ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା। 2କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଉତ୍ସର୍ଗୀକୃତ ରୁଟି ଥିଲା ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି। 3ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି; 4ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମ-ସିନ୍ଦୁକ ଥିଲା। ସେହି ନିୟମ-ସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୋଣଙ୍କ ମଞ୍ଜରିତ ଯଷ୍ଟି ଓ ନିୟମର ଦୁଇ ପ୍ରସ୍ତରଫଳକ ଥିଲା, 5ଆଉ ତାହା ଉପରେ ପାପାଚ୍ଛାଦନକୁ ଛାୟା କରୁଥିବା ଈଶ୍ବରଙ୍କ ଗୌରବସୂଚକ ଦୁଇଟି କିରୂବ ଥିଲେ; ସେହିସବୁ ବିଷୟରେ ଏବେ ଆମ୍ଭେମାନେ ସବିଶେଷ କହି ନ ପାରୁ। 6ଏହିସବୁ ଏହି ପ୍ରକାରେ ପ୍ରସ୍ତୁତ ହୋଇଥିବାରୁ ଯାଜକମାନେ ଉପାସନା କରିବା ନିମନ୍ତେ ତମ୍ବୁର ପ୍ରଥମ ଭାଗରେ ସର୍ବଦା ପ୍ରବେଶ କରନ୍ତି, 7କିନ୍ତୁ ଦ୍ୱିତୀୟ ଭାଗରେ କେବଳ ମହାଯାଜକ ବର୍ଷକୁ ଥରେ ପ୍ରବେଶ କରନ୍ତି, ଆଉ ସେ ଆପଣାର ଓ ଲୋକମାନଙ୍କର ଅଜ୍ଞାନକୃତ ପାପ ନିମନ୍ତେ ଉତ୍ସର୍ଗ କରିବାର ରକ୍ତ ନ ନେଇ ପ୍ରବେଶ କରନ୍ତି ନାହିଁ।

ସୁସମାଚାର (ମନ୍ଦିର ପ୍ରବେଶ ପାଇଁ)

ଲୂକ 10:38–42; 11:27–28

38ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମରେ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ଡାକିଲେ। 39ତାହାଙ୍କର ଜଣେ ଭଉଣୀ ଥିଲେ ତାହାଙ୍କ ନାମ ମରୀୟମ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ। 40କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ। 41କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ, 42କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକ; ମରୀୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ।” 11:27ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରେ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ୱରରେ କହିଲା, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ। 28ମାତ୍ର ସେ କହିଲେ, “ନା, ବରଂ ଯେଉଁମାନେ ଈଶ୍ବରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ଧନ୍ୟ।”

ତାରିଖ ରୁଷ ମଣ୍ଡଳୀର ଜୁଲିଆନ୍ ପଞ୍ଜିକା ଅନୁସାରେ (ସର୍ବୀୟ ଓ ଜର୍ଜୀୟ ମଣ୍ଡଳୀ ଓ ଆଥୋସ୍ ପର୍ବତ ପରି): ମଣ୍ଡଳୀ ପଞ୍ଜିକାର ନଭେମ୍ବର 21 ନାଗରିକ ପଞ୍ଜିକାର ଡିସେମ୍ବର 4। ନୂଆ ପଞ୍ଜିକାର ମଣ୍ଡଳୀ (ଗ୍ରୀସ୍, ରୋମାନିଆ, ବୁଲଗେରିଆ, ୟୁକ୍ରେନ୍…) ସ୍ଥିର ତାରିଖର ପର୍ବ ଓ ସନ୍ଥଙ୍କୁ ସେହି ନାଗରିକ ତାରିଖରେ, 13 ଦିନ ପୂର୍ବରୁ, ପାଳନ୍ତି, ଏବଂ ସେମାନଙ୍କର କେତେକ ପାଠ ଭିନ୍ନ; ଇଷ୍ଟର ଓ ତାହା ଉପରେ ନିର୍ଭରଶୀଳ ଦିନଗୁଡ଼ିକ ସମାନ।

ଉତ୍ସ: ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · © 2017, 2019, 2021 Bridge Connectivity Solutions, CC BY-SA 4.0; changed: footnotes, headings and the letters over Psalm 119 left out, verses in the app's numbering. · ଉତ୍ସ ଓ ଅଧିକାର